Unknown

 

 

 

 

 

 

 

 

 

 

କିଛି କହିବାକୁ ଚାହେଁ

(ଉପନ୍ୟାସ)

ଗୋପୀନାଥ ମହାନ୍ତି

 

 

କିଛି କହିବାକୁ ଚାହେଁ ।

 

ଏତିକି ଭାବିଲାମାତ୍ରେ ସେମାନେ ମାଡ଼ିଆସୁଛନ୍ତି ରଡ଼ି ଛାଡ଼ି ଛାଡ଼ି ।

 

‘‘କଣ୍’’ ? ‘‘କଣ୍’’ ? ‘‘କଣ୍’’ ? ଝଣ୍-ଝଣ୍-ଝଣ୍ ଶୁଭୁଛି ।

 

ସେମାନେ ବି ପିନ୍ଧିଛନ୍ତି ଶିଂକୁଳି-ଲୁହା-କାଳର ଆଉ କଠିନ ।

 

ହାତରେ, ଗୋଡ଼ରେ, ଅଣ୍ଟାରେ, ସେମାନେ ବି ମୋ’ରି ପରି ବନ୍ଦୀ । କିନ୍ତୁ ଦେହଯାକ ହାତ ହତିଆର, ପଥରରେ ତିଆରି ହତିଆରଠୁଁ ଲୁହାଯାକେ, ପୁଣି ଲୁହାପେଟରେ ନିଆଁ, ରାସାୟନିକ ଦ୍ରବ୍ୟର । ସେମାନଙ୍କଠୁଁ ମୁଁ ଯାହା ଆଶଙ୍କା କରୁଛି, ସେସବୁ ଭୟ ନାନା ପ୍ରକାରର । ମୁଣ୍ଡା ଓଜନ ଜିନିଷରେ ଛେଚି ହେବାର, ମୁନିଆଁ ଜିନିଷରେ ଫୋଡ଼ିହେବାର, ଦାଢ଼ୁଆ ଜିନିଷରେ ଭିଣିଭିଣା ହେବାର, ପୋଡ଼ିବାର, ଜଳିବାର; ଆଉ କେତେ କ’ଣ ଯନ୍ତ୍ରଣାର, ସେସବୁ ବି ଅନୁଭବ କରେ, ଏଇ ରକ୍ତମାଂସର ଶରୀର ମୋର । ସେମାନଙ୍କ ଆକାର ବି ମୋ ଆଖିକି ଦିଶେ ଅସୁରିଆ-। ମୁଁ ତ ଗୋଟେ ପାଞ୍ଚଫୁଟ ଛ’ ଇଞ୍ଚ୍, ସେମାନେ ସମସ୍ତେ ସାଢ଼େ ଛଅ ଫୁଟ । ମୋ ଛାତି ଚଉତ୍ରିଶ ଇଞ୍ଚ୍ । ମୁଁ ଫିତା ପକାଇ ମାପିଛି-ସେମାନଙ୍କର ପଚାଶ ଇଞ୍ଚ ଉପରେ । ନିଜ ଦର୍ପଣରେ ଦେଖିଛି, କେତକୀ ଫୁଲପରି ମୋ ବର୍ଣ୍ଣ । କେତେବେଳେ ଭାବେଁ ବିଶୁଦ୍ଧ ପାଲିସ୍ ଶଙ୍ଖ ମଲମଲ ପଥରରେ ମୁଁ ତିଆରି । ମୋର ଗୋଲ ଫରଚା ବେଲ–ଫାଳିଆ କପାଳ ଉପରେ ସତେକି ଭିତରୁ ପଡ଼ିଥାଏ କେତେ ସୁନ୍ଦର ଆଲୁଅର ଫୋକସ୍ । ଆଖି ଓସାର, ଗଭୀର ଦୃଷ୍ଟି, ସବୁବେଳେ ପ୍ରସନ୍ନ, ନାକ ବେଶ୍ ଉଚ୍ଚ, କପାଳ ମଝିରୁ ବାହାରିଛି । ମୁଁ ତ ବରାବର କହେଁ ସବୁ ଚାରିତ୍ରିକ ଆଦର୍ଶର ସଂକେତ ଚିହ୍ନ ସେଠି ମୂର୍ତ୍ତିମନ୍ତ ହୋଇଛି । ଓଠ ନାଲିଚା, ଠିକ୍ ମୋର ମାଉସିଆଁ ହାତପାପୁଲି ପରି-। ମୁଁ ତ ବାରମ୍ୱାର ମୋ ମୁହଁକୁ ଅନାଇ ଭାବିଛି, ଏ ଜଗତର ରାଜା ହୋଇଥିଲେ ଯେଉଁ ମନୁ, ରାଜା, ଶାସକ, ଆଇନ୍ ପ୍ରଣେତା, ନିୟନ୍ତା, ଏ ମୁହଁ ତାଙ୍କରି । ଅବଶ୍ୟ ମନୁଙ୍କ ମୁହଁ ବି ମୁଁ ଦେଖିନାହିଁ ।

 

କିନ୍ତୁ ସେମାନଙ୍କ ମୁହଁ ‘ଭୟଙ୍କର’ । ଛବିରେ ଦେଖିଛି ଛ’ ଲକ୍ଷ ସାତ ଲକ୍ଷ ବର୍ଷ ତଳର ମଣିଷଙ୍କ ମୁହଁ । ବୈଜ୍ଞାନିକ ନାଁ ଦେଇଛନ୍ତି, ‘‘ପିଥେକାନ୍-ଥ୍ରୋପସ୍’’ ମଣିଷ, ମଇଁଷି ମୁଣ୍ଡ ଆକାର, ଗରିଲା ମୁହଁ ପରି, ଆହୁରି କେମିତି ବିକୃତ, ମୁଁ ଅନୁମାନ କରିଛି ତା’ ରାଗ, ଏମାନଙ୍କ ମୁହଁ ଗଢ଼ିଛି ।

 

‘‘ମୁଁ ନୁହେଁ, ମୁଁ ନୁହେଁ ସେ, ସେମାନେ,’’

 

ମୁଁ ଚିତ୍କାର କରିଛି କେତେଥର ନିଦରେ, ଯେତେବେଳେ ମୋ ତକିଆ ପାଖରେ ସେ ମୁହଁ ଲାଗି ଲାଗି ଆସିବାର ମୁଁ ଦେଖିଛି, ସେତେବେଳେ ମୋ ମୁହଁ ନଥାଏ । ସେ ମୁହଁ ମୋ ମୁହଁକୁ ଘୋଡ଼େଇପକାଇ ମୋ’ରି କାନ୍ଧରେ ଲାଖିବାକୁ ଏକ ହେବାକୁ ଲୋଡ଼େ ।

 

କେଉଁ ଦୁର୍ବଳ ମୁହୂର୍ତ୍ତରେ ମୁଁ ବି ସେ ହେଇଛି; ଆଉ ଭାବିଛି ବିଚରା ପିଥେକୋନ୍ ଥ୍ରୋପସ୍ । କି ସୁଯୋଗ ତାକୁ ଦେଇଥିଲା ଜୀବନ ! ଆଜି ତୁମେ ତାକୁ ଧିକ୍କାର କରୁଛ, ନୁହେଁ ? ତା’ର ନଥିଲା ପାଣି ପବନ ଦାଉରୁ ରକ୍ଷା ପାଇବାକୁ ସମ୍ପୂର୍ଣ୍ଣ ରୂପେ ନିରାପଦ କୁହାଯିବା ଭଳି ଘର ଖଣ୍ଡେ, କି ଚାଷ କରିବାକୁ କ୍ଷେତ, ରହିବାକୁ କେଉଁ ପଥର ତଳି ଖୋଲ କି ଗୁମ୍ଫା କି ଗଛ କୋରଡ଼, ଖାଇବାପାଇଁ ନିଜେ ଖୋଜି ବୁଲିବାକୁ ପଡ଼ିବ । ପରଖି ପରଖି, ଚାଖି ଚାଖି, ଗୋଡ଼େଇ ଧରି, ଫୋପଡ଼ ମାରି, କେତେ ଧଳା, ସବୁବେଳେ ଆଶଙ୍କା, କାଳେ ଅନ୍ୟ କେଉଁ ଜନ୍ତୁ ମାରିପକାଇବ, ଆକାର, ଚେହେରା ଓ ସ୍ୱଭାବରେ କେତେ ଭୟଙ୍କର ପ୍ରକାର ପ୍ରକାରର । ଆଉ, ଜନ୍ତୁଠୁଁ ଆହୁରି ବଡ଼ ଶତ୍ରୁ । ତା’ରି ପରି ମଣିଷ, ମାରିପକାଇବ ଖାଦ୍ୟ ପାଇଁ, ସ୍ତ୍ରୀ ପାଇଁ, ଖାଲି ବଳୁଆ ନୁହେଁ, କୌଶଳୀ ।

 

କିନ୍ତୁ ନିଜ ଉପରେ ପଡ଼ିଲେ ପରପ୍ରତି ସହାନୁଭୂତି କାହାରି ନଥାଏ । ଏ ଅଭ୍ୟାସ ବି ସେହି ଲକ୍ଷ ଲକ୍ଷ ବର୍ଷ ହେଲା । ଆଗ ଆବଶ୍ୟକ ମେଣ୍ଟାଇବାକୁ ବ୍ୟବହାର, କ୍ରମେ ଅଭ୍ୟାସ, କେତେ ପୁରୁଷ ପରେ ସ୍ୱଭାବ । ଦେହଟା ଜନ୍ମ ହେଲା, ବଢ଼ିଲା, ବୁଦ୍ଧି ହେଲା, ଅର୍ଥାତ୍ ନିଜ ଇଚ୍ଛା ଅନୁସାରେ ନିଜ ହାତ ଗୋଡ଼ ଚାଲିଲା, ଆପେ ବାହାରିଲା ସ୍ୱଭାବ । ସତେ ଯେମିତି ଏକା ବୁଜୁଳି ଭିତରେ ଥିଲେ ବୁଦ୍ଧି ଆଉ ଦୁର୍ବୁଦ୍ଧି, ଏକା ମଞ୍ଜି ଭିତରେ ଥିଲା ପରକୁ ଭଲ ପାଇବାକୁ ଓ ପରକୁ ଝୁଣି ଖାଇବାକୁ ଦୁଇ ବିପରୀତ ଗୁଣ । କେଉଁଟାଇ ଶେଷ କଥା ନୁହେଁ, କେଉଁଟା ମିଛ ନୁହେଁ । ପରିସ୍ଥିତି ଓ ପ୍ରୟୋଜନର ବଳରେ କେତେବେଳେ କେଉଁଟାର ବଳ ବେଶି ହୁଏ, ତୁଣ୍ଡରେ ଆରଟା ଭଜି ହେଉଥିଲେ କ’ଣ ହେବ, ହାତ ଗୋଡ଼ ତ ଚାଲେ ବିପରୀତ ଦିଗକୁ । କଂସ ବି ଜପେ କୃଷ୍ଣ ନାମ, କୃଷ୍ଣକୁ ଧ୍ୟାନକରେ । କେଉଁ କାମ, ପଛେ ଯାହାର ପରିମାଣକୁ ଲୁଚେଇବାକୁ ଯାଇ ଆଉ କେଉଁ ଅନ୍ଧାରୁଆ କାମ ସେ କରେ । ତା’ ପରିମାଣ ଘୋଡ଼ାଇବାକୁ ପୁଣି ଆଉ କେତେବେଳେ କେଉଁ ଅନ୍ଧାରୁଆ କାମ । ଖସଡ଼ାବାଟ, ଥରେ ଗୋଡ଼ ଖସିଗଲେ ଘିଡ଼ି ଘିଡ଼ା ଘିଡ଼ି ଘିଡ଼ା-ଅନ୍ଧାର ଭିତରେ ତଳକୁ ତଳକୁ । ଲୁଚେଇବାକୁ ଯିବା ବି ସ୍ୱଭାବ । ବିଲେଇ ଆଉକିଛି ନ ଲୁଚାଇ ନିଜର ମଇଳାକୁ ଲୁଚାଏ ! ତେବେ ଏ ଭୟଟା ବି କାହିଁକି ଆସିଲା ? ସେଇଆ ତ ଭାବେ । ଶେଷ କଥା ତ ସମସ୍ତେ ଜାଣନ୍ତି, ଆଜି ନ ହେଲେ କାଲି । ଜଣା ମନରେ ସେହି ତ ଅନ୍ତିମ, ବିନାଶ, ବାକି ସବୁ ଯେତେ ଯେତେ ସେହି ଜାତିଆ, ଶରୀରର ନ ହୋଇ ସ୍ୱାର୍ଥର, ନିଜ ସମ୍ୱନ୍ଧର ସେ ସତେକି ପ୍ରତିପଦ୍-। ଦ୍ୱିତୀୟ, ତୃତୀୟ, ଚତୁର୍ଦ୍ଦଶୀ ଯାକେ ତା’ ପରେ ଉଆଁସ ନିଶ୍ଚିତ ।

 

ଖାଲି ଭିନେ ଭିନେ ପ୍ରକାର ହେଲା, ଜନ୍ମହେଲା, ବଢ଼ିଲା, ଛିଡ଼ିଲା କି ବୁଢ଼ା ହେଲେ କି ଶୁଖିଲା, ମଲା, ଗଲା ।

 

କେତେ ହେଲା ? ଛ ।

 

ପ୍ରାତଞ୍ଜଳି ବି ଭାବିଥିଲେ ।

 

ସେତେବେଳେ କ’ଣ ଯୁଦ୍ଧ ନଥିଲା ? ହଣାହଣି ମରାମରି ନଥିଲା ? ଠକାମି ଧପ୍‌ପାବାଜି ନଥିଲା ? ପାତଞ୍ଜଳି ଯେଉଁ ସମୟରେ ଥିଲେ, ସେତେବେଳକା ସମାଜରେ ଯଜ୍ଞକୁଣ୍ଡ ଥାପିଲାବେଳେ ମଣିଷଟାଏ ମାରି ତା’ ମୁଣ୍ଡକୁ କୁଣ୍ଡ-ତଳେ କ’ଣ ପୂଜକମାନେ ମନ୍ତ୍ର ବୋଲି ବୋଲି ଥୋଉଥିଲେ ? ଆର୍ଯ୍ୟ କ’ଣ ଗୋ ମାଂସ ଖାଉଥିଲେ ସେତେବେଳେ ବି ?

 

କି ମିଳିବ ସେ ଆଲୋଚନାରୁ ?

 

ଅବଶ୍ୟ ଏକଥା ସତ, କାହିଁରେ କ’ଣ ବା ମିଳେ ? କିନ୍ତୁ ‘ଶୁଦ୍ଧ’ ବିଚାରଟା ଖାଲି ଅରୁଆଚାଉଳ ନିରାମିଷ ଖାଇ ବାହାରିବ ନହେଲେ ନୁହେଁ ସେକଥା ତ କହିହେବ ନାହିଁ ।

 

ତେବେ ଜନ୍ମହେବା ପରି ମରିବା କି ନ ମରୁଣୁ କ୍ଷୟହେବା ବି ନିଶ୍ଚିତ ଘଟଣା, ଡରିବା ସେଭଳି ଅବଶ୍ୟମ୍ଭାବୀ ନୁହେଁ । ସାନ ସାନ ପୋକମାନଙ୍କୁ ଦେଖିଛି, ଗୁରୁଣ୍ଡି ବା ପୋକ, ଚଲା ପୋକ, ଡ଼ିଆଁ ପୋକ, ଉଡ଼ା ପୋକ, ଝରି ପୋକ, ପ୍ରଜାପତି, ଯାହା ପ୍ରକାରକୁ ଦେଖି ସୌନ୍ଦର୍ଯ୍ୟର କଣ୍ଟ ମାପ ଗଢ଼ିଛି ସେ ଦେଖିବାକୁ ସୁନ୍ଦର । କେତେ ତ ଭାରି ସୁନ୍ଦର, ଯେମିତି ଅତି ପ୍ରାଚୀନ ଐତିହାସିକ ବଂଶର ସେଇ ଗୋଟିକ ଅସରପା ।

 

ସେ କଣ୍ଟରେ ମଣିଷ ତ କଦାକାର କୁତ୍ସିତ ଅସୁର । ନିଆଁ ପାଣିର ଚରମ ବିନାଶକୁ ଦେଖି ସେମାନେ ଡରନ୍ତି ନାହିଁ, ଝାସ ଦେବାକୁ ଆଗେଇ ଯାଆନ୍ତି । ତିବ୍ର ଉତ୍ତେଜନାରେ ସମ୍ଭବତଃ ସେ ତାଙ୍କର ଉଗ୍ର ଆନନ୍ଦର ଅଭିବ୍ୟକ୍ତି ।

 

କିନ୍ତୁ ମୋର ଡର ବୋଲି ଡର ! ଏକୁଟିଆ ମୁଁ ନୁହେଁ, ଦେଖିଛି, ମଣିଷମାତ୍ରେ ହିଁ ସବୁ ବଡ଼ବଡ଼ିଆ ଜୀବଙ୍କର । କହନ୍ତି ଡର ସମସ୍ତିଙ୍କର । ବାଘର ଫାଗକୁ ଡର ।

 

ମୁଁ ଜାଣେ ନାହିଁ କୁଆଡ଼ୁ ଏ ଡର ଆସି ମଣିଷ ମନରେ ବସା ବାନ୍ଧିଲା । ହୋଇପାରେ, ପରିସ୍ଥିତି ଓ ପ୍ରୟୋଜନରୁ ଆସିଲା ଉପାୟ, ସେ ହେଲା ଅଭ୍ୟାସ । ସେ ହେଲା ସ୍ୱଭାବ । ବୋଧହୁଏ ଛ’ଲକ୍ଷ ଆଠ ଲକ୍ଷ ବର୍ଷ ତଳର ସେହି ଆଦିମ ମଣିଷମାନେ ଜାଣିଥିବେ ।

 

କେତେ କଥା, ଯାହା ଆହୁରି କଳାମୟ ସ୍ୱଭାବ ହୋଇପାରିଥାନ୍ତା ଥିଲେ, ତା’ତ ହେଲା ନାହିଁ ।

 

ଯେମିତି ଠେକୁଆପରି ନିର୍ଦ୍ଦୋଷ କୁତୂହଳ, ରାତିର ରାସ୍ତାରେ ଆଲୁଅ ପକାଇ ଦୌଡ଼ୁଛି କାର୍ । ଦି’ କରରେ ବଣ, ଅନ୍ଧାର । ହଠାତ୍ ଆଲୁଅ ଦେଖିବାକୁ ଆସି ପହଞ୍ଚିଗଲେ ଠେକୁଆ ଯୁବକଟିଏ, ଠେକୁଆ ଯୁବତୀଟିଏ । ବଣର ନିରାପତ୍ତା ଭିତରୁ ବାହାରିପଡ଼ିଲେ ଆଲୁଅ ଓ ସଡ଼କର ବିପଦକୁ । ତା’ ବି କରରେ ରହି ନିରାପଦରେ ବସି ଘାସ ଚୋବୋଉ ଚୋବୋଉ ଦେଖି ହୁଅନ୍ତା । ଆାମେ ତ ସେମିତି ଦେଖୁ କୋଠା ଉପରେ ବସି ରାସ୍ତାର ଷଣ୍ଢ ଲଢ଼େଇ କି, ଅବା ଜନଶୂନ୍ୟ ରାସ୍ତାରେ ଛୁରୀଟାଏ ଉଞ୍ଚେଇ ଗର୍ଜି ଗର୍ଜି କେଉଁ ପାଗଳାଟାଏ ଦଉଡ଼ୁଛି ତାକୁ, କି ଅବା ଦି’ ଦଳ ଲୋକ ଗୋଡ଼ିଆ ଗୋଡ଼ି ହୋଇ ପିଟାପିଟି ଭୁଷାଭୁଷି ହଣାହଣି ହେଉଛନ୍ତି ତାଙ୍କୁ । ଝରକାଟା ବନ୍ଦ କରିଦେଲେ ବି ଫାଙ୍କାବାଟେ ଦେଖିହେବ ।

 

କିନ୍ତୁ ଠେକୁଆ ଯୁବକ ଯୁବତୀ, ସେମିତି ଚାହାନ୍ତି ନାହିଁ । ଆଲୁଅକୁ, ତୋଫାନ ବେଗକୁ, ଶବ୍ଦକୁ ଉପଭୋଗ କରିବାକୁ ପଡ଼ିବ, ସେଥିରେ ରୀତିମତ ଗାଧୋଇ, ସେଥିରେ ମିଶିଯାଇ । ତେଣୁ, ନିରାପଦ ନୀଡ଼ ଉହାଡ଼ରୁ ଆଗକୁ ପାହୁଣ୍ଡେ ପାହୁଣ୍ଡେ ହୋଇ, ସେଉଠୁ ରାସ୍ତାକରକୁ ସେଉଠୁ ରାସ୍ତାକୁ । ତା’ ପରେ, ହୋଇ ଆସିଗଲା,-ନାଚି ନାଚି, ବଙ୍କେଇ ବଙ୍କେଇ, ଊର୍ଦ୍ଧ୍ୱ ଶ୍ୱାସରେ ।

 

ଶ୍ୱେତ ପତାକା ପରି ଟିକି ଟିକି ଲାଞ୍ଜଟି ମାନ ତଥାପି ରହିଛି ଉପରକୁ ସିଧା । ତଥାପି ରହିଛି ଉପରକୁ ସିଧା । ନିର୍ଦ୍ଦୋଷ, ନିଷ୍ପାପ, କୁତୂହଳୀ, ଧଳା ।

 

ଗଡ଼ିଚାଲିଛି ହଠାତ୍ କେଉଁ କରରେ ପଛେଇ ନଯିବା ଯାକେ, ନହେଲେ,..... ।

 

ସେମିତି ସେମାନେ ରାତିରେ, ବଣରେ ଆଲୁଅଟିଏ ଦିଶିଲା, ଘଣ୍ଟି ଠୁଣ୍ ଠୁଣ୍ ଶବ୍ଦ ହେଲେ । ବାହାରିପଡ଼ିଲେ କଳାପ୍ରେମୀମାନେ, ଯୁବକ ଯୁବତୀ । ଉପଭୋଗ କରିବାକୁ ହିଁ ପଡ଼ିବ । ସେମାନେ ଭାବିନାହାନ୍ତି ଆଲୁଅ ଓ ଘଣ୍ଟି ଶବ୍ଦ ମଣିଷ-ବ୍ୟାଧଙ୍କ ଛଳନା ବୋଲି । ଭାବିଥିଲେ । ସେମାନେ ବି ଆମପରି ହୋଇଥାନ୍ତେ ହିସାବୀ ଜନ୍ତୁ, କଳାବୋଧ ନିରର୍ଥକ ହୁଅନ୍ତା ।

 

ତା’ ପରେ ଅବଶ୍ୟ ଘଟନା, ଜାଲ କି ଠେଙ୍ଗାପାହାର, ହଠାତ୍ ଉଆଁସ । ନହେଲେ ବି ଆସିଥାନ୍ତା ଏ ଦେଶର ସୁନା ଇଗଲ୍ ଚଢ଼େଇ, ମୟୂରମାରୁ ଚଢ଼େଇ ? ହଠାତ୍ ଆକାଶରୁ ଝାମ୍ପ ମାରେ, କଟାସ, ବଣବିଲେଇ, କଲରାପତରିଆ, ଏପରିକି ମହାବଳ, ସମସ୍ତେ ଧରି ଧରି ଖାଆନ୍ତି, ବାଗରେ ପାଇଲେ ସାପ ବି ଗିଳେ । କାହାର ଜୀବନକାଳ କେଉଁ ବିଦେଶରେ ହଠାତ୍ ଅନ୍ତର୍ହିତ ହୁଏ । ଠେକୁଆ ମା’ ମାନେ ପୁଣି ଜନ୍ମ କରାନ୍ତି, ମାରୁ କଂସ ।

 

ପ୍ରାଣ ଛାଡ଼ିଗଲେ କଷ୍ଟ ଛାଡ଼ିଗଲା । ସେଉଠୁ ଶରୀରଟାକୁ ଯେ ଯାହା କରୁ, ଯେମିତି କାହାପାଇଁ ଘିଅ ଚନ୍ଦନକାଠ, ‘ପବିତ୍ର’ ଅଗ୍ନି, କାହାପାଇଁ ‘ପବିତ୍ର’ ମାଟିତଳ, କେତେ ପୋକ, କାହା ଲାଗି ବିଲୁଆ, ଶାଗୁଣା, କୁକୁର, ଯାହାର ହେଲେ ପେଟେ, ଅନ୍ତତଃ ଓଳିକ ପାଇଁ । ସେମିତି, କାହା ପତରରେ ଠେକୁଆ ପୋଡ଼ା, ଠେକୁଆ ଭଜା କି ଝୋଳ ।

 

ଏସବୁ ତ ଜଣାଶୁଣା କଥା । ପୁରୁଣା ଲୋକେ ବି ଜାଣିଥିଲେ ଯଦିଚ ସେତେବେଳକା ବୁଦ୍ଧି ବିକାଶ ଏତେବାଟ ଉଠିନଥିଲା ଯେମିତି ଏ ଯନ୍ତ୍ରଯୁଗରେ । ଚନ୍ଦ୍ରକୁ ଗସ୍ତରେ ଯିବା, ମହାକାଶରେ ଉଡ଼ି ଉଡ଼ି ଚାଲିବା । ଆଉ ପୃଥିବୀରେ, ଏଭଳି ମାରଣ ଅସ୍ତ୍ର ସଜେଇ ଥୋଇବା ଯେ ନିମିଷକେ ତା’ ମନକୁ ଚାଲିଯିବ ହଜାର ହଜାର ମାଇଲ, ଯେଉଁଠି ଯେତେ ଦେଶ ଜାଳି ପୋଡ଼ି ଧ୍ୱଂସ କରିବାକୁ ବରଗିବା ସେପରି କରିଦେବ, ସାଧରଣ ମଣିଷ ହାତରେ ଗୁପ୍ତ ମାରଣ ଅସ୍ତ୍ର, ସାନପିଲାଙ୍କ ହାତରେ ବି ଢେଲାପରି ବୋମା । ଦେଶମାନଙ୍କ ସରକାରଙ୍କ ହାତରେ ଆଣବିକ ବୋମା । ତଥାପି ସେତେବେଳେ ସେମାନେ ବି ବୁଝୁଥିଲେ, ଅବିକଳ ଏହି କଥା । କିଏ କହୁଥିଲା ମରିବାଟା ପୁରୁଣା ଲୁଗା ପାଲଟି ଫୋପାଡ଼ି ଦେଲାପରି । ସମସ୍ତେ କହୁଥିଲେ, ଯେତେ ଯାହା ଦୁଃଖକଷ୍ଟ ପଡ଼ୁ, ବିନାଶ ବି ଆସୁ, ମନ ଖରାପ କରନା । କେତେ ତ ଆହୁରି କହୁଥିଲେ, ମନ ଖରାପ କଲେ ଭଗବାନଙ୍କୁ ଦ୍ରୋହ କରିବା ହେବ ?

 

କିନ୍ତୁ ଏତେ ଭାବିଲେ କ’ଣ ହେବ ? ପୁରୁଷକୁ ପୁରୁଷହୋଇ ଡରଟା ରହିଗଲା । ଆଦିମମଣିଷ ସାମୟିକ ବ୍ୟବହାର ପଛେ ତା’ ପଣନାତିଙ୍କ ଅଭ୍ୟାସରେ ପଡ଼ିଗଲା । ଆଉ ପଛେ ତା’ର ଅଣନାତିଙ୍କ ସ୍ୱଭାବରେ ପଡ଼ିଗଲା । କ୍ରମେ ଏତେ ଶହ ଶହ ହଜାର ହଜାର ବର୍ଷର ସ୍ୱଭାବରେ ଅଭ୍ୟାସରେ ବଢ଼ି ବଢ଼ି ହୋଇଛି ସବୁଠୁ ବଡ଼ ସ୍ୱଭାବ । ଯେମିତିକି ନିଃଶ୍ୱାସହେଲେ ବି ମଣିଷ ଆହୁରି ଆହୁରିଡର ପିଇ ପିଇ ଯାଉଛି । ଡର ଚରିଯାଉଛି ତା’ ମନର ତଳିତଳାନ୍ତକୁ, ଦେହ ବା କାହୁଁ ଉଧୁରିବ ?

 

ଭ୍ରମ ହେଉଛି । ଡରହିଁ ମୋର ଜୀବନ ସତ ବି ହୋଇପାରେ ।

 

ମଣିଷ ବଞ୍ଚିଛି କାହିଁକି ?

 

ମୁଁ ଦେଖିପାରୁଛି ଶୁଣିଲା ମୁହଁରେ କୌତୁହ-ହସ, ଯେ ଦି’ କଡ଼ା କରିଦିଏ ଖାଲି ଓଠର ଗୋଟାଏ ‘‘ଆରେ ଯଦି ଶରୀର ନୀରୋଗ ଅଛି । କେହି ମାରିପକାଉ ନାହିଁ ? ମଲାବେଳ ହୋଇନାହିଁ । ମଣିଷ ମରିବ କେମିତି ?’’

 

ଏ ଉତ୍ତର ମୋ ମନକୁ ବି ପାଉନାହିଁ । ଯେ ପରକୁ ମାରି ପାରୁଛି ସେ ଚାହିଁଲେ କ’ଣ ନିଜକୁ ମାରିପାରନ୍ତା ନାହିଁ ?

 

କେହି କେହି ଭଲ ପାରନ୍ତି । ମୁଁ ଦେଖିଛି, ହୋ, ହା ନାହିଁ । ବିଛଣାରେ ଚୁପ୍ ଚାପ୍ । କିନ୍ତୁ ଅଧାପନ୍ତୁରିଆ ବି ବହୁତ ଦେଖିଛି । ସବୁ କରି ଶେଷ ମୁହୂର୍ତ୍ତରେ ଯେତେବେଳେ ଆଉ ଟିକିଏ ନାଁ କୁତ ।

 

ସେତେବେଳେ ପୁଣି ପଛବୁଦ୍ଧିଆମୀ, ପୁଣି ଲୋଭ, ସେଉଠୁ-ରାଜ୍ୟରେ ହଟା, ନିଜପାଇଁ ହଟହଟା ।

 

ଭବିଷ୍ୟତ୍ ପାଇଁ ଟିକିଏ ସ୍ମୃତି, ଆପଣାକୁ ଆପେ ବାହାଦୁରୀ ଦେବା-ପାଇଁ-ଯେ ‘‘ମୁଁ’’ ଏତିକି ବାଟ ଆଗେଇଥିଲି ମୋ ଜୀବନରେ ବଢ଼ି ପାଣିଗାର ଏତିକି ଇଞ୍ଚ ଉଠିଥିଲା । ଆଉ ଉଠିନାହିଁ ।’’

 

ମୋର ସେ ଲୋକଟା କଥା ମନେପଡ଼େ, ବୋଧହୁଏ ମୁଁ ନିଜେ ସେ–କିଛି ଯାଏ ଆସେ ନାହିଁ–ଆମ ସହର ମଝିଛକ ପାଖେ ସେ ଯେଉଁ ଉଞ୍ଚ ଓସ୍ତଗଛ ସେ ତା’ ଉପରେ ବସିଥିଲା । ଏକଦମ୍ ଅଗ ଡାଳରେ, ବେଳେବେଳେ ପାଟି କରୁଥିଲା । ‘‘ମୁଁ ଡେଇଁ ପଡ଼ିବି । ଆଉ ଏ ପ୍ରାଣ ରଖିବି ନାହିଁ । ପାଠ ପଢ଼ିଲି, ଚାକିରି କଲି, ଚାକିରି ବି ନେଲ । ପାଞ୍ଚ ପ୍ରାଣୀ କୁଟୁମ୍ୱ ଆଖି ଆଗରେ ଶୁଖି ଶୁଖି ମରିଛନ୍ତି । ଏ ସଂସାରରେ ଦୟା ମାୟା ନାହିଁ, ବିଚାର ନାହିଁ କି ନ୍ୟାୟ ନାହିଁ । ମୁଁ ଡେଇଁବି । ତା’ ଲେକ୍‌ଚର ଶୁଣିବାକୁ ଲୋକେ ରୁଣ୍ଡିଧାନ୍ତି । କହିସାରି ଦି’ କ୍ଷେପ ସେ ଉଠେ, ତଳୁ କେତେ ସାକୁଲା ସାକୁଲି, କେତେ ହାଉଯାଉ ଶୁଭେ, ଚଢ଼ିବାକୁ କେହି ସାହସ କରନ୍ତି ନାହିଁ । କାଳେ ସେ ସତେ ସତେ ଡେଇଁପଡ଼ିବ । କେହି ଚେଷ୍ଟା କଲେ ଅନ୍ୟମାନେ ତାକୁ ନିରସ୍ତ କରନ୍ତି । ବୁଢ଼ୀଟିଏ ତଳେ ବସି କାନ୍ଦିଲା କେତେ ଲୋକ ଆହା ଆହା କଲେ । ରାସ୍ତା ପ୍ରାୟ ବନ୍ଦ । ପୁଲିସ୍ ଆସିଲେ ।

 

ଡେଇଁଲା ନାହିଁ ସେ ଆଦୌ । ଧରା ହେଲା, ଜେଲ୍‌କୁ ନିଆଗଲା । ଖବର କାଗଜକୁ ଗଲା । ଗାଳି, ଥଟ୍ଟା ତାମସା ଛତା ସେହି ଦାଣ୍ଡେ ଦାଣ୍ଡେ ଯେଉଁ ସହାନୁଭୂତି ପାଇଥିଲା । ମୁହୂର୍ତ୍ତେ ମୁହୂର୍ତ୍ତେ ଲାଗି ପଛେ ହେଉ । କାହା କାହା ମନରେ ଯେଉଁ କ୍ଷୋଭ ଉପୁଜାଇଥିଲା, ସାମାଜିକ ଅବ୍ୟବସ୍ଥା ବିରୁଦ୍ଧରେ, ସେ ପୁଞ୍ଜି ସେଇଠି ସରିଲା ।

 

ତା’ଡର ଛାଡ଼ିଲା ନାହିଁ ଯେ ସେ ନିଜେ ମରିବାକୁ ଡ଼ିଅନ୍ତା ।

 

ସେ କ’ଣ ଏଇଥିପାଇଁ ବଞ୍ଚିରହିଲା ଯେ ସେ ବିଶ୍ୱାସ କରେ । ତା’ ପାଇଁ ଖୁମ୍ୱ ଭିତରୁ ନୃସିଂହ ବାହାରିବେ । ଯେଉଁମାନଙ୍କୁ ସେ ଶତ୍ରୁ ବୋଲି ଭାବେ ତାଙ୍କୁ ଝୁଣି ଦେବେ ?

 

ସେ କ’ଣ ବିଶ୍ୱାସ କରେ ଯେ ସେ ଆଖି ବୁଜି ଶୋଇପଡ଼ିବ, ଆଉ ନିଦରୁ ଉଠି ଦେଖିବ ଯେ ତା’ର ଛୟାଳିଶ ବର୍ଷ ବୟସ ଯାକେ କାରଣ ଆଉ ଫଳ କଷାକଷିରେ ଯାହା ତା’ କେବେ ଘଟି ନାହିଁ, ସେହି ଅସମ୍ଭବ ସୌଭାଗ୍ୟ ଆସି ପହଞ୍ଚିଛି । ଛାତ କଣାକରି କେଉଁ ଅଜଣା କାରିଗର ଅଜାଡ଼ି ଦେଉଛି ଘରଭର୍ତ୍ତି କରି ଧନରତ୍ନ, ବାହାରେ ସବୁ ସମସ୍ୟା ଶେଷ ହୋଇଛି; ଆଉ ସେଇଥିପାଇଁ ସେ ମତ ବଦଳେଇ ସାହସ ବାନ୍ଧିଲା ? ଦୁରାରୋଗ୍ୟ ରୋଗ ଭୋଗୁଥିବା ଜୀର୍ଣ୍ଣ ଶରୀର, ସଂସାର ପୋଡ଼ିଯାଇଥିବା ନିଆଶ୍ରୀ ବୁଢ଼ୀ, ସବୁ ଆଶ୍ରା, ସବୁ ଭରସା ନିଶ୍ଚିହ୍ନ ହୋଇଥିବା ଭଙ୍ଗାମଣିଷ, ଯାହାର ଚେତନା ହିଁ ଯନ୍ତ୍ରଣା, ସେ କ’ଣ ସତରେ ବିଶ୍ୱାସ କରୁଛି ଆଉ କିଛି ଭଲ ଅଛି ତା’ ପାଇଁ ? ନତୁବା ସେ କ’ଣ ପ୍ରକୃତରେ ଆପଣା ସୁଖ ଦୁଃଖ ଚେତନାକୁ ଏଭଳି ଅକ୍ତିଆର କରିପାରିଛି ଯେ ନିଜଠିଁ ସବୁ ଅଭାବଥାଇ ସୁଦ୍ଧା ପରଠିଁ ପ୍ରାଚୁର୍ଯ୍ୟର ଆସ୍ଫାଳନ ଦେଖି ସେ ଆଦୌମନଦୁଃଖ କରେ ନାହିଁ ?

 

ପରର ଦୁଃଖରେ ଦୁଃଖୀ ହେବାଠୁଁ ସହଜ କିଛି ନାହିଁ, ନିଜର ତ ସେ ଦୁଃଖ ପଡ଼ିନାହିଁ । ହୁଏତ ଅତୀତରେ ପଡ଼ିଥିଲା, ନହେଲେ କଳ୍ପନାରେ ଗଢ଼ି ହେବ । ଯେମିତି ଜହ୍ନରାତି, ଶୁଖିଲା ପାଗ, ଆକାଶରେ ବଉଦ ଉପରକୁ ଅନାଇ ପରୀରାଇଜ କଥା ।

 

ଆଉ, ପ୍ରତି ଦୀର୍ଘଶ୍ୱାସ ସଙ୍ଗେ ସଙ୍ଗେ ଆପଣା ଭିତରେ ତୁନି ତୁନି ହୋଇ ଆପଣାକୁ ସମ୍ୱର୍ଦ୍ଧନା ଯେ ‘‘ମୋର ସେ ଦୁଃଖ ନାହିଁ, ମୁଁ ଭାଗ୍ୟବାନ’’ ପରର ଦାରିଦ୍ର୍ୟ ଦେଖି ମନେ ମନେ ନିଜର ଟଙ୍କା କଉଡ଼ି କଳନା କରିନେଇ ତୃପ୍ତି ଓ ନିରାପତ୍ତା ଅନୁଭବ କଲାପରି ।

 

ଅବଶ୍ୟ ସେ ସମଦୁଃଖୀପଣର ସୀମା ଅଛି.... ଯଦି ନିଜ ହାତରୁ କିଛି ଦେବାକୁ ନ ପଡ଼େ, ନିଜକୁ ବୋହିବାକୁ ନପଡ଼େ ଲେଶମାତ୍ର ପରର ବୋଝ ।

 

ତେଣୁ, କୃପଣ ଥିଲାବାଲାମାନେ, ଅଭାବୀ, ଦୁଃଖୀ ଦୁର୍ଦ୍ଦଶାଗ୍ରସ୍ତ ପାଇଁ ଖୁବ୍ ଅନୁଭବ କରିପାରନ୍ତି । ଓସ୍ତଗଛ ମୂଳେ କହିଥିଲେ ତ ସେଦିନ । ଦୋକାନୀମାନେ, ବ୍ୟବସାୟୀମାନେ, ଗାଡ଼ି ଠିଆ କରି ସୁସ୍ଥ ସବଳ ନୀରୋଗ ନିଶ୍ଚିନ୍ତ ଭଦ୍ରମହିଳାମାନେ ।

 

ଆଉ, ଯେ ବୁଦ୍ଧିମାନ୍ ସେ ପରଦୁଃଖରେ ଖାଲି ଦୀର୍ଘଶ୍ୱାସ ପକାଇ ନିଶ୍ଚିତ ହୋଇ ବସେ ନାହିଁ । ସେ ପ୍ରକାଶ୍ୟରେ କାନ୍ଦେ, କିଛି ନକରୁ, କଲେ ତ କାନ୍ଧ ଲଗାନ୍ତା । ଭାଗ ଦିଅନ୍ତା ଆପଣା ଛୁଆଙ୍କ ଆଧାରରୁ କାଟି, କାନ୍ଦେ ପର ଆଗରେ, ସଭାରେ, ଇସ୍ତାହାରରେ, କାନ୍ଦିବାରୁ ତାକୁ ଯେଉଁ ଅଧିକାର ମିଳିଗଲା ବୋଲି ଭାବେ ସେହି ଅଧିକାର ବଳରେ ସେ ନୀତି ପ୍ରଚାର କରେ–ଯେ ପର ଦୁଃଖରେ ଦୁଃଖୀ ହେବା ଉଚିତ୍ ।

 

କାନ୍ଦ କାନ୍ଦ ସମସ୍ତେ–

 

ନିଜର ବି ତ ସ୍ୱାର୍ଥ ଅଛି, ଛୁଆପିଲା ଅଛନ୍ତି, ଘରଦୁଆର ଅଛି । ସେତିକି କ’ଣ ଯଥେଷ୍ଟ ନୁହେଁ ? ସେହି ତ ଦେବତ୍ୱର ସଞ୍ଚାର, ଆଖିରେ ତୁଣ୍ଡରେ, ହୃଦୟର ଉଚ୍ଛ୍ୱାସରେ; ମରୂଭୂମିର ତତଲା ବାଲି ଉପରେ, ଶାଗୁଆ ଫସଲ । ଦେହଯାକ ସବୁଠିଁ, ଖାଲି,-ହାତରେ ନୁହେଁ, ବୁଦ୍ଧିରେ ନୁହେଁ ଦାନରେ ନୁହେଁ, ସହ ଦୁଃଖ ଭୋଗରେ ନୁହେଁ ।

 

ଆହା, ନଖାଇ ମରିଗଲା ।

 

ଶହୀଦ ସେ, ତା ଆତ୍ମା ଅମର ରହୁ । ପଟୁଆର କରି ଉଠାଅ ତା’ର ମୁର୍ଦ୍ଦାରକୁ, ମୁନିସିପାଲଟିର ଠେଲା ଗାଡ଼ିକି, ଚାଲୁ ସେ ଗାଡ଼ି–

 

ରାମ୍ ନାମ୍–

 

ସଞ୍ଜରେ–‘‘ଭାଇମାନେ–ସେ ଥିଲେ ଏହି ଓଡ଼ିଶାର ବିଖ୍ୟାତ-ଆପଣାମାନେ ପାଞ୍ଚ ମିନିଟ୍ ନୀରବରେ-ସ୍ୱର୍ଗତ ଆତ୍ମା ଉଦ୍ଦାଶ୍ୟରେ-ଆମ୍ଭେମାନେ’’ କଷ୍ଟ ନୁହେଁ–ଟିକିଏ ସମୟ ଥିଲେ ହେଲା-ଆଉ ଟିକିଏ ଧ୍ୟାନ । ସଭା ବି ହୋଇପାରିବ ରୁଚିପୂର୍ଣ୍ଣ-ଫଟୋଟିଏ । ଯଦି ମିଳିବ ଧଳା ତରାଟ ଫୁଲ ସର୍ବଜୟା ଆଉ ଘାସ । ଲୋବନ୍ ବତୀ-ମେଳରେ-ରୁମାଲ ମାନଙ୍କରେ ଅତର । ପାନରେ ଅତର, ମସଲା, ମୁଣ୍ଡତେଲ ବି ବାସ୍ନା-ବାକିଟା କରିବ ବିଜୁଳୀ, ତାର ପଙ୍ଖା, ତା’ ଆଲୁଅ, ଆଉ ରାତି ଯେ ଗହଳିକି ଗାଢ଼ କରେ ।

 

ଅତଏବ ପରର ଦୁଃଖରେ ଦୁଃଖୀ ହେବା ସମ୍ଭବ-କିନ୍ତୁ ସୁଖରେ ସୁଖୀ ହେବା ତ ନିଆଁରେ ଚାଲିବାଠୁଁ ଆହୁରି କଷ୍ଟ । ‘‘ତାର ଅଛି, ମୋର ନାହିଁ ।’’ ମୁଁ ତ ଭାବି ପାରୁନାହିଁ ଏଥିରେ କିଛି ନ୍ୟାୟ ଅଛି ବୋଲି–ଏସବୁ ଅନ୍ୟାୟ ।’’

 

ମୁଣ୍ଡ ଭିତରେ କେଉଁଠି ରଟ୍ ରଟ୍ ଛିଣ୍ଡି ଯାଉଛି । ଛାତିରେ ନିଆଁ କୁହୁଳୁଛି-ଅଥଚ ହସିବାକୁ ପଡ଼ିବ–କହିବାକୁ ପଡ଼ିବ । ମୁଁ ଭାରି ଖୁସି ହେଲି–ଭାରି ଖୁସି–ବାରମ୍ୱାର ନିଜକୁ ପରଠିଁ ଆରୋପ କରି ନିଦା ହୋଇ ବଢ଼ି ଉଠି ବାରମ୍ୱାର ମନେପଡ଼ୁଥିବ ମୁଁ ନାହିଁ । ଛି-ଈର୍ଷା, ପରଶ୍ରୀକାତରତା, ଛୋଟଲୋକି । କି ନୀଚତା-ଛି-ଛି-ଛି-ନା ହସିବାକୁ ପଡ଼ିବ, ମୂଷା ଆନନ୍ଦରେ ହସିବ–ବିଲେଇର ଛୁଆ ଜନ୍ମ ହୋଇଛନ୍ତି ।

 

ହଠାତ୍ ଗୋଟାଏ ଚିଡ଼ିଆଖାନାର ଜନ୍ତୁ ଆପଣା ଭିତରେ ଚହଳି ପକାଇଛନ୍ତି, ବାଘ, ସିଂହ, ଗଧିଆ, ବିଲୁଆ, ଅଜଗର, କୁମ୍ଭୀର ଏକାଠି ସମସ୍ତିଙ୍କର ମନେପଡ଼ିଛି-

 

‘‘ମୋତେ ଭୋକ କରୁଛି’’ । ହଠାତ୍ ଜଳିଉଠୁଛି ଭାଟି ଆଉ ନିଆଁ ଲକ୍ଷେ ଲହ ଲହ ଜିଭ ଦେଖାଉଛି ଡ଼ାକୁଛି, ହେ ଅର୍ଜ୍ଜୁନ, ଖାଇବାକୁ ଦେ–ଏ ଲୁଦୁବୁଦୁ ବ୍ୟାଧି ଦୂର କର ।

 

ଟାଣ କରି କଳିଆଣ ପାଚିରି କବାଟ, କବାଟ କିଳିବା । ପର୍ଦ୍ଦା ଓହଳାଇବା, ଚିକ ଓହଳାଇବା–କଷ୍ଟ ନୁହେଁ ସେତେ-ଅଭ୍ୟାସ ବହୁକାଳର, ମାଙ୍କଡ଼ିଆ ମଣିଷ ଅମଳରୁ ଅଗ୍ରଗତି ତ ସେତିକି । କ୍ଷିପ୍ରତା ଦେଖାଇବାକୁ ସହଜ ସ୍ୱାଭାବିକ ଢଙ୍ଗ, ବାହାରେ ଧଳାଚାଦର, ଧଳାପାରା, ଧଳା ଗୋଲାପ, ଧଳା ଦିନ–

ଭିତରେ ରହିବେ ତ ସେମାନେ, ଅଣୁ ଭିତରେ ବିଶ୍ୱ, କେତେ ସୂର୍ଯ୍ୟ, ପୁଞ୍ଜ-ପୁଞ୍ଜ ନୀହାରିକା ଶରୀର ଭିତରେ ନାନା ଦେଶ, ନାନା ଜୀବ, ଖାଲି ଆଖିର ଚାହାଣୀ ଆଗରେ–କେତେଠିଁ କିଏ ବିବସ୍ତ୍ର ହୋଇଯାଉଛନ୍ତି–ଛାତିର ଗୋଟାଏ ଗୋଟାଏ ସ୍ପନ୍ଦନ ନସରୁଣୁ କେତେଠିଁ କେତେ ମିଶାଣ ଫେଡ଼ାଣ କବାଟ ପଡ଼ିଛି-ତା’ ଉପରେ ଧଳା ଚାଦର ।

ଡର ।

ସେଇଥିପାଇଁ ସୁନାପୁଅ ବୋଲେଇବାକୁ ଏତେ ବିଚକ୍ଷଣତା, ଚାଟୁ, କାରସାଦି, ପରିଶ୍ରମ, ବାଟଯାକ ଆହୁରି ତର-ପଦେ ପଦେ–

ଡରହିଁ ମଣିଷ ପାଇଁ କ’ଣ ପ୍ରେରଣାର ଉତ୍ସ ?

ଆଦିମ ଜଙ୍ଗଲ, ଡରିଲେ ଶରୀରଟା ବଞ୍ଚାଇ ରଖାଯାଇପାରେ କିଛିଦିନ–ଏବେ ବି ଦେଖୁଛି ଠିକ୍ ସେଇଆ–ଜଙ୍ଗଲର ସ୍ୱରୂପ ଅତୁଟ ରହିଛି, ରୂପ ବଦଳିଛି–

ସେତେବେଳେ ମଣିଷ ଭଗବାନ ବୋଲି ଅନୁଭବ କଲ, ଡରି ଡରି । ମତେଡ଼ରାଅ ନାହିଁ, ମୋର ଅନିଷ୍ଟ କରନାହିଁ । ମୁଁ ତ ଦେଖିବାକୁ ଚାହେଁ–ତୁମର କଲ୍ୟାଣତମ ରୂପ । ତାକୁ ଡରାଅ, ତା’ର ଅନିଷ୍ଟକର । ମଝିରେ ମଝିରେ ଦୟାକରି ମତେ ଦେଖାଅ ତୁମର ସେ ଧ୍ୱସଂକାରୀ ମୂର୍ତ୍ତି, ଯେ ମୋର ସାହାପକ୍ଷ ହେବ ମୋ ପ୍ରତି ପକ୍ଷଙ୍କୁ ମାରି, ତେବେ ମୋ ସାହସ ବଢ଼ିବ । କାଳେ ତୁମେ ମୋ ବିରୁଦ୍ଧରେ ଓଲଟି ପଡ଼ିବ । ତେଣୁ ମୁଁ ତୁମକୁ ଡରେଁ, ତୁମର ପ୍ରଶଂସା ଗାଏଁ, ଯାହା କଲେ ତୁମେ ଖୁସିହେବ ବୋଲି ମୁଁ ଭାବୁଛି, ମୋ ଭାବନା ଯନ୍ତ୍ର ସାହାଯ୍ୟରେ, ତୁମର ନାଁରେ ମୁଁ ପ୍ରଚାର କରିବି, ସେସବୁ କେହି ନକରନ୍ତୁ, କଲେ ତୁମେ ଶାସ୍ତି ଦେବ, ଅତି କଠୋର ସେ ଶାସ୍ତି । ହେ ବିଶ୍ୱବାସୀ, ତୁମେ ଭଗବାନଙ୍କୁ ଡରିବ।

ଏବେ ବି ସେହିଆ, ଆହୁରି ବଢ଼ିଛି, ଜଂଜାଳ ଓ ସମସ୍ୟା, ତେଣୁ ଡର ଓ ବିଧାନର ମାର୍ଗ ଆହୁରି ସୂକ୍ଷ୍ମତର ବୋଧଦୁଏ । ଜର, ରୋଗ, ପରୀକ୍ଷା କି ଚାକିରି କି ଅନ୍ୟକେଉଁ ପଦପଦବୀରେ ନିଯୁକ୍ତିର ଘଡ଼ିସନ୍ଧି ମକଦ୍ଦମା କି ବିପଦ, ବ୍ୟବସାୟରେ ଆଶଂକା ସେ ତ ବ୍ୟବସାୟୀର ପଦ ପଦେ, ସବୁବେଳେ ଶଂକାକୁଳ ଅଭାବୀ, ପଦେ କଥାରେ.... ଆର୍ତ୍ତି ।

 

ସେହି ତ ବେଶି ।

 

ଡର ଲାଗିହିଁ ଲୋଭ । ଯେତେ ଥାଉ ଆଶଂକାର ଶେଷ ନାହିଁ । ଦୃଷ୍ଟି ଚହଲି ଯାଉଛି ପୁଅଠୁଁ ନାତିକୁ, ପଣନାତିକୁ । ସମାଜ ଖାଲି ମୁଣ୍ଡ ତାଲିକା, ଆଗକୁ ପଛକୁ ନିଜଛଡ଼ା କେହି ନାହିଁ । ଡରରୁ ଗୋଲାମି, ଛଳନା, ମିଛ ।

 

ଡରରୁ ଲୋଭରୁ ହିଂସା, ‘‘ପରକୁ ଖାଅ ।’’

 

ସବୁ ମିଶି ଚେକା ଚେକା ଭଉଁରୀ, ସେ ମନ୍ଥନର ଚରୁ ବି ଡର, ତା ଗନ୍ଧ ବି ଡର, ଶବ୍ଦ ବି ଡର,ସ୍ୱାଦ ବି ଡର । ସେହି ଡରର ବୋଇତ ଚଢ଼ି ମଣିଷଜାତ ଚାଲିଛି ଡର-ଭର୍ତ୍ତି ପ୍ରଳୟ ପ୍ରୟୋଧି ଜଳରେ, ବିତିଗଲାଣି ଲକ୍ଷ ଲକ୍ଷ ବର୍ଷ ।

 

ଭୟରେ ଥରି ଥରି ପ୍ରାଣେପ୍ରାଣେ ପାଟି କରୁଛି ଅବିନାଶୀ ସେ, ମୋ ଆତ୍ମା । ସେ ସବୁଠିଁ, ଜଣା ଅଜଣା ସବୁଠିଁ ମୁଁ, ମୁଁ କି ଚମତ୍କାର ! ମୁଁ କି ଚମତ୍କାର ! ମରିଯିବି କାଳେ-ମୁହୂର୍ତ୍ତକେ, ଠକ୍ କିନା ହୃତ୍‌ପିଣ୍ଡଟା ଅଟକିଯିବ । କରୋନରି ଥ୍ରମ୍ୱୋସିସ୍-କାର୍ଡିଆକ୍, ଫେଲ୍ୟୋରା କଫ ବାତ ପିତ୍ତ ଏକତ୍ର ହୋଇବେ ତଣ୍ଟି ଶୁଭୁଥିବ ଘଡ଼ଘଡ଼, ଘଡ଼ଘଡ଼ । ଯାଉଁଳି ସିରିଞ୍ଜରେ ଗୋଟାଏ ଇଞ୍ଜେକ୍‌ସନ୍ । ମାଟିରେ କେଉଁ ଗାତ ଭିତରୁ । ଠେଙ୍ଗାରେ ପାହାରେ, ଛୁରୀରେ ଗୋବାଏ, ଛାତିରେ ଗୋଟାଏ ଗୁଳିକି ତୀର । ଗୋଟାଏ ଆକସ୍ମିକ ଦୁର୍ଘଟଣା, କେଇଟା ଦିନ ବେମାରି ନା, ନା, ନା, ଅବିନାଶୀ ମୁଁ ।

 

ଅନ୍ଧାରରେ କାକରରେ ସ୍ୱର ନିଭିନିଭି ଆସୁଛି, ଯେମିତି ନିଭିଯାଏ ନିଆଁ ଗୁଲ ସରିଆସୁଥିବା ବିଡ଼ି ଅଗରେ ଶୀତ ରାତିରେ ଛୁଆଁ ତା ପଡ଼ିଆରେ।

 

ସବୁ ତ ଅନ୍ଧାର ହିଁ ଥିଲା । ଖାଲି ଦିଶୁଥିଲା ବିଡ଼ିଗୁଲ । ମୁଁ ଜାଣେ ସେ ବିଡ଼ିର ବି କାରଖାନା ଥାଏ । କାରିଗର ଥା’ନ୍ତି, ତା’ ମୋହର ମାର୍କା ଭିନେ । କଟକ ବିଡ଼ି, ଗୋଣ୍ଡିଆ ବିଡ଼ି । ସେ ସିନା ଅଞ୍ଚଳ ଅନୁସାରେ । ସାହେବ ବିଡ଼ି । ଟାଉନ ବିଡ଼ି । ହାଇଦର ବିଡ଼ି । କରିମ ବିଡ଼ି । ଡ଼ବଲ ତାରା । ଅସଂଖ୍ୟ ନାଁ ।

 

ବିଡ଼ି, କିନ୍ତୁ ଭିନେ ମାର୍କା ହେବ ତ’ । ଏକ ହୋଇ ଯେଉଁ ଶ୍ରେଷ୍ଠତମ ମହତ୍ତମ ଧାରଣା, ଅସୀମକୁ ସୀମା ଭିତରେ ଅନୁଭବ କରିବାପାଇଁ ସୀମିତକୁ ଉଡ଼ାଇ ଦେବାକୁ ଅସୀମର ଅବ୍ୟକ୍ତ ଶରୀର ଉପରେ ଫଗୁଧୂଳି ପରି । ସେ ବି’ ତ ଦେଶକେ ଫାଁକ୍ ନଈ କେ ବାଁକ୍, କେଉଁଠି ଦେଉଳ, କେଉଁଠି ମସ୍‌ଜିଦ । କେଉଁଠି ଗିର୍ଜା ତା’ ପାଇଁ । ଆଉ ବିଡ଼ି, ସାମାନ୍ୟ ବିଡ଼ି ! କି ଯାଏ ତହିଁରେ ! ‘‘ଏକା ଫୁଙ୍କାକେ ଉଡ଼ାଇଦେବ ।

 

‘‘ହୁଁ ! ଏଠି ଫୁଙ୍କି ବାମାନେ କ’ଣ ବିଡ଼ି ଫୁଙ୍କି ବା ନା ଭୂତ ଝାଡ଼ିବା ?’’ ହୁଏତ ଭୁଲ ହେଲା । ନ ହୋଇ ବି ପାରେ । ଶବ୍ଦର ଅର୍ଥ ଗୁଡ଼ାକ ବି ତ ଚାଲେ, ତା’ର ଗୋଡ଼ ଅଛି । ଆଜି ‘ସାଂସ୍କୃତିକ’ ମାନେ କ’ଣ ? ‘‘ଏଥର ସାହିତ୍ୟ ଆଲୋଚନା ସମାପ୍ତ ହେଲା । ମହାଶୟ ଗଣ, ଆପଣାମାନେ ଜାଣନ୍ତି । ଏ ଆଲୋଚନା ସର୍ବସମ୍ମତିକ୍ରମେ ଧାର୍ଯ୍ୟ ହୋଇଛି-ଏଥରକ ଓଡ଼ିଆରେ ଉତ୍ତମ ସାହିତ୍ୟ ରଚିତ ହେଉ ।

 

ସାହିତ୍ୟିକ ଆଲୋଚନା ଉତ୍ତାରୁ-ଆମ୍ଭମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ଆଗ ଆପଣାମାନେ ଦେଖିବେ ଚଇତି ଘୋଡ଼ା ।’

 

ସେହି ବିଡ଼ିଗୁଲ ନିଭିଆସୁଥିଲା, ଯେମିତି ନିଛାଟିଆ ରାତିରେ ଦୂରେଇ ଦୂରେଇଯାଏ । ହଜି ହଜିଯାଏ ସାପ ଧରିଥିବା ବେଙ୍ଗର ମ୍ୟାଉଁ ମ୍ୟାଉଁ, କ୍ଷୀଣରୁ କ୍ଷୀଣତର । ନାଃ, କେହି ପାଖ ପଶିଲେ ନାହିଁ, କେହି କହିଲେ ନାହିଁ ହାସ୍ସୁ ବୋଲି, ଏ ସଂସାରରେ ଏତେ ପ୍ରାଣୀ, ଆଉ ପରିବ୍ୟାପ୍ତ ଭଗବାନ, ସେହି ଯେ ନନ୍ତ୍ର କାଟିଥିଲେ ଚକ୍ର ପେଶି । ଆଖି ହୋଇ ଆସୁଛି କେମିତି ମାନ୍ଦା ମାନ୍ଦା, ଯେମିତି ଦୃଷ୍ଟିଟା ଭିତରେ ଆଡ଼କୁ ପଡ଼ିଛି । ଆଖି ଡୋଳା ଆଉ ମେଲା କବାଟ ନୁହେଁ ଖାଲି କାଚ, ବାହାରୁ ଆଲୁଅ ଯାଇଁ ତହିଁରେ ବାଜି ଲେଉଟି ଆସୁଛି ଆଉ ସେ ଦିଶୁଛି ଜକ ଜକ । କତିରେ ଥିଲେ ତ ପନ୍ଦର ଜଣ ଯାକେ । ସ୍ରୀ ପୁରୁଷ, ପିଲା, ବୁଢ଼ା । କାନ୍ଦ, ହାଉଳି, ଶୁଭୁଥିଲା ଏ ସବୁ, ନିଷେଧ ବି ଶୁଭୁଥିଲା ପବନ ଛାଡ଼, ଅନ୍ଧାର ଛାଡ଼ । ଥୟଧର, ଟିକିଏ ଶାନ୍ତି ପାଆନ୍ତୁ, କାନ ପାଖେ ଭାଗବତ ଶୁଭୁଥିଲା ମାଧ କାଙ୍କାକ ସରୁ ବେହେଲା ସ୍ୱର ଛୁରୀ ପରି ଭେଦେ-ଠିକ୍ ପହଞ୍ଚିଥିବ ସେ ଆତ୍ମା ପାଖେ । ସମସ୍ତିଙ୍କ ଉଦ୍‌ବେଗ ଆକୁଳତାକୁ ଢ଼ାଙ୍କି ପକାଇଛି । ଗୋଟାଏ ଡର ଡର ଠାଣି, କଣ ଗୋଟାଏ ଆସିଛି ସେଠିକ୍, ଦେଖି ହେଉନାହିଁ । ଅନୁଭବ କରି ହେଉଛି ଅନ୍ତର ଭିତରେ, ଆପଣା ଦେହର ଚମ ଉପରେ ଖୁବ୍ ଚୁନି ଚୁନି କାକର ଢେଉ ଖେଳିଯାଉଛି, ଦେହଟା ବି ଟାଣ ନୁହେଁ, ଗୋଟାଏ ପଙ୍କୁଆ ପୋଖରୀ । ତା’ ମଝିରେ କେଉଁଠି ଦବି ଯାଉଛି; ଭୁଟୁକି ଉଠୁଛି ? (ଦବିଯାଉଛି-।) ସବୁ ଲାଗୁଥାଏ ଗୋଳମାଳିଆ ! କିଛି ବାରି ହେଉନାହିଁ ସ୍ପଷ୍ଟ କରି।

 

ତା’ପରେ ପରିଷ୍କାର ଶୁଣିପାରିଲି ‘‘ବୁଝିଲ ସତୁ ବାବୁ’’, ତୁମ ବାପା ଥିଲେ ଖୁବ୍ ଧର୍ମପରାୟଣ ମଣିଷ ।’’

 

ଡରରେ-ଡରରେ ମନେ ମନେ ଘୋଷି ହେଲି ଗୋଟିଏ ପଦ । ‘‘ଥିଲେ, ଥିଲେ,ଥିଲେ’’ ଆଉ ପଦେ ଟାଣ ହୋଇ ଉବୁକା ମାରି ଉଠି ପଡ଼ିଲା ମୋ ପୋଖରୀ ଭିତରୁ, ଗୋଟାଏ ଗୋଟାଳିଆ ଶେଉଳ ମାଛ ପରି, ‘‘ଅଛନ୍ତି’’ !

 

ତା’ପରେ ଦିଟା ମାଛଙ୍କ ଗୋଡ଼ିଆ ଗୋଡ଼ି ଖେଳ, ଧରାପରା, ଗୋଟାକ ଉପରେ ଆଉ ଗୋଟାଏ, ପୁଣି ଅଲଗା ଅଲଗା, ପୁଣି ଗୋଡ଼ିଆଗୋଡ଼ି, ‘‘ଥିଲେ–ଅଛନ୍ତି–ଥିଲେ–ଅଛନ୍ତି–’’

 

ଅନୁକୂଳ ବାବୁ, ପଡ଼ିଶା, ବୁଢ଼ା, ପେନ୍‌ସନ୍ ଭୋଗୀ, କପାଳରେ ଚିତା, ବାକରେ ମାଳି, ତୁଣ୍ଡରେ ଧର୍ମ ଚର୍ଚ୍ଚା, କହିଳେ ‘ଆଃ ! ଆଉ ଚେସ୍ଖେଳ ଗରମ ହେବ ନାହିଁ । ସେମିତିଆ ଓସ୍ତାଦ୍ ! କାହାନ୍ତି କିଏ !’’

 

ଥିଲେ-ଅଛନ୍ତି-ଥିଲେ-ଅଛନ୍ତି-ଥିଲେ-

 

‘‘ଏ ବିଚିକିଟିଆ ବିଧର୍ମୀ ଯୁଗରେ, ଘୋର କଳି ସବୁ ଓଲଟା, ସବୁ ଅନୀତ, ମିଛ, ଜୁଆଚୋରି ଦୁଷ୍ଟାମି, ଭଣ୍ଡାମି–କାହାନ୍ତି ତାଙ୍କ ପରି ଜଣେ ?’’

 

କାନ ପାଖରେ ମୁହଁ ଲଗାଇ କହିଲେ, ‘‘ବୁଝିଲ ବାବୁ, ପୁଣ୍ୟତ୍ମା ଧର୍ମାତ୍ମା ଯେ ସେ ସବୁ ଦେଖିପାରନ୍ତି, ବିଶେଷତଃ ଏହି ଶେଷ ମୁହୂର୍ତ୍ତରେ । ଯାହା କହନ୍ତି ସମ୍ପୂର୍ଣ୍ଣ ସଜ୍ଞାନ । ଆମକୁ କିଛି ଦିଶୁନାହିଁ ସିନା, ତାଙ୍କ ଆଖିକି ଅଇଛା ସବୁ ଦିଶୁଥିବ । ହେବ ନାହିଁ କାହିଁକି ? ନିଜେ ସେ ଶାସ୍ତ୍ରଜ୍ଞ, ଉପନିଷଦ, ଗୀତା, ବ୍ରହ୍ମସୂତ୍ର, ପୁରାଣ, ଯେତେ ଯେତେ ଧର୍ମ ପୁସ୍ତକ ସବୁ ସେ ପଢ଼ିଛନ୍ତି । କର୍ତ୍ତବ୍ୟ କରିଛନ୍ତି । ପୁରାଣରେ ଯେମିତି ଲେଖାଅଛି ସେମିତି । ବିନୟ, ଦୟା, ଧର୍ମ, ଖୁଆଇବା, ଦେବା, କେଉଁଟା ଊଣା ? ଆମେ ରହିଲୁ, ସାକ୍ଷୀ । ଆମ ସାଙ୍ଗର କାର୍ତ୍ତିକ ବାବୁ । ଆଃ ! କୁଆଡ଼େ ଗଲେ ଯେ ଏତେବେଳେ ! ଆଣ୍ଠୁ ଗଣ୍ଠି ତ ସବୁବେଳେ ଧରେ, କହୁଥିଲେ ଛାତିକି ମାରେ ବୋଲି । ତେବେ କହୁଥିଲି ଯାହା, ଶେଷ ଘଡ଼ିରେ ଦିଶେ ବୋଲି । ପରକାଳ ବାବା, ପରକାଳ । ସବୁ ଦିଶୁଥିବ ପରା-!’’

 

ଭାବପ୍ରବଣ ହୋଇ ଅନୁକୁଳ ବାବୁ ମୋ ପିଠିରେ ହାତ ଥୋଇଲେ । ପାଇଲା ନାହିଁ । ତାଙ୍କ ଲମ୍ୱା କଥା ଶେଷ ଆଡ଼କୁ ଖନି ବାଜିଯାଉଥାଏ । ତା’ ଅର୍ଥ ମୋ ମୁଣ୍ଡକୁ ଭେଦୁଥାଏ କି ନାହିଁ ପଛେ ବୋଧହୁଏ ନିଜ ଭିତରୁ କାଢ଼ି ଆଉଥରେ ପରଖି ବୁଝିନେଲେ । ଧୋବାଘରୁ ଆସିଥୁବା ଲୁଗାପରି, ସେତେବେଳେ ଦରକାର ନଥିଲା, ଲୋଡ଼ାଥିଲା ଖାଲି ସଂଖ୍ୟା ଓ ପ୍ରକାର । ଝାପ୍‌ସା ଝାପ୍‌ସା ହୋଇ ଲାଗୁଥାଏ, ଏଇ ଡରୁଆ ଦୁର୍ବଳ ଶ୍ୱାସରୋଗୀ ବୁଢ଼ାଟି ହଠାତ୍ କାହିଁକି ଛାନିଆ ହୋଇଯାଉଛି, ଯେତେବେଳେ ଶାସ୍ତ୍ର ନାଁ କହିଲା ଓ ଯେତେଥର ଯେତେ ଶ୍ଳୋକ ଯେତେ ପୂଣ୍ୟ ନାମ ସେ ଗାଉଥିବାର ଦେଖାଯାଏ ସେସବୁ କିଛି ତାକୁ ଅଭୟ ଦେଇପାରୁ ନାହିଁ, ସେ ଚାହୁଁଛି ମୋର ଟାଣ ଯୁବକ–ପିଠିର ଭରା ।

 

ବାଃ ଏଇଥିପାଇଁ ଏ ଶରୀର ଦମ୍ଭ କରିଛି ମୁଁ । କସରତ, ଖେଳ, ଭୋଜନ, ପରିଶ୍ରମ, ଖରାରେ ବରଷାରେ ପାଗ, କେତେ ଯତ୍ନ ଆଉ ।

 

ଯେମିତି ଏ ସେହି ବୁଢ଼ା ଜଣକ ଯେ ଲାଉହେଲେ ଆଉ ଓହ୍ଲେଇ ହୁଏ–ନାହିଁ । ଚଢ଼େଇ ଗୋଡ଼ିଆ ହାତରେ ଗୋଡ଼ରେ ଯାକିଧରେ ବେକକୁ ପାରୁପର୍ଯ୍ୟନ୍ତ, ଆରେ ବାଃ ।

 

ତା’ ପରେ ଲାଗିଲା ତା’ ସ୍ପର୍ଶ ଯେମିତିକି ଛାଟରେ ପାହାରେ, ସେ ପାହାର ସେହି ଅଦେଖା ଅଜଣା ଅଶୁଣାର, ତା’ ପୋଡ଼ାଜଳା ମୋର ଭୟ ଚେତନା, ସ୍ମରଣ ପଡ଼ିଲା ସରିଯାଉଛି ଯେ, ସମସ୍ତ ତ ସେଠି, ଆଉ ଏଠି କୁଁ କ’ଣ କରୁଛି । ଏକୁଟିଆ ଏ ବୁଢ଼ା ପାଖରେ ?

 

ହଠାତ୍ ଘୋ ଘୋ, ମୁଁ ବି ଆଗକୁ ଦୌଡ଼ିଲି । ସରିଥିଲା ।

 

କିଏ କହୁଥିଲା, ‘‘ପାଟିରେ କ’ଣ କହୁଥିଲେ ?’’

 

କିଏ କହୁଥିଲେ ‘‘ହରେ ରାମ କୃଷ୍ଣ କହୁଥିଲେ ।’’

 

ଆଉ କିଏ କହୁଥିଲେ ‘‘ମୁଁ ପରା ପରିଷ୍କାର ଶୁଣିଛି କାହାକୁ କହୁଥିଲେ । ରଥ ଆଣିଚ ? ଆସ୍ତେ ନବ ଓଃ ! ଏଭଳି ପୁଣ୍ୟତ୍ମା !’’

 

ରଥ ଦେଖିଥିବେ; କିନ୍ତୁ ପାଣି ମାଗୁଥିଲେ କି କଣ, ସ୍ୱର ତ ଶୁଭୁନଥାଏ ଖାଲି ପବନ ।

 

ଠିକ୍ କଥା, ସବୁ ତ ପବନ, ଭିତରେ ଆଉ ବାହାରେ । କେତେବେଳେ କେମିତି ଶୁଭେ, ଛୁଆଦିନେ ରାତିରେ ବିଛଣାରେ ଗାଲେଇପଡ଼ି, କାନେଇଁ ଶୁଣୁଛି, କେତେବେଳେ କାନ ପାଖେ ଫୁସ୍ ଫୁସ୍ କରି ଡ଼ାକେ ‘ସତୁ ଖେଳିବା ଆଁ’ କେତେବେଳେ ଗୀତା ଗାଉଥାଏ, କେତେବେଳେ ଦେଉଥାଏ ଲେକ୍‌ଚର । ମାଇକ୍‌ରୁ ଯେମିତି ରଡ଼ି ଶୁଭେ ସେ କେତେ କଥା ମୁଣ୍ଡରେ ପଶେ ନାହିଁ । କେତେବେଳେ କେଉଁ ଜନ୍ତୁର ବୋବାଳି, କେତେବେଳେ,–କିଏ କହିପାରିବ ବ୍ରହ୍ମାଣ୍ଡ ଯାକର ଶବ୍ଦର ତାଲିକା ? ପ୍ରୟୋଜନ ବି କ’ଣ ? ସବୁ ବିଶିଷ୍ଟ ସ୍ୱରୂପ ଗୋଳିଆ ମିଶା ହୋଇ ହଜିଯାଏ । ରହେ ଖାଲି ପବନ, ଦଣ୍ଡାରେ ଖପୁରି ହାଡ଼ ଭିତରେ ପଶି ନାକ କଣା ବାଟେ ବାହାରୁଛି । ଆଉ ଶବ୍ଦ କରୁଛି କି ମଲା ଶୁଖିଲା ବାଉଁଶ ବାଟେ ପଶି ବଇଁଶୀ କଣାବାଟେ ବି କଣା ମାଠିଆ । ବାଟେ ଏଥିରେ ଯାଏ କେତେ ଆସେ କେତେ ! କେତେ ଭାଷାରେ କେତେ ଦେଶରେ ସମୟର ଯଦି ନଥିବିଡ଼ା ଗୁନ୍ଥା ହୋଇଥାଏ ତା–ପ୍ରତି ପୃଷ୍ଠାର ପ୍ରତି ଗାରରେ ଥିବା କେଜାଣି କେତେ ଶବ୍ଦ, ପୁଣି ଶବ୍ଦାୟମାନ ହୁଏ ସେ ସବୁଯାକ ତେବେ ସେ ଗର୍ଜନର ମହା ବିସ୍ଫୋରଣରେ ଏ ଛାର ପୃଥିବୀ ରହିବ କି ନାହିଁ କିଏ ଜାଣେ । ଯେମିତି, ଯେତେଠିଁ ଯେତେ ମଲା ହଜିଲା ଗଲା ପ୍ରାଣୀଙ୍କ ପାଇଁ ବସ୍ତୁ ପାଇଁ ଯେ ଯେତେ ଶୋକ କରନ୍ତି ଦୀର୍ଘଶ୍ୱାସ ପକାନ୍ତି ଅବା ସମ୍ୱତ୍ସର ପାଳନ୍ତି ସତେ ଯଦି ସେ ସବୁ ପୁଣି ପାଆନ୍ତା ଖାଲି ଅସ୍ତିତ୍ଵ, ଜୀବନ୍ୟାସ ନ ପାଉ ପଛେ, କାହିଁ ରହନ୍ତା ଖାଲି ଠିଆହେବାକୁ ସ୍ଥାନ ଟିକିଏ କାହାପାଇଁ । ଥାଉ ଯୋଜନା, ନ ହେଉ ଥାଉ ଆଶା, ସ୍ୱପ୍ନହୋଇ, ନମେଣ୍ଟୁ, ବ୍ୟବସ୍ଥାର ଖିଅ ଏହିପରି ବୋଧହୁଏ । ଆପେ ଆପେ ଫ୍ମଶିଂ–ସିଲଟସଫା ଲେଖ ଯେ ଯେତେ, ଭାବ ଏ ସବୁଦିନିଆ, ଜମି ଖାଲି, ମିଳିବ ତାପ କରିବାକୁ, ଭାବ ଏ ଏକୁଟିଆ ତୁମର । ତୁମ ବଂଶର, ଏ ପୃଥିବୀରେ ଚିରକାଳକୁ ଅଛିଣ୍ଡା ବଂଶ ସ୍ଥାପନ କରିବାକୁ ପ୍ରତ୍ୟେକ ହକ୍ଦାର ।

 

ହଁ ସେତିକି ବେଳେ, ମୁଁ ଯେତେବେଳେ ଅନୁଭବ କରୁଥିଲି ଯାହାକୁ କହିବି ବିପୁଳ ଦୁଃଖ କି ଶୋକ; ଲାଗୁଥିଲା, ଭାଙ୍ଗି ପଡ଼ୁଛି ମୁଁ ଟିକି ଟିକି ହୋଇ । ଛାତି, ମୁଣ୍ଡ, ମୁହଁ ହାତଗୋଡ଼, ଖଣ୍ଡ ଖଣ୍ଡ ହୋଇ ହଠାତ୍ କେମିତି ନିଜ ଭିତରେ କେଉଁଠି ଛାରପୋକ କାମୁଡ଼ି ଦେଲାପରି ଚମକିଉଠିଲି । ହେଲି ଦି’ ଭାଗ । ଗୋଟାଏ ଭାଗ ଖାଲି ଗୋଟାଏ ଚେତନା, ସେଠୁ କ’ଣ ଓଲଟା ଓଲଟା ଧାରଣା ବାହାରୁଛି ଆଲୁଅର ତୀର ପରି, କିଏ ଯେମିତି ଫୁସୁଲେଉଛି, କହୁଛି କ’ଣ କିଏ ଯେ ସେ ତାକୁ ମୁଁ ଦେଖିନାହିଁ, କି ଅବା ସେ ଏଇ ଦେହ ଭିତରର କେଉଁ ଗୋଟାଏ ଜଡ଼ ଅଂଶ, ଯେଉଁଟାର କାମ ବି ଏହିପରି, ଯେମିତି ପେଟରୁ ପାଟିବାଟେ ହାକୁଟି ବାହାରେ । ଅଥଚ ସେଇଠି ତ ଭରା ଦେଇଛି ମୁଁ, ଖାଲି ଭରା ନୁହେଁ, ସେତେବେଳେ ମୁଁ ଆଉ ସେ ଅଭିନ୍ନ । ତୀର ଗୁଡ଼ାକ ତା’ ଅଦେଖା ଆଖିର ଅନ୍ତର୍ଭେଦୀ ଚାହାଣୀ । ସେଥିରେ ପୁଣି ଅର୍ଥବ୍ୟଞ୍ଜକ ସ୍ୱର ଗୁଡ଼ିଏ । ତୀରଗୁଡ଼ାଏ ପଡ଼ୁଛି ଯାହା ଉପରେ ସେ ବି ମୁଁ, ସେ ମୋର ଏ ଚିହ୍ନା ରୂପ, ଆର ଭାଗରେ ଥାଇ ତା’ ଛଟପଟ କଲବଲ ମୁଁ ବୁଝିପାରୁଛି ।

 

ସ୍ୱରମାନେ କହିଲେ, ‘‘ସତୁ ଦଳେଇ, ତୋର କ’ଣ ହୋଇଛି ? ତତେ କିଏ ମାରିଲା ?’’

 

ବୋଉ ଯେମିତି ପିଲାଦିନେ କହୁଥିଲା ‘‘କିଏ ମାରିଲା କି କିଏ ଗାଳିଦେଲା’’–

 

‘‘ସତୁ ଦଳେଇ ତୋର ଏ ଶରୀର ଉପରେ କେଉଁଠି କ’ଣ ଆଘାତ ? କି କ୍ଷତି ଘଟିଛି ତୋର ?’’

 

ସତୁ ଦଳେଇ,ବରାପିଆଜି ଖାଇବାକୁ ମନା କରୁଥିଲା ତତେ କିଏ ? ହେଇ ସେଇଠି ଯେ ଶୋଇଛି ସେ ନା ଆଉ କିଏ ?

 

ବରାପିଆଜି ମନା । କେତେବର୍ଷ ତଳର । ଧଡ଼ିଆ ମା ବୁଢ଼ୀ ବଞ୍ଚିଥାଏ । ତା’ ଡେବିରି ଗୋଡ଼ ହାତୀ ଗୋଡ଼ପରି । ସେଥିରେ ଆଳୁମାତ୍ରା ଗୁଡ଼ିଏ । ବରା ପିଆଜି ତା’ ବେଉସା । କି ଫର୍ମୁଲା ସେ ବ୍ୟବହାର କରେ କେଜାଣି; କିନ୍ତୁ ଏବେ ବି ମନେପଡ଼ୁଛି ଆଉ କେଉଁଠି ସେଡ଼େ ସୁଆଦ ବରାପିଆଜି ମୁଁ ଖାଇନାହିଁ ।

 

ଧଡ଼ିଆମା’ ସେହିପରି ଜଣେ ପ୍ରସିଦ୍ଧ କଳାସ୍ରଷ୍ଟା, ଯେ ଥାଆନ୍ତି ଆଉ ଚାଲିଯା’ନ୍ତି ବିନା ହୋ ହାରେ । ସମସ୍ତେ ଜାଣନ୍ତି ତାଙ୍କୁ ଟପିହେବ ନାହିଁ । ଅନ୍ତତଃ ଗୋଲଗାଲ ଥନ୍ତଲ ପେଟା ହସ ହସ ଗୋବିନ୍ଦା ଗୁଡ଼ିଆ ତ କେତେଥର ପ୍ରଶଂସା କରନ୍ତି, ତାଙ୍କ ମିଠେଇର ଖୁବ୍ ଚାହିଦା । ତାଙ୍କ ଖିର୍ ମୋହନର ନାଁ ଆପେ ହୋଇଥାଏ ଦିଲ୍-ଖୁସ୍ । ଗାଁରେ ବାଟି ତାଷ । ତେଣୁ ତାଙ୍କ ମତକୁ ଉପେକ୍ଷା କରିହେବ ନାହିଁ । ଯେମିତି କୌଣସି ପ୍ରସିଦ୍ଧ ପୁସ୍ତକ ପ୍ରକାଶକ । ନିଜେ ଧଡ଼ିଆ ମା ଗରାଖି ଗୋବିନ୍ଦା ଗୁଡ଼ିଆ । ଆଉ ଧଡ଼ିଆ ମା ଯେପରି ସେହିପରି ଜଣେ ଲେଖକ ଯାହାଙ୍କ ନାଁକୁ ଶ୍ରଦ୍ଧା ସମ୍ମାନରେ ଦଣ୍ଡବତ ହୁଅନ୍ତି ଲୋକେ ମନେ ମନେ; କିନ୍ତୁ ଯାହାଙ୍କ ବହି ବଳରେ ନିଜ ଚୂଲି ଉପରକୁ ହାଣ୍ଡି ଯାଏନାହିଁ । ଧଡ଼ିଆ ମା’ର ବରାପିଆଜି ଆଉ ବେଶି ସାର୍ଥକ ନିଶ୍ଚୟ । ସେ ନିଜ ଅର୍ଜନରେ ଚଳୁଥିଲା । ପାଖଘର ବୁଢ଼ାଖଲିଫାଙ୍କୁ କହିଯାଇଥିଲା ଗୁପ୍ତରେ ‘‘ତମୁକୁ ଲାଗିଲା ବାବୁ, ଯେଉଁଠି ଶୁଏଁ ମୁଣ୍ଡପାଖେ ପିଢ଼ାତଳେ ଗାତରେ ଘଡ଼ିଟିଏ ଅଛି । ଯଦି କେତେବେଳେ ମରିଯିବି । ସେତିକିରେ କ୍ରିୟାଟା କରେଇ ଦବ । ଯଦି ବଳିବ ଦୁଃଖୀରଙ୍କୀକି ଖୋଇବ, ଆଉ ଠାକୁରାଣୀ ବରଗଛ ତଳେ ଯେଉଁ ମଣ୍ଡପ, ସେଥିରେ ପାହାଚ କେଇଟା କରିବ ।’’ କିନ୍ତୁ ଏଣେ ୟେ କେବେ କୁଆଡ଼େ ତାଙ୍କର କେଉଁ ସାଙ୍ଗର ଲୋକ ରାତିରେ କେଉଁଠି ବରାପିଆଜି ଖାଇଆସିଥିଲା; ଆଉ ସେଉଠୁ ବାନ୍ତି ଉଛାଳ ହୋଇ ପାହାନ୍ତା ପହରକୁ ମରିଗଲା । ସେ ଦିନୁ ତାଙ୍କର କଡ଼ା ହୁକୁମ ଧଡ଼ିଆ ମାଠୁଁ ବି ଆମକୁ ବରାପିଆଜି ମନା । ହୁକୁମ୍‌ଅମାନ୍ୟ କରିଥିଲି, ନିସ୍ତୁକୁ ଛେଚିଥିଲେ । ପୁଣି ଅମାନ୍ୟ କଲି, ପୁଣି ମାଡ଼ !

 

ଯେ ମୋ ସ୍ରଷ୍ଟା, ପାଳକ, ଯାହାର ମୋଠିଁ ସନ୍ତୋଷ ହେଲେ ସବୁ ଦେବାଦେବୀ ସନ୍ତୋଷ ହୁଅନ୍ତେ କିଏ ମତେ ଟେହୁଛି ତାଙ୍କର ବିରୁଦ୍ଧରେ । ଆଉ ଠିକ୍‌ସେ ଚାଲିଯିବା ପରେ ? କି ଅଧର୍ମ ! କି ପାପ ! କି ଅନୀତି ! କି ଅଧଃପତନ !

 

କିନ୍ତୁ ନିରାପତ୍ତା ଅଛି ନିଜେ ଜାରି ନକଲେ କେହି ଜାଣିବେ ନାହିଁ, ସେହି ନିରାପତ୍ତା ଚେତନା ହିଁ ସେତେବେଳେ ମୋ ଆଗରେ ଆଙ୍ଗୁଠି ଦେଖାଇଥିଲା ସେହି ଆଡ଼କୁ । ଯାହାଙ୍କ ମୁହଁରେ ବି ଲୁଗା ଘୋଡ଼େଇ ଦେଇଥିଲେ, ସେ ନିରାପତ୍ତାର ଅଭାବ, ସଂପୂର୍ଣ୍ଣ ଅପସାରଣ, ନିସ୍ପନ୍ଦ ଅନ୍ଧାର, ସେ ବି ତ ମୁଁ ।

 

ସତେ ! ଚଞ୍ଚଳ ହୋଇଉଠିଲା ମନ, ଆଖି ପିଛୁଡ଼ାକେ ପରଖି ନେଉଛି ଦରାଣ୍ଡି ଦରାଣ୍ଡି-। ମୁଁ ଯାହାଥିଲି, ଠିକ୍‌ ସେଇଆ ଅଛି କି ନାହିଁ । ପୁଣି ସେହି ଅଜଣା ଡର, ତା’ରି ଆଗରେ ଙ୍କୁଙ୍କୁରି କାଂକରି ଗୋଟେଇ ପୋଟେଇ ହୋଇ ଦରାଣ୍ଡି ଅଣ୍ଡାଳି ଅନୁଭବ କରି ଏକାଠି ଗାଢ଼ହେବା, କାଳେ ସେମିତି ହେଲେ ରକ୍ଷା ମିଳିଯିବ !

 

ସେତିକିବେଳେ ମନେପଡ଼ିଲା ମୋ ସ୍ତ୍ରୀ ଇନ୍ଦୁମତୀ, ତାଙ୍କେ ଇନ୍ଦୁ କେଉଁଠି କାନ୍ଦୁଥିବ ବିଚରା ସମସ୍ତେ ତ କାନ୍ଦୁଛନ୍ତି ।

 

ମନେ ମନେ ଦିଶିଗଲା ତା’ କାନ୍ଦୁରା ଶରୀର । ମୁହଁ ନିଭିଗଲା । ଯେଉଁଠି ଅରୂପ ଭଙ୍ଗୀରେ ମାଂସ ଆଉ ଚମ ଲୋଚାକୋଚା ହେଉଥିବ, ଆଖିରୁ ନାକରୁ ପାଟିରୁ ବୋହୁଥିବା ଉଡ଼ିଗଲା ତାରି ଆବରଣରୁ ପରସ୍ତ ପରସ୍ତ, ବିଚରା ସବୁବେଳେ କେତେ ସଂଯତ ତା’ ପୋଷାକ ବିଷୟରେ, ଶରୀର ବିଷୟରେ, ଛୁଇଁଦେଲେ ଚମକେ, ଲୁଗା ଓଟାରି ଘୋରି ହୋଇପଡ଼େ । ମୋ ମନ ଆଖିଆଗରେ ଦିନ ବୁଡ଼ିଗଲା, ରାତିର ଘର ଆଲୁଅ ନିଭିଗଲା । ଇନ୍ଦୁର ଶରୀର ବି ଖାଲି କେତେଠିଁ କେନ୍ଦ୍ରୀଭୂତ ହେଲା, ଖାଲି ହେଲା ସ୍ପର୍ଶ ଅନୁଭୂତିରେ ଉଚ୍ଛ୍ୱାସରେ ଚିହ୍ନିହେବ ଜୀଅନ୍ତା ଉପାଦାନ । ମୁଁ ନାହିଁ, ସେ ନାହିଁ । ମୁଁ ଅଛି, ସେ ଅଛି । ଆଉ କିଛି ନାହିଁ ଆଉ କେହି ନାହାନ୍ତି । ଘର ଲୋକେ । ଏପରିକି ଖତୁ ସେ ଆମପୁଅ, ପାଞ୍ଚବର୍ଷର, ସେ ବି ନାହିଁ । ଆମେ ପରସ୍ପରଠିଁ ଆବଦ୍ଧ ରହିଛୁଁ ଶୀତ ରାତିରେ ଟିକିଏ ନିଆଁ କରିବାପାଇଁ । ଉଷୁମ୍‌ହେବ; ଭୂତ ପ୍ରେତ ଆସିବେ ନାହିଁ, ବଣ୍ୟଜନ୍ତୁ ଆସିବେ ନାହିଁ । ନିରାପତ୍ତା ଓ ସୁଖପାଇଁ ଭୁଲହୁଏ ନାହିଁ, ବଣ୍ୟଜନ୍ତୁ ଆସିବେ ନାହିଁ । ନିରାପତ୍ତା ଓ ସୁଖପାଇଁ ଭୁଲହୁଏ ନାହିଁ, ଲକ୍ଷ ଲକ୍ଷ ବର୍ଷର, କାଠି ଉପରେ କାଠି ଥୋଇ ଦହି ମନ୍ଥିଲା ପରି ମନ୍ଥି ଆଦିମ ମଣିଷ ନିଆଁ କରି ଶିଖିବାର ବହୁତ ଆଗରୁ ଶିଖିସାରିଥିଲା । ଶୀତ କଟିଗଲା । ରହିଲା ଆବେଗ, ଉଷୁମ, ଜୀବନର ପ୍ରକଟ ପ୍ରମାଣ ।

 

ପୁଣି ମୁଁ ସମୟର ରାଉ ରାଉ ତୋଫାନରେ ସମସ୍ତିଙ୍କ ସଙ୍ଗେ ତଡ଼ିହୋଇ ଦଳରେ ଗଲି, ଦଳର କାମ କଲି, ସଞ୍ଜକୁ ଫେରିଆସିଲି ଦଳର ସାଟିଫିକେଟ ନେଇ ।

 

‘‘ଓଃ ! ଟୋକାଟା କ’ଣ ଯେ ହେଇଗଲା ! ଲାଗୁଥାଏ କାନ୍ଦି କାନ୍ଦି ଚେତା ବୁଡ଼ିଯିବ ତାର-।’’

 

‘‘ଯେତେହେଲେ ରିକ୍ତର ଡାକ । ଏ ଘା କ’ଣ ଏଇନେ ଶୁଖିବ ?’’

 

କ’ଣ ହେଲା ? ନୂଆ କିଛି ? ସେହି ମାଟି ଅରାକରେ କେତେ କେତେ ? ନିତି ପଟୁଆର । ବାସଂସି ଜୀର୍ଣ୍ଣାନି । ହେଲେ ନିଜର ଦାୟିତ୍ୱ ତ ଅଛି । ବିପଦ ଧୈର୍ଯ୍ୟମ୍‌ ।

 

ଖାଲି ସେତିକି ନୁହେଁ, ଧାଡ଼ିଏ ଛାଡ଼ି ସଦସି ବାକ୍‌ପଟୁତା । ଅନୁକୁଳ ବାବୁଙ୍କ ତୁଣ୍ଡ ଆଗରୁ ମୁଣ୍ଡ ପୋତି ଲାଙ୍ଗୁଡ଼ ଯାକି ଛୁ କଲି । ବାପ୍‌ରେ, ବୁଢ଼ାଏ ଥରେ ଉପଦେଶ ଦେବାକୁ ଆରମ୍ଭ କଲେ ଲେକ୍‌ଚର ଆଉ ସରିବାକୁ ମନକରେ ନାହିଁ ।

 

ସେଦିନର କ’ଣ ବିଶେଷତ୍ୱ ଥିଲା ? ମନେ ମନେ ଚାହିଁଥିଲ ପରା-ହେ ଅଜ୍ଞାତ-ହେ ନିଜେ-ନିଜର-କାରଣ, ଦେଖାଅ କିଛି ଶଙ୍କୁ-ଯେମିତି ଠାକୁରାଣୀଙ୍କ ବିଗ୍ରହରୁ ଫୁଲଧାରେ ଝଡ଼ିପଡ଼େ, ଯେମିତି ଆକାଶରୁ ପଡ଼େ ଉଲ୍‌କା କି ମେଘ ନଥାଇ ଜେଟ୍‌ଉଡ଼ାଜାହାଜ ନଥାଇ ଫମ୍ପା ଆକାଶରୁ କେବେ କେମିତି ଶଦ୍ଦ ହୁଏ ଘଡ଼ଘଡ଼ି ମାରିଲା ପରି । କିଏ ହଙ୍ଗର ଷ୍ଟ୍ରାଇକ କଲେ ଆଉ କେଉଁଠି ରେଲ ଓଲଟା, ସିନେମା ଘରେ ବୋମା ପଡ଼େ, ଦୋକାନ ବଜାରଲୁଟି ହୁଏ । ସଡ଼କ, ରେଲ, ଡାକ । ତାର ବି ବନ୍ଦହୁଏ, ଅଥଚ ମଣିଷ ଯେ ଉପାଧିଆ ପଡ଼ୁଛୁଁ ଯୁଗେ ଯୁଗେ ଭିକ ମାଗୁଛୁ ପ୍ରତି ନିଃଶ୍ୱାସରେ ‘‘ଭଲ କର ଭଲ କର ଭିକଦିଅ ବୋଲି ।’’

 

ସେଦିନର ଘଟନା-ଦି’ ଦଳ ଲୋକଙ୍କ ଭିତରେ ଖଟ ପାଇଁ, ଶେଯପାଇଁ କଳି । ଧରା ପରା ପିଟାପିଟି ହେବାକୁ ବସିଥିଲେ, ବହୁ କଷ୍ଟରେ ରୋକାଗଲା ।

 

ଏଥିରେ କଣ ମୋ ପ୍ରାର୍ଥନାର ଉତ୍ତର ଥିଲା ? କିଛି ସଂକେତ, କିଛି ଶଙ୍କୁ ? କିଛି ନାହିଁ-

 

ଘୁଙ୍ଗା ବାଲି ଉପରେ ପୁଙ୍ଗା ପବନରେ ହୁତୁହୁତିଆ ନିଆଁ ଜଳିଲା, ଧୂଆଁ ବିଛେଇ ହେଲା, ବାଣ୍ଟିଲାଗିଲା ଆପଣାକୁ କାଣିଚା କାଣିଚା କରି । ଗ୍ରହୀତା ଥିଲେ ସବୁଠୁ ସବୁ ଗ୍ରହଣ କରିପାରିବ, ଗ୍ରହୀତା ନଥିଲେ ଗ୍ରହୀତା ଯେଉଁଠି ନାହାଁନ୍ତି, ସେଠି ମହାଶୂନ୍ୟରୁ ଦେହଭସ୍ୱଁ ପାଉଁଶ ଛାଡ଼ିଦେଲେ ବି ଏକା କଥା ।

 

ସୂର୍ଯ୍ୟ ବୁଡ଼ିଗଲା, ପଶ୍ଚିମ ଆକାଶ ହେଲା ନାଲି । କ’ଣ ସେ ? ନାଲି କନିଅର ? ନାଲି ମନ୍ଦାର ? ନାଲି ଅବିର ? ରକ୍ତ ? ନିଆଁ ତାତି ?

 

କହୁଥାଏଁ ଯାହା ମୋ ଇଚ୍ଛା । ବୋଧହୁଏ ଧୂଳି ଆଉ ପବନ, ତାଠିଁ ରଙ୍ଗ ନାହିଁ । ରଙ୍ଗଟା ମୋଠିଁ । ପୁଣି ସେହି ରଙ୍ଗ ଲାଗିଲା । କଳା ତା’ ମୋ ମନେଅଛି । ତା’ ତଳେ ଥିଲା ଡର, କେତେ ବୟସ ହେଲା ? ନିଜକୁ ପଚାରିଲି ?

 

ପୁଣି ଭୁଲିଗଲି । ସେହି ରାତିରେ । କବାଟ ବନ୍ଦ । ଇନ୍ଦୁକୁ ସାନ୍ତ୍ୱନା ଦେଲି; ଇନ୍ଦୁ ମୋତେ ସନ୍ତ୍ୱନା ଦେଲା ।

 

ତା’ପରେ ଅନୁଭବ କଲି ନିଜକୁ ମୁଁ ସାନ୍ତ୍ୱନା ଦେଇଛି । ଆତ୍ମବିଶ୍ୱାସର ଭ୍ରାନ୍ତି ଲେଉଟାଇ ଆଣିବାକୁ ସାହାଯ୍ୟ ଦେଇଛି । ସାହାଯ୍ୟ ନେଇଛି ନିଜ ମନ୍ଦିରରେ ଗୋଟିଏ ସାନ ହୋମନିଆଁ ଜାଳି-। ଅଗ୍ନି ଭଲ ପିଲାଟିଏ ହୋଇଯାଇଛନ୍ତି । ରୁମାଲରେ ଝାଳ ପୋଛି ପୋଛି । ମୁଁ ଏକୁଟିଆ । ନିଦ ନାହିଁ । ମୋ ମୁହଁ ପାଖରେ ଅନ୍ଧାରରେ କିଏ ଜଣେ ଘୁଙ୍ଗୁଡ଼ି ମାରୁଛି । ଇନ୍ଦୁମତୀକୁ ମୁଁ ଖୋଜି ନାହିଁ । ଯେ ମୋର ଧର୍ମପତ୍ନୀ, ସଦ୍‌ଗତପ୍ରାଣା, ଖତୁର ମା, ମୋ ସଂସାରର ନଂଗର, ତାକୁ ମୁଁ ଆଉ ଖୋଜି ନାହିଁ । କତିରେ ଗୋଡ଼ ଛାଟି ଦେବାରୁ ଯାହା ଅନୁଭବ କରିଦେଲା ତକିଆଟାଏ ପରି କ’ଣ ଲୋଡ଼ା କଣ ତା’ ପରିଚୟ ? ଇନ୍ଦୁ ସଫା ସୁତୁରା, ବାସେ, କି ବାସ୍ନା ସେ କହିପାରିବ ନାହିଁ । ଭଲ ଲାଗେ । ଆଇ.ଏ.ପାଶ୍‌କରିଛି, କେବେ ଜଣାଇ ଦିଏ ନାହିଁ । ଲାଜ ବରଂ ତା’ କଥାରେ ମଫସଲି ସ୍ୱର ସଙ୍ଗୀତ, ଯେମିତି ଗାଉଁଲି ଲୋକଙ୍କର । ଆପେ ଭୋଗଭାଗ୍ୟକୁ ମନ ନାହିଁ । କିନ୍ତୁ ଯେଉଁ ଦିନ ମୁଁ ତାର କେଉଁ ରୋଷେଇକୁ ପ୍ରଶଂସା କରେଁ ଲାଗେ ତା’ ହୃଦୟ ପୁରିଗଲା । ତା’ କଥା କାହିଁକି ?

 

ସେ କତିରେ ଥିଲେ ମୁଁ ତା’ ଅସ୍ତିତ୍ୱ ଭୁଲିଯାଏଁ ବୋଧହୁଏ । ମୋ’ ସେବା ସତେକି ଆପେ ଆପେ ହୁଏ । ଜୀରାଠୁଁ ଶିରା ଯାକେ । ଦୂରରେ ଥିଲେ ସେ ମୋ ଛାତି ଭିତରେ ଧକ୍‌ଧକ୍‌ହୋଇ ବାହାରେ କେତେ କେତେବେଳେ।

 

ଲାଗୁଥାଏ ଏକୁଟିଆ, ନିଛାଟିଆ । ସେ ନାହାନ୍ତି । ଲାଗୁଥାଏ କେତେ ଦୂରରେ ଗଲେଣି-

 

ଆଶ୍ଚର୍ଯ୍ୟ । ତାଙ୍କ ଚେହେରା ବି ଝାପ୍‌ସା ଝାପ୍‌ସା ଦିଶୁଛି । ଠାଏ ଠାଏ ଆଖିକି ବାରି ହେଉନାହିଁ ।

 

ମନେପଡ଼ିଲା ପଦେ ବିଶେଷଣ, ଧର୍ମାସା ପୁରୁଷ; ଆଉ ନିଦ ଆସିବା ଆଗରୁ ଦିଶିଗଲା-। ସିନେମା ଦେଖିଲି ।

 

-୨-

 

ପଥର ଦେଉଳ, ଲକ୍ଷ୍ମୀନାରାୟଣଙ୍କର ବାଡ଼ରେ ପେନ୍ଥି ପେନ୍ଥି ଓହଳେ ହଳଦିଆ କନିଅର । କରେକେ ପୋଖରୀକି ବାଟ । ଦେଉଳ ବେଢ଼ାକୁ ବାଁ ପାଖେ ରଖିଲେ ସିଧା ବାଟ ପଡ଼ିଛି ସାହିକୁ । ଏ ମୁଣ୍ଡରେ ରଣସିଂହଙ୍କ ଘର, ସେ ଥିଲେ ଏ ଗାଁ ଜମିଦାର, ବଡ଼ଲୋକ । ଗୋଟିଏ ନାତି ଅଛି ଚପରାସି, ଆଉ ଗୋଟିଏ ଟାଟାରେ ଥାଏ, ସେଠି ରହିଗଲା ।
 

ସାହି ସେ ମୁଣ୍ଡେ ଆମ ପୈତୃକ ଡିହ । ଲଢ଼ୁଆ ବୃତ୍ତି ଚାଲିଗଲା ସାହେବ ଅମଳ ଆରମ୍ଭରୁ । କେତେ ଅସ୍ତ୍ର ଶସ୍ତ୍ର କୂଅ ପୋଖରୀରେ ପକାଇ ଦେବାକୁ ତର ସହିଲା ନାହିଁ । ନିଜର ତିନିମାଣ ଜମି, ପରଠୁଁ ଭାଗରେ ଆଉ କିଛି ଚଳିଗଲା । ପଣ ଅଜା ଭଗବାନ ଦୀକ୍ଷା ନେଇଥିଲେ । ଶାନ୍ତି, ପରୋପକାରୀ, ଜନପ୍ରିୟ ବୋଲି ଖ୍ୟାତି ଥିଲା । ଆମ ଗାଁ ଓ ପାଖ ଗାଁ ଭିତରେ ମଝିରେ ଦଣ୍ଡାରେ ଗୋରୁ ଚରାଇବାପାଇଁ ଯେଉଁ ଯୁଦ୍ଧ ହୋଇଥିଲା, ସେଥିରେ ସେ ବାଡ଼ି ଚଳାଇବାରେ ଖୁବ୍‌ଦକ୍ଷତା ଦେଖାଇଥିଲେ । ତାଙ୍କ ମୁଣ୍ଡ ଫାଟିଥିଲା; କିନ୍ତୁ ଜନପ୍ରିୟତା ବଢ଼ିଥିଲା । ଦୁଇ ପକ୍ଷଯାକ କେହି କଚିରିକି ଗଲେନାହିଁ । ଗାଁରେ ମୋଟା ପୁଞ୍ଜି ଥିଲା କ୍ୱଚିତ । ଦୟା, ଧର୍ମ, ପଚରା ଉଚରା, ସଂଖୁଳା, କଳି ଲାଗିଲେ ବି ପଞ୍ଚାୟତ୍ ମାନି ଯାଇ ମିଳାମିଶା ହୋଇଯିବା ପ୍ରବୃତ୍ତି-ଏସବୁ ଖୁବ୍‌ଥିଲା-

 

ପଣଅଜା ଅଜାଙ୍କୁ ପଠେଇଲେ ବିଦେଶ, କିଛି ବିଦ୍ୟା ଆଉ ବୁଦ୍ଧି ଶିଖିବାପାଇଁ । ସେ ସହରରେ କାମ କରୁଥିବା ଜଣେ ଟରଣିଙ୍କ ସଙ୍ଗେ ରହି ରୋଷେଇ କଲେ, ଘରକାମ କଲେ, ତିନି ବର୍ଷ କଟାଇ ଫେରିଲେ, ଆଣିଥିଲେ ଖଣ୍ଡେ ଛିଣ୍ଡା ଫାଷ୍ଟ୍‌ ବୁକ୍ ବହି, କେତେଟା ପୃଷ୍ଠା ତ ନଥିଲା । ବାପା ତାକୁ ଆଦରରେ ସାଇତି ରଖିଥିବାର ଲୋକେ ଦେଖିଛନ୍ତି । କୁଆଡ଼େ କହନ୍ତି, ‘‘ବହି ନୁହେଁ ଲକ୍ଷ୍ମୀଙ୍କ ପ୍ରସାଦ ।’’

 

କାରଣ ଘର ଆମର ଏବେ ବି ବିଦିତ ପାଣୁ ଦଳେଇଙ୍କ ଘର ବୋଲି, ସେ ମୋ ଅଜା । ସେ ଗାଁ ଗହଳିରେ ପ୍ରଚାର କଲେ କଚିରିକି ଯିବା ତାତ୍ପର୍ଯ୍ୟ, ମକଦ୍ଦମା କରିବାର ଶୁଭ ବାରତା ସେ ଆସିବା ପୂର୍ବରୁ ଲୋକେ ତ ଜାଣି ନଥିଲେ ଯେ ତାଙ୍କ ଭିତରେ ମକଦ୍ଦମା ପାଇଁ ଏତେ ଏତେ ଆବଶ୍ୟକ ରହିଛି । ସେ ବାରମ୍ବାର ଉପଦେଶ ଦିଅନ୍ତି ‘‘ଅଣ୍ଟିରେ ନିଆଁ ପୂରେଇ ବସ ନାହିଁ, ଅଣ୍ଟି ଖୋଲ, ଆଇନ୍‌ର ପାଣି ଢାଳ, ନହେଲେ ତୁମ ପଣନାତିମାନଙ୍କର ବି ରକ୍ଷା ନାହିଁ ।’’

 

ମାମଲତ୍‌କାର ହେଲେ, ମକଦ୍ଦମା ବାଟେଇ ଦେଲେ ବହୁତ ବହୁତ, ଜମି ତିରିଶି ମାଣ ତ କଲେ ବଡ଼ ଖାନାବାଡ଼ି ତୋଟା ପୋଖରୀ ତା’ ଉପରେ, ଖାଇବା ପିଇବା ଦାନ ଖଇରାତ୍‌ବି ଖୁବ୍‌। କେତେ ଲୋକ ଅଭିଯୋଗ ବି କରୁଥିଲେ ତାଙ୍କ ବିରୁଦ୍ଧରେ । ସେ କାହାଘର ଭାଂଗିଛନ୍ତି, କାହା ଜିନିଷ ଆତ୍ମସାତ୍ କରିଛନ୍ତି । କାହାକୁ କେଉଁ ହଟହଟାରେ ପକାଇଛନ୍ତି । କିନ୍ତୁ ଜନ ସ୍ମୃତି ବି କ୍ଷଣସ୍ଥାୟୀ, ଦାଣ୍ଡ କଂପୁଥିବା ଦାନ ପୁଣ୍ୟର ବି ପ୍ରଚାର ଥିଲା । କେତେ ବାବାଜି ବୈଷ୍ଣବ କହୁଥିଲେ ସେ ପରମ ଭକ୍ତ ।

 

ଆଈ ଥିଲେ, ଲୋକେ କହନ୍ତି, ସାକ୍ଷାତ୍ ଲକ୍ଷ୍ମୀ । ବର୍ଣ୍ଣରେ ଶ୍ୟାମଳୀ ଥିଲେ । ମୁହଁ ଖାଲି ଗୋଲ, ବଡ଼, ମାଉଁସିଆ, ନାକଟି ଚେପ୍‌ଟା, ଓଠ ଦିଫାଳ ମୋଟା, ଉପର ଦାନ୍ତ ମାଢ଼ି ଟିକିଏ ଆଗକୁ ଟୋଲା, ଆଖି ଦୋଟି ସାନ, ଗୋଲ, ଗୋଟିଏ ଆଖି ଟେରା । ଅଜାଙ୍କ ଉଚ୍ଚ, ଯୋଦ୍ଧା ପରି ଦେହ, ଅଣ୍ଟା ମୋଟା, ପିଠିଆଡ଼ୁ ଉପରକୁ ତଳକୁ ଏକା ପତ୍ତନ, ଟିକି ନିଖି କରି ।

 

ତାଙ୍କ ଶରୀରର ଏତେ ବର୍ଣ୍ଣନା ମୁଁ ଶୁଣି ନଥାନ୍ତି ଯଦି ତାଙ୍କ ବିଷୟରେ ଏତେ ସଶ୍ରଦ୍ଧ କୁତୁହଳ ଗାଁରେ ବନ୍ଧୁବାନ୍ଧବରେ ବ୍ୟାପି ରହିନଥାନ୍ତା । ସେ ହିଁ କୁଆଡ଼େ ଏ ବଂଶର ଲକ୍ଷ୍ମୀ, ଆସିଲେ ତ ସବୁ ଶୁଭ ମାଡ଼ିଗଲା । ଘରର ସବୁଥିକ ନିଘା, ସବୁ କାମକୁ ମଜବୁତ କରିବାକୁ କରେଇବାକୁ । ତାଙ୍କର ବଡ଼ ଶରଧା ପରର ଉପକାର କରିବା, ଘର ଘର ବୁଲୁଥିଲେ । ଦେଉଥିଲେ, ଖୁଆଉଥିଲେ ଘରେ ପ୍ରତିଦିନ ଭୋଜି ବାବାଜି ପୁରୋହିତ ନାହାକ କାମ କଲା ଲୋକ ଜୋତା ଗୋଡ଼ା ହୋଇ ରାଜ୍ୟଯାକର ଯେତେ ବନ୍ଧୁବାନ୍ଧବ ଗାଁ ଲୋକ, ସବୁବେଳେ ଘାଉଁ ଘାଉଁ । ଭଣ୍ଡାର ଭର୍ତ୍ତି ହେଉଥାଏ, ଖାଲି ହେଉଥାଏ । ପୁରାଣ ପଢ଼ା, ପୂଜା ବୋଲା, ମନ୍ତ୍ର ବୋଲା, ହୋମ ଘିଅର ବାସ୍ନା ଚହଟୁଥାଏ ସବୁବେଳେ । ନିଜେ ସବୁବେଳେ ସୁନାରୂପା ଅଳଙ୍କାରରେ ଲଦାଲଦି । ଲୋକେ ସକାଳୁ ତାଙ୍କ ମୁହଁ ଦେଖିଆସନ୍ତି, ଶୁଭ ହୁଏ ।

 

ଜଣେ ଜାଲ ଭିଡ଼ି ଓଟାରି ଆଣେ, ଆଉ ଜଣେ ରାନ୍ଧେ, ଖୁଆଏ,ବାଣ୍ଟେ । ଲୋକେ ଘରର ଭଲ ମନ୍ଦ ବାଣି ହିସାବ କରନ୍ତି ଏକାଠି ।

 

ପାଣୁ ଦଳେଇ ଏଡ଼େ ବିଷୟୀଲୋକ ହୋଇ ତାଙ୍କର ଗୋଟିଏ ଦୁର୍ବଳତା ଥିଲା, ଚରିତ୍ର ଦୋଷ । କିନ୍ତୁ ସେଥିପାଇଁ ସେ ବହୁତ ଖର୍ଚ୍ଚ କରୁଥିଲେ, ବୁଦ୍ଧି ଓ ଧନ ଉଭୟ । ସେ ଧନ ସାଇତି ରଖିଥିଲେ ତାଙ୍କ ସମ୍ପତ୍ତିର ଆକାର ବଢ଼ିଥାନ୍ତା ବହୁଗୁଣ । ସେ ଦୋଷ ବି ତାଙ୍କ ପରିବାରପଣ, ଧନ, ପ୍ରତିପତ୍ତି ତଳେ ପୋତି ହୋଇ ରହିଥିଲା । ଲୋକେ ଜାଣିଲେ ବି ଗାଲେଇ ରହନ୍ତି, ନ ଜାଣିଲା ପରି । କିଏ ଓହ୍ଲାଉଛି ବୃଥା ଗୋଳମାଳକୁ, ପରର ପିଠିରେ ପଡ଼ି ନିଜେ ପାହାର ଖାଇବାକୁ ? ସେମାନେ କହନ୍ତି, ଲୋକକୁ ଦେଖିବାକୁ ଯିବ ତ ଯିବ ଚଉପାଢ଼ିକୁ । ଯେଉଁଠି ସେ ଗାଧୋଇ ପାଧୋଇ କାନ୍ଧରେ ଗାମୁଛା ପକାଇ ଆସନରେ ବସିଥିବ । ଆଉ କ’ଣ ଦେଖିବ ବୋଲି ପଡ଼ିଆକୁ ଯିବ ?

 

କହନ୍ତି, ଚନ୍ଦ୍ରକୁ ଦେଖ, କଳଙ୍କ ଅଛି, ଆମେ କ’ଣ ତା’ କଳଙ୍କୁକୁ ଅନିଷା କରିବାକୁ ଜହ୍ନମାମୁକୁ ଅନାଉଁ ? ହଂସ ପରି ଥଣ୍ଟରେ କାଦୁଅ ଆଡ଼େଇ ଶୁଦ୍ଧି ପାଣି ପିଅ, ବାଜେ କଥା ପକାନ୍ତି ଅଳସୁଆ ଲୋକେ ।

 

ମଲାବେଳେ ହୋସ୍‌ନଥାଇ ପାଣୁ ଦଳେଇ ପାଟି କରୁଥିଲେ କେତେଗୁଡ଼ାଏ ନାଁ ଯେଉଁ ଗୁଡ଼ାକ ତାଙ୍କ ଘରର କାହାରି ନୁହେଁ–ଆଲୋ ବଲି ! ଆଲୋ ଗେହ୍ଲି ! ଆଲୋ ପେଣ୍ଠି ! ଆଲୋ ମୁଗୁନି !

 

ବୁଢ଼ା କବିରାଜ ତଥାପି ପୋଥି ଦେଖୁଛନ୍ତି ସତେ ଅବା ସେଇଠି ନାଁଗୁଡ଼ାକ ପାଇବେ । କହିଲେ-‘‘ବିକାର, କେଉଁ ଜନ୍ମ ଜନ୍ମର ଚିହ୍ନା ମଣିଷଙ୍କ ନାଁ ।’’

 

ପୁରୋହିତ କହିଲେ, ‘‘ଧନ୍ୟ ଧନ୍ୟ ! ଜାତସ୍ମର ! ଏପରି କ୍ୱଚିତ୍ ।’’ ହରିନାମ ଉଚ୍ଚାରିତ ହେଲା ।

 

ଅଜା ପୋତିଥିଲେ ମଞ୍ଜି, ପୁଅ ପିଲାଏ ସହରକୁ ଯାଇ ପାଠ ପଢ଼ିବେ, ସମୟ ଯେମିତି ବଦଳୁଛି ସେଥିରେ ବି ସେମାନେ ଆଗୁଆ ରହିବେ । ଝିଅମାନେ ଧନୀ ଜମିଦାର ଘରେ ବାହାହେବେ । ଛ’ ପୁଅ, ଛ’ ଝିଅ, ମୋଟରେ ବାର । ପ୍ରକୃତରେ, ଗୋଟାଏ ରାଜ୍ୟ ବସତି କରିବାପାଇଁ ଯଥେଷ୍ଟ । ପ୍ରତି ଝିଅ ବହୁତ ବହୁତ ନେଇ ଗଲେ, ପ୍ରସିଦ୍ଧ ଗାଁମାନଙ୍କରେ ପ୍ରସିଦ୍ଧ ଘରମାନଙ୍କୁ, ସେଠି ତାଳପତ୍ରରେ ଲେଖାହୋଇ ପେଡ଼ିରେ ପଡ଼ି କାଳ କାଳକାର ଭଉଁରିଆମାନ, ସେ ଘର ଘରକର ଇତିହାସର ମାଦଳାପାଞ୍ଜି । ସବୁ ଗୋଟେଇ ଥିଲେ ଓଡ଼ିଶା ଇତିହାସରେ କେତେ ଅନ୍ଧାରି ଠଣାରେ ବୋଧହୁଏ ଦୀପ ଜଳିଥାନ୍ତା । କିନ୍ତୁ କେତେ ତ ଗଲା ଘର ପୋଡ଼ିରେ, କେତେ ବଢ଼ି ବତାସରେ । ଅଜା କେବେ ଦେଖିପାରି ନଥିବେ, ସେତେବଳେ ଘରଗୁଡ଼ାକ ଠିକ୍ ଅଦଢ଼ା ଅବସ୍ଥାରେ ଥିଲା, ଭାଙ୍ଗିପଡ଼ିବା ଆଗରୁ, ଘୁଣଖିଆ, ସାଆନ୍ତିଆ ଛାଞ୍ଚ ଉପରେ ବାହାରୁ ପଡ଼ୁଛି କିଣା ବିକା ବେପାର ଦୁନିଆଁର ଟଙ୍କାର ମୁଗୁର, ଭିତରୁ ପଡ଼ୁଛି ବସି ବସି ନଈବାଲିଖିଆ ପରିବାରମାନଙ୍କର ହୁ ହୁ ବଢ଼ିଯାଇଥିବା ଅସଂଖ୍ୟ ପେଟ ଅସଂଖ୍ୟ ହାଉଁରି ବଢ଼ନ୍ତା ହାବୁକା, ସମୟର ହଲପା ବାରମ୍ବାର ମୋଡ଼ୁଛି ଝାଂକ ବଢ଼ୁଛି ।

 

କିନ୍ତୁ ଅଜାଙ୍କ ଯୋଜନା ବୋଧହୁଏ ପୂର୍ଣ୍ଣ ହେଲା, ପୁଅମାନେ ‘ହେଲେ’ । ବାପା ଚତୁର୍ଥ ଆଗ ସବ୍‌ରେଜିଷ୍ଟର ବଡ଼ବାପା, ଡିପୋଟି ଶଶୁର, ସହରରେ ବଡ଼ କୋଠା, ଗୋଟିଏ ପୁଅ ଆମେରିକାରେ ଇଞ୍ଜିନିଅର, ସେଇଠି ରହିଲେ, ଜଣେ ଅବକାରୀ ଭେଣ୍ଡର, ଅନ୍ୟ ଜିଲ୍ଲାରେ ବାସ, ଖାନ୍ଦାନୀ । ତାଙ୍କ ତଳେ ବଡ଼ବାପା ପେଷ୍କାର ହେଲେ । ପୁଅମାନେ ଡାକ୍ତର, ମଟର ଡ୍ରାଇଭର ଓ ଜଣକର ଲୁଗା ଦୋକାନ, ଭିନେ ଭିନେ ସହରରେ । ତାଙ୍କ ତଳେ ବଡ଼ବାପା ପୁଲିସ୍‌ଇନିସ୍‌ପେକ୍‌ଟର, ଦୁଇ ପୁଅ, ଜଣେ ଥିଏଟର କଂପାନିରେ ଥାଆନ୍ତି, ସାନ ରାଜସ୍ଥାନରେ ଅଧ୍ୟାପକ । ବାପାଙ୍କ ତଳେ ଦାଦା ଡାକ୍ତର, ପାଞ୍ଚପୁଅ, ତିନିହେଁ ତିନି ପ୍ରକାର ବଡ଼ ଇଞ୍ଜିନିଅର, ଜଣେ ପିଡ଼ବ୍ଳୁଡ଼ି କଣ୍ଟ୍ରାକ୍ଟର, ଜଣେ ପୋଷ୍ଟମାଷ୍ଟର, ସବୁ ଅଲଗା ଅଲଗା । ସାନ ଦାଦା ଅନେକ ପ୍ରକାର ପଢ଼ା ପଢ଼ିଲେ, କମ୍ପାଉଣ୍ଡରୀ ସବ୍ ଓଭର୍‌ସିଅରି, ଶିକ୍ଷକ । ଦିନା କେତେ ଗାଁରେ ବସି ଖାଲି ପୂଜା କଲେ । ତା ପରେ ହୋମିଓପ୍ୟାଥି ଓ ଗା୍ଁ ମାମଲତକାରୀ । ତାଙ୍କର ବି ଛଅ ପୁଅ । ଶିକ୍ଷକ ଦି’ ଜଣ, ଜଣେ ବ୍ୟବସାୟୀ, ଜଣେ ସବ୍‌ଡିପୋଟି, ଜଣେ ଟାଟାରେ ଫୋର୍‌ମାନ୍‌, ଆଉ,-ଡିହରେ ଯେ ରହିଲେ, ଅନେକଥର ଲାଗେ ହେଲା ହେଇ ସରପଞ୍ଚ କି କେଉଁ ନାମଗଣ୍ୟ ନେତାଙ୍କ ହାତବାରିସୀ ହୋଇ ଗୋଟାଏ କିଛି, ତାଙ୍କର ନାଁକୁ ଗୋଟିଏ ସାନ ଚାଉଳ ଡାଲି ଦୋକାନ, ବସି ବସି ଗପି ଗପି ବେଳ କଟାଇବାକୁ, ଖବର କାଗଜ ଆଲୋଚନା କରିବାକୁ, ଦୁନିଆଁର ଦୋଷ ଗୁଣ ବାଛିବାକୁ, ଭାଗ ତାଷ ଚାରିମାଣ, ଆଉ,-ଏମିତି ଚଳିଯାଏ । ଏ ପରିବାରର ଝିଅମାନେ କେହି କେହି ଡାକ୍ତର, ଶିକ୍ଷୟିତ୍ରୀ, ଅଧ୍ୟାପିକା, କିରାନୀ । ପୁଅମାନେ ବିଭା ହେଲେଣି ଦିଲ୍ଳୀର ଶିକ୍ଷିତ ହରିଜନ ଝିଅ, ବଙ୍ଗଳାର ବ୍ରାହ୍ମଣ ଓ କାୟସ୍ଥ, ଆନ୍ଧ୍ରର ତେଲାଗା, କେରଳର ଖ୍ରିଷ୍ଟିଆନ୍‌। ଝିଅମାନେ ବେଶି ଓଡ଼ିଶାର କରଣ ଓ ଖଣ୍ଡାୟତ୍‌ଘରେ; କିନ୍ତୁ ଗୋଟିଏ ଜଣେ ମୁସଲମାନ୍‌ଡାକ୍ତରଙ୍କୁ ବିଭାହେଲା । ତାଙ୍କର ବିଦେଶୀ ଡିଗ୍ରୀ ଜଣେ ବିଭାହେଲା । ପଞ୍ଜାବର ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ, ସେ ଆଇ.ଏ.ଏସ୍‌, ବଂଗୀୟ ଇଞ୍ଜିନିଅର ଜଣଙ୍କୁ ।

 

ଥରେ ଦେଖନ୍ତେ ନାହିଁ ଅଜା ଏ ଚିତ୍ର ? ଦେଖିଲେ କ’ଣ ହୁଅନ୍ତା ? ବସୁଧାରେ ଭୁମିକମ୍ପ ? ସୃଷ୍ଟିରେ ଧ୍ୱଂସ ?

 

ତେବେ, ତାଙ୍କ ସଂଜ୍ଞା ଅନୁସାରେ ଖୁବ୍‌, ‘ନୈଷ୍ଠିକ’ ଲୋକ ସେ ଥିଲେ । ଚୁଟି, କାଛିଆ, ମାଳି ଏ ସବୁ ତ ଥିଲା, ନାକ ଅଗରୁ କପାଳ ଯାକେ ଚିତା, ଟିକି ନିଖି କରି ଛୁଆଁ ଅଛୁଆଁ, ଛୁଆଁ ତା ମାରା ବାରଣ, ପାଣିଲୋଟା ନନେଇ ପରିସ୍ରା କରି ଯାଉନଥିଲେ, । ବାର ବ୍ରତ, ଓଷା, ପୂଜା, ଏସବୁ ତ କରୁଥିଲେ । ନାକ ପୁଡ଼ାରେ ପବନ ଦେଖି କାମ କରିବା, କେଉଁ ଦିନ କି ପଦାର୍ଥ ନ ଖାଇବା, କି କି ପ୍ରଥା ମାନିବା, ଏସବୁ ବିଷୟରେ ଖାଣ୍ଟି ଥିଲେ, ଜାତି ଅଜାତି, କିଏଁ ଛୁଇଁଲେ ପାଣି ନ ପିଇବା, ଦେହରେ ଛୁଆଁ ତା ଲାଗିଲେ ଲୁଗା ବଦଳିବା, ଏସବୁ ବିଷୟରେ ଖୁବ୍‌କଡ଼ା ଥିଲେ, ବାଛୁଥିଲେ । ସେ ଯେ ଜଣେ ଟାଣୁଆ ମଣିଷ, ଲୋକେ ତା’ ପ୍ରମାଣର ଉଦାହରଣ ଦେଉଥିଲେ ତାଙ୍କର ଏ ଆଚରଣରୁ । ପ୍ରଭାବ ପ୍ରତିପତ୍ତି ଧନ ସଂପତ୍ତି ବଢ଼ିବା ସଙ୍ଗେ ସଙ୍ଗେ ଅତୀତର ଆଭିଜାତ୍ୟ ବିଷୟରେ ତାଙ୍କର ବିଶ୍ୱାସ ଦୃଢ଼ମୂଳ ହୋଇଥିଲା ।

 

କିଏ ତାଙ୍କ ଆଗରେ ସେ ଧାରଣାର ଇତିହାସ ଗାଇଥିଲା, କେଉଁ ଗବେଷଣାରୁ ପାଇଥିଲା ସେ ତଥ୍ୟ ଅଥବା ତାର ମନ ଗଢ଼ା, ମନୋରଞ୍ଜନ ପାଇଁ, କିଛି ତଣ୍ଡୁଳ ଗଣ୍ଠିର ବାନ୍ଧିବା ଆାଶାରେ, ସେ କଥା ମୁଁ କହିପାରିବି ନାହିଁ । କିନ୍ତୁ କେମିତି ଗୋଟାଏ ପ୍ରକାର ସନ୍ତସନ୍ତିଆ ବାଂଫ ପରି’-ଦେଉଳ ଗମ୍ଭୀରା କବାଟ ଖୋଲିଲେ ଯେମିତି ବାହାରେ-ଆମ ଅତୀତର ସେହି କିମ୍ବଦନ୍ତୀ ବ୍ୟାପୁଥିଲା, ଦେହରେ ଲାଗୁଥିଲା ।

 

ସେ କିମ୍ବଦନ୍ତୀରେ ପାଣୁ ଦଳେଇଙ୍କ ବଂଶ ଗୋଟିଏ ପ୍ରାଚୀନ ରାଜବଂଶ, କେତେ କାଳର ତା’ ଜଣାନାହିଁ । ପନ୍ନେ ପରାଜିତ, ହୃତରାଜ୍ୟ, ଭାଗ୍ୟାନ୍ୱେଷୀ’ ମଧ୍ୟଯୁଗୀୟ କାବ୍ୟକ ଉପନ୍ୟାସର କଥାବସ୍ତୁ ତାର । ବିଚିତ୍ରଗତି, ଚିତ୍ତାକର୍ଷକ ।

 

ସତେ ଯେମିତି ସାରୋଳ ଦାସକୃତ ମହାଭାରତ ପୋଥିରେ ଠାଏ ପାଣୁ ଦଳେଇ ଖେଦା । ହରଣ କି ଶରଣ । ହରିସାହୁ କଥା ଏବେ ବି ଅଛି ସେ ପୋଥିରେ । ପାଣୁ ଦଳେଇ ଖେଦା ହଜିଛି, ଥିଲା, ବଇତମ ହୋଇଛି, ‘ତାପରେ ତ କେଉଁ ଗଡ଼ିଆରେ ‘ଜଳଶାୟୀ’ ।

 

ସେ କିମ୍ବଦନ୍ତୀ ନିଶ୍ଚୟ ଆହୁରି ବଦଳିଥିବ ତାଙ୍କ ପୁଅ ନାତିଙ୍କ ଘରେ । ଯାହା ଭଲ ଲାଗେ ନାହିଁ ତା’ ଝଡ଼ିପଡ଼େ, କେହି ଖିଆାଲ ରଖନ୍ତି ନାହିଁ, ପୁଣି ନୂଆ ପତ୍ର କଅଁଳେ । ମଣିଷ ସ୍ୱପ୍ନ ଗଢ଼ି ଗଢ଼ି ବଞ୍ଚିବ ତ, ନା ନିଦ ବସ୍ତୁକୁ କୁଣ୍ଢେଇ ଧରି ବସ୍ତୁ ସଙ୍ଗେ ନିଜେ ବିସ୍ତୃତିକୁ ଚାଲିଯିବ ।

 

ପାଣୁ ଅଜାଙ୍କର ଏତେ ସମ୍ପତ୍ତି ଚାହୁଁ ଚାହୁଁ କେମିତି ଯେ ଶୂନ୍ୟରେ ମିଶିଗଲା । ସେ ମରିବାର ତିନିବର୍ଷ ନ ପୁରୁଣୁ ତା ବି ଆଶ୍ଚର୍ଯ୍ୟ ଲାଗେ । ଲୋକେ କହନ୍ତି, ଆାଈ ମରିବା ସଙ୍ଗେ ସଙ୍ଗେ ଲକ୍ଷ୍ମୀ ଚାଲିଯାଇଥିଲେ । ଅଜା ତା’ର ଦି’ ବର୍ଷ ପରେ । ସେତେବେଳେ ସଂପତ୍ତିରୁ ବେଶି ଭାଗ ଥିଲା, ପୁଅମାନେ ଥିଲେ ବିଦେଶରେ । ସେମାନେ ପାଠ ପଢ଼ିଥିଲେ, ପଦାରୁ ରୋଜଗାର କରିବାଭଳି ଯେଉଁ ଧନ, ତାକୁ ଚିହ୍ନିଥିଲେ, ଯାହାର ଯେଉଁଠି ରୋଜଗାର ସେଠି କର୍ମସ୍ଥଳ ସେଠି ଘର ସଂସାର । ଗାଁ ସଂପତ୍ତି ସତେକି ଏକୁଟିଆ ଅଜାଙ୍କର । ସେ ମଲାପରେ ପୁଅମାନେ ଏକାଠି ହୋଇଥିଲେ । କେତେ ବୋହୂ ମଧ୍ୟ । କେତେ ନାତି ନାତୁଣୀ । ସମସ୍ତେ ନୁହଁନ୍ତି । ପରସ୍ପରଠୁଁ ଅଲଗା ରହି ଅଲଗା ପରିବେଷ୍ଟନୀ ଅଲଗା ଅଲଗା ସମସ୍ୟା ସଂଘର୍ଷ, ଅଲଗା ଅଲଗା ଜୀବନ ଅଭିଜ୍ଞତାରେ ବଢ଼ି ସେମାନେ ପରସ୍ପରର ଅଚିହ୍ନାଭଳି ହୋଇଯାଇଥିଲେ । ସେମାନଙ୍କ ଅଜଣାତରେ ସମୟ ସେମାନଙ୍କର ସବୁ ଗଣ୍ଠି ଫିଟେଇ ସାରିଥିଲା । ସବୁ ଲେଖା ଯୋଖା ଅଠାକୁ ଝଡ଼େଇ ସାରିଥିଲା । ସେମାନେ ହୋଇସାରିଥିଲେ ସେହି ଆଧୁନିକ ମଣିଷ ଯେ ଅନୁଭବ କରେ ସେ ତା ଘରକୁ ଏକୁଟିଆ, ଆଗରେ କେହି ନାହିଁ, ପଛରେ କେହି ନାହିଁ । ତେଣୁ ସେମାନଙ୍କ ଏକମାତ୍ର ପନ୍ଥା ଧନ ଅର୍ଜନ, ଧନ ସଂରକ୍ଷଣ, ସୁଖ, ସ୍ୱାଧୀନତା, ନିରପତ୍ତା, ସମ୍ମାନ ସବୁ କାମପାଇଁ-। ମଣିଷର ଅନ୍ୟ ଯେତେ ପ୍ରବୃତ୍ତି, ଇଷ୍ଟ, ରୁଚି ଅଭ୍ୟାସ ଧାରଣା ସବୁ ସେହିଆକୁ ଅନୁସରଣ କରି ଚାଲିଥିବ । ନିରାପତ୍ତା ଜଗିରଖି ଯେତେ ଦୂରଯାକେ ଯାଇହେବ ସେତେଦୂର, ଧନ ଧାରଣା ସଙ୍ଗେ ବେଖାପ ହେଉଥିଲେ ଫୋପଡ଼ା ହେଉଥିବ । ପାଣୁ ଅଜା ମଞ୍ଜିକି ସ୍ୱାଗତ କରିଥିଲେ, ଗଛକୁ କଳ୍ପନା କରିନଥିବେ ।

 

ସେମାନେ ଏକାଠି ବସିଲେ, ସେଉଠୁ ଉଡ଼ିଗଲେ, ପୁଣି ଏକାଠି ହେଲେ ଦି’ ଜଣ ତିନିଜଣ ହୋଇ କଳିକରିବାକୁ, କାମୁଡ଼ି କାମୁଡ଼ି ହେବାକୁ । ପକ୍ଷ ପକ୍ଷ ହେଲେ । ମାଡ଼ ଫଉଜଦାରି କରିବାକୁ ଉଜାଡ଼ିବାକୁ ପଦାରୁ ଦଳବଳ ମଗାହେଲେ, ଭଲଲୋକି କରିବାକୁ ବାହାରୁ ବିବାଦମାନ ମଧ୍ୟସ୍ଥ ମାନେ, ଜବରଦସ୍ତି ଦଖଲ, ବଣ୍ଟାବଣ୍ଟି, ବିକ୍ରିବଟା, ମାଲିମକଦ୍ଦମା ଲାଗିଗଲା ।

 

ସତେ ଯେମିତି ଗୋଟାଏ ପ୍ରାଚୀନ ଦେଶର ଭାଙ୍ଗିପଡ଼ିବା ବେଳ, ନାନା ଦଳ ନାନା ଅଂଶ ପରସ୍ସର ସଙ୍ଗେ ଖୁରି କରୁଛି, ବଳ ଯଚାଯଚି, ମନ୍ତ୍ରଣା ଯଚାଯଚି, ନାନା ଭଲଲୋକି, ନାନା ଟେହାଟେହି, ରାଗ କୁହୁଳିଛି । ସମସ୍ତେ ଏକା ସଙ୍ଗେ ଗର୍ଜ୍ଜୁଛନ୍ତି ଘରପନ୍ନେ ପୋଡ଼ୁ ମୂଷା ମରୁ । କାହିଁ ଘର ? ମନ ଯେଉଁ ମୁହୂର୍ତ୍ତରେ ସ୍ୱୀକାର ନକଲା ସେ ମୁହୂର୍ତ୍ତରେ ସେ ନାହିଁ । କେଉଁ ଗୋଟିକ ହିଁ ମୂଷା, କେଉଁଟି ନୁହେଁ ?

 

କିନ୍ତୁ ସେମାନେ ବୁଦ୍ଧିମାନ ବୋଧହୁଏ । ସବୁ ସମ୍ପତ୍ତି ଗଲା, ଆଉ ତେଣ୍ଟା ରହିଲା ନାହିଁ-

 

ସମ୍ପତ୍ତିକୁ ପାଣୁଅଜା ପଦାରୁ ଗୋଟେଇ ଠୁଳ କରିଥିଲେ । କେହି ତ ମା’ ପେଟରୁ ଘେନି ଜନ୍ମ ହୁଏନାହିଁ । ଗଲାବେଳେ ଚାଲିଗଲେ ପଦାକୁ, ଯାହା ଯାହା ହାତରୁ ଆସିଥିଲା ତା’ ହାତକୁ ନଯାଉ ପଛେ । କେଉଁଠି ବା ଯାଏ ? କାହା ପିଣ୍ଡରୁ ଆସେ, ଆଉ କାହା ପିଣ୍ଡକୁ ଯାଏ ।

 

ମାଟିବାଲି ଚାଲିଗଲା ମାଟି ବାଲିକୁ ।

 

ବାପା ସେ ମାଛମରା ଆମ୍ବ ପରା ଗୋଳି ପାଖେ ନଥିଲେ, ସେ ହେଲେ ଶିକ୍ଷକ । ଅଜାଙ୍କ ଆଖିରେ, ଉପର ତିନିଭାଇଙ୍କ ଆଖିରେ, ସେ ଜଣେ ନିପାରିଲା ଲୋକ, ନୁତୁପୁତୁ ମନ, ତାଙ୍କର ଦୁର୍ବଳ ବିବେକ । ସବୁବେଳେ ଦୁଡ଼ୁଗୁଡ଼ୁ ଅନ୍ୟାୟ କଲି ନାହିଁ ତ ? ପାପ ହେବ ନାହିଁ ତ ? କାହାକୁ ପୀଡ଼ାଦେଲି ନାହିଁ ତ ? କହନ୍ତି ମା’ ଓଳି ଆଣିଲେ ପୁଅର ବଡ଼ତି ହୁଏ, ତାଙ୍କ ମା’ର ଅନେକ ଗୁଣ ତାଙ୍କଠିଁ ଥିଲା, ନିଜେ ବି ବହୁତ ମାତୃଭକ୍ତ । ତାଙ୍କଠିଁ ସୌଜନ୍ୟ ଓ ଭକ୍ତି ଭିତରେ ଭେଦ ଅଳ୍ପ ଥିଲା । ସେ ପରକୁ ଦଣ୍ଡବତ କଲାବେଳେ ବି ତା’ ଦିଶିଯାଏ । ବିଦ୍ୟାକୁ ବହୁତ ଭକ୍ତି କରୁଥିଲେ; କିନ୍ତୁ କି ଅବସ୍ଥାରେ ପଡ଼ି ସେ ଦୁଇଥର ଏଣ୍ଟ୍ରାନ୍‌ସ୍‌ ଫେଲ୍‌ହେଲେ କହିପାରିବି ନାହିଁ । ତା’ ପରେ ସେ ପାଶ୍‌ କଲେ । କିନ୍ତୁ ମୁଁ ତ ଭାବେଁ ସେହି ଭୀମହରା ହାରି ପାଶ୍‌ କରିବାହିଁ ତାଙ୍କ ପକ୍ଷରେ ବିପଦ ହେଲା, କାରଣ ସେଉଠୁ ତାଙ୍କର ମନେହେଲା କଲେଜରେ ପଢ଼ିବ ଅଥଚ ବଡ଼ବାପାମାନେ, ଅଜା ଭିନେ ବାଟ ଦେଖାଉଥିଲେ-ବେପାର, ଠିକାଦାରି, କିରାନିଗିରି, ଅମିନଗିରି ଇତ୍ୟାଦି । ମଣିଷ ଭିତରୁ ଯେଉଁ ଦୃଢ଼ପ୍ରତିଭା ବାହାରି ହଠାତ୍‌ ସବୁ ତା’ର ଓଲଟ ପାଲଟ କରେ, ତାଙ୍କର ସେହିପରି ହେଲା । କଲେଜରେ ପଢ଼ିବେ ବୋଲି ଟିଉସନ୍‌ କଲେ, କିଲ୍‌ଟରି କିରାନିର ପୁଅ, ତାରି ଭଉଣୀ ମୋ ବୋଉ, ମୋ ଗଢ଼ଣ ଅନେକାଂଶରେ ତାହାରି ପରି, ପିଲାଦିନେ ସେ ନିଶ୍ଚୟ ଭାରି ସୁନ୍ଦର ଥିଲା । ଯେଉଁ କନିଷ୍ଠ ପ୍ରେମରେ ଜୀବନଯାକ ମୋ ବାପାଙ୍କୁ ଢାଙ୍କି ରଖିଥିଲା, ନିଶ୍ଚୟ ଯେ ହେଲେ କହିବ ସେ ପୂର୍ବ ଜନ୍ମର, ଜନ୍ମ ଜନ୍ମାନ୍ତରର । କଲେଜରେ ପଢ଼ା ପରିବର୍ତ୍ତେ ହେଲା ବିଭାଘର ସମ୍ବନ୍ଧ-। ବାପାଙ୍କ ଘର ପ୍ରତ୍ୟାଖାନ କଲେ, ରାଗରେ, ସ୍ପର୍ଦ୍ଧାରେ, ନାକ ଟେକି । ବାପା ସ୍ୱାଧୀନତା ଘୋଷଣା କଲେ, ଘରୁ ଛିଣ୍ଡିଲେ, ବୋଉ ଆସିଲା, କଲେଜ ପଢ଼ା ବନ୍ଦ୍‌ ହେଲା, ବାପା ହେଲେ ଶିକ୍ଷକ ।

 

ତାଙ୍କର ଶଶୁର ନିରାଶ ହେଲେ । ପାଣୁ ଦଳେଇଙ୍କ ଘରର ତାଟ ତ ଝିଅକୁ ମିଳିଲା ନାହିଁ, ଆଶା ଥିଲା ଜୋଇଁ କଲେଜରେ ପଢ଼ିବ, କାଳକ୍ରମେ ଦୋପଟି ହେବ, ନହେଲେ ଆଉକିଛି ହେବ,-ଯାଚି ଥିଲେ, ଏଠି ରହ ପଢ଼ । ‘‘ଶଶୁରଘରେ ଜୋଇଁହୋଇ ରହି କୁତ୍ତା ବୋଲେଇବି ! ତା’ ଅପେକ୍ଷା-।’’ ବାପାଙ୍କ ଦୃଢ଼ ପ୍ରତିଜ୍ଞା ଦି’ଗୁଣ ଜଳିଲା ଫାଇଁଫାଇଁ । ‘‘ନହେଲେ କିଲ୍‌ଟରିରେ,-କୌଣସିମତେ ଧରାଧରି କରି-,’’ ‘‘ନାଃ ତେଣେ ମନ ନାହିଁ । ଅଧ୍ୟାପକ ହୋଇନଥାନ୍ତି । ନହେଲେ ଶିକ୍ଷକ, ବିଦ୍ୟା, ବିଦ୍ୟାନାମ ନରସ୍ୟ ରୂପମଧିଙ୍କ-’’ହଉ, ଝିଅଟାର ଭାଗ୍ୟ ! ଶଶୁର ଭାବିଥିବେ । ତଳ ଚାରିକ୍ଲାସରେ ପଢ଼ାଉଥିଲେ । ସରଳତା-ତା’ ତାଙ୍କଠି ଥିଲା, ପରିବାବାଲୀ, କାଠବାଲା, ମେହେନ୍ତ୍ରାଣୀ, ସାହିର ସାନ ଦୋକାନୀ,–ଏମାନେ ଯେତେବେଳେ ବୋଉକୁ ଆସି ମତେଇଲେ ଦରମାରୁ ଅଳ୍ପ ଅଳ୍ପ ଟଙ୍କା କରଜ ଖଟାଇ ଅତିଶୀଘ୍ର କେମିତି ଟଙ୍କାକ ଦି’ଟଙ୍କା କରାଯାଏ, ସେତେବେଳେ ବାପା ଟାଣକରି କହିଥିଲେ, ଖବର୍ଦ୍ଦାର, ! ଲଟରି ଟିକଟ୍‌ ସେ କିଣନ୍ତି ନାହିଁ । ବିଳାସବ୍ୟସନ ତ ଦୂରର କଥା, ଚାକର ବି ସେ ରଖୁ ନଥିଲେ ! ଖାଇବା ପିଇବା ମୋଟାସୋଟା, ଅନ୍ଧାରୁଆରୁ ଉଠନ୍ତି, ରାତିରେ ଡେରିରେ ଶୁଅନ୍ତି । ଇସ୍କୁଲ୍‌ କାମଛଡ଼ା ଅନ୍ତତଃ ଦି’ ଓଳି ଯୋଡ଼ିଏ ଟିଉସନ୍‌ ଧରିଥାନ୍ତି, ପ୍ରତିଦିନ ଧର୍ମଗ୍ରନ୍ଥ ପଢ଼ନ୍ତି, ଯେତେବେଳେ ମିଳୁ, ସକାଳେ ସଞ୍ଜରେ ପୂଜାକରନ୍ତି । ସହରରେ ରହି, ବହୁ କୁଟୁମ୍ବୀ ହୋଇ, ଅଭାବ ତାଙ୍କର ସବୁଦିନେ, ସେ କହନ୍ତି ନାହିଁ, ସହାନୁଭୂତି ମାଗନ୍ତି ନାହିଁ, ମୁହଁ ସୁଖି ବି ଦିଶେ ନାହିଁ, ଗମ୍ଭୀର ଦାନ୍ତଚିପା ଭାବ । ବୋଉ ତାଙ୍କ ବିଷୟରେ ବଢ଼େଇ କରେ, ‘‘ବାପା ତମର କାହାରି ଶାଗ ପତ୍ରଟିଏ ବି ଧାରନ୍ତି ନାହିଁ ।’’

 

ଧାରିଲେ କ’ଣ ହୋଉଥାନ୍ତା ? ମୁଁ ମୋ ବୋଉକୁ ପଚାରିଥଲି ପିଲାଦିନେ । ସେ କହିଥିଲା,–ଛି ଛି ।

 

ତାଙ୍କୁ ପଚାରିବାକୁ ସାହାସ ନଥିଲା । ସେ ତ ପାଟିକରି ଉଠିବେ–‘‘କ’ଣ ଯୁକ୍ତି !’’ ବୁଝାଇବାକୁ ତାଙ୍କର ବୋଧହୁଏ ବେଳ ନଥାଏ, କେତେବେଳେ ଗମ୍ଭୀର ମୁହଁ, କେତେବେଳେ ଗୋଟାଏ ଗର୍ଜନ, କେବେ କଦବା,–ବେଶିଥର ନହେଲେ ବି, ଠାଇ ଠାଇ ଗୁମ୍‌ଗାମ୍‌ । ସବୁ ନିର୍ଦ୍ଦେଶ ସ୍ପଷ୍ଟ, କଡ଼ା, ମପାଚୁପା ।

 

ବୋଉ ବୁଝାଇଦିଏ, ‘‘ସବୁ ତମରି ଭଲ ପାଇଁରେ– ।’’

 

ଭଲ ଯେ କ’ଣ ତା’ ବୁଝିପାରେ ନାହିଁ । କାହା ଘରକୁ ବୁଲିଗଲେ, ବିଶେଷତଃ ବନ୍ଧୁବାନ୍ଧବଙ୍କ ଘରକୁ, ଆପେ ତୁଳନା କରେ ମନେ ମନେ, ଲାଗେ ତାଙ୍କର ଅଛି ଆମର ନାହିଁ । ସହର । ସଡ଼କକୁ ଅନାଇଲେ ହିଁ ସେହି ତୁଳନା ଆସେ । କେତେ ଆଡ଼େ ଯିବାକୁ କେତେକଥା କରିବାକୁ ମନହୁଏ । ମନା । ପିଲାଦିନୁଁ ଧାରଣା ଜନ୍ମିଯାଇଥିଲା ବିନା ଅପରାଧରେ ମୁଁ ରହିଛି ଗୋଟାଏ ଲୁହା ପିଞ୍ଜରା ଭିତରେ, ଅନୁଭୂତି ଖାଲି ଯୋଡ଼ିଏ, ମୁଁ ଓ ପିଞ୍ଜରା, ଆଉ ସବୁଥିକି ମୁଁ ଅନ୍ଧ. ମୁଁ ବଧୀର । ଚିନ୍ତା ଖାଲି ଗୋଟିଏ ପିଞ୍ଜରା ଭାଙ୍ଗିବି ।

 

କିନ୍ତୁ କାହୁଁ ଭାଙ୍ଗିହେବ ? କି ଉପାୟରେ ? କିଏ ସତେକି ଅନ୍ତରାଳରେ ରହି ମଜା ଦେଖୁଛି; ସେହି ଗଢ଼ିଛି ପିଞ୍ଜରା ! ବୋଉ ଠାକୁରଙ୍କୁ ଡାକେ, ଆମ ଆଗରେ କେତେକଥା ବଖାଣେ-ମହିମା । ବାପା ଠାକୁରଙ୍କୁ ପୂଜା କରନ୍ତି, ମନ୍ତ୍ର ଶୁଭେ, ଗୀତ ଶୁଭେ, ଘଣ୍ଟି ବାଜେ । ମଝିରେ ମଝିରେ ନିଷେଧ, ପାଟିକର ନାହିଁ । ଡରମାଡ଼େ । ପୂଜାବେଳେ ଦି’ ଓଳି, ପୁଣି ପୁଣ୍ୟ ପର୍ବଦିନ କି ଉତ୍ସାହ ଦିଶେ ସେମାନଙ୍କଠି, ମୁହଁ କେଡ଼େ ଜିକିଜିକି । ଭାବେଁ ଘଟିଛି କିଛି, କେତେଥର ତୁନି ତୁନି ପଚାରିଛି, ‘‘ବୋଉ, କ’ଣ ହେଲା ?’’ ପୁଣି ଭାବେ, ଆଜି ନଘଟୁ ଘଟିବ । ପୁଣି ସେହି ନିଷେଧ, ପୁଣି ସେହି ଡର, ପୁଣି ପୁଣି ସେହି ସଙ୍କୁଚିତ ପରିସର, ନା, ମାଛ ଆସିବ ନାହିଁ, ପଇସା ନାହିଁ । ନା, ଆଉ ଆଉ ହ’ନା, ଏଇଆକୁ ଲଗେଇ ଖାଇଦେ, ସୁନାଟି ପରା । ନା, ଚିରା ଟିକିଏ ହେଇଚି ତ ସିଲେଇ କରିଦେବି, ସେଉଠୁ ସଫା କରିଦେବି, ନୂଆଟିଏ କିଣି ଅଧିକା କ’ଣ ହେବ ? ନା, ସିନେମା ଥିଏଟର୍‌ ବଗଡ଼କାମ, ଯିବାକୁ ହେବନାହିଁ । ନା-ନା-ନା । ସବୁବେଳେ ଚାରିକରେ ଯେମିତି କି ଗୋଟାଏ ଚକି ଫେସା ହେବା ଶଦ୍ଦ, ଚେଇଁଥିବା ଯାକେ ସେହିଆ ସେହିଆ । ଦିନଯାକର ବନ୍ଧା ନିର୍ଘଣ୍ଟ, ଜୀବନଯାକର, ସୃଷ୍ଟି ଯାକର । ତାହାରି ଭିତରେ ଚାରିଆଡ଼େ ମଞ୍ଜି ଝଡ଼ୁଛି, ଗଜା ଉଠୁଛି, ଫୁଲ ଫୁଟୁଛି, ଗଛ ବଢ଼ୁଛି, ଲଟା ଡଂକୋଉଛି, ଦାନ୍ତ ପଡ଼ୁଛି, ବାଳ ପାଚୁଛି କି ଉପୁଡ଼ୁଛି, କାଠ ଜଳି ଅଙ୍ଗାର ହେଉଛି ।

 

ଘସର ଘସର ଘସର ଚକି । ତାହାରି ଭିତରେ, କାଲି ଯାହା ଏକୋଇଶାକୁ ଯାଇଥିଲି, ଆଜି ଆମେରିକାରୁ ଡାକରେ ଆସିଛି ତାହାରି ଫଟୋ, କତିରେ ତା’ ସ୍ତ୍ରୀ, ତାହାରି ? କେଜାଣି ?

 

ଯେଉଁ ଛୁଆମାନେ ସଡ଼କରେ ଡେଉଁଥିଲେ, କଳି କରୁଥିଲେ, ଗଡ଼ୁଥିଲେ ଏମାନେ କ’ଣ ସେହି, କିଏ ବିଚାରପତି, କିଏ ଦାୟିତ୍ୱପୂର୍ଣ୍ଣ କର୍ମଚାରୀ, କିଏ ଖ୍ୟାତାନାମ ଆଇନ୍‌ଜୀବୀ, କିଏ ବିଖ୍ୟାତ ନେତା ? ଯେଉଁ ଝିଅମାନେ ଟିକି ଟିକି ଫ୍ରକ୍‌ପିନ୍ଧି ସଡ଼କରେ ଧାଉଁଥିଲେ, ଚାଲୁଥିଲେ, ସଉଦା କିଣିବାକୁ ଦୋକାନରେ ଠୁଳ ହେଉଥିଲେ । ପିଣ୍ଡାରେ ଡେଉଁଥିଲେ ଦଉଡ଼ିଟାଏ ବୁଲେଇ ବୁଲେଇ, ଭୂଇଁରେ ଗାର କାଟି, ଏମାନେ କଣ ସେହି ?-ଘରର ଗୃହିଣୀମାନେ, କାହାଠୁଁ କିଏ ଚାନ୍ଦା ମାଗିଯାଏ, କାହାପାଖକୁ ଯାଆନ୍ତି ବ୍ୟବସାୟୀମାନେ ଫର୍ମାସୀ ନେବାକୁ, ଡାକ୍ତରମାନେ ଯାହାଙ୍କ ଦାଣ୍ଡଦୁଆରେ ଗାଡ଼ିଭିଡ଼. ଛାତ୍ରୀମାନେ, ନାନା ବିଦ୍ୟାର, ନାନା ବୟସର. ଅଧ୍ୟାପିକାମାନେ, କେତେ କିଏ ନିଜ ଆସନରେ ମଂଗୁଆଳ, ସେମାନେ କ’ଣ ସେହି ଛୁଆ, ପୁଅ ଆଉ ଝିଅ, ଯେ ଏତେ ଏତେ ନାନା ଆନୁଷ୍ଠାନର ଚାଳକ ଚାଳିକା, ଏତେ ସମ୍ପତ୍ତିର ଗଢ଼ିଲାବାଲା, ମାଲିକ, ମୁରବୀ ଉତ୍ପାଦକ ? ସେହି–ଯାହାଙ୍କୁ ଦେଖିଥିଲି ତାଙ୍କ ଜନ୍ମରୁ ପିଲାକାଳୁ ତାଙ୍କ ମୋ ଭିତରେ ବୟସର ତଫାତ୍‌ ମୁଁ ଭୁଲି ନାହିଁ । ସେମାନେ କ’ଣ ଏ ଜୀଅନ୍ତା ଇତିହାସ ଦଳଗତ ଆଉ ବ୍ୟକ୍ତିଗତ ବନ୍ଧୁତା ଓ ଶତ୍ରୁତାର ?

 

ସେହି ବୈଚିତ୍ର୍ୟହୀନ ନିର୍ଘଣ୍ଟ ତଳେ ତଳେ, ଛପି ଛପିକା-ନିତ୍ୟ ବିଚିତ୍ରତା । କାରଣ ମୁଁ ଖୋଜି ଖୋଜି ପାଇନାହିଁ । ଆଶା ଛାଡ଼ିନାହିଁ ।

 

ସେ ଆଶାର ଆଶ୍ରୟ ବୋଧହୁଏ ଦାର୍ଶନିକତା । ପିଞ୍ଜରା ଭିତରେ ଥାଇ ଦାର୍ଶନିକତା । ମନେ ମନେ ଅଠାକାଣ୍ଡିଆ ଯୋଡ଼ା-ଚଢ଼େଇକି ଧରିବି । ଚଢ଼େଇ ଉଡ଼ିଯିବ । ପୁଣି ପ୍ରଚେଷ୍ଟା । କେଉଁଠୁ ଉତ୍ପତ୍ତି ? କ’ଣ ୟେ ? କି ଉଦ୍ଦେଶ୍ୟ ? ଭାବୁ ଭାବୁ ସକାଳ ଯାଇ ଆହୁରି ସକାଳ । ଦଶଲୋକ ଏକାଠି ହୋଇ ନିଜ ନିଜ ଅଭିଜ୍ଞତା କହିଲେ ଶୁଭେ ଅନ୍ଧମାନଙ୍କ ହାତୀ ଦେଖା ପରି । କାହା କାହା କହିବା ବାଗରେ ଚାତୁରୀ ବି ଥାଏ, ପାଟିରେ ଥାଏ ବଳ, ସ୍ୱର ଶୁଣି ବିଶ୍ୱାସ ଆସେ, ମନ ପ୍ରଭାବିତ ହୁଏ । ପାଳି ଧରୁଁ ଦିନାକେତେ । କିନ୍ତୁ ସେ ସୂର୍ଯ୍ୟ ଉଦୟ ଅନୁଭବ କରିବା ବିଶ୍ୱାସ ନୁହେଁ । ପୁଣି ମନ ଚହଲିଯାଏ, ଘୁଞ୍ଚିଯାଏ ଆଉଠାଏ, ପୁଣି ସେଠୁ ଆଉଠିକି । ଚଢ଼େଇ ଉଡ଼ିଯାଉଥାଏ ।

 

କିନ୍ତୁ ଏ ଚହଲା ଚହଲି ବୋଧହୁଏ ବାପା ବୋଉଙ୍କର ହୋଇନଥିଲା । ସେମାନେ ଧରିନେଇଥିଲେ ସେମାନଙ୍କର ନିଜର ହୋଇ ଜଣେ ଅଛି, ସେ ତା’ ଖୁସି ହେଲେ ସବୁ ଭଲ କରିପାରେ ନିମିଷକେ, ତା’ ପକ୍ଷରେ କିଛି ଅସମ୍ଭବ ନୁହେଁ । ସେ ସବୁ ଦେଖେ, ଶୁଣେ, ବୁଝେ, ମନ୍ଦ ପଡ଼ିଲେ ତା’ ବି କରେ ସେହିଁ । ସେମାନେ ନିଜେ କାମ କରନ୍ତି, ବୁଦ୍ଧି ଖଟାନ୍ତି, ଅପେକ୍ଷା କରି ବସନ୍ତି ନାହିଁ ସେ ଆସି କରିଦେବ ବୋଲି ସୁଖ ହେଉ ଦୁଃଖ ହେଉ କହନ୍ତି ଭାଗ୍ୟରେ ଥିଲା, ହେଲା, ପୁଣି ମୁହଁକୁ ତଳକୁ ପୋତି କାମରେ ଲାଗନ୍ତି । ତାଙ୍କର କଷ୍ଟ ଥିଲା; କିନ୍ତୁ ଏଭଳି ଅଶାନ୍ତି ନଥିଲା, ଯେମିତି ଆମର । ମୁଁ ତ ବୁଦ୍ଧି ଖଟେଇ ଭାବିଛି, ଆଖିବୁଜା ବିଶ୍ୱାସ ଖାଲି ନିଷ୍ପଳ ମୂର୍ଖତା, ଏତେ ଏତେ ବିରୋଧୀ ଯୁକ୍ତି ଅଛି, ଉଦାହରଣ ଅଛି, ସଂସାରରେ ପୂରିରହିଛି ନିଷ୍ଠୁରତା, ଅସମତା, ଯେ ଯାହା ପାଇବା ଉଚିତ୍‌ ନୁହେଁ ତାକୁ ତାହା ଘଟୁଛି । ମନ୍ଦ ଅନ୍ୟାୟ ଶୋଷଣ ଅତ୍ୟାଚାର ସବୁ ଅଛି । ଭଣ୍ଡ ତ ଅନ୍ଧିସନ୍ଧିରେ, ଯେ ଆଖି ବୁଜି କ୍ଷିର ପିଅନ୍ତି, ଅଥବା ଦେଖାଇ ହୁଅନ୍ତି ଯାହା ସେମାନେ-ନୁହନ୍ତି ତା’ । କ’ଣ ଓ କାହିଁକି ତେବେ ମୁଁ ବିଶ୍ୱାସ କରିବି ? କରିବି ନାହିଁ ।

 

ତଥାପି ଦୁନିଆଁ ଟାପରା କରେ, ନକଲେ ନାହିଁ, କଲେ କେତେ, ନକଲେ କେତେ, ଆଉ କାହାର ଲାଭ ବା କ୍ଷତି ?

 

କିନ୍ତୁ ମୋ ଆପଣା ମନ ଭିତରେ ଅବଶୋଷ ଆସେ, ଆଖିବୁଜା ବିଶ୍ୱାସ ମୋଠିଁ ଥିଲେ ମୋ ଜାଗତିକ ଅବସ୍ଥାରେ ପଛେ କିଛି ଲାଭ ନହେଉ,–ବାପାଙ୍କର କ’ଣ ହୋଇଥିଲା ମୁଁ ଜାଣିନାହିଁ-। କିନ୍ତୁ ମୁଁ ଟିକିଏ ଶାନ୍ତି ବୋଧହୁଏ ପାଇଥାନ୍ତି, ମନେ ମନେ ସାହସ, ଆଶ୍ରୟ, ସହନଶୀଳତା, ଧୈର୍ଯ୍ୟ, ସ୍ନିଗ୍‌ଧତା, ସାଧାରଣ କଥା ଭାଷାରେ ବି, କାହା କଥା ମନକୁ ନ ପାଇଲେ, ଏଭଳି ଉତ୍ତେଜିତ ହୁଅନ୍ତି ନାହିଁ । କଥା କଥାକେ ତୁଣ୍ଡରୁ ଛୁଟନ୍ତା ନାହିଁ ଅଥବା ଚିନ୍ତାରୁ ଉତ୍ତେଜିତ ହୁଅନ୍ତି ନାହିଁ । କଥା କଥାକେ ତୁଣ୍ଡରୁ ଛୁଟନ୍ତା ନାହିଁ ଅଥବା ଚିନ୍ତାରୁ,-ମାରିପକା, ହାଣ, ଭାଙ୍ଗି ଦିଅ, ଧ୍ୱଂସକର । ସେହି ଗୋଟିଏ ଠାକୁରକୁ ପୂଜାକରି ତା’ ପ୍ରଶଂସା ଗାଇଥିଲେ, ତାକୁ ପୁରୁଷ ଭାବି ତା’ ଆଗରେ ନାରୀ ହୋଇଥିଲେ, ସେହି ସେହି କଥା କରିବାକୁ ପଡ଼ିନଥାନ୍ତା ଜୀବନରେ ପଦେ ପଦେ ମଣିଷ ଠାକୁରମାନଙ୍କ ଆଗରେ, କିଏ ମୋର କେଉଁ ସ୍ୱାର୍ଥଲାଗି ହର୍ତ୍ତାକର୍ତ୍ତା ବିଧାତା ଠାକୁର, ସ୍ୱାର୍ଥ ମତେ ଧରିଛି, ମୋ ତଣ୍ଟିକୁ ମୁଠେଇଛି, ସେ ଦେବତା ମୋର ଦରକାର । କିନ୍ତୁ ସେମାନଙ୍କ ଆଗରେ ଭୋଗଥାଳି ଥୋଇଲେ ସେ ପ୍ରସାଦ ହୋଇ ଅକ୍ଷତ ଅବସ୍ଥାରେ ଫେରେ ନାହିଁ, ଖାଲିଥାଳି ଫେରେ, ଫରମାସି ହୁଏ ଆହୁରି ଥାଳିଏ, ଆହୁରି ଆହୁରି ।

 

ବିଶ୍ୱାସର ଦାୟାଦ ମୁଁ ଥିଲି । ଏକା ମୁଁ ନୁହେଁ, ଭାରତବର୍ଷଯାକ । ସଂପତ୍ତି ଭୂତ ଖାଉ, ବିଶ୍ୱାସ ଥୋଇ ଯାଇଥିଲେ ଭଗବାନ ଦଳେଇ, ପାଣୁ ଦଳେଇଙ୍କ ପାଇଁ । ପାଣୁ ଦଳେଇ ହାଡ଼ିବନ୍ଧୁ ଦଳେଇଙ୍କ ପାଇଁ, ସେ ମୋ ପାଇଁ । ଯେଉଁଠି ଯେଉଁଠି ଫାଙ୍କ ରହିଯାଇଥିଲା ସେମାନେ ସବୁ ତାକୁ ଯୋଡ଼ିଥିଲେ ନାନା କାହାଣୀ ଦ୍ୱାରା, ଲୀଳା, ମହିମା, ଅଲୌକିକତା, ମିଷ୍ଟିସିଜୁ, ନନା ଅର୍ଥ ସୂଚାଉଥିବା ସନ୍ଧ୍ୟାଭାଷା, କେତେ କେତେ ତା’ ଉପାୟ ଓ ଉପକରଣ । ସେଥିପାଇଁ ଦେଉଳ ତୋଳିବା, ଦିଅଁ ଥାପିବା, ପୂଜା ଖଞ୍ଜିବା, କେତେ କେତେ ବ୍ୟବସ୍ଥା, ସେଥିରେ ଖର୍ଚ୍ଚ ଲାଗିଛି ।

 

ସମାଜରେ ଧାର୍ମିକ ବୋଲି ମାନିଥିଲେ ଦି’ ପ୍ରକାର ଲୋକଙ୍କୁ, ପ୍ରକାରେ, ଯେ ‘‘କରିବି ନାହିଁ’’ ପନ୍ଥୀ, ଯେମିତି–ମିଛ କହିବି ନାହିଁ, ଚୋରି କରିବି ନାହିଁ, ପରକୁ ପୀଡ଼ା ଦେବି ନାହିଁ, ଯେମିତି ମୋ ବାପା କି ପଣଅଜା । ବେଶି ଲୋକ ମନେରଖିବେ ନାହିଁ । ଇଚ୍ଛା ହେଲେ କିଏ କହିବ, ‘‘ଗରିବଟା ସିନା, ଲୋକ ଭଲ ।’’ ଆଉ ପ୍ରକାରେ, ଯେ ‘କରିବି’ ପନ୍ଥୀ, ନିଜଠିଁ ନଥିଲେ ଉପାୟ ଯାହାପଛେ ଲାଗୁ ତାକୁ କରିବେ ଓ ଧନ ଠୁଳ କରିବେ. ନିଜେ ଭୋଗ ଭାଗ୍ୟରେ ରହି ପରକୁ ଦେଉଥିବେ । ପର ଉପକାର କରିବା ଉଚିତ ବୋଲି କହନ୍ତି ‘କରିବି ନାହିଁ’ ପନ୍ଥୀମାନେ । ଯେତେ ମନ ହେଉଥାଉ, ଜଣିକିଆ ନିପାରିଲା ଲୋକର କାମ, ଆଖିଦୁରୁଶିଆ ହୁଏନାହିଁ । ଆଖିଦୁରୁଶିଆ ପର ଉପକାର କାମ କରନ୍ତି ଆର ପନ୍ଥାର ଲୋକେ, ବଂଶ ବି ପ୍ରତିଷ୍ଠା କରିଯାଆନ୍ତି, ନାଁ ପଡ଼େ ।

 

ଏଥିରୁ କେଉଁଟା ବି ହେଲିନାହିଁ ମୁଁ ।

 

ପାଠ ପଢ଼ୁଥିଲି, ଖୁବ୍‌ ଝୁଙ୍କରେ, ଲାଗୁଥିଲା ବନ୍ଧନ ଭାଙ୍ଗିବା ଉପାୟ ମୋ ପାଇଁ ତା’ ସେଉଠୁ ମୋ ମୁଣ୍ଡକୁ ହାତ ପାଇବା କେତେ ନୂଆ କଥା ଜାଣିବା, ନୂଆ ବାଗରେ ଭାବିବା କହିବା ଲେଖିବା, ପାଠରୁ ମିଳିଲା ସେସବୁ । ଦରକାରରେ କ’ଣ ଲାଗିଲା ନିର୍ଭୁଲ ହୋଇ କହିପାରିବି ନାହିଁ-। କିନ୍ତୁ ଯେଉଁ ପାଠ ମୁଁ ପଢ଼ିବା ଉଚିତ ବୋଲି ବାପାଙ୍କର ଏତେ ନିଘା, ସେହି ମତେ ଦୂର କରିଦେଲା ତାଙ୍କ ବିଶ୍ୱାସଠୁଁ, ମୁଁ ତ ଖାଲି ଦେଖିଲି ଯେତେ ପରିଣତି ସବୁ ଥୋଡ଼ାଏ କାରଣର ହିଁ ଫଳ ଲାଗିଲା,–ଦିଗ୍‌ବଳୟ ସ୍ଥିର ନୁହେଁ, ଦୂରକୁ ଘୁଂଚି ଘୁଂଚି ଯାଉଛି । କୌଣସି ଅବସ୍ଥା ସ୍ଥିର ନୁହେଁ-। ସବୁବେଳେ ପରସ୍ପର ବିରୋଧୀ ଶକ୍ତିମାନଙ୍କ ସାମୟିକ ସମତୁଲରେ ହିଁ ସ୍ଥିରତା, ସେ ଓଲଟେ । ଗୋଟାଏ ପୁରୁଷ ତା’ ଉତ୍ତରାଧିକାରୀ ପୁରୁଷକୁ ପାଠ ପଢ଼ାଇଲା ତା’ ପୁରୁଷର ବିଶ୍ୱାସକୁ ଓ ମୂଲ୍ୟବୋଧକୁ ଭାଙ୍ଗି ପକାଇବାକୁ ।

 

ଆପଣା ପେଟରୁ କାଟି ଖୋଇ ପେଇ ବଢ଼େଇ ଉତ୍ତର-ପୁରୁଷକୁ ସେ ମଣିଷ କରୁଥିଲା ତାହାରି ବିଶ୍ୱାସକୁ ତାହାରି ମୂଲ୍ୟବୋଧକୁ ଅତୁଟ ରଖିବାକୁ ।

 

ତା’ ଠାକୁରଙ୍କୁ ସେହି ଜଣାଣ ଜଣାଇଁ ଜଣାଇଁ ସେହି ସ୍ୱପ୍ନ ଦେଖି ଦେଖି ସେ ଆଖି ବୁଜିଲା । ତା’ ଦିହାତିରେ ଯଦି ବା ସେ କେବେ ବ୍ୟତିକ୍ରମ ଦେଖିଛି, ସେ ତାକୁ ସ୍ୱୀକାର କରିନାହିଁ ।

 

ଗଛ ଉପରେ ବସା ବାନ୍ଧି ରହୁଥିବା ମାଙ୍କଡ଼ମଣିଷ ନିଶ୍ଚୟ ହୀନ ଦୃଷ୍ଟିରେ ଅନାଇଁଥିବ ଭୁଇଁରେ ଚାଲୁଥିବା ଜୀବମାନଙ୍କୁ, ଯେଉଁମାନେ ଗଛରେ ଚଳିବୁଲି ପାରନ୍ତି ନାହିଁ । ତା’ ପରେ ତା’ରି ସନ୍ତତିମାନେ କଲେ ଓଲ୍‌ଟା, ଭାବିଲେ ଓଲ୍‌ଟା । ଯେତେ ଶହ କି ଯେତେ ହଜାର ବର୍ଷଯାକେ ଆଦିମ ମଣିଷ ଭାବୁଥିଲା ଯାହାର ବେଶି ବଳ ତା’ରି ବେଶି ସ୍ତ୍ରୀ, ସେ ଅନ୍ୟପୁରୁଷକୁ ସେତିକି ସହଜରେ ମାରିପାରେ, ବୀରଭୋଗ୍ୟା ବସୁନ୍ଧରା, ସେତେକାଳ ସେହି ତା’ ଆଖିରେ ଭୀରୁ, ଦୁର୍ବଳ. କାପୁରୁଷ ଯେ ଗୋଟିଏ ବୋଲି ସ୍ତ୍ରୀ ଘେନି ଘର କରେ, ସବୁ ଲଢ଼େଇ ସବୁ କଳିକୁ ପଛେଇଯାଏ, ଶାନ୍ତି ଲୋଡ଼େ, ଅଥବା ଯେ ନିଜକୁ ସଞ୍ଜତ କରି ଆନନ୍ଦ ପାଏ, ଅଥବା ଯେ ସ୍ତ୍ରୀମାନଙ୍କ ବିଷୟରେ ବାଛବିଚାର କରେ, କିଏ ତା ରକ୍ତର ବୋଲି । ଅଥଚ ସେହି ହେଲା ଉତ୍ତରକାଳକୁ ନୀତି, ଧର୍ମ, ପୁଣ୍ୟ ସଞ୍ଚୟର ଦାୟାଦ । ମୋ ବୋଉ ମତେ ଆର୍ଶୀବାଦ କଲାବେଳେ କେବେ ଏପରି କହିନାହିଁ, ‘‘ଯେଣେ ଇଚ୍ଛା ତେଣେ ଯା, ହାଣିମାରି ଖାଉଥା ।’’ ଅଥଚ ଯେଉଁ ମଧ୍ୟଯୁଗୀୟ ଇତିହାସର ଗାଥାକୁ ଗାଇ ଆମଗୋଷ୍ଠୀର ଲୋକ ଗର୍ବ ଅନୁଭବ କରନ୍ତି, ଆମେ କହୁଁ ଆମରି ବାହାବଳରେ ୟେ ଓଡ଼ରାଷ୍ଟ୍ରର ଗୌରବ, ସେତେବେଳେ ସେହିପରି ଥିଲା ଆଶୀର୍ବଚନ ମା’ର ପୁଅକୁ । ଜେଜେମାର ନାତିକୁ ବୋଲି ମୁଁ ଶୁଣିଛି । ହାଣ୍‌ କାଟ୍‌, ଲୁଟ୍‌ ପାଟ୍‌, ମୁଣ୍ଡ ଗଦେଇ ଦେଉଳତୋଳା, ରକ୍ତରେ କପାଳରେ ଚିତା, ସେଇ ତ ଥିଲା ବୀରର ବୀରତ୍ୱ ! ସେଇଥିପାଇଁ ଏତେ ପ୍ରସ୍ତୁତ, ସାଧନ ଭାଂଗଣ-। ଶତ୍ରୁ ବି କରୁଥିଲା ସେଇଆ । ଆମେ ଜିତିଲେ ଆମେ ଗୀତ ଗାଉଥିଲୁ, ‘‘ଆମେ ଖଣ୍ଡା ଧୋଇ ଉଠିଗଲୁଁ, ନଈପାଣି ହେଲା ନାଲି; କିନ୍ତୁ ସେମାନଙ୍କ ମାଇପେ ବସି ବସି ବାହୁନିଲେ, ତାଙ୍କ ଆଖିର କଜଳରେ ନଈପାଣି ହେଲା କାଳ ।’’

 

ସେହି କଥା ଭାବୁଥିଲି ବେଳେ ବେଳେ ଯେତେବେଳେ ଶାନ୍ତି ସତ୍ୟ-ଅହିଂସାର ଅବତାର ମହାତ୍ମାଜୀଙ୍କ ଡକରାରେ ଚାରିଆଡ଼େ ହୁଲ୍‌ସ୍ତୁଲ୍‌, ହରତାଳ, ପଟୁଆର, ଲୋକେ ଠିଆଠିଆ ଠେଙ୍ଗା ଖାଉଥାନ୍ତି, ଲହୁଲୁହାଣ ହୋଇ ଟଳି ପଡ଼ୁଥାନ୍ତି, ଜେଲ୍‌ ଯାଉଥାନ୍ତି ତୀର୍ଥକୁ ଗଲାପରି । କାହାରି ହାତରେ ବେତ ଖଣ୍ଡେ ବି ନଥାଏ ।

 

ମଦଦୋକାନ ଆଗରେ ପିକେଟିଂ ହେଲାବେଳେ ମୋ ଦେହରେ ସପାସପ୍‌ ବେତ ଗର୍ଜିଲାବେଳେ, ଯେତେବେଳେ ଦେହରେ ନୋଳ ଫାଟୁଥାଏ, ମନେପଡ଼ୁଛି ସେତେବେଳେ ଲାଗୁଥାଏ ସତେ ଯେମିତି ମୁଁ ବନ୍ଧନରୁ ମୁକ୍ତିହେଲି, ମୁଁ ବଢ଼ିଉଠିଲି, ଏଇ ଯେଉଁମାନେ ଆମୁକୁ ପିଟିପକାଉଛନ୍ତି ସେ ସମସ୍ତିଙ୍କ ମୁଣ୍ଡ ଉପରେ କେତେ ଉଞ୍ଚରେ ମୋ ମୁଣ୍ଡ, ସେମାନେ କେଡ଼େ ସାନ, କେଡ଼େ ହୀନ ।

 

ଏଗାର ବର୍ଷର ଛାତ୍ର ମୁଁ ।

 

ଜନ୍ମ ହେଲା ପରି ପହିଲିଥର ବୋଧହୁଏ ମୁକ୍ତି ଅନୁଭବ କରିଥିଲି ଯେତେବେଳେ ବିଛଣାରେ ମୁତିଲି । ମୁଁ ଜାଣେ ନାହିଁ । ବିଶ୍ୱାସ କରୁଛି । ଏତିକି ଜାଣେ, ବୋଧହୁଏ ଆଠ ବର୍ଷର ହେବାଯାକେ ମୁଁ ବିଛଣାରେ ନିଦଭୋଳରେ ମୁତୁଥିଲି, ପ୍ରତିଥର ଲାଗୁଥାଏ ଖୁବ୍‌ ସ୍ୱାଧୀନ, ସୁସ୍ଥ, ମୁକ୍ତ । ତା’ପରେ ସ୍ୱପ୍ନ ଭାଙ୍ଗେ । ମୁକ୍ତିର, ଉଲ୍ଲାସର ଭାବ ମୁହୂର୍ତ୍ତକେ ଉଭେଇଯାଏ ଆସେ ଅସାମାଜିକତା ବୋଧ, ଡର, କଅଁଳେଇ ତୁନି ତୁନି କରିଡ଼ାକେ,-‘‘ବୋଉ ! ହେ ବୋଉ !’’ ଆଶ୍ଚର୍ଯ୍ୟ, ନିଭା ଅପା ଶୁଣିପାରେ ନାହିଁ । ହିତୁକୁ ବି ଶୁଭେ ନାହିଁ, ଅଥଚ ବୋଉକୁ ଶୁଭେ, ସେ ହିତୁ ପାଖରୁ ଉଠିଆସେ, ସେ ବୁଝିପାରେ ।

 

କିନ୍ତୁ ଷଷ୍ଠ ଶ୍ରେଣୀର ଛାତ୍ର ସେ ଗହଳି ଆଗରେ ବେତ ଖାଇ ଖାଇ ମୁକ୍ତିବୋଧ ଅନୁଭବ କଲାବେଳେ, ଯେତେବେଳେ ଅସହ୍ୟ ଯନ୍ତ୍ରଣାରେ ଦେହଟା ଫାଟି ଫାଟି ପଡ଼ୁଥାଏ, ସେତେବେଳେ କୌଣସି ଡର ଭୟ ଅସାମାଜିକତା ଚେତନା ଅପରାଧ ଚିନ୍ତା ଆଦୌ ନଥାଏ । ଅଥବା ନଥାଏ ଶତ୍ରୁକୁ କ୍ଷମାଭାବ । ମୁଁ ବଢ଼ି ବଢ଼ି ଉଠିଲି, ସେହି ପଂଝା ପଂଝା ନିଦା ନିଦା ରୁକ୍ଷମୁହାଁ ପିଟନ୍ତା ମଣିଷଙ୍କ ବହୁତ ଉପରକୁ, ମନେ ମନେ ଧରିଲି ବାରହାତ ଖଣ୍ଡା, ହାଣି ପକେଇଲି, ହାଣିପକାଇଲି-। ବେହୋସ୍‌ ହେଲି ।

 

ମୁଁ ଯାଇ ନଥିଲି ସତ୍ୟ ଓ ଅହିଂସାର ଡକରାରେ, ସେ କ’ଣ ମୁଁ ତା’ ବୁଝିନାହିଁ । ହରିଶ୍‌, ଗେଣ୍ଡୁ ରଜାକ୍‌, ଖୋକା, ଦାମ, ନଗି, ଜାଫର୍‌, ଶୈଲେନ୍‌, ରୁଫୁସ୍‌, ହରି, କେହି ବୁଝି ନଥିଲେ । ରିସେସ୍‌ବେଳେ ଆମେ ଚିନାବାଦାମ ଖାଇଲୁ, ବାରମଜା ଖାଇଲୁ, ଡେଇଁଲୁ । ରଜାକ୍‌ କହିଲା ଶାମ୍‌ସନ୍‌ବାବୁ ବାରିରେ ପଶି ବରକୋଳି ଖାଇବା । ରାଜି ହେଲୁଁ । ଥୋଡ଼ାଏ ଖାଇଛୁ କୁଆଡ଼ୁ ତାଙ୍କ ମାଳି ଗୋଡ଼େଇଲା ପାଚିରି ଡେଇଁ ପଳେଇଲୁଁ । ଡରମାଡ଼ିଲା ବୋଲି ବୋଧହୁଏ ଲାଜ ଲାଜ ଲାଗୁଥାଏ । ଆଗରେ ଦେଖିଲୁଁ ଧ୍ୱନି ଦେଇ ଦେଇ ଖୁବ୍‌ ବିଜୟ ଉହ୍ମାସରେ ଦଳେ ପିଲା ଚାଲିଛନ୍ତି । ଆମେ ବି ଗଲୁଁ । ସେମାନେ ଗୋଟିଏ ଦୋକାନ ଆଗରେ ଅଟକିଲେ, ତରତର କରି ନିର୍ଦ୍ଦେଶ ଓ ବିପଦ ବୁଝାଇଦେଲେ । ଆମେ ସାହସରେ ଉତ୍ତେଜିତ ହେଲୁଁ । ଦର୍ଶକଦଳ ବଢ଼ିଲେ, ଆମର ଉତ୍ସାହ ବଢ଼ିଲା, ଆପଣାର ବୀରତ୍ୱ ଓ ଯଶ ଦେଖାଇବାର ଦାୟିତ୍ୱ ଓ କର୍ତ୍ତବ୍ୟ ଉଭୟ ଅନୁଭବ କରିଥିଲି ମୁଁ । ତା’ପରେ ତ ବେତ ।

 

ଆଖି ଖୋଲିଲି । ଦେହଯାକ ଯନ୍ତ୍ରଣା । ଶୋଷ । ବୋଉ ଆଉଜି ବସିଛି, ଗାଲ ଆଉଁସୁଛି । ନିଭା ଅପା ମୋ କପାଳ ଉପରୁ ଓଦାକନା ପଟି ଉଠେଇନେଲା, ଚଟ୍‌କିନା ଥୋଇଦେଲା ଆଉଖଣ୍ଡେ । ବାପାଙ୍କ ମୁହଁ ମୋ ମୁହଁ ଆଡ଼କୁ ଓହଳି ପଡ଼ିଲା, ବୋଉ ମୁହଁ ବି । କଣେଇ ଦେଖିନେଲି । ଗୋଡ଼ପାଖେ ଖଟ ଉପରେ ଭାଇ, ଗମ୍ଭୀର ହୋଇ ବସିଛନ୍ତି । ଦେହ କଷ୍ଟ ଉପରେ ମାଡ଼ିବସିଲା ଡର, ମୁଁ ମରିଯିବି ? ପ୍ରାଣପଣେ ପ୍ରତିବାଦ କରି ମୁଁ କାନ୍ଦିଲି, ସଙ୍ଗେ ସଙ୍ଗେ କାନ୍ଦୁରା ପାଟିରେ କେତେ ପ୍ରବୋଧ । ସବୁ ଗୋଳମାଳିଆ, ନାନା ସ୍ୱର । ଝଣଝଣ ଶୁଭିଲା, ମୋ ବଡ଼ଅପା ଶୁଭାଅପା ଆରଘରୁ ଆସୁଛି । ଦୁମ୍‌ ଦୁମ୍‌ ଶୁଭିଲା, ଆସୁଛି ମୋ ସାନଭାଇ ହିତୁ । ଶବ୍ଦରୁହିଁ ରୂପ ବାରି ପାରିଲି । କାନ୍ଦଣାହିଁ ମୋର ମୁକ୍ତି, ମୁଁ ଉଡ଼ିଯାଉଛି । ଚାଲିଯାଉଛି । କେହି ମତେ ଧରିପାରିବେ ନାହିଁ ଏଥର । “କିଏ କହୁଥିଲା ଯାଇ ବାହାଦୁରୀ କରିବାକୁ ଆଉ ଅଇଛା ବୋବେଇବାକୁ ? ଦୁଷ୍ଟ ଟୋକା ।’’ ଗୋଡ଼ ପାଖୁ ଶୁଭୁଛି; କିନ୍ତୁ ସେ ସ୍ୱର ବି ମତେ ଧରିପାରିବ ନାହିଁ, ନିଜ ଦୁର୍ବଳତାରେ ନିଜେ ଫମ୍ପା । ଯେମିତି ଜହ୍ନରାତି, ଉଡ଼ିବାର ମଉଜ୍‌ । ତଳେ ଅନ୍ଧାର ଆଲୁଅ ଗୋଳିହୋଇ କେତେ ଚାପ, ସେମାନେ ମୁଁ ଚାହିଁଲେ ଯାଇ ହଲିବେ, କଥା କହିବେ, ନହେଲେ ତୁନିଥିବେ । ନିଜ ଜାଗାରେ ନିଜେ, ଘୋଡ଼ିପୁଡ଼ି ହୋଇ । ଯନ୍ତ୍ରଣା ନାହିଁ, କିଛି ନାହିଁ, ମୁଁ କାନ୍ଦୁଛି, ମୁଁ ଉଡ଼ୁଛି ।

 

ପଛେ ଅନେକ ଉପଦେଶ ଅନେକ କଟକଣା ମତେ ଶୁଣିବାକୁ ପଡ଼ିଲା, ସେ ସବୁ ଭଣ୍ଡାରି ଜଳାରେ ଗଲା । କିନ୍ତୁ ଅନେକ ଶୁଣିଲେ ମୋ ଉପାଖ୍ୟାନ ବାରମ୍ୱାର, ଖବର କାଗଜରେ ଆମମାନଙ୍କ ବୀରତ୍ୱ କାହାଣୀ ବାହାରିଥିଲା ବୋଧହୁଏ । ମୁଁ ହେଲି ବୀର, ଦେଶପ୍ରାଣ, ଦେଶଭକ୍ତ, କେତେ କଣ ଶବ୍ଦ, କେତେଠୁଁ ଉତ୍ସାହ, ପ୍ରଶଂସା, ସେହି ଯେଉଁମାନେ ବିପଦକୁ ଯାଇନାହାନ୍ତି । ନିଆଁର ଉତ୍ତେଜକ ସୌନ୍ଦର୍ଯ୍ୟ ଦେଖିଛନ୍ତି ଅନ୍ଧାର ରାତିରେ ଦୂରରୁ, ଦାହ ଅନୁଭବ କରିନାହାନ୍ତି, ବେଶି ସେହି ମାନଙ୍କଠାରୁ । ବାପା ମୋ ପାଇଁ କ’ଣ କ’ଣ ଶୁଣିଥିଲେ ସେ ଜାଣନ୍ତି, ଶୁଣିଥିଲି ହେଡ଼ମାଷ୍ଟ୍ରଙ୍କ ବଖରାର କବାଟ ବନ୍ଦ୍‌ ଥିଲା । ସେ ଖାଲି ଘରେ କହିଥିଲେ ସେ ମୋ ପାଇଁ କ’ଣ ଗୋଟାଏ ମୁଚାଲିକା ଲେଖିଦେଇ ଆସିଥିଲେ ଯେ ଆଉ କେବେ କୌଣସି ଗୋଳମାଳରେ ମୁଁ ନ ମିଶିବ ଯେମିତି ।

 

ସବୁ ମାପରେ ମାପିହୋଇ ମୁଁ ‘ଭଲପିଲା’ । ଶାନ୍ତ, ସୁବୋଧ, ଦେଖିବାକୁ ସୁଶ୍ରୀ, ମୁଁ ଭଲ ପଢ଼େ, କ୍ଲାସରେ ନିୟମିତ, ନିରାଡ଼ମ୍ୱର, ପରିଶ୍ରମୀ, ମୋ ହସ୍ତାକ୍ଷର ବି ଭଲ ।

 

ବାପାଙ୍କ ମୁଚାଲିକା ଅସତ ହୋଇନାହିଁ । କିନ୍ତୁ ମୁଁ ଯାହାସବୁ ପଢ଼ୁଥିଲି, ଶିକ୍ଷକମାନଙ୍କୁ ଛାଡ଼ି ଅନ୍ୟାନ୍ୟ ଯେଉଁମାନଙ୍କଠୁଁ ଜ୍ଞାନ ଅର୍ଜନ କରୁଥିଲି, ଉପଦେଶ ନେଉଥିଲି ସେସବୁ ତାଙ୍କର ମତର ଅନୁକୂଳ ହୋଇନଥାନ୍ତା । ଦେଶର ଭଲମନ୍ଦ, ସ୍ୱାଧୀନତା ଆନ୍ଦୋଳନର ଉଦ୍ଦେଶ୍ୟ, ତାର ବାଗ, ସେଥିପାଇଁ ପ୍ରସ୍ତୁତି, ଦେଶର ମଣିଷ, ବିଭିନ୍ନ ନେତା, କିଏ କଣ ଭାବୁଛନ୍ତି କେଉଁ ବିଷୟରେ, ନାନା କଥା ମୁଁ ପିଇଯାଉଥିଲି । ସେ ବିଷୟରେ ଯଦି ପରୀକ୍ଷାରେ କେବେ ପ୍ରଶ୍ନ ପଡ଼ିଥାନ୍ତା । ମୁଁ ସେଥିରେ ଖୁବ୍‌ ଭଲ କରିଥାନ୍ତି । ସାଙ୍ଗମାନଙ୍କଠୁଁ ପ୍ରଶଂସା ତ ଶୁଣିଛି–‘‘ବାବା ! କେତେ ଜାଣିଚି !’’ ମୋ ନିଜର ମତ ନଥିଲା, ବିଶ୍ୱାସ ଆଉ ସ୍ୱପ୍ନ ଥିଲା । ସାଙ୍ଗମାନଙ୍କର ବି ସେଇଆ । ପରୀକ୍ଷାରେ ସେତେ ଭଲ ହେଲାନାହିଁ, ପାଶ୍‌ ହେଲା ସେକେଣ୍ଡ ଡିଭିଜନ୍‌ରେ । ତାପରେ ତପଶ୍ଚର୍ଯ୍ୟା କଲାପରି କଲେଜରେ ଚାରିବର୍ଷ, ବି. ଏ. ପାଶ୍‌ ହେଲା । ଜିତୁ ଭାଇଙ୍କ ସଙ୍ଗେ ଅପଡ଼ ହୋଇଛି, ତାଙ୍କ ଉପରେ ଅଭିମାନ କରିଛି । ସେ ଚାହୁଥିଲେ ତାଙ୍କପରି ବି ମୁଁ ଛାପାଖାନାରେ କର୍ମଚାରୀ ହୁଏ, କାମ ଶିଖିବାକୁ ମତେ କିଛି ଭତ୍ତାଦେଇ ସୁବିଧା କରାଯାଇ ପାରିବ, ପଢ଼ିବାବୁ ନିହାତି ଜିଗର ଧରିଲେ ପଶୁଡ଼ାକ୍ତରି ପଢ଼ିବାହିଁ ଶ୍ରେୟସ୍କର, ନତୁବା କୃଷିବିଦ୍ୟା, ସେ ଭାବୁଥିଲେ ସେ ଉଭୟବାଟରେ ଚାକିରି ପାଇବା ନିଶ୍ଚିତ, ଭବିଷ୍ୟତ ଉଜ୍ଜ୍ୱଳ । ବାପାଙ୍କ ସଙ୍ଗେ ବି ମୋର ମତ ଅମେଳ ହୋଇଛି, ସେ ଚାହୁଥିଲେ ମୁଁ ସାଇନ୍‌ସ ପଢ଼େଁ, ତାପରେ, ଆର୍ଥିକ ସୁବିଧା ହେଲେ ତ ଇଞ୍ଜିନିୟରିଂ, ନହେଲେ ବି.ଏସ୍‌. ସି ପଢ଼ି ଅନ୍ତତଃ ବିଜ୍ଞାନ ଶିକ୍ଷକ ହେବାକୁ ଯୋଗ୍ୟତା ଅରଜେଁ । ଯେଉଁ ପରିବାରରେ ନିତି ନିଅଣ୍ଟିଆ, ଘରକରଣାର ଶଗଡ଼ ବାରମ୍ୱାର ଖାଲରେ କାଦୁଅରେ ଗଳିପଡ଼ୁଥାଏ, ବାରମ୍ୱାର ଲାଗୁଥାଏ ଏଥର ଓଲଟିଲା, ଏଥର ଭାଙ୍ଗିଲା, ତା’ ଉପରେ ମୋର ଖିଆଲ ଅନେକ ସମୟରେ ବୋଝ ଉପରେ ନଳିତାବିଡ଼ା ହୋଇଥିବ, ନୀରବରେ ଅନେକଙ୍କଠୁଁ ଓଟାରିଥିବ ଦୀର୍ଘଶ୍ୱାସ ଓ ତିରସ୍କାର । ମୋର ବି କଷ୍ଟ ବଢ଼ିଛି, ଅନେକଥର ଅନିଶ୍ଚିତତା, କାଳେ ନାଁ କଟିବ, ଟିଉସନ୍‌ ଖୋଜିବା, ଟିଉସନ୍‌ କରିବା, କାହା ପିଠିଆଡ଼େ ସାଇକେଲରେ ବସିବା ଯୋଗ ନମିଳିଲେ ଚାଳି ଚାଲି କଲେଜ୍‌କୁ ଯିବା ଅଭାବ, ଭୋକ ସହିବା, ପରିସ୍ଥିତି ଉପରେ ରାଗିବା, ଦୁଶ୍ଚିନ୍ତା କରିବା, ନିଜର ବହି ନଥାଇ ପରୀକ୍ଷା ଦେବା, ଇତ୍ୟାଦି ।

 

କାହିଁକି ଏକନିଷ୍ଠହୋଇ ବ୍ରତଧାରୀ ହୋଇ ସେଠି ମୁଁ ମୋ ଯୌବନର ଚାରିଟା ସୁନ୍ଦର ବର୍ଷ କଟାଇଦେଲି ? କାହିଁକି ଘୋଷୁଥିଲି ୟୁରୋପର ଇତିହାସ, ଆଉ ଭାରତର ଖାତାରେ ଟିପି, ଚାରଦେଇ, କେତେ ଉପାୟରେ ? କାହିଁକି ଏତେ କଷ୍ଟରେ ବୁଝିଥିଲି ଘୋଷଥିଲି କାଳିଦାସ, ଭବଭୂତି, ଭାରବୀ, ଭାଷଙ୍କ ଲେଖାରୁ କାଣ୍ଡେ କାଣ୍ଡେ; ଆଉ ଓ୍ୱାଲ୍‌ଟର୍‌ ସ୍କଟ୍‌; ଓ୍ୱଡ଼ସ୍‌ଓ୍ୱାର୍ଥ୍‌, ଶେଲି, ସ୍ୱିନ୍‌ବର୍ଣ୍ଣଙ୍କ କବିତାର ଅର୍ଥ, ସେକ୍‌ସପିଅରଙ୍କ ନାଟକର ତାତ୍ପର୍ଯ୍ୟ, ତାଙ୍କର ବିଭିନ୍ନ ପାତ୍ର-ପାତ୍ରୀଙ୍କ ଚରିତ୍ର ? ଆମ ଘରେ, ଆମ ସହରରେ, ଆମ ସମାଜରେ, ଆମ ଜୀବନରେ ସେସବୁ ଜ୍ଞାନର ପ୍ରୟୋଗ କେଉଁଠି ହୋଇପାରେ ମୁଁ ଭାବିନାହିଁ, ମୁଁ କେବେ କରିନାହିଁ ।

 

ଅଥଚ ସେ ସବୁ ଆମ ପକ୍ଷରେ ଥିଲା । ‘ଇମ୍ପଟାଣ୍ଟ’ ସବୁଠୁ ବେଶି ଜରୁରୀ, ଆମ ଯୌବନ ଆମ ସମୟ ବ୍ୟୟ କରିବାକୁ ସବୁଠୁ ବଳି ଉପଯୁକ୍ତ । ଯୁବକ ଥିଲାଯାକେ କେବେ ମୁଁ ଭାବିନାହିଁ ଯେ ମୋ ଯୌବନ ଗୋଟାଏ ଦାମୀ, ମହଙ୍ଗା ପଦାର୍ଥ, କି ମୋ ସମୟର କିଛି ମୂଲ୍ୟ ଅଛି-। କି ଥାଇପାରେ ଆଦୌ ।

 

କିଏ ଖୋଜିଛି ଜନ୍ମ ହେବାକୁ ?

 

କିଏ ଅବା ଖୋଜେ ମରିବାକୁ ?

 

ଜନ୍ମ ତା’ ଛାଏଁ ଛାଏଁ । ବୈଜ୍ଞାନିକମାନେ କାରଣ ବୁଝାନ୍ତି, ନାନା ରାସାୟନିକ ପ୍ରକ୍ରିୟାର କଥା । ଗୋଟାଏ ଗୋଟାଏ ତଥ୍ୟ ଆବିଷ୍କୃତ ହୁଏ, ଚହଳ ପଡ଼େ । କେଉଁଠି ? ସମସାମୟିକ ଯୁଗରେ । କିନ୍ତୁ ସମୟ ଯଦି ହସି ପାରନ୍ତା ! ସେମାନେ ନିଜକୁ ବୁଝାଇବାକୁ ଚେଷ୍ଟା କରନ୍ତି । ଜନ୍ମକୁ ନୁହେଁ ।

 

ସେମାନେ ମତେ ହସିବେ । ମୁଁ ତାଙ୍କୁ ହସିବି । କେହି କାହାକୁ ବୁଝି ପାରିବା ନାହିଁ–ଅଣ୍ଡାଳୁଥିବା । ପରସ୍ପରକୁ, ସେହି ଆମ ସାମାଜିକ ଜୀବନ । ଜୀବନକୁ ଅଣ୍ଡାଳିବା ବି କ’ଣ ସମ୍ଭବ-? ଜୀବନ ସତେକି ପାଣି ସୁଅ, ଆଉ ମୁଁ ସେଥିରେ ଗୋଟିଏ ମଲାମାଛ, କି ଦଖଲ ଜାରି କରିଥା’ନ୍ତି ତା’ ଉପରେ ? ଖାଲି କୁଆଡ଼େ କେଉଁ ଅପନ୍ତରାରେ ଫୋପଡ଼ା ହେବାଯାକେ ମୁଁ ଭାସୁଥିବି ।

 

ବାଃ ! ହେଇ ମୁଁ ହୋଇଗଲିଣି ଗୋଟାଏ ଦାର୍ଶନିକ ପରା ! ଅଥବା ବୈଜ୍ଞାନିକ ! ଏକା କଥା । ଜଣେ ଭିତରୁ, ଶୂନ୍ୟରୁ ଗୋଟାଇ ଗୋଟାଇ ଖେଳଣା ଗଢ଼େ, ଜଣେ ବାହାରୁ, ନିଦା ନିଦା ଜିନିଷ, ଛୁଇଁ ହେବ, ଆଖିରେ ଦେଖିହେବ, ମଣିଷିଆ ଯୁକ୍ତିରେ କଳିହେବ ! ମୁଁ ବି ବହୁତ ଖେଳଣା ଗଢ଼ି ନିଜ ମନକୁ କେତେବେଳେ ଖୁସି କରିଛି । ମୁଁ ଜାଣିଛି ଅନ୍ୟ କାହାକୁ ରୁଚିବ ନାହିଁ ସେ, ପଛେ ମୁଁ ବି ତାକୁ ଫୋପାଡ଼ି ଦେଇଛି, ନହେଲେ ଭୁଲି ଯାଇଛି, ତା’ ଉପରେ ଗଦା ହୋଇଛି ପୁଟ ପୁଟ ଧୂଳି ।

 

ମନେପଡ଼େ, ଆମ ଅର୍ଥବିଜ୍ଞାନ ଅଧ୍ୟାପକ ଡକ୍ଟର ସାହାଣିଙ୍କ ଚିତ୍ରଶାଳା । ଡକ୍ଟର ସାହାଣି ଖୁବ୍‌ ବିଖ୍ୟାତ ଅଧ୍ୟାପକ ଥିଲେ ବୋଲି ଆମବେଳେ ପିଲାଏ କହୁଥିଲେ । ଚେହେରା, ମୁହଁରେ ଭାବୁକତା, ଗାମ୍ଭୀର୍ଯ୍ୟ, ସହକର୍ମୀମାନଙ୍କ ମେଳରେ ଥିଲେ ସୁଦ୍ଧା ଆଡ଼େଇହୋଇ ରହିଲାଭଳି କ’ଣ ଟିକିଏ ଟିକିଏ ଠାଣି, ସେ ଆଖିର କି ଓଠର, କି ବେକର କି କାନ୍ଧର ମୁଁ ଏତେ ଭାବି ନାହିଁ । ତାଙ୍କ ପାଠ ପଢ଼ାଇବା ପ୍ରଣାଳୀ, ଯେଉଁଥିରୁ ବୁଝିହୁଏ ନାହିଁ ସେ କେଉଁ ବିଦ୍ୟା ପଢ଼ାଉଛନ୍ତି–ଅର୍ଥଶାସ୍ତ୍ର ନା ଦର୍ଶନ, ନା ସାହିତ୍ୟ, ନା ରାଜନୀତି । ଖାଲି ଦିଶୁଥାଏ କେଡ଼େ ସୁନ୍ଦର ସୁନ୍ଦର ବାକ୍ୟଗୁଡ଼ିଏ କବିତାର ଧାଡ଼ି ପଡ଼ି ପକ୍ଷୀ ଖୋଲୁଛି ଉଡ଼ିଯାଉଛି । ବକ୍ତୃତା ସରିଲାବେଳକୁ ଲାଗେ କେତେ କ’ଣ ଚମତ୍କାର ଦୃଶ୍ୟ ମୁଁ ଦେଖିସାରିଛି, ଚମତ୍କାର ସଙ୍ଗୀତ ଏବେ ବି ମୋ ମନ ଭିବରେ ସରି ସରି ଆସୁଛି, ଚମତ୍କାର ବାସ୍ନାର ସ୍କୃତି ମୋ ନାକରେ ମାଣ୍ଟେଇ ରହିଛି । ତାଙ୍କର ସେ ସବୁ ଖ୍ୟାତିକୁ ମୋ ମନରେ ବଦ୍ଧମୂଳ କରିଥିଲା । ସେ ଅବିବାହିତ ରହିଲେ । ତାଙ୍କ ଘର ନିତାନ୍ତ ସାଧାସିଧା, ଦାଣ୍ଡଘର ଓ ତାକୁ ଲାଗିଥିବା ଆର ଘରେ ଆଲମାରି । ଆଲମାରି ବହିକୁ ଛାଡ଼ିଦେଇ ସେ ଅବସର ସମୟରେ ବସିଥା’ନ୍ତି ସେପାଖ କଣଘରେ । କାନ୍ଥଯାକ ନାନା ଛବି । ସେ ଆଙ୍କିଥାନ୍ତି-। ଛବିଗୁଡ଼ିକ ଗୋଟିଏ ଗୋଟିଏ ନାରୀ-ଛବି । ସେ ନାରୀମାନେ ସତେ ଥିଲେ କି ନା ମୁଁ ଜାଣିନାହିଁ; କିନ୍ତୁ ପ୍ରତି ମୁହଁ ବିଶ୍ରୀ, କେତେ ତ ଭୟଙ୍କର ! ସେ କେବେ ବୁଝାନ୍ତି ନାହିଁ ସେସବୁ କ’ଣ ବୋଲି; କିନ୍ତୁ ଦେଖୁ ଦେଖୁ ମୁଁ ଅଭିଭୂତ ହୋଇପଡ଼େ । ଗୋଟି ଗୋଟି କରେ, ଆଖି ଲାଖିଯାଏ । ମୁଁ ବସିରହେ । ମୁଁ ଯାଏ ବୋଲି ସେ ଖୁସି ହୁଅନ୍ତି । କିନ୍ତୁ କ୍ୱଚିତ୍‌ ଅନ୍ୟମାନଙ୍କୁ ମୁହଁ ଦିଅନ୍ତି । ଆସିଲା ପରେ, ଏବେ ବି–ମୁଁ ଭାବେ ସେ ଛବି ମାନଙ୍କ ବିଷୟରେ–‘‘କେଡ଼େ ଭୟାନକ !’’

 

ମୋ କଲେଜ ଜୀବନର ଅନ୍ୟକେଉଁ ସ୍କୃତିକୁ ଅସାଧାରଣ ବୋଲି ମୁଁ ଭାବି ପାରୁନାହିଁ । ଅସାଧାରଣ ଲାଗୁଛି, କାହିଁକି ପଢ଼ିଲି ଓ କେମିତି ? ଦାମ ଦ୍ୱିତୀୟ ବର୍ଷରୁ ଉଠିଗଲା । ବସିଲା ତା’ ବାପା ଇନ୍ଦ୍ରସାହୁଙ୍କ ପରିବା ଦୋକାନରେ । ବିଭା ହେଲା । ତା’ ବିଭାଘରକୁ ମୁଁ ଯାଇଥିଲି । ଇନ୍ଦ୍ରସାହୁ ମୋ ପିଠି ଆଉଁସି ଆଉଁସି କହିଲେ, ‘‘ତୁମେ ଦାମର ଏଡ଼େ ସାଙ୍ଗ ସତୁ, ଏଡ଼େ ଭଲପିଲା, ସଚୋଟ୍ଟ, ପରିଶ୍ରମୀ ! ତୁମେ ମନକଲେ ଦାମ ସାଙ୍ଗରେ ତୁମେ ବି ଏଠି ବସନ୍ତ । ମୁଁ ନିଶ୍ଚିନ୍ତ ହୁଅନ୍ତି-। କେତେ ଆଡ଼କୁ ଧାଁ ଧପଡ଼ ପଡ଼ୁଛି । ଖାଲି ବସି ବସି ଚିଠି ଲେଖି ଟଙ୍କା ପଠାଉଥିଲେ କ’ଣ ବେପାର ଚଳିବ ? ଦକ୍ଷିଣ ଯାଇ ମେଠି ମଫସଲରେ ବାରିକି ବାରି କ୍ଷେତକୁ କ୍ଷେତ କଦଳୀ କୁତ ନେବାକୁ ପଡ଼େ । ଉତ୍ତର ଯାଇ ନିଜେ ଆଖିରେ ଦେଖି ଆଳୁମଞ୍ଜି କିଣିବାକୁ ବହିନା ଦେବାକୁ ପଡ଼େ-। ଏଠି କେତେ ଝିନ୍‌ଝଟ୍‌, କେତେ ଲୋକଙ୍କ ମନ ନେବାକୁ ପଡ଼େ । କଥାରେ କହନ୍ତି, ‘‘ଦରିଆରେ ବୋଇତମାନ ଭାସୁଚି, ଗୋଟାଏ ଦି’ଟା ବୁଡ଼ିଗଲେ ସେଉଠୁ କ’ଣ ହେବ ? ନାଲିବତୀ ତ ?’’ ସମସ୍ତିଙ୍କି ଏ ଭାର ଯଚା ହୁଏନାହିଁ, ତୁମ କଥା ଅଲଗା । ଆରେ, ରୋଜଗାର କିଛି ହେବ ମ-! ନିହାତି ନୁଖୁରା ନୁହେଁ, ପଛେ ତୁମେ ବି ହେବ ସାହୁ, ବଡ଼ ମହାଜନ । ବିଏ ଏମେ ପଢ଼ି କେଇଟା ଟଙ୍କା ରୋଜଗାର କରିବ ? ଦେଖନୁ ଆମେ ?

 

ମୁଁ ବିନୟ ସହକାରେ ନାହିଁ କଲି । ଦାମର ବାପା ନହୋଇ ଆଉ କିଏ ହୋଇଥିଲେ ବିନୟ ବି ବାହାରିନଥାନ୍ତା । ଇନ୍ଦ୍ର ସାହୁ ସେ କବାଟ ବୁଜିଦେଲେ । ସ୍ନେହରେ, ଶ୍ରଦ୍ଧାରେ କହିଲେ, ‘‘ମୋ କଥାକୁ ଧରିବ ନାହିଁ ବାପା, ବାଇଆ କଥା । ତୁମକୁ କ’ଣ ମୁଁ ଚିହ୍ନି ନାହିଁ ଯେ ! ମନ ବିଡ଼ୁଥିଲି-। ବିଦ୍ୟାର ସୁଆଦ ଯେ ପାଇଛି, ସେ କାହୁଁ ଏ ତଳକୁ ଏ ଅସନାକୁ ଓହ୍ଲେଇବ ? ଦାମଟା ତୁମ ସଙ୍ଗେ ପଢ଼ୁଥିଲା ବୋଲି କ’ଣ ତୁମ ସମାନ ହେଲା ? ବିଦ୍ୟା ତାକୁ ଗନ୍ଧାଏ, ତା’ ମୁଣ୍ଡରେ ପଶେ ନାହିଁ । ପଢ଼ିଲା ନାହିଁ । ସେଇଥିପାଇଁ ତାକୁ ଏଥିରେ ପୂରାଇଦେଲି । ପଢ଼ିଥିଲେ କ’ଣ ପଢ଼ାଇ ନଥାନ୍ତି ? ନା, ଏ ବେପାର କ’ଣ କ’ଣ ତାକୁ ଅପେକ୍ଷା କରିଛି ?’’

 

ପରିବା ବ୍ୟବସାୟ କ୍ଷେତ୍ରରେ ଇନ୍ଦ୍ରସାହୁ ନିଜ ବୁଦ୍ଧି, ଚତୁରତା, ସଂସାର ଅଭିଜ୍ଞତା, ବ୍ୟବସାୟ-ଅଭିଜ୍ଞତା ଓ ପରିଶ୍ରମ ଖଟାଇ ଖୁବ୍‌ ନାଁ ଡାକ ହୋଇପାରିଥିଲେ, ବହୁତ ଧନ ସମ୍ପତ୍ତି ଅର୍ଜି ପାରିଥିଲେ । ଲୋକେ ମାନୁଥିଲେ । ଦାମ ବି ତାଙ୍କର ଉପଯୁକ୍ତ ପୁଅ ହେଲା । ଅନୁପଯୁକ୍ତ ଖାଲି ଏତିକିରେ ଯେ ତାକୁ ଦେଖିଲେ କେହି ଭୁଲ୍‌ କରେନାହିଁ ସେ ଜଣେ ଓଲା ଲୋକ କି ନିପଟ ମଫସଲିଆ ବୋଲି ଭାବି । ଦାମ ପାଠ ଛାଡ଼ି ବଡ଼ ବ୍ୟବସାୟୀ ହେଲା । ମୁଁ ମୁହଁ ମୋଡ଼ିଲି ।

 

ରଜାକ୍‌ ପ୍ରଥମ ବର୍ଷ ନପୁରୁଣ ଗଲା । ମୋର ତୃତୀୟ ବର୍ଷବେଳେ ଥରେ ସେ ଆସିଥିଲା । ବହୁତ ଦୁଃଖ ସୁଖ ହେଲୁଁ । ସେ ମତେ କହିଲା, ବିଡ଼ିପତ୍ର ଠିକା ବ୍ୟବସାୟ କଥା । ତା’ ଦାଦି ବଡ଼ ବ୍ୟବସାୟୀ, ସେ ବି ସେହିଥିରେ ମିଶିଛି । ଖୁବ୍‌ ଆନ୍ତରିକତା ସହକାରେ କହିଲା, ‘‘ତୁ ଦେଖିବୁ ଏ କଲେଜରୁ ଡିଗ୍ରୀ ନେଇଗଲେ ଭାଇ କିଛି ହେବନାହିଁ । ଦେଖ୍‌, ନିଜେ ଏ କଲେଜ କମି ଲୋକଙ୍କୁ ବ୍ୟବସାୟ ଯୋଗାଉଛି ? ଏ ହତାରେ ଲୋକେ ଗାଈ ରଖିଛନ୍ତି । ମାଗଣାରେ ଘାସ ଦୁଧରୁ କେତେ ଲାଭ ହୁଏ ଜାଣୁ ? ଏଠି କିଏ ରୋଷେଇ କରୁ କରୁ ଗାଁରେ ମାଣକାମାଣ ଜମି କରିଯାଏ । ଏଠି ଚାଉଳ ଡାଲି ଯୋଗେଇ ଯୋଗେଇ ଲୋକେ ବଡ଼ ବ୍ୟବସାୟୀ ହୁଅନ୍ତି । ଗାଁରେ ଯେଉଁ ନିକମା ଭଣ୍ଡାରିକି ରୋଜଗାର ମିଳେନାହିଁ, ସେ ଏ ପାଖରେ ଉଠା ପାନଦୋକାନଟାଏ କଲେ କି ଖିଅର କରିବସିଲେ କ୍ରମେ ସେ ହୋଇଯାଏ କ’ଣ ନାହିଁ କ’ଣ । ନାନା ଜିନିଷ, ନାନା ପ୍ରକାର ଶ୍ରମ ବିକିବା ଲାଗି ୟେତ ଗୋଟାଏ ମସ୍ତବଡ଼ ନିଦା ବଜାର । କିନ୍ତୁ ଯାହାଙ୍କପାଇଁ ଏ ବଜାରର ସୃଷ୍ଟି, ସେମାନେ ଏଠୁ ଗଲେ କ’ଣ ଆଉ ଅଧିକା କରିବେ ? ଚାକିରୀଟାଏ ତ ! ଯଦି ମିଳେ ! କେତେ ଟଙ୍କା ପାଇବେ ?’’

 

ରଜାକ୍‌ ମତେ ଡାକିଲା–‘‘ଆ, ୟାକୁ ଛାଡ଼ିଦେ । ବିଡ଼ିପତ୍ର ବ୍ୟବସାୟରେ ମିଶିବୁ ଆ । ଆରେ ମୋ ଦାଦି ତୋର ବି ଦାଦି ପରିରେ, ତୁ ଦେଖିବୁ ଯେ । ଟଙ୍କାପାଇଁ ଭାବ୍‌ ନା, ମୋ ଭାଗରୁ ମୁଁ ଦେବି । ତୁ ରୋଜଗାର କଲେ ଧୀରେ ଧୀରେ ଶୁଝୁଥିବୁ । ଚାଲିଆ ।’’

 

ଗୋଡ଼ ଟଳଟଳ ହେଲା । ରଜକ୍‌ ଡାକୁଛି । ଯିବି ?

 

ମନା କଲି ।

 

ଜାଫର୍‌ ବି. ଏ. ଫେଲ୍‌ହେଲା । ଖୁସି ହେଲା । କହିଲା, ‘‘ଆଉ ମତେ କେହି ବାଧ୍ୟ କରିପାରିବେ ନାହିଁ ।’’ ଶୈଲେନ୍‌ ତୃତୀୟ ବର୍ଷରୁ ରହିଗଲା । ରୁଫ୍‌ସ୍‌ ବି. ଏ. ପାଶ୍‌ କଲା । ତା’ପରେ ଦେଖିଲି ସେ ତିନିହେଁ ମିଶି ଗୋଟାଏ କଂପାନୀ କରି କଣ୍ଟ୍ରାକ୍ଟରି କଲେ । ପଛେ ଫଟାଫଟି ହେଲେ । ଦୋଷ ଦିଆଦେଇ ହେଲେ; କିନ୍ତୁ ତିନିଜଣଯାକ ଅଲଗା ଅଲଗା ରହି ପ୍ରତିଷ୍ଠିତ ବ୍ୟବସାୟୀ ହୋଇଛନ୍ତି । ଶୈଲେନ୍‌ ଓ ରୁଫୁସ୍‌ ତ ଖୁବ୍‌ ବଡ଼ଲୋକ । ନଗି କଲେଜକୁ ଯିବାମାତ୍ରେ ତା’ର ପରିବର୍ତ୍ତନ ହେଲା । ସେ ବାଙ୍ଗର ଥିଲେ, ଚାହୁଁ ଚାହୁଁ ଡେଙ୍ଗା ହୋଇଗଲା । ଶାନ୍ତି, ଲାଜରା ଲାଜରା, ଉଁ ଚୁଁ ନାହିଁ ତୁନି ହୋଇ ଶୁଣିବ, ନହେଲେ ଆଡ଼େଇ ହୋଇ ରହିବ, ଏହିପରି ଥିଲା । କଲେଜରେ ସେ ବ୍ୟକ୍ତିତ୍ୱର ଠିକ୍‌ ଓଲ୍‌ଟା । ସେ ବହୁତ ବୁଲେ, ବହୁତ ପିଲାଙ୍କ ସଙ୍ଗେ ବହୁତ ଲୋକଙ୍କ ସଙ୍ଗେ ମିଶେ । କୁଆଡ଼େ କୁଆଡ଼େ ବୁଲୁଥାଏ, କେତେବେଳେ ହେଲେ ସ୍ଥିର ନୁହେଁ । ସେ ଉପରେ ପଡ଼ି ଯୁକ୍ତି କରେ, ନିଜ ମତକୁ ଟାଣଟାଣ କଥାରେ ଜାରିକରେ, ପରର ମତକୁ ଗ୍ରହଣ ନକଲେ ଟାଣଟାଣ କଥା କହି ନିନ୍ଦା କରେ, ଥଟ୍ଟାରେ ଉଡ଼ାଏ । ଯେତେବେଳେ ଦେଖିଲେ ତା’ ପଛରେ ଗୋଟିଏ ଦଳ । ସେ ନେତା, ସେ ବୁଦ୍ଧି ଦାତା । ସେମିତି ତା’ ବିରୁଦ୍ଧରେ ବି ନାନା ଦଳ । ନଗି,–ଲାଜରା ନଗି,–ଦେଖିଲୁ ସେ ନଗି ବି ଦେଲା ବକ୍ତୁତା,–ଖାଲି ନିଆଁ–ହୁଳା–ତାଳିରେ ତାଳିରେ କାନ ଅତଡ଼ା ପଡ଼ିଲା ।

 

ମୋର ମନେପଡ଼େ ଗୋଟିଏ ସଞ୍ଜବୁଡ଼, ଯେତେବେଳେ ଅଭ୍ୟାସ ଅନୁସାରେ ମୁଁ ତା’ ଘରକୁ ବୁଲି ଯାଇଥିଲି, ଅଭ୍ୟାସ ଅନୁସାରେ ସେ ମତେ ଡାକିନେଇଥିଲା ଛାତ ଉପରେ ତା’ର ଗୋଟିକିଆ ଛୋଟ ବଖୁରିକୁ । ଆଲୁଅ ନଥାଏ । ଅଳ୍ପ ଜହ୍ନଆଲୁଅ ଝରକାବାଟେ ପଡ଼ୁଥାଏ ।

 

ପଚାରିଲି, ‘‘ପଢ଼ାପଢ଼ି କେମିତି ଚାଲିଛି ?’’

 

ସେ ପଚାରିଲା, ‘‘ତୁ କ’ଣ ମାଷ୍ଟର ହବୁ ? ନହେଲେ ପଢ଼ାପଢ଼ି କଥା କାହିଁକି ପଚାରୁଛୁ-? କେଉଁ ଦିନୁ ଦେଖିନାହିଁ । କେତେ ବାଟ ଗଲୁଣି ?’’

 

ମୁଁ ମୋ ପଢ଼ାପଢ଼ିର ଗୋଟାଏ ସଂକ୍ଷିପ୍ତ ବିବରଣୀ ଆରମ୍ଭ କରୁ କରୁ ସେ କହିଲା, ‘‘ତୁ କ’ଣ ପ୍ରକୃତରେ ପିଲାହୋଇ ରହିଗଲୁ ? ଖାଲି ପଢ଼ା କଥା ? ଜୀବନକୁ କେତେ ବାଗରେ ଚାଖିଲୁଣି ? ସେଇଆ ପଚାରୁଚି ।’’

 

‘‘ଚାଖିବି ! ହଇରେ ଚାଖିବି କ’ଣ ? ଜୀବନ ବଂଚିଛି ତ ।’’ ମୋ ହାତକୁ ଟାଣମୁଠାରେ ଧରିପକେଇଲା । କହିଲା, ‘‘ତା’ ମାନେ ତୁ ଖାଲି ବହୁମୂଲ୍ୟ ସମୟ ଗୁଡ଼ାକୁ ଉଡ଼େଇଦଉଚୁ । ଜୀବନକୁ ଡରି ଡରି ଓଢ଼ଣା ପକେଇ ଭଲପିଲା ହେବା ଖେଳ ଖେଳୁଚୁ, ପସ୍ତେଇବୁ ।’’

 

‘‘ଆଉ ତୁ ?’’

 

ସେ ହସିଲା, କହିଲା–‘‘ନ କହିଲେ ଭଲ । କହିଲେ ତୁ ବୁଝିପାରିବୁ ନାହିଁ । ଆଗ ଜଳାଞ୍ଜଳି ଦେଲି ଭଲପିଲା ହେବା ସାର୍ଟିଫିକେଟ୍‌କୁ । ଘର ଲୋକଙ୍କର ଆଉ ବନ୍ଧୁ ବାନ୍ଧବଙ୍କର ମୋ ଉପରେ ଥିବା ବିଶ୍ୱାସକୁ, ମୋ ସକାଶେ ଗଢ଼ା ହୋଇଥିବା ସ୍ୱପ୍ନକୁ । ମୂଳରୁ ସେ ବନ୍ଧନ ନ କାଟିଲେ ମଣିଷ ହାତଗୋଡ଼ ଖେଳାଇ ପାରିବ ନାହିଁ । ଜାଣିଚି, ତା’ ଫଳରେ କେଉଁ ଦିନ ଏ ଆଶ୍ରୟଟି ଯିବ । ଘର, ଆଉ ଭାତ, ପଢ଼ାଘର୍ଚ୍ଚ, ଆଉ ବଦ୍‌ଖର୍ଚ୍ଚ । ସେଥିପାଇଁ କି ବ୍ୟବସ୍ଥା କରିପାରିବି ଭାବୁଛି । ମଣିଷ ଥିଲେ ତାଙ୍କର ସ୍ୱାର୍ଥ ଥିବ । ମୁଁ ବି କାହା ସ୍ୱାର୍ଥରେ ଖାପିଯାଇ ପାରିବି ।’’

 

କାବା ହୋଇଗଲି । ଆଉ କିଛି ମୋ ପାଟିରୁ ବାହାରିଲା ନାହିଁ । ନଗି କହିଗଲା, ‘‘ଜାଣେ, ସବୁ ଶୁଣିଲେ ତୁ ଭକୁଆ ହୋଇ ବସିବୁ; ଆଉ ମୋ ପାଇଁ ଝୁରିହେବୁ, ଆହା ମୋ ନଗିଟିରେ ! ଅନ୍ଧାର ହୋଇଥାଉ, ତୋ ମୁହଁ କେମିତି ଦିଶୁଥିବ ମୁଁ ଦେଖିପାରୁଛି । ନଗି ବିଗିଡ଼ିଗଲା-। ନଗିର ଆତ୍ମାକୁ ସଇତାନ୍‌ ଦଖଲ କଲାଣି । ତେଣୁ ତା’ର ରାଗ ଜଳିଉଠୁଛି, ଆଖିରେ ଲୁହ ଟଳଟଳ । ଥୟଧର୍‌, ବେସ୍ତ ହ’ ନା । ମୁଁ ଅନୁଭବ କଲି, ମୁଁ ବଡ଼ ହେଇଚି । ଝିଅପିଲା କ’ଣ ଅନୁଭବ କରନ୍ତି ମୁଁ କହିପାରିବି ନାହିଁ । ମୁଁ ଅନୁଭବ କଲି ମୋର ବହୁତ ଭୋକ, ବହୁପ୍ରକାର ଭୋକ-। ଲାଗିଲା ମୋ ଅସ୍ତିତ୍ୱର ପ୍ରମାଣ ତା, ଚିହ୍ନିବି ତା, ଉଦ୍ଦେଶ୍ୟ ବି ତା । କେତେ ଭୋକ କେତେ ପ୍ରକାର ମେଣ୍ଟି ଯାଏ । ମୋ ଅସ୍ତିତ୍ୱ ରହିଯାଏ ଶେଷରେ ଗୋଟାଏ ଅମେଣ୍ଟା ଭୋକରେ, ସେଇଟା ‘ମୁଁ–ଭୋକ’ । ସବୁଠି ମତେ ଦେଖିବି, ମୋ’ରି ନାଁ ଶୁଣିବି, ମୋ’ରି ବାଣୀ ମୋ କାନରେ ଚାରିଆଡ଼ୁ ଆସି ବାଜୁଥିବ, ମୁଁ ଚାହିଁଲେ ଗହଳି ଠିଆହେବ, ଚାଲିବ, ନଚାହିଁଲେ ଅଟକିବ ।’’

 

‘‘ଆଉ ମୁଁ ? ସେ ?’’

 

‘‘ତୁ’ ଜାତି ‘ସେ’ ଜାତି ଯେତେ ଯେତେ ସବୁ ମୋ ଶରୀରରେ ଲୀନ ହେବ, ନ ହେଲେ ମୋ ହାତମୁଠା ଭିତରେ ଧ୍ୱଂସ ହେବ ।’’ ତା’ କଥାରେ ଉତ୍ସାହ ପାଇଲି । କହିଲି, ‘‘ବାଃ, ଖୁବ୍‌ ଭଲ ସ୍ୱପ୍ନ ଦେଖୁଛୁ, ନୁହେଁ ? ଡାକ୍ତର ପାର୍ଥ ରାଓଙ୍କ ସଙ୍ଗେ କେବେ ଆଲୋଚନା କରିଥିଲୁ ? କରିବାକୁ ତ ପଡ଼ିବ । ଯଦି ଏଇଆ ହୁଏ, ତେବେ ତୋ ବାଟ, ଆରେ ଧୂମକେତୁ, ତେବେ ଏସବୁ ଭାବନା ତୁ ତାରିଖ ଦେଇ ଆଗରୁ ଟିପି ରଖିଲେ ତାଙ୍କ କାମ ଆଉ ଟିକିଏ ସୁବିଧା ହୁଅନ୍ତା ।’’

 

ସେ ଗମ୍ଭୀର ହୋଇ କହିଲା, ‘‘ତୋ କଥାରୁ ମୁଁ ବି ଅର୍ଥ କରିପାରେ ଯେ, ତୋ ନିଜ ଚିତ୍ତ ବିକୃତିପାଇଁ ତୁ ସେ ବରେଣ୍ୟ ଡାକ୍ତରଙ୍କ ସଙ୍ଗେ ପରାମର୍ଶ କରିଛୁ । ଯଦି ନ କରିଛୁ, ଯଦି ଯେମିତି ଚାଲିଛୁ ସେମିତି ଚାଲିଥିବୁ, ଦେଖିବୁ, ମୋର ନୁହେଁ, ତୋର ଭବିଷ୍ୟତ୍‌ରେ ଯିବା ଦରକାର ପଡ଼ିବ । କାହିଁକି ଜାଣୁ ? ସଂସାରରେ ଯେତେ ଲୋକଙ୍କର ଚିତ୍ତ ବିକୃତି ଘଟେ, ତା’ର ଗୋଟିଏ ବୋଲି କାରଣ–ନୈରାଶ୍ୟ । ତୁମେମାନେ ଭାବିନେଇଛ ଯେ, ତୁମେ ସବୁ ଆଇନ୍‌ ଶୃଙ୍ଖଳା ମାନି ସିଧାବାଟରେ ଚାଲିଥିଲେ ତୁମର ସବୁ ‘‘ମୁଁ–ଭୋକ’’ ଆପେ ମେଣ୍ଟୁ ଥିବ, ଆକାଶରୁ ଅଜାଡ଼ି ହେଇ ପଡ଼ିବ, ଲୋକେ ଯାଚି ଯାଚି ଦେଇଯିବେ । ତୁମେ ନିଠେଇ କାମ କରିବ, ପ୍ରଚୁର ମୂଲ୍ୟ ପାଇବ, ଯଶ ବି ପାଇବ । ଜୀବନଟାଯାକ ଚାଲିଥିବ ଭଲକାମ କରୁଥା, ପୁରୁଷ୍କାର ପାଉଥା, ବଡ଼ ସରଳ ବିଶ୍ୱାସ । ତେଣୁ ଆଉ ଭାବିବାକୁ କିଛି ନାହିଁ, କର୍ତ୍ତବ୍ୟ ବି ସହଜ ।’’

 

‘‘ପାଠପଢ଼ା ବେଳେ ଏତେ ଏତେ କଥାରେ ତୁ ମୁଣ୍ଡ ଖେଳାଉଛୁ ?’’

 

‘‘ବଡ଼ ହେଲିଣି ସତୁ, ମୁଣ୍ଡ ତ ଖେଳାଇବାକୁ ପଡ଼ିବ ।’’

 

‘‘ତୋ ବିଶ୍ୱାସ ଝଡ଼ିପଡ଼ିଲା କେମିତି ?’’

 

‘‘ଯେମିତି କଅଁଳିଆ ପିଲାମୁହଁରେ ରୁଢ଼ ଉଠେ ।’’ ହସି ହସି ସେ କହିଲା ।

 

‘‘ନା ନା, ଏତେ ଅବିଶ୍ୱାସ, ଏତେ ଅସ୍ୱାସ୍ଥ୍ୟକର ତିକ୍ତତା, କୁଆଡ଼ୁ ଆସିଲା ତୋଠିଁ ?’’ମୁଁ ପଚାରିଲି ।

 

ସେ କହିଲା, ‘‘ତୁ ବି ଯଦି ଆହାର–ନିଦ୍ରା–ବିଦ୍ୟା ଏତିକିରେ କମ୍ୱଳ ଘୋଡ଼ିହୋଇ ନ ଶୁଅନ୍ତୁ, ପଦାକୁ ଅନାନ୍ତୁ, ମଣିଷ ପରି ବଂଚନ୍ତୁ, ତୁ ବି ସେଇଆ ହୁଅନ୍ତୁ । ସବୁଦିନେ ଜ୍ଞାନର ପରିଣତି ତ ଅବିଶ୍ୱାସ, ପ୍ରତ୍ୟାଖ୍ୟାନ, ତିକ୍ତତା, ଅସ୍ଥିରତା, ଆଉ କ’ଣ ?’’

 

‘‘କାହିଁ ଜ୍ଞାନର ଏପରି ସଂଜ୍ଞା ତ ମୁଁ ଶୁଣିନାହିଁ ।’’

 

‘‘ନା, ତୁ ଶୁଣିଥିଲୁ ଜ୍ଞାନର ପରିଣତ, ନିଶ୍ୱାସ, ନିର୍ଭର, ଅମୃତ, ଶାନ୍ତି, ଏଇଆ ତ ? ପଣ୍ଡିତେ ଗପନ୍ତି । ତାଙ୍କ ଘରେ ଯେତେବେଳେ ସ୍ୱାମୀସ୍ତ୍ରୀଙ୍କ ହୈତ ସଂଙ୍ଗୀତ ଚାଲିଥିବ, ଖୁବ୍‌ ଉଚ୍ଚକୁ ଉଠୁଥିବ, ପିଲାଏ ପାଳି ଧରୁଥିବେ, ଯେତେବେଳେ ଉଧାର ମିଳିଲା ନାହିଁ ବୋଲି ହାଲୁକ ଶୁଖୁଥିବ, ପିଲା ଦେହରେ ଖଇ ଫୁଟୁଛି, ଓଷଦ କିଣିବାକୁ ପଇସା ନାହିଁ । ଦାଣ୍ଡଦୁଆରେ ଘରଭଡ଼ା ମାଗି ଆସି ଲୋକ ହେଣ୍ଟାଳ ଛାଡ଼ୁଛି । ବୁଝିକୁ ଯାଇ ସେତେବେଳେ ଜ୍ଞାନର ପରିଣତି କ’ଣ ।’’

ମୁଁ କହିଲି, ‘‘ସଂସାରରେ ସାମାଜିକ ନ୍ୟାୟ ମିଳୁନାହିଁ, ୟେ ତ ଅତି ସାଧାରଣ କଥା । ଅନେକ କ୍ଷେତ୍ରରେ ମିଳେନାହିଁ ।’’ ‘‘ବାଃ ! ଏତିକି କହିଦେଲେ ସବୁ ସମାଧାନ ହୋଇଗଲା, ନୁହେଁ ସତୁ ? ଯେମିତି ଖବର କାଗଜରେ ବାରମ୍ୱାର ବାହାରେ, ଅମୂଳ ଜାଗାରେ ଏତେଲୋକ ହାଣଖାଇଲେ, ଅମୁକ ଜାଗାରେ ଆହୁରି ଏତେଲୋକଙ୍କୁ ହତ୍ୟା କରାଗଲା, ଅମୁକ ଜାଗାରେ ଭୂମିକମ୍ପରେ ମଲେ ଏତେ ହଜାର । ତୁମେ ସବୁ ପଢ଼ୁଥିବ, ମନହେଲେ ଦୀର୍ଘଶ୍ୱାସଟାଏ ପକାଉଥିବ, ନହେଲେ ନାହିଁ । ତା’ପରେ ଆରପୃଷ୍ଠାରେ କ’ଣ ବାହାରିଛି ପଢ଼ୁଥିବ । ତୁମର ମାନବିକତାବୋଧ, ତୁମର କରୁଣା, ତୁମର କର୍ତ୍ତବ୍ୟବୋଧ, ସବୁ ଏତିକିରେ କାର୍ଯ୍ୟକାରୀ ହୋଇଗଲା, କାମ ସଇଲା ।’’ ନଗି ସଙ୍ଗରେ ଏଭଳିଆ ଅଖାଡ଼ୁଆ ଯୁକ୍ତି ମୋର ଆଉ କେବେ ହୋଇନଥିଲା । ସ୍ୱପ୍ନପରି ଲାଗୁଥାଏ କହିଲା, ‘‘କ’ଣ ଆଉ କରନ୍ତେ ? ଆମେ ମନ କରିଦେଲେ ସବୁ ଅନ୍ୟାୟ ବନ୍ଦ ହୋଇଯିବ ପୃଥିବୀଯାକ ?’’

Unknown

ସେ ଅସହିଷ୍ଣୁ ହୋଇ କହିଲା, ‘‘ଓ ! ଏ ସଂସାରଯାକ ଉଦ୍ଧାରିବା କାମ ମୋର ନୁହେଁ । ମୋ କାମ, ମୋତେ ଯାହା ଠିକ୍‌ ଲାଗିଲା, ତାକୁ କରିବାକୁ ଚେଷ୍ଟା କରିବା ।’’

‘‘ନାହିଁ କରୁଚି କିଏ ?’’

‘‘ହଁ କଲେ, ନାହିଁ କଲେ କିଛି ଯାଏ ନାହିଁ ଆସେ ନାହିଁ । ଠିକ୍‌ ଲାଗିବାଟା ଲାଗିବ ମତେ, ତେବେ ଯାଇ ମୁଁ କରିବି । ଲୋକେ ଯାହା ଠିକ୍‌ ବୋଲି କହିବେ, ମତେ ସେଇଆହିଁ ଠିକ୍‌ ଲାଗିବ, ତା’ବି ନୁହେଁ, ନ ଲାଗିବା ସଂଭାବନା ବେଶି ।’’

ମତେ ଅଡ଼ୁଆ ଅଡ଼ୁଆ ଲାଗୁଥାଏ । ମୁଁ ବୁଝୁଥାଏ ୟେ ଜଣେ ଅଚିହ୍ନା ଲୋକ । ୟାର ମୋର ଏକହୋଇ କିଛି ନାହିଁ । ସେ ବି ମୋ ବିଷୟରେ ଭାବୁଥିବ ପରା; କିନ୍ତୁ ଆମ ଦୁହିଁଙ୍କର କକ୍ଷ ଭିନେ, ବ୍ୟକ୍ତିଗତ ଜୀବନ ଭିନେ, ମଝିରେ କାନ୍ଥ । ଏକଦା ଆମେ କେଡ଼େ ଆପଣାର ହୋଇଥିଲୁ ।

କିନ୍ତୁ କିଏ କିଏ ? ସେ ପିଲାଦିହେଁ କ’ଣ ନିଜେ ଭାବି ଶିଖିଥିଲେ ?

ଆଉ ହୋଇଟି ୟେ ଭାବିଛି, ଭାବୁଛି, ଏ ଭାବନା ମୋର ମନସହା ନୁହେଁ। ବିଦା ହେବି ବୋଲି ଠିକଣା କଲି, ସେ ଗୁମ୍‌ ଥିଲା, କହିଲା, ‘‘ମୁଁ ଜାଣେ, ମୋ କଥା ତତେ ରୁଚିବ ନାହିଁ । ତୁ ପଳେଇବାକୁ ଛାଟିପିଟି ହେଲୁଣି । ତମେମାନେ ସତେ ଯେମିତି ଗାଧୋଇ ଦେଲାବେଳେ ପିଞ୍ଜରାର ଶୁଆ । ଯିବା ଆଗରୁ ମୁଁ ତତେ କହୁଚି ଶୁଣ୍ । ତମେମାନେ ହିନ୍ଦୁଧର୍ମକୁ ମାନୁଛ ବୋଲି କହୁଛ; କିନ୍ତୁ ହିନ୍ଦୁ ଧର୍ମ ଯେ କହୁଛି ବର୍ତ୍ତମାନ ପୃଥିବୀରେ କଳିଯୁଗ, ସେଠି ନ୍ୟାୟ ନୀତି ସବୁ ଓଲଟା । ୟେ ଯୁଗରେ ଉଧେଇବାକୁ ହେଲେ ଯୁଗର ନୀତିରେ ତମକୁ ଚଳିବାକୁ ପଡ଼ିବ, ଯଦିଚ ପଛେ ତୁମେ ପଡ଼ିବ ନରକରେ, ଏଇଟାକୁ ସତ୍ୟ ବୋଲି ତୁମେ କେବେ ଭାବିନାହିଁ। ତୁମେ ସମସ୍ତେ ଚାହୁଁଛ ପଛେ ରହିବ ସ୍ୱର୍ଗରେ, ଏଣେ କଳିଯୁଗରେ ବି ଉଧେଇବ ଅଥଚ କଳିଯୁଗର ନୀତି ମାନିବ ନାହିଁ । ତୁମେ ନିଜେ ଦେଖୁଛ ଏପରି ହେବା ଅସମ୍ଭବ । କେହି ଚାହେଁ ନାହିଁ ଗରିବ ରହିଥିବ, ପରର ଭିକ ଆଉ ଦୟାରେ ଚଳୁଥିବ, ନିଜେ ଛଟପଟ, କଲବଲ ହେଉଥିବ । କାହାରି କିଛି ଉପକାରରେ ଲାଗିପାରିବ ନାହିଁ । ନୀତି ଧରି ଚାଲିଲେ କଳିଯୁଗରେ ତା’ଛଡ଼ା ଅନ୍ୟଗତି ନାହିଁ । ତୁମମାନଙ୍କ ଅନ୍ଧପୁଟୁଳି ଖୋଲୁଖୋଲୁ ତୁମମାନଙ୍କ ଆୟୁଷ ସରିଆସିଥିବ। ସେତେବେଳେ ହନ୍ତସନ୍ତ ହୋଇ ମରିବ, ପରର ଦେଖି କୁହୁଳି କୁହୁଳି ମରିବ । ମୁଁ ମୂଳରୁ ମୋ ବାଟ ଭାଙ୍ଗିନେଲି । ମୁଁ ଚାହେଁ ଧନ, କ୍ଷମତା, ଭୋଗ ଭାଗ୍ୟ । ଦଶ ଲୋକଙ୍କୁ ସାହାଯ୍ୟ କରିବି । ଏମିତିରେ ତ ଲୋକ ନିତିଦିନର ଜୀବନରେ ଅନ୍ୟମାନଙ୍କ ସମ୍ପର୍କରେ ମାଗଣାରେ ବିନା ଉଦ୍ଦେଶ୍ୟରେ ଅଭିନୟ କରୁଥାଏ । ତେଣୁ ଆଉ ଭିନେ ପ୍ରକାର ଅଭିନୟ କରିବି, ଉଦ୍ଦେଶ୍ୟ ରଖି କରିବି, ସେଥିରେ କ୍ଷତିନାହିଁ । ସେଥିପାଇଁ ଆଖି ଆଗରେ ଅନେକ ଉଦାହରଣ, ଅନେକ ଗୁରୁ । ରାଜନୀତିର ଯୁଗ ୟେ । ସାଧାରଣ ଲୋକ ବି ରାଜନୀତି ଅଭ୍ୟାସ କରେ । ଯାହା ହାତରେ କ୍ଷମତା ତା’ ହାତରେ ସବୁ, ସେଠି ଉପଯୁକ୍ତ ଗୁରୁର ହେଲାହେଲେ ମୁଁ ବି ମୋ ଉଦ୍ଦେଶ୍ୟ ପୂରଣ କରିବି। ଜଣେ ଗୁରୁ ପଛରେ ଗୋଡ଼େଇ ଗୋଡ଼େଇ ମୁଁ ବି ଟିକିଏ ଟିକିଏ ପହଁରୁଛି। ତୋ ଇଚ୍ଛା ହେଲେ ତୁ ବି ମୋ ସଙ୍ଗେ ଆ, କ୍ରମେ ଆମେ ଗୁରୁମରା ବିଦ୍ୟା ବି ଶିଖିଯିବା, ବେଳ ଆସିଲେ ଦେବା ଚଲେଇ।’’

‘ଇସ୍‌ !’ ଦୀର୍ଘଶ୍ୱାସ ସଙ୍ଗେ ସଙ୍ଗେ ମୋ ପାଟିରୁ ବାହାରିଗଲା ।

ସେ, ତା ନାଁ ଧରିବାକୁ ଆଉ ଇଚ୍ଛା ହେଉନଥାଏ, ଶୁଣି ନଶୁଣିଲା ପରି ରହିଲା । ପୁଣି ତା’ ପ୍ରତି ମୋର ପୁରୁଣା ମୋହ ଲେଉଟି ଆସିଲା। ପଚାରିଲି,

‘‘ଗୁରୁ ତୋର ମନ ଲାଖି ? ଭାବୁଚୁ ମୋ ମନଲାଖି ବି ହବ ?’’ ସେ କହିଲା, ‘‘ନାଃ, ତୋର ବୁଝିବା ପ୍ରବୃତ୍ତି ହିଁ ନାହିଁ । ନହେଲେ ତୁ ମିଥ୍ୟାରେ ବୁଡ଼ିରହିଛୁ ।’’

‘‘ମିଥ୍ୟା ?’’

‘‘ହଁ ଭାଇ, ରାଗ୍‌ ନା, ମିଥ୍ୟା । ଉପରୋଧ ମିଥ୍ୟା । ସ୍ୱପ୍ନ, ଆଶା, ସ୍ନେହ ଏସବୁ ମିଥ୍ୟା । ସବୁଦିନେ ଦମ୍ଭ ଥିବି, ମରିବି ନାହିଁ, ଏ ଧାରଣା ମିଥ୍ୟା । ମଲାପରେ ମୋର କିଛି ଦାୟିତ୍ୱ ରହିବ । ମୁଁ ଆଉ କିଛି ସୁଖ ପାଇବି, ଏ କଳ୍ପନା ମିଥ୍ୟା ।’’

‘‘ନିତାନ୍ତ ନିରାଶାବାଦୀ ଜଡ଼ବାଦୀଟାଏ ତୁ ।’’

‘‘ସବୁ ବାଦ ମିଥ୍ୟା। ନିଜକୁ ଅନୁଭବ କର, ସତ ଖାଲି ତୁ ବଞ୍ଚିଥିବା ଯାକେ ଯାହା ଭୋଗ କରୁଥିବୁ, ତୋ ସମ୍ପର୍କରେ ସେତିକି । ତେଣିକି ଅନ୍ଧାର, ଶୂନ୍ୟ । ଆରେ ଗୁରୁ ମନଲାଖି ହେବ କ’ଣ ? ଏତିକି ଦରକାର, ତା’ଠୁ ତୁ ଉପକାର ପାଇବୁ, ତୋ ସ୍ୱାର୍ଥର ସୁବିଧା ହେବ । ତା’ପରେ ନୂଆ ଗୁରୁ, ନୂଆ ସମ୍ବନ୍ଧ ।’’

 

‘‘ତେବେ ତୁ କୌଣସି ନ୍ୟାୟରେ ନୀତିରେ ବିଶ୍ୱାସ କରୁନାହିଁ ?’’

 

‘‘ଏକା ମୁଁ ନୁହେଁରେ, ମତେ ଲାଗୁଛି କଳିଯୁଗରେ ଯେତେଠିଁ ଯେଉଁମାନେ ଲୋକଙ୍କୁ ଅଡ଼େଇବାରେ ସକ୍ରିୟ, କେହି ବିଶ୍ୱାସ କରନ୍ତି ନାହିଁ ଯେ, ବା କରୁଥିବେ ସେମାନେ ନିଷ୍କ୍ରିୟ ହୋଇପଡ଼ିବେ, ନହେଲେ ବିଶ୍ୱାସକୁ ଜାବୁଡ଼ିଧରି ରଖିବେ ନାହିଁ । ବିଶ୍ୱାସ ଅର୍ଥ ଅନୁରୂପ ଆଚରଣ, ଇସ୍ତାହାର ନୁହେଁ କି ବକ୍ତୃତା ନୁହେଁ । ଦଳ ଗଢ଼ିପାର, ବିଶ୍ୱାସକୁ ଛାପିଦିଅ ବହିକରି, ଅନ୍ୟମାନେ ପଢ଼ନ୍ତୁ । ନିଜେ ଧର ବୁଦ୍ଧି-ଆବଶ୍ୟକ, ସୁବିଧା–ସୁଯୋଗ ବାଟ । ଗୋଟାଏ ଦଳର ଖୋଳ ଭିତରେ ମାଲ ଅନେକଥର, ଅନେକ ପ୍ରକାର ବଦଳିବ । ନୂଆ ଲୋକ ଆସିବେ, ନୂଆ ସମସ୍ୟା ଆସିବ, ପୁରୁଣା ଯିବ । କେତେବେଳେ ଖୋଳଟା ବି ଯିବ, ନୂଆ ଖୋଳ, ଭିନେ ଖୋଳ ହେବ । ଏଥିରେ ରୁଚି ଅରୁଚି ନ୍ୟାୟ ଅନ୍ୟାୟ, ଭଲମନ୍ଦ କିଛି ନାହିଁ, ଦୟା ନାହିଁ, ନିଷ୍ଠୁରତା ନାହିଁ, ବନ୍ଧୁତା ନାହିଁ, ଶତୃତା ନାହିଁ । କଳିଯୁଗରେ ସବୁ ଶବ୍ଦ ନିରର୍ଥକ, ସବୁ ନାଁ ଖାଲି ପୋଷାକ । ଲୋକ ଦି’ ଶେଣ୍ରୀର, ଚଲାଖ ଓ ଓଲୁ, କହିପାରୁ ପାରିବାର ଆଉ ନିକମା, ଛୁଆଁ ତା’ ବୋଲି କିଛି ନାହିଁ । ହିଂସା, କପଟ, ମିଥ୍ୟା, ଅନୀତି, ଦୁର୍ନୀତି, ବ୍ୟଭିଚାର, ନିଶା, ଆନନ୍ଦ ବୋଲି କିଛି ନାହିଁ । ଖାଲି ଉତ୍ତେଜନା, ଖେଳର ଉତ୍ତେଜନାରେ ସତୁ, ଶୁଣିନାହୁଁ, ଖେଳ ଖବର ରିଲେ ହେଉଥିଲାବେଳେ ରେଡ଼ିଓ ବି ଫାଟିପଡ଼େ, ଲୋକେ ଗର୍ଜନ ଆଉ ଗୋଳମାଳକୁ ଭଲପାଆନ୍ତି । ଲାଭ କ୍ଷତି ଅଛି, ସବୁ ଐହିକ, ଧନର କ୍ଷମତା, ସଂଗଠିତ କ୍ଷମତାର ଏକଛତ୍ର ଶକ୍ତି, ପର ଉପରେ ତାକୁ ଜାରି କରିବାର ଉତ୍ତେଜନା । ଏ ଦିଗରେ ତୁ ଚିନ୍ତା ନକଲେ, କିଛି ବିଝିପାରିବୁ ନାହିଁ ରେ ନିଷ୍ପାପ ନିର୍ବୋଧ ଉତାଣି ପିଲା । ଖାଲି ମନେରଖ, ମୁଁ ବି ଥିଲି ତୋ’ପରି, ତା’ପରେ ଦିନେ ନିଦ ଭାଙ୍ଗିଲା ଉଠିଲି । ଦେଖିଲି ତ ଗାଁରୁ ସହରଯାକେ ଏ ଦେଶରୁ ବିଦେଶଯାକେ ସମସ୍ତେ କେତେବେଳୁ ଉଠିପଡ଼ି କାମେର ଲାଗିଛନ୍ତି । ଆଉ ଆମେ କଲେଜ ପଢ଼ା ବାଟେ ମୁକ୍ତିର ସ୍ୱପ୍ନ ଦେଖୁଛୁଁ, ପଡ଼ିଆରେ ଗୋରୁ ଘାସ ଚୋବାଇଲା ପରି, ଗଉଡ଼ ଅପେକ୍ଷା କରିଛନ୍ତି ଦୁହିଁବେ ।’’

 

ସେ ଆଲୁଅ ଜାଳିଦେଲା । ସାମ୍ନାରେ ବସିଛି ନଗି, ମୋର ପୁରୁଣା ବନ୍ଧୁ । କିଛି ନ ଜାଣିଲା ପରି ହସିଦେଲା । କହିଲା–‘‘ଏଣୁତେଣୁ ଗୁଡ଼ାଏ ଲେକ୍‌ଚର ଶୁଣେଇଲିଣି । ବସ୍‌, କିଛି ଖାଇବା ।’’

 

କହିଲି, ‘‘ଆରେ, ୟେ ଦୁନିଆଁ ରହିବଟି ? ନାଁ ଜଳିଯିବ ?’’

 

ହସିଦେଲା, କହିଲା–‘‘ଛାଡ଼ଃ ! ପୁଣି ଦର୍ଶନ । ଯାହା କରିବାକୁ ଚାହୁଁଛୁ, କରିଯା । ଅଦାବେପାରୀର ଜାହାଜ ମୂଲ କରିବା କି ଦରକାର ?’’

 

ମୁଁ କହିଲି, ‘‘ଶାନ୍ତି, ପ୍ରୀତି, ନୀତି, ଆଦର୍ଶକୁ ଜାଳିପୋଡ଼ି ମଣିଷ ପାଗଳ ହେଲେ ଦୁନିଆଁ ରହିବ ନାହିଁ ।’’ ସେ ଆଉ ତର୍କ ଭିତରକୁ ଓହ୍ଲେଇଲା ନାହିଁ, କହିଲା–‘‘କିଏ ଆପଣା ସୁଖେ ବସି ଶାନ୍ତି ସାଧନା କରିବାକୁ ଆଉ କିଏ ମନା କରିବ ? ତୋର ତ ସେଇଆ ଇଚ୍ଛା, ତୋର ଆଉ ଡର କ’ଣ ?’’

 

ବି.ଏ. ପରୀକ୍ଷା ଆଗରୁ ନଗି ରହିଗଲା, ସେ ଆଉ ଘରେ ବି ମିଳେ ନାହିଁ । ତା’ପରେ ବର୍ଷ କେଇଟା, ତା’ର କେଡ଼େ ତରତର ପରିବର୍ତ୍ତନ, ଛାତ୍ରନେତା ଯୁବନେତା ହୋଇ ତା’ ନାଁରେ ଡିବି ଡିବି ବାଜିଲା, କଲେଜରେ ଷ୍ଟାଇକ୍‌, ସହରରେ ଗୋଳମାଳ, ଜେଲ୍‌, ବିଚାର, ଖଲାସ । ଜଣେ କ୍ଷମତାଶୀଳ ନେତାଙ୍କର ହାତବାରିଶୀ ଭୂମିକାରେ ନଗି, ତା’ର ରେଡ଼ିଓ ଦୋକାନ, ତା’ର କ’ଣ କ’ଣ ବ୍ୟବସାୟ, ମଫସଲରେ ତା’ର ବିବିଧକାର୍ଯ୍ୟ, ତା’ର ଦଳ ଗଢ଼ାଗଢ଼ି, ଦଳଦଳ କଜିଆ, ପ୍ରଚାର । ଯେତେବେଳେ ସମସ୍ତେ ଧରିନେଲେ ଯେ, ସେ ନିର୍ବାଚନରେ ଠିଆହେବ, ଜିତିବ, ୟା’ କରିବ ତା’ କରିବ, ହଠାତ୍‌ ଦିନେ ଶୁଣାଗଲା ସେ କୁଆଡ଼େ ଗଲାଣି । କେତେବର୍ଷ ପରେ ଆମେରିକାରେ ସେ ଶ୍ରୀଚୈତନ୍ୟ ଧର୍ମ ପ୍ରଚାରକ ହୋଇଛି ଶୁଣାଗଲା । ଥରେ ମାସିକ ପତ୍ରିକାରେ ତା’ର ଗୋଟିଏ ଇଂରେଜୀ ଲେଖା ପଢ଼ିଥିଲି, କି ବିଶ୍ୱାସ ! କି ଦୃଢ଼ ମୂଲ୍ୟବୋଧ ! କି ପ୍ରେମ !’’

 

ସେ ଭୁଲି ହୋଇଗଲା । କୁଆଡ଼େ ଗଲା ମୁଁ ଜାଣେ ନାହିଁ; କିନ୍ତୁ ସେଦିନ ସଞ୍ଜଅନ୍ଧାରରେ ସେ ଯାହା କହିଥିଲା ମନେରହିଗଲା ସେତିକି, ପଛେ ମୁଁ ଅଙ୍ଗେ ନିଭେଇଥିବା ଜୀବନ ଅଭିଜ୍ଞତା ଗ୍ରନ୍ଥର ଗୋଟାଏ ନୂଆ ମାନେବହି ପରି, ମିଳାଇ ମିଳାଇ ଦେଖିବାକୁ ।

 

ହରିଠିଁ ବିଶେଷତ୍ୱ କିଛି ନଥିଲା, ଗାଁରୁ ଆସିଥିଲା, ବି.ଏ.ପାଶ୍‌ କରି ଗାଁକୁ ଚାଲିଗଲା ଗଡ଼ଜାତ ମୁଲୁକକୁ । ସେମିତିଆ ଚଢ଼େଇଙ୍କ ଭିତରୁ ଜଣେ ଯାହାଙ୍କ ରଙ୍ଗ ବି ମନେରହେ ନାହିଁ, କୁଆଡ଼େ ଉଡ଼ି ପଳାନ୍ତି । କେତେ ବର୍ଷ ପରେ ହଠାତ୍‌ ଯେତେବେଳେ ଖବରକାଗଜମାନେ ମୁଖର ହୋଇଉଠିଲେ ଜଣେ କିଏ ହରିବିଷ୍ଣୁ ମହାପ୍ରଶସ୍ତଙ୍କ ବିଷୟରେ, ତାଙ୍କ ପଛେର ହଜାର ହଜାର ଜନତା, ତାଙ୍କୁ ନିଜ ଦଳରେ ରଖିବାପାଇଁ ଦେଶର ଖ୍ୟାତନାମା ଲୋକେ କେଡ଼େ ବ୍ୟାକୁଳ, ତାଙ୍କ ମତ, ତାଙ୍କ ଦାବୀ, ତାଙ୍କ ନିର୍ଦ୍ଦେଶ ଏସବୁ ଖବରକାଗଜ ସ୍ତରରେ ବଡ଼ ଆଲୋଚ୍ୟ ବିଷୟ, ସେତେବେଳେ ଫଟୋରୁ ଦେଖି ବିଶ୍ୱାସ ଆସିଲା ୟେ ଆମର ସେହି ହରି । ହଠାତ୍‌ ମହାପ୍ରଶସ୍ତ ମନ୍ତ୍ରୀ ହେଲେ, ଅନୁମାନ କଲି ମୁଁ ନିଜେ ମନ୍ତ୍ରୀ ହୋଇଛି । ଦେଖା ବି ହେଲା ଥରେ ! ହସିଦେଇ ପଚାରିଲା, ‘‘କେମିତି ଅଛ ସତ୍ୟେନ୍ଦ୍ରନାଥ ? ଭଲ ତ ଭାଇ ?’’

 

ସେ ମୁହଁ, ସେ ହସ, ଭଙ୍ଗୀରେ ସେ ସୌଜନ୍ୟ ଓ ବିନୟ, ଆଖିରେ ସେ ଢାଙ୍କୁଣିଦିଆ ଚାହାଣି, ବେକ ମୋଡ଼ିବାର, ହାତରେ ନାନା ମୁଦ୍ରା କରିବାର ନୂଆ ନୂଆ ଛବି, ମତେ ସତେ ଅବା ପରିଷ୍କାର ଭାବେ ବୁଝାଇଦେଲା, ୟେ ହରି ନୁହେଁ, ଯେ ମନ୍ତ୍ରୀ ମହାପ୍ରଶସ୍ତ । ସେ ଠାଣି ସଭା ସମିତିର, ସମସ୍ତିଙ୍କ ପାଇଁ ସର୍ବସାଧାରଣ । ତା’ ଉହାଡ଼ରେ ବ୍ୟକ୍ତି ଅଛି, କିନ୍ତୁ ସେ ଅତି ନିଭୃତରେ, ଯେମିତି ଇନ୍ଦ୍ରିୟ ଉହାଡ଼ରେ ବିବେକ, ସେ ବ୍ୟକ୍ତି ଆଉ ମୋପାଇଁ ନୁହେଁ, ସେ ମତେ ଡାକିବ ନାହିଁ ସତୁ ବୋଲି, ଡାକିଲେ ବି ମୁଁ ତା’ କତିରେ ପହଞ୍ଚିପାରିବି ନାହିଁ ।

 

ଏଣୁ ତେଣୁ କଥା ହୋଇ ଚାଲିଆସିଲି, ମୁଁ ଆଉ ଯାଇନାହିଁ, ସେ ଆଉ ଡାକିନାହିଁ ।

 

କିନ୍ତୁ ତା’ କଥା ପଡ଼ିଲେ ଅନେକଥର ଆଶ୍ଚର୍ଯ୍ୟ ହୋଇ ଭାବେ, କେତେ ସେ ଏଭଳି ଆତ୍ମପ୍ରସ୍ତୁତି କଲା, କେବେ ତା’ର ଏତେ ପରିବର୍ତ୍ତନ ହେଲା, କେମିତି ସେ ଏଠିକି ଆସିଲା ! ତା’ର କେତେ ପ୍ରଶଂସା, କେତେ ନିନ୍ଦା, ତା ନାଁରେ ଭଲ ହେଉ ମନ୍ଦ ହେଉ କେତେ କାହାଣୀ, ଖାଲି ଗୋଟିଏ ଲୋକର ସରଳ ଜୀବନ କଥା ସେ ନୁହେଁ । ସେ ଗୋଟାଏ ଅନୁଷ୍ଠାନ, ଗୋଟାଏ ଇତିହାସ । ମୋର ଈର୍ଷା ଆସିନାହିଁ, ମୁଁ ଆଶ୍ଚର୍ଯ୍ୟ ହୋଇଛି।

 

ଆଉ ଏପରି ବି ଭାବିଛି, କାହା ବିଷୟରେ କି ଖବର ବି କିଏ ରଖିଛି ? କି ମୁଁ ରଖିଛି ? ଦେବୀ ଯୋଗକୁ ହରି ମହାପ୍ରଶସ୍ତ ମନ୍ତ୍ରୀ ହେଲା ବୋଲି ମୁଁ ତା’ ବିଷୟରେ ଭାବିଲି; କିନ୍ତୁ ସେ ଯଦି କେତେବେଳେ କେଉଁଠି ମରିଯାଇଥାନ୍ତା ? ମୁଁ ତ ଶୁଣିଛି ତା’ ଜୀବନରେ କେଜାଣି କେତେଥର ସେପରି ଘଟିଛି, ସୂତା ଖିଅକେ ସେ ବଞ୍ଚିଛି । ଉପାସ, ମାଡ଼, ପ୍ରକାର ପ୍ରକାର ଦେହ ଦୁଃଖ, ଶୋଇଥିବା ବେଳେ ଘରେ ନିଆଁ ଲଗାଇବା, ଶତ୍ରୁ ହାତର ତୀର, ଶତ୍ରୁ ବନ୍ଧୁକରୁ ଗୁଳି, ବାଘ, ହାତୀ, ମଟର ଦୁର୍ଘଟଣା, ଥରେ ଗୋଟାଏ ଅପରେସନ୍‌, ଦି’ଥର ନିଜେ ଆତ୍ମହତ୍ୟା ପ୍ରଚେଷ୍ଟା !! ସେ ଯମ-ଅଇଁଠା, କିନ୍ତୁ ଯେ କୌଣସି ଥର, ତା’ ବିପଦ ବେଳେ,–ମୁଁ ଆଦୌ ଶୁଣିଥିଲି ନା ତା’ କଥା ଭାବିଥିଲି ! ପଢ଼ିଲାବେଳେ କିଏ କେବେ ଭାବିଥିଲା ଏଇଆ ସେ ହେବ ? କିଏ ତାକୁ ଗୁରୁତ୍ୱ ଦେଇଥିଲା ?

 

ଆମେ ସମସ୍ତେ ମଦଦୋକାନ ଆଗରେ ପାହାର ଖାଇଥିଲୁଁ । ସେ ପାହାର ଖାଲି ତାହାରି ବ୍ୟକ୍ତିତ୍ୱର କାମରେ ଆସିଲା । ଖବରକାଗଜରେ ତା’ ଭାଷଣରେ ମୁଁ ପଢ଼ିଛି ସେ ପିଲାଦିନେ ମଦଦୋକାନ ଆଗରେ ପିକେଟିଂ କରି ନିସ୍ତୁକ ପାହାର ଖାଇଥିଲା; ଆଉ କିଏ କିଏ ପାହାର ଖାଇଥିଲେ କି ନାହିଁ ସେ କହେନାହିଁ, ବୋଧହୁଏ ମନେ ରଖିନାହିଁ । ମନେରଖିବା ଉଚିତ ଭାବିନାହିଁ; କିନ୍ତୁ ସେ ସଗର୍ବରେ କହେ, ‘‘କେଉଁମାନେ ମତେ ମୋ ବାରବର୍ଷ ବୟସରେ ଏଭଳି ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ ମୋର ମନେନାହିଁ, ମନେଥିଲେ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଇଥାନ୍ତି ।ସେହିମାନେ ମୋର ଆଦ୍ୟଗୁରୁ । ସେହି ପାହାର ଖାଇଖାଇ ମୋ ଅନ୍ତର ଭିତରେ ପ୍ରତିଜ୍ଞା କୁହୁଳି ଉଠିଲା । ମୁଁ ଆଜୀବନ ଏଇଆ କରିବି, ଯେଉଁଠି ଅତ୍ୟାଚାର ନିପୀଡ଼ନ ଶୋଷଣ, ସେଠି ପାହାର ଖାଇବାକୁ ଠିଆ ହେଉଥିବି ମୁଁ । ସେ ଦିନଠୁଁ ମୋ ମନର ଗତି ସେହି ମାର୍ଗ ଧରିଲା-। ମୁଁ ନିଜକୁ ତିଆରି କଲି, ଭୋଗପାଇଁ ନୁହେଁ, ଜୀବନଯାକ କଷ୍ଟ ସହି ସହି ଅନ୍ୟାୟ ଅନୀତିର ମୁହାଁମୁହିଁ ହେବାକୁ । ପରକୁ ପାହାର ଦେଇ ମୋ ଅଭିମାନ ଚଳେନାହିଁ, ଚଳେ ପରଠୁଁ ପାହାର ଖାଇ ଖାଇ । ଜାତିର ଜନକ ଆମ ଆଖି ଆଗରେ-’’

 

ସତେ ? ହରି ନିଜକୁ ତିଆରି କରୁଥିଲା ? ନା ତାକୁ କେତେବେଳେ ତିଆରି କରିଦେଲା କେଉଁ ମୁଣ୍ଡଘୁରା ଖଣ୍ଡିଆଭୂତ, ପବନ, କେଉଁ ଛିଣ୍ଡାକନାକୁ କେଉଁ ପତ୍ରକୁ ଯେ କେଉଁଠୁ ଗୋଟାଇନେଇ କୁଆଡ଼େ କୁଆଡ଼େ ଟେକି ଟେକି ବୁଲାଏ ?

 

ହରି ତା’ ନିଜ ପ୍ରତିମା ଗଢ଼ୁଛି । ଜୀଇ ଥାଉ ଥାଉ ନିଜେ ଗଢ଼ାଇ ଥୋଇଗଲେ ଭଲ, ଆପଣା ତତ୍ତ୍ୱାବଧାନରେ ଗଢ଼ିହେବ । ଖୁବ୍‌ ଦମ୍ଭ କରି । ମୁଁ ତ ଭାବେଁ ନିଜେ ନିଜ ସମାଧି ମନ୍ଦିର ବି ଆଗରୁ ତୋଳାଇଦେଲେ ଭଲ । ଛକଜାଗା ଦେଖି । ହାଟପାଖ । ଛୋଟ ଜାଗା, ଚାରିକରେ କାରୁକାର୍ଯ୍ୟମୟ ପାଚିରି । ଭିତରେ ନିଜ ମନଲାଖି ଫୁଲବଗିଚା, ରଙ୍ଗ, ମହକ, ଛାଇ । ପାଣି, ଆଲୁଅ, ସବୁ ବନ୍ଦୋବସ୍ତ ହୋଇଥିବ । ସେଇଠି, ମନ୍ଦିର ଉପରେ ଆଖି ଦୁରୁଶିଆ ହୋଇ ମୂର୍ତ୍ତିଟି ଯେଉଁ ଭଙ୍ଗୀରେ ରହୁବୋଲି ମୁଁ ଚାହେଁ ସେମିତି । ହାତଟେକି ଯୋଦ୍ଧୃବେଶରେ ଘୋଟକ ଉପରେ-? ଖାଲି ଦେହ, ପଦ୍ମାସନ, ଧ୍ୟାନସ୍ଥ ହେଲାପରି ? ଭବିଷ୍ୟତର ମୋର ପଣ-ପଣ ନାତିମୟ ଜନତାଙ୍କୁ ଦି’ହାତ କପାଳରେ ଯୋଡ଼ି ଗଭୀର ଭକ୍ତିରେ ଦଣ୍ଡବତ କଲାପରି ? ଭାବି ବି ସେଇଟା । କେତେ ବୁଦ୍ଧିମାନ୍‌ ରାଜା ମହାରାଜା ନିଜ ମୂର୍ତ୍ତି ରଖିଯାଇଛନ୍ତି ।

 

ଅବଶ୍ୟ, ସମୟ ଟିକିଏ ଏପଟ ସେପଟ କରେ । ଯେମିତି କନିଷ୍କଙ୍କରମୁଣ୍ଡ ରହିନାହିଁ ଗଣ୍ଡିରହିନାହିଁ ଗୋଡ଼ ଯୋଡ଼ିକ ରହିଛି । ରହିଥାଉ ଶେଷରେ ମୋର ଗୋଡ଼ ଯୋଡ଼ାକ ଖାଲି, କାହାର ତ କିଛି ରହେ ନାହିଁ ।

 

ହରି ନିଜ ପ୍ରତିମା ଗଢ଼ୁଛି ଆଗ ତା’ ଇହକାଳରେ ସେଥିରୁ କିଛି ଲାଭ ପାଇବ ବୋଲି ବୋଧହୁଏ । ପଛେ ପରକାଳ ପାଇଁ । ସାର୍ଥକ ହେଉ ତା’ ଉଦ୍ୟମ । ତାକୁ ମୁଁ ଭୁଲିଯାଇଛି ।

 

ତଥାପି ଲାଗେ କଲେଜ ମୋ ପକ୍ଷରେ ବ୍ୟର୍ଥତାର ପ୍ରତୀକ । କିନ୍ତୁ ସେତେବେଳେ କ’ଣ ସେଇଆ ଭାବୁଥିଲି ? ଜାଣେ ନାହିଁ ।

 

ବେଳେ ବେଳେ ମୁଁ ନିଜକୁ ଭୁଲିଯାଏଁ, ଅର୍ଥାତ୍‌.... ଚିହ୍ନା ମୁହଁ ଦେଖି ମଣିଷ ଯେମିତି ଭୁଲିଯାଏ, ତା ନାଁ କ’ଣ, ତାକୁ କେଉଁଠି ଦେଖିଥିଲା, ସେମିତି । ମୁଁ ସେ ନୁହେଁ, ଯେ ବିଛଣାରେ ମୁତୁଥିଲା, ମୁଁ ସେ ନୁହେଁ ଯେ, ମାଡ଼ ଖାଉଥିଲା, ମୁଁ ସେ ନୁହେଁ ଯେ–ସେମାନେ ଆଉ କିଏ କିଏ ବୋଧହୁଏ । କଲେଜ ଦିନର କଥା କହେଁ ! ଥିଲା ଗୋଟିଏ ପିଲା ଯେ ଗୋଟାଏ କଂସେଇଖାନା ପାଖେ ରହୁଥିଲା । ସେଉଠୁ କଲେଜ ଯାଉଥିଲା । ଥିଲା ଗୋଟାଏ ପିଲା ଯେ ଠିକ୍‌ କଲେଜ ସାମ୍‌ନା ଧୋବା ବସ୍ତିରେ ରହୁଥିଲା, ସେଠି ବହୁତ ଗଧ ଥିଲେ, ଗୋଟାଏ ପୋଖରୀ ଥିଲା ଯେଉଁଠି ଡଉଲ ଡାଉଲ ଝିଅଟିଏ ସକାଳେ ଏକ ଧ୍ୟାନରେ ଲୁଗା କାଚୁଥାଏ, ଟୋକାଟି ଏକ ଧ୍ୟାନରେ ତାକୁ ଅନେଇଁଥାଏ, ମୁହଁ ତଳେ ଖୋଲା ବହିଟିଏ କେବେ କେବେ ବୋଧହୁଏ ମନେ ମନେ ଚଣ୍ଡୀଦାସ ପଦାବଳୀରୁ ପଦେ ପଦେ ଗାଏ, ‘‘ ଶୁନ ରଜକିନୀ ରାମା– ।’’ ଥିଲା ଗୋଟିଏ ପିଲା ଯେ ସ୍ୱପ୍ନ ଦେଖୁଥିଲା । ଯେ ସେ ହୋଇଛି ଦେଶର ସବୁଠୁ ବଡ଼ ଶିଳ୍ପପତି, କେତେଠିଁ କେତେ ପ୍ରକାଣ୍ଡ ପ୍ରକାଣ୍ଡ କାରଖାନା ତା’ର । ହଜାର ହଜାର ପରିବାରଙ୍କୁ ସେ ଅର୍ଜନ କରିବାକୁ ସୁବିଧା ଖଞ୍ଜିଛି । ତାଙ୍କପାଇଁ ନାନା ସୁଖସୁବିଧା ଥୋଇଦେଇଛି । ସେମାନେ କୃତଜ୍ଞ, ସେ ଖୁସି । ବାଛି ବାଛି ଏଭଳି ଲୋକଙ୍କୁ ମଣିଷ କରିଦେଇଛି ଯାହାଙ୍କର କୌଣସି ଥାଇତା ନଥିଲା । ଥିଲା ଗୋଟିଏ ପିଲା ସହରର ଗୋଟିଏ ବଦ୍‌ନାମ୍‌ ଥିବା ଗଳିର ବାଟମୁହଁ ପାଖେ ଆଉ ଗୋଟିଏ ବସାରେ । ତା’ ଟିଉସନ୍‌ ଚାଲିଯାଇଥିଲା । ଜଣେ ପେନ୍‌ସନ୍‌ ନେଇଥିବା ନାଁ ଡାକ ଶିକ୍ଷକ ତାଙ୍କ ବସାରେ ଚାହାଳି ପରି ଖୋଲିଦେଇ ଅନେକ ଟିଉସନ ଛଡ଼ାଇ ନେଇଥିଲେ । ସେ ପିଲାଟି ଦେଖୁଥିଲା । ସହରର କେତେ ବଡ଼ ବଡ଼ ଲୋକଙ୍କ ଗାଡ଼ି ସେ ଗଳିରେ ସଞ୍ଜ ବୁଡ଼େ ଆସି ଠିଆହୁଏ, କିଏ ବାହାରନ୍ତି କି କିଏ ଗାଡ଼ିରେ ପଶନ୍ତି ଗାଡ଼ି ଚାଲିଯାଏ । ସେ ପିଲାଟି ଖୋଜି ଖୋଜି ପଢ଼ୁଥିଲା ବିପ୍ଳବର ଦର୍ଶନ ଓ ଅଭ୍ୟାସ ବିଷୟରେ ନାନା ବହି, କେତେ ଗରିବ ବସ୍ତିରେ ବୁଲୁଥିଲା, କେବେ ଦିନବେଳେ ସେହି ବଦ୍‌ନାମୀ ଗଳିରେ ବି, ଭାବପ୍ରବଣ ହୋଇ ଭାବୁଥିଲା, ବିପ୍ଳବ ଯେ ପ୍ରୟୋଜନ, ଅପରିହାର୍ଯ୍ୟ, ଏଇ ତା । ପ୍ରମାଣ ଧନ୍ଦି ହେଉଥିଲା କେଉଁଠୁ ସେ ପାଇବ ବିପ୍ଳବୀ ଗୁରୁ, ବିପ୍ଳବୀ ସଂସ୍ଥା ଭିତରେ ପଶିବାକୁ ଚୋରାବାଟ । ଦାନ୍ତ ରଗଡ଼ି ରଗଡ଼ି ଖର ନିଃଶ୍ୱାସ ପକାଇ ଭାଡ଼ି ଉପରେ ଯାତ୍ରାର କଂସ ପରି ପାଇଖାନା ଛାତ ଉପରେ ସଞ୍ଜ ପହରେ ଟହଲୁଥିଲା, ଅଳ୍ପ ବଙ୍କାହୋଇ, ପିଠି ଆଡ଼େ ହାତଛନ୍ଦି, କୋଠମାଳ; ଆଉ ଆଲୁଅ ମାଳମାଳ ଆଡ଼କୁ ଚାହିଁ ଚାହିଁ, ତା’ ଆଖି ଆଗରେ ଖାଲି ବିସ୍ଫୋରଣ ଦିଶୁଛି ଏଠିସେଠି, ସବୁ ଜଳିଯାଉଛି, ଛତରଛାଉଳ ହୋଇଯାଉଛି ।

 

ଏ ପିଲାମାନେ ଏ ମଣିଷମାନେ କ’ଣ ଏକା ଲୋକ ? ମୋ ଅତୀତକୁ ମୁଁ ଆଜି ଚାହିଁଲେ ନିଜଠିଁ ଯେଉଁ ବିଷୟରେ ଯେଉଁ ଭାବ ଆସିଥିଲା, ନିଜ ଆଖି ଆଗରେ ଯେଉଁ ମୂଲ୍ୟବୋଧ ଅନୁଯାୟୀ ଯେଉଁ ଚିତ୍ରଗୁଡ଼ିକ ଦିଶିଯାଉଛି, ସବୁ ଯେମିତି ଏକା ଗାରର ବିଭିନ୍ନ ଅଂଶ, ଏକା ରାଗିଣୀର ବିଭିନ୍ନ କ୍ରମପର୍ଯ୍ୟାୟ, ସେହି ସେହି ବର୍ଷରେ ମୁଁ କ’ଣ ସେଇଆ ଭାବୁଥିଲି, ଦେଖୁଥିଲି, କଳୁଥିଲି ?

 

ବିଶ୍ୱାସ ହୁଏନାହିଁ ।

 

କେମିତି ହେବ ? ମୁଁ ତ ଅନୁଭବ କରୁଛି କାଲି ମୋ ମନର ଯେଉଁ ରୂପ ଥିଲା, ଠିକ୍‌ ଏମିତିବେଳେ, ଆଜି ତା’ ନାହିଁ, ଭିନେ ମନ, ଭିନେ ରୁଚି, ମୋ ମନର ଭିନେ ଫର୍ମାସି, କାଲି ଯେଉଁଥିପାଇଁ ମୁଁ ଝୁରୁଥିଲି, ଆଜି ସେ ମାଗଣାରେ ମିଳିଲେ ବି ମୁଁ ନିଅନ୍ତି ନାହିଁ । କେତେଲୋକ ଲାଗୁଥିଲେ କେତେବେଳେ ଅତି ଆପଣାର ବୋଲି, ଦିନେ ନଦେଖିଲେ ବଣା, ଆଜି ମୁଁ ସେମାନଙ୍କୁ ଚିହ୍ନେ ନାହିଁ । କାହାର ଆପଣାର ହୋଇଥିଲେ ସେମାନେ ?

 

ଅଥଚ ମୋ’ର ପୂର୍ବଜନ୍ମର ସ୍ମୃତିପରି ସେସବୁ ବି ଲାଗେ ମୋ’ରି ଛବି, ମୋ’ରି ପ୍ରତିମା, ମୋ’ରି ସ୍ୱରୂପ ପରି । କିଏ ଯେପରି ମନ ଭିତରେ ଥାଇ ମୋ କାନ ଭିତରେ କହିଦିଏ, ବେଳେ ବେଳେ ଅନ୍ୟମାନେ ବି କହନ୍ତି, ‘‘ତୁମେ ପରା ସେତେବେଳେ–” ଭୁରୁଡ଼ାଇ ଦିଏଁ, ଲୋକ ଦେଖି, “ଧେତ୍, ତୁମେ ଭୁଲ୍‌ କହୁଛ–’’

 

ପ୍ରମାଣ କ’ଣ ? ପ୍ରମାଣ କାହିଁ ? ଏଁ ମୁଁ ମହାରାଜା ଦୁଷ୍ମନ୍ତ ତୁମକୁ ଦେଖିଥିଲି କଣ୍ୱମୁନିଙ୍କ ଆଶ୍ରମରେ ! ତୁମ ନାଁ କ’ଣ ? ଶ-କୁନ୍‌-ତ-ଳା ? ଅସମ୍ଭବ ! ମୁଁ ତୁମକୁ ଚିହ୍ନିନାହିଁ ।

 

ଖାଲି ଚିହ୍ନିନାହିଁ କହି ମନ ଶାନ୍ତି ପାଏ ନାହିଁ, ମୋ ନିଜର ସେହି ସମ୍ଭାବିତ ପୂର୍ବ ପରିଚୟର ଛବିକୁ ମୁଁ ଆକ୍ରମଣ କରେଁ, ମନରେ ରାଗ, ହିଂସା, କେତେବେଳେ ଈର୍ଷା । ତା’ର ଦୋଷ ବାଛିବି, ସେଇଟା ମୋଠୁଁ କେତେ ଗୁଣରେ ସାନ, ଆଉ ହୀନ ସେଇଆ ପ୍ରମାଣ କରିବି । ତେବେ ସିନା ମୋ ମନ ଦମ୍ଭହେବ, ନିଜ ଉପରେ ବିଶ୍ୱାସ ରହିବ; ଆଉ ମୋ ରକ୍ତରେ ସବୁବେଳେ ତେଜ ହେବାପାଇଁ ସବୁବେଳେ ମୋ ଭିତରେ ଜଳୁଥିବ ଆଶା । ନହେଲେ ଅତୀତର ସେଇଟା ଯଦି ପ୍ରକୃତରେ ମୋ’ରି ଅତୀତ, ଯଦି ସେ ବର୍ତ୍ତମାନର ମୁଁ ଠୁଁ ବେଶି ଦାମୀ, ବେଶି ବଳୁଆ କି ବେଶି ଭଲ ବୋଲି ମୁଁ ଗ୍ରହଣ କରିନେବି କେତେବେଳେ, ତେବେ ଆଉ ମୋର ବଂଶ ରହିବାକୁ କାରଣ ବି କ’ଣ ରହିବ ? ମୋର ତ ହା’ ପଶିଯିବ, ଭାବୁଥିବି ଯେ ମୁଁ କ୍ଷୟ ହୋଇଗଲି, ତଳକୁ ତଳକୁ ଚାଲିଛି, କ୍ଷୀଣରୁ କ୍ଷୀଣତର ହୋଇ ହୋଇ– ।

 

ଅତୀତକୁ ପ୍ରତ୍ୟାଖ୍ୟାନ କରିବାକୁ ମୋର ଅସୁବିଧା ହୋଇଥାନ୍ତା, ଯଦି ମୋ ମନର ଫଟୋ ରହିଯାଉଥାନ୍ତା । ସେମିତି ରହେ ଚିତ୍ରକରମାନଙ୍କର, ଲେଖକମାନଙ୍କର । ବିଚରାଟିମାନେ ଆପଣାମନର ଟେକ ଅତୁଟ ରଖିବା ସକାଶେ ନିଜର ଅତୀତର ଲିପିବଦ୍ଧ ସ୍ୱରୂପ ଗୁଡ଼ାକ ସଙ୍ଗରେ କୁସ୍ତି ଲଢ଼ୁଥାନ୍ତି । ‘‘ସେତେବେଳେ ଏ ବହିଟା ଲେଖିଥିଲି, ଭଲ ହୋଇଥିଲା ବୋଲି ନାଗରା ବାଜୁଥିଲା; କିନ୍ତୁ ବର୍ତ୍ତମାନ ମୋର ଯାହା ବାହାରିଛି, ନା,–ତା’ ଅପେକ୍ଷା ସହସ୍ରେ ଗୁଣେ ଭଲ । ସେଥିରେ ଖାଲି ତ ପିଲାଳିଆ ଉଚ୍ଚ୍ୱାସ ଥିଲା କିନ୍ତୁ; ଜ୍ଞାନ, ଦର୍ଶନ, ଜୀବନର ମୂଲ୍ୟାଙ୍କନ ? ନଥିଲା ଏତେ ପରିମାଣରେ । ଲୋକେ ଆଦର କରୁନାହାନ୍ତି । ସେଥିରେ ଆଶ୍ଚର୍ଯ୍ୟ ହେବି କାହିଁକି ? ଏତେ ଶିକ୍ଷିତ ସେମାନେ କେବେ ହେଲେ ? ଏ କ’ଣ ଶସ୍ତା ବହି ହୋଇଛି ? ତଥାପି, ବୁଝୁଥିବେ ଯେ କେହି କେହି, ସେହି ଯେଉଁମାନେ ଜୀବନଟାକୁ ପ୍ରାୟ ପାରିହୋଇ ଆସିଲେଣି, କେତେ ତୋଫାନ କେତେ ବଢ଼ି ଅଙ୍ଗେ ନିଭେଇ ସାରିଛନ୍ତି । ବାହାରୁ ଆଖି ଓଟାରି ନେଇ ଭିତରକୁ ଦେଖିବାକୁ ଆରମ୍ଭ କଲେଣି, ସେହିମାନେ ବୁଝିବେ ୟା ତତ୍ତ୍ୱ । ଆଉ-ସାଧାରଣ ଲୋକ ? ଶହେ ବର୍ଷ ପରେ ଯେଉଁମାନେ ଆସିବେ, ସେମାନେ ବୁଝିବେ ।’’

 

ଆପଣା କଥାରେ ଆପଣା ମନ ଭୁଲିଯାଏ, ସଂପୂର୍ଣ୍ଣ ବିଶ୍ୱାସ ନଆସୁ ପଛେ, ଆଗରେ ଆଶାର ମଶାଲ ନିଭେ ନାହିଁ, କିନ୍ତୁ ବେଳେ ବେଳେ, ମନ ଯେତେବେଳେ ଅଝଟ ହୋଇ ରା’ ଧରେ, ଅତୀତରେ ଲେଖିଥିବା କୃତିମାନେ ଖତେଇ ବିଗୁଲେଇ ହୁଅନ୍ତି, ସେତେବେଳେ ?

 

ପିଠିର ବଥ ରଟରଟ ହୁଏ, ମନ ବୋଧମାନେ ନାହିଁ ଛାଇ ହେଲା ଭାବି ।

 

ଜନରଞ୍ଜନ ଡାକୁଆଙ୍କର ସେହିଆ ହୋଇଛି, କେତେଥର ମୋ ଆଗରେ ମୁହଁ ଫିଟେଇଲଣି । ଓଲଟି ମୁଁ ତାକୁ ବଳ ଦିଏ ‘‘ସେତେବେଳେ ଲେଖୁଥିଲି ଟୋକାଳିଆ ଧୃଷ୍ଟତାର କାହାଣି, ଏବେ ଲେଖୁଛ ବୁଦ୍ଧ, ଖ୍ରୀଷ୍ଟ, କନ୍‌ଫସିୟମଙ୍କ ଦର୍ଶନକୁ ବୁଝେଇ ବୁଝେଇ ଉପନ୍ୟାସ । ସେତେବେଳେ ଲେଖୁଥିଲ ମାଇଚିଆ ଗାଉଁଲି ବୋଲିରେ, ଏବେ ଲେଖୁଛ ଶୁଦ୍ଧ ଭାଷାରେ ସଂସ୍କୃତ ଶବ୍ଦ ଯୋଡ଼ିଯୋଡ଼ି । କମ୍‌ ସାଧନା ବଳରେ ଏ ଅଗ୍ରଗତି ସମ୍ଭବ ହୋଇଛି ? ତୁମେ ପଛେଇଛ ଭାବି ମନଦୁଃଖ କରୁଛ !’’

 

ଉଠ, ଜନରଞ୍ଜନ ଡାକୁଆ, କ୍ଷୁଦ୍ରଂ ହୃଦୟ ଦୌର୍ବଲ୍ୟଂ ତ୍ୟକ୍ତ୍ୱୋତ୍ତିଷ୍ଠ ପରନ୍ତପ ।

 

ଏମିତି କହିଲେ ତାଙ୍କ ମୁହଁରେ କେଡ଼େ ମନଖୋଲା ପିଲାଳିଆ ହସ ଫୁଟିଉଠେ ! ତାଙ୍କ ସ୍ତ୍ରୀ ରଜନୀ ମତେ କୃତଜ୍ଞ ହୋଇ ଅନାଏଁ । ରଜନୀର ମୁହଁ ଉପରୁ ବି ବୟସର ଅଳିନ୍ଧୁ ଫୁଟ ଝଡ଼ିପଡ଼େ । ମୋ ବେଁ ଶିରା ହାଡ଼ ଭିତର ଶିର୍‌ଶିର୍‌ ହୋଇ ବେକ ପଛଆଡ଼ କାନପଛ ଆଡ଼ ଉଷୁମ ହୋଇଯାଏ । ଅତୀତର ରଜନୀ ମନେପଡ଼େ । ମୁଁ କହେ, ‘‘ତୁମେ ସାଧକ, ତୁମେ କୀର୍ତ୍ତିମାନ୍‌, ତୁମେ ଦେଶକୁ ଜାତିକୁ ଦେଇଯାଉଛ କେତେ ଦାନ, ଆମେ ମଲେ ଗଲୁଁ, କେହି ମନେରଖିବେ ନାହିଁ । ତୁମେ ଅମର ।’’

 

ସତେ ସେ ଅମର ? ମୁଁ ଜାଣେ ନାହିଁ । କିନ୍ତୁ ରଜନୀର ସେ ଚାହାଣୀ ମତେ ଭଲ ଲାଗେ । ଡବଡ଼ବ ଆଖି, କେତେ କ’ଣ କହୁଛି । ଦୁଃଖିତ ଗମ୍ଭୀର ବିବ୍ରତ ଜନରଞ୍ଜନ ହସିଲେ ମତେ ଭଲଲାଗେ । ମୁଁ ଭାବେଁ, କ’ଣ ହେବ ସେ ମରିଗଲେ ? ଦିନେ ଛୁଟି ହେବ ? ଦେଶ ଶୋକ ପାଳିବ ? ନା, ସଭା ଗୋଟାଏ ଅଧେହେବ । ଖବର କାଗଜରେ କାହା କାହା ଶୋକ ପ୍ରସ୍ତାବ କି ଶୋକବାର୍ତ୍ତା ବି ଅଧେ ବାହାରି ପାରେ । ବିଶେଷତଃ ‘ପବିତ୍ରପୁର ସାହିତ୍ୟ ସମାଜ’, ‘ଚାଇଁମରି ସାହିତ୍ୟ ସମାଜ’ ପରି ଅନୁଷ୍ଠାନମାନେ ନିଶ୍ଚୟ ପ୍ରସ୍ତାବ ଦେବେ ।

 

ଆଗେ ଜନରଞ୍ଜନ ଡାକୁଆ ବହୁତ ଉପନ୍ୟାସ ଲେଖିଥିଲି, ପ୍ରକାର ପ୍ରକାର ପ୍ରେମକାହାଣୀ, ହତ୍ୟା ଆତ୍ମହତ୍ୟା ଓ ଆକସ୍ମିକ ଦୁର୍ଘଟଣା କାହାଣୀ, ବହୁତ ବିକ୍ରି ହୋଇଛି । ବୟସ ହେଲା, ଜନରଞ୍ଜନ ପାଣ୍ଡିତ୍ୟପୂର୍ଣ୍ଣ ଗମ୍ଭୀର ଲେଖା ଲେଖିବାକୁ ଚେଷ୍ଟାକଲେ ୟେ ହେଲା ନାହିଁ କିସେ ହେଲା ନାହିଁ, ନିଜେ ଘାଉଡ଼ା ହେଲେ ।

 

ମୁଁ ବି ତାଙ୍କ ପ୍ରଭାବରେ ପଡ଼ି ଦିନାକେତେ ଚେଷ୍ଟା କରୁଥିଲି ଉପନ୍ୟାସ ଲେଖିବ ବୋଲି-। କିଛି କିଛି ଲେଖିଥିଲି । ତା’ପରେ ଜାଣିଶୁଣି ନିରସ୍ତ ହେଲି । ସେତେବେଳେ ନିରସ୍ତ ହେବାର କାରଣ ଭିନେ ଥିଲା । ଲେଖୁ ଲେଖୁ ଆବିଷ୍କାର କଲି ମୁଁ ମୋ ନିଜ କଥା ହିଁ ଲେଖିଯାଉଛି-। ଏ ଯେଉଁ ଦୁନିଆରେ ଚତୁର ଲୋକ ପର ଆଗରେ ନିଜ ନାଁ କହିବାକୁ ବି ଅନିଛୁକ ହୁଏ, ନିଜ ଘରକଥା ପଦାରେ ପଡ଼ିଲେ ଲଜ୍ଜା ଓ ଆତଙ୍କରେ ଅସ୍ଥିର ହୁଏ କାଳେ ସେଥିପାଇଁ ଆଉ କାହାର ଶିକାର ହେବାକୁ ପଡ଼ିବ ଭାବି ସେଠି ମୁଁ କଣ କରୁଛି ? ମୋ ମନ ଭିତରର ସବୁ ଗୁପ୍ତ କୋଠିର କବାଟ ଝରକା ଠିଆ ମେଲାକରି ଦେଉଛି ଖାଲି ସେତିକି ନୁହେଁ, ତାକୁ ସତେକି ଖବରକାଗଜରେ ଛାପିଦେଉଛି ।

 

ଯାହା ଯାହା ମୁଁ କରିଛି ଖାଲି ସେତିକି ନୁହେଁ । ଯାହା ଯାହା ମୁଁ କରିନାହିଁ, କରିବି ବୋଲି କେବେ ମନରେ ତୁନି ତୁନି କରି ଭାବିଥିଲି, ଯାହା ମୋ ଜାଣତା ମନଠୁଁ ବି ଶଙ୍କି ଶଙ୍କି ଅନ୍ଧାରରେ ଲୁଚିଛପି ରହିଥିଲା, ତାକୁ ବି ମୁଁ ସର୍ବସାଧାରଣ କରିଦେଉଛି ଯେ ! ତାହେଲେ,–ପର ମଣିଷ ଝରକା ଫାଟବାଟେ ଖାଲି ଉଂକିମାରି ମୋ ଘର ଭିତର କଥା ଦେଖିବ, ସେତିକି ନୁହେଁ ମନ ହେଲେ ଖୋଲାଖୋଲି ଭାବେ ଦେଖିବି, ହାତରେ ଧରି ଆଖିପାଖକୁ ନେଇ ନିକୁଟି ନିକୁଟି ଦେଖିବ, ପରଖିବ, ଭଲିବ, ଯାହା ମନ ତାହା କରିବ । କ୍ଷତି ଛଡ଼ା ଲାଭ କ’ଣ ହେବ ମୋର ! ଏ ସଂସାରରେ ମଣିଷ ଏକା ଚଳେନାହିଁ, ଅନ୍ୟମାନଙ୍କୁ ଘେନି ଚଳେ । ତାଙ୍କରି ଭୁଲ୍‌ର ସୁବିଧା ନିଏ, ତାଙ୍କରି ଦୟା, ସାହାଯ୍ୟ ଉପରେ ନିର୍ଭରକରେ । ସେମାନେ ଯଦି ମଣିଷଟାକୁ ବହି ପଢ଼ିଲା ପରି ପଢ଼ିପାରିଲେ ତେବେ ତ ସରିଲା ।

 

ଲେଖିଲେ ଖାଲି ନିଜେ ଚିହ୍ନା ପଡ଼ିଯାଉଛି ସେତିକି ନୁହେଁ, ଆହୁରି ମୁଁ ଦେଖିଲି, ଆଉ ଯେଉଁମାନଙ୍କ ବିଷୟରେ ମୁଁ ଯାହା ଯାହା ଜାଣେଁ ତାକୁ ବି ପ୍ରକାଶ କରିଦେଉଛି ! ମୁଁ ସେମାନଙ୍କ ନାଁ ନଦେଇ ପାରେଁ, ଚେହେରାକୁ ବଦଳାଇ ଲେଖିପାରେ; କିନ୍ତୁ ନାଁ, ଠିକଣା, ପରିଚୟ, ଚେହେରା, ଏସବୁ କଥା ଉହାଡ଼ରେ ସେମାନେ ମଣିଷ ହିସାବରେ ଯାହା ଯାହା ବୋଲି ମୋ ଆଖିକି ଦିଶିଛନ୍ତି, ସବୁ ତ ମୁଁ ଗାଇଯାଇଛି, ଅବିକଳ ନିଜ କଥା ଗାଇଲାପରି ! ସେମାନେ ନିଜେ ତ ଅନୁଭବ କରିପାରିବେ ମୁଁ ତାଙ୍କରି କଥା କହୁଛି । ଅନ୍ୟମାନେ ବି ସନ୍ଦେହ କରିବେ । ମୋ ଲେଖାରୁ ଗୋଟିଏ ଅଧ୍ୟାୟ ଶୁଣୁଶୁଣୁ ଜନରଞ୍ଜନ ଡାକୁଆ ନିଜେ ତ କଟାସ ପରି ମତେ ଅନାଇଁ ରହିଥିଲେ, ମୋ ଜୀବନ ଅଭିଜ୍ଞତା ବିଷୟରେ କେତେକଥା ପଚାରିଲେ । ତାଙ୍କ ସ୍ତ୍ରୀ ରଜନୀ ବି କାନେଇଥିଲା । ତା’ର ଡବଡ଼ବ ଆଖିରେ ଦେଖିଲି ଛାନିଆର ଛାଇ ।

 

ଜନରଞ୍ଜନ ଡାକୁଆ ମତେ ତାଙ୍କ ପ୍ରତିଦ୍ୱନ୍ଦୀ ବୋଲି ଆଦୌ ଭାବିଲେ ନାହିଁ । କହିଲେ ତୁମର ମୋର ଦିଗବାଗ ଭିନେ । ଏ ଉଭୟ ପ୍ରକାର ଲେଖାପାଇଁ ପାଠକ ଅଛନ୍ତି, ତୁମେ ଚଳାଅ, ଖୁବ୍‌ ଭଲ ହେଉଛି ।

 

ଆଉ ଏମିତି କେତେଥର ଖୋଲା ଖାତାରୁ ପରଙ୍କୁ ପଢ଼ି ଶୁଣାଇ ପ୍ରଶଂସା ପାଇଲା ପରେ ମୁଁ ଲେଖା ବନ୍ଦକଲି, ମୋର ଗ୍ୟାନ ଆସିଗଲା । ମଉଜ ଯେ କରେ ସେ କରେ, ପଦାରେ କହିବୁଲିଲେ ଗୁମର ଫିଟାଇଦେଲେ ମଉଜ ରହେନାହିଁ ।

 

ମୁଁ ଲେଖକ ହେବି ନାହିଁ, ମୋ ଘରେ ପଶିବାକୁ ଚୋରକୁ ବାଟ ବତେଇବି ନାହିଁ । ମୁଁ ହେବି ବୁଦ୍ଧିମାନ୍‌ ହିସାବୀ ସାଧାରଣ ଲୋକ, ଓଲୁ ହେବି ନାହିଁ । ଯଦି କେବେ ଲେଖିବି, ପାରିଲେ ଲେଖିବି ପିଲାଙ୍କ ପାଠବହି, ଅଭିଧାନ, ବ୍ୟାକରଣ ଓଷାବାର ବିଧି, ତୁଟୁକା ଚିକିତ୍ସା ବିଷୟରେ, ପଶୁପକ୍ଷୀଙ୍କ ବିଷୟରେ ବି ଲେଖିପାରେ ।

 

ନିଜ ସଙ୍ଗେ ଯୁକ୍ତି କରି ନିଜ ମନକୁ କିଳି ମୁଁ ସେତେବେଳେ ଲେଖକ ହେବା ଭଳି ବିପଜ୍ଜନକ ଭାବପ୍ରବଣତା ହାତରୁ ତ୍ରାହି ପାଇଥିଲି । ମୁଁ ଦେଖିଛି, ଜୀବନରେ ଯେତେଯେତେ ଲୋକଙ୍କର ବହୁ ବିଚିତ୍ର ଅନୁଭୂତି ହୋଇସାରିଛି, ସେମାନେ ସେ ବିଷୟରେ ନୀରବ । ପାଟି କରୁ ଥାନ୍ତି ଖାଲି ଲେଖକ ବିଚରାମାନେ । ଡରୁଆ ମପାଚୁଆ ଜୀବନ, ସମାଜର କାଗଡ଼ା ଭିତରେ ସେ ଥାଏ, ଜନ୍ମରୁ ମରଣଯାକ ଖାଲି ବନ୍ଧାରୁଟିନ୍‌, କ’ଣ କ’ଣ କରିବାକୁ ପଡ଼ିବ, କ’ଣ କ’ଣ ନକରିବାକୁ ପଡ଼ିବ, ତାହାରି ବିଷୟରେ । ସ୍ନାୟୁରେ ଯୌବନ ଗଲୁ କଲାବେଳେ କେଉଁ ମୁହଁ ଗୋଟିକ ଯୋଡ଼ିକ ଉପରେ ମାୟା ହୋଇଯାଇଥିଲା, ପଛେ ଆଉ କେଉଁଠି ଖସଡ଼ାରେ ଦି’ଥର ଥରେ ଆଖିବୁଜି ପତନ, ଏମିତିକି ଅନୁଭୂତିକୁ ମାଛମଞ୍ଜି ବରା ପରି ଫେଣେଇ ଫେଣେଇ ଏଡ଼େ ବଡ଼ ବଡ଼ କରି ନାନା ରଙ୍ଗରେ ରଙ୍ଗାଇ ବାରମ୍ବାର ଲେଖକମାନେ ପରଶୁଥାନ୍ତି, ଏତେ ଅଳ୍ପପୁଞ୍ଜିରେ ସେମାନେ ବୋଲାନ୍ତି ‘ପ୍ରେମିକ କବି’, ‘ଗଭୀର ମନସ୍ତତ୍ତ୍ୱ ଅଧ୍ୟୟନକାରୀ ବିଚକ୍ଷଣ ଔପନ୍ୟାସିକ’ ସେଭଳି ପ୍ରେମିକ କବିଙ୍କୁ ଚିହ୍ନିନପାରି ଯେଉଁ ଝିଅଟି ଭୁଲ୍‌ରେ କେବେ ଚମ୍ପାଫୁଲଟିଏ ବଢ଼ାଇଦେଇଥିଲା ସେ ବହିର ନାୟିକା ହୋଇ ସେ ମାର୍କାମରା ହୋଇଯାଏ, ବାଟରେ ଗଲେ ଲୋକେ ଆଙ୍ଗୁଠି ଦେଖାନ୍ତି ‘‘ୟେ ସେହି’’ ବିପଜ୍ଜନକ । ଲେଖକ ବିଶ୍ୱାସ ରଖନ୍ତି ନାହିଁ ।

 

ତାଙ୍କର ସେ ପୁଞ୍ଜି ବି ସତେ କେତେକର !

 

ମଣିଷଙ୍କ ସାମୟିକ ମୋହ ଉତ୍ତେଜନାର କାହାଣୀ । ସେହି ପୁରୁଣା କଥା ଭୋକର ଦାଉ । ଅନ୍ଧାର ଘରେ ହାଣ୍ଡି ଧୁଡ଼ୁଧୁଡ଼ୁ । କୁକୁର ବିଲେଇ । କିଏ ଏଡ଼େ ତରକା, ଗୋଟିଏ କେହି ଚେଇଁଥିଲେ, ପଶବେ ନାହିଁ । କିଏ ପାଟି ଶୁଣିଲେ ପଳାଇବେ । କାହା ପିଠିରେ ପାହାର ନପଡ଼ିଲେ ସେ ଯାଏନାହିଁ । ନାନା ଜନ୍ତୁଙ୍କର ନାନା ସ୍ୱଭାବ ।

 

ସେମିତି, କାହା ପେଟର ଅଗ୍ନିମାନ୍ଦା, କାହାର ବା ହୁତୁହୁତିଆ, ବହୁତ ଭୋକ । କିଏ ଭୋକ ସମ୍ଭାଳିପାରେ, ଦୁର୍ବଳ ଲାଗୁଥାଉ; କିନ୍ତୁ କେହି ଜାଣିପାରିବେ ନାହିଁ ସେ ଉପାସ ଅଛି, କିଏ ଟିକିଏ ଭୋକରେ ବାୟା ହୁଏ । ଖାଇଲା ବେଳେ ବାଗ ବି ଭିନେ ଭିନେ, କିଏ ଆଖି ବୁଜି ଗିଳିପକାଏ । କିଏ ଚାଖି ଚାଖି ଖାଏ, ଓଠ ଚାଟେ ।

 

ମୁଁ ଯେତେବେଳେ ଲେଖକ ହେବି ବୋଲି ଦିନାକେତେ ଝୁଙ୍କ ଲାଗିଥିଲା ସେହି ଜନରଞ୍ଜନ ଡାକୁଆଙ୍କ ସଙ୍ଗରେ ପଡ଼ି, ସେତେବେଳେ ନମୁନା ପଢ଼ି ପଢ଼ି ନିଜକୁ ତାଲିମ୍‌ କରୁଥିଲି–ଅଥବା ନିଜର ନିଶା ଛଡ଼ାଉଥିଲି,–ଆଉ ସେତେବେଳେ ଏଇସବୁ ଚିନ୍ତା ମୋ ମନରେ ତର୍କ ବିତର୍କ କରୁଥାନ୍ତି, ଯେ ଏଗୁଡ଼ାକ ମୋର ବିଷୟବସ୍ତୁ ହେବ କାହିଁକି ? ଜୀବନରେ କତେଥର ଖାଇଛି, କେତେଥର କେଉଁ ନିତ୍ୟକର୍ମ କରିଛି, ଯେମିତି ମୁଁ ସେମିତି ଅନ୍ୟମାନେ,–ସେହି ଘସରା ଜୀବୀଧର୍ମର ନିତିଦିନିଆ ଗତରେ କ’ଣ ଏପରି ଅଛି ଯେଉଁଥିଲାଗି ମଣିଷ ତାକୁ ପୁଣି ପୁଣି ଲେଖୁଥିବ,–ନାନା ଛଇଛଟକ ଫୁଟାଇ,–କଥା କହିବାର ଭଙ୍ଗୀରେ,–ପୋଷାକ ପିନ୍ଧାଇବାର ନୂଆ ନୂଆ କାଇଦାରେ– ?

 

ଏ ଶରୀରରେ ଲୁଚାଛପା ବୋଲି କିଛିନାହିଁ; କିନ୍ତୁ ପଢ଼ିଥିବା ନମୁନା ମାନଙ୍କରେ ଦେଖିଛି-। ସେଥିପାଇଁ କି ବିଚିତ୍ର କୁତୂହଳ !

 

ଡାକୁଆ ମୋ ସଙ୍ଗେ ଏକମତ ହୁଅନ୍ତି, କାରଣ ମୁଁ ଯେଉଁ ନମୁନା ପଢ଼ି ନିଜକୁ ତାଲିମ୍ କରେଁ, ସେଥିରେ ପ୍ରଧାନ ନମୁନାମାନଙ୍କ ଭିତରେ ସେ ଜଣେ । କିନ୍ତୁ ସେ କହନ୍ତି, ‘‘ଲୋକେ ଖୋଜନ୍ତି କିଏ ତାଙ୍କୁ ତାଙ୍କ ନିଜ ଶରୀର ବିଷୟରେ, ନିଜ ଭୋକ ବିଷୟରେ ସଚେତ କରାଉଦେଉ, ଆଉ କହୁ ଯେ ତାଙ୍କଠିଁ ସେହି ଯେଉଁ ଦିଓଟି ଜିନିଷ ଅଛି, ସେ ଅତି ଚମତ୍କାର, ଅତି ସ୍ୱତନ୍ତ୍ର, ଅତି ଆନନ୍ଦକର । କହୁ ଯେ ସେମାନେ ସେହି ଯେଉଁ ନିତ୍ୟକର୍ମ ନିତି କରନ୍ତି, ଜନ୍ତୁର ନିତ୍ୟକର୍ମ, ଜୀବନରେ ସତ ସେତିକି, ଆକାଂକ୍ଷିତ ସେତିକି । ଏ ସଂସାରରେ ତାଙ୍କ ଅବସ୍ଥିତର ପ୍ରତୀକ ସେ ସେହି । ଘରର ଝାଟୁଆ, ଅଳିଆ କୁଣ୍ଡରେ ପଡ଼ିଥିବା ପ୍ରତ୍ୟେକ ପଦାର୍ଥ,–ପରିବାଚୋପା, ଡିମ୍ବଖୋଳ, ରକ୍ତ ଲାଗିଥିବା କନା, ପୂଜ ଲାଗିଥିବା ବ୍ୟାଣ୍ଡେଜ୍‌, ଅଇଣ୍ଠାପତ୍ର, ସିଗାରେଟ ଖୋଳ–’’ ‘‘ଓଃ ! ଥାଉ ଥାଉ !’’

 

‘‘ନାହିଁ ନାହିଁ, ତାତ୍ପର୍ଯ୍ୟ ବୁଝ,–ଖଣ୍ଡିଆବିଡ଼ି, ଖଣ୍ଡିଆଜୋତା, ଭଙ୍ଗା ଚାହାକପ୍‌, ଫୁଲଦାନିରୁ ବାସିଫୁଲ, ସଢ଼ା ପଚା, ମଲା ବିଲେଇ–ଲୋକଙ୍କୁ ଏସବୁ ପଦାର୍ଥ ତାଙ୍କ ନିଜ ଜୀବନ ମନେପକାଇଦିଏ, ପଦାରେ ବସ୍ତୁ, ମନ ଭିତରେ ରୂପକ ନୁହେଁ, ଜୀବନର ସ୍ମୃତିର ଅରାଏ ଲେଖାଁ ସେ, ସମୟ ବ୍ୟାପ୍ତି ଓ ଚେତନା ଏକାଠି ।
 

 

ତେଣୁ ଲୋକଙ୍କୁ ତା’ ଭଲଲାଗେ । ସେମାନେ ଆଗ୍ରହରେ ପଢ଼ନ୍ତି, ମୁଁ ତାଙ୍କୁ ଖୋରାକ ବିକେଁ, ସେଇଥିରେ ଚଳେଁ, ମଝିରେ ବେପାରିମାନେ ମତେ ପସନ୍ଦ କରନ୍ତି ।

 

ମୁଁ ବୁଝେ ମୁଁ ଯାହାଙ୍କ ପାଇଁ ଲେଖୁଛି ସେମାନଙ୍କ ପଟରୁ ଚାହିଦା ମୋ ଲେଖାର ସାର୍ଥକତାର ପ୍ରମାଣ, ସେହି ଚାହିଦା ମତେ ନୂଆ ଦିଗ ଦେଖାଏ, ନୂଆ ଧାରଣା ଦିଏ । ବେପାରିଆମାନେ ଆହୁରି ପସନ୍ଦ କରନ୍ତି । ମଝିରେ ଆହୁରି ଦଳେ ଅଛନ୍ତି, ସେମାନେ ଗ୍ରାହକ ନୁହନ୍ତି, ସେମାନେ ଚିହ୍ନରା । ଗ୍ରାହକମାନଙ୍କୁ ମତେଇ ପାରିଲେ ଗ୍ରାହକମାନଙ୍କର ସେମାନେ ମୁରବି ବୋଲାଇବେ, କମ୍‌ ସମ୍ମାନ ନୁହେଁ । ତାଙ୍କ ଭିତରେ ଯେଉଁମାନେ ବୁଦ୍ଧିମାନ୍‌, ସେମାନେ ଗ୍ରାହକମାନଙ୍କ ଚାହିଦାକୁ ସମର୍ଥନ କରି ଚିହ୍ନରା-ଶାସ୍ତ୍ର୍ ଲେଖନ୍ତି, ମୋ ଲେଖାର କେତେ କେତେ ବହୁମୂଲ୍ୟ ଗୁଣ ମତେ ଅଜଣା ଥିଲା, ସେହିମାନେ ଆବିଷ୍କାର କଲେ । ୟେ ହେଲା ଚଳନ୍ତି ସଂସାରର ରୀତି ।

 

କିନ୍ତୁ ୟା ନୁହେଁ ଯେ ତୁମେ ଯାହା କହୁଛ ମୁଁ ତା’ ବୁଝୁନାହିଁ, କି ମୋର ଧାରଣା ନାହିଁ ଯେ ସାହିତ୍ୟ କହିଲେ ମୁଁ ଯାହା ଲେଖିଛି ଖାଲି ସେତିକି, ସେହିପ୍ରକାର ! ଜୀବନର ରହସ୍ୟ, ନାନା ଗୂଢ଼ତତ୍ତ୍ୱ, ଜଣା ଅଜଣା ହୋଇ ନାନା ସ୍ୱରୂପ, ଜୀବନର ବ୍ୟାପକତା, ଚେତନାର ନାନାଚିତ୍ର, ମୂଲ୍ୟ ଅନୁସନ୍ଧାନ, କେତେ କ’ଣ ଅଛି, କଳାର ନାନା ବିଚିତ୍ରତା ଅଛି । ଚେଷ୍ଟା କରିବ ଯଦି କର, ଯଦି ତୁମର ମନ ଡାକୁଛି, ନିଜେ ଖୁସି ହେଉଥିବ, ଯେତେଦିନ ଏଇ ମନଥିବ । ସେ ମାର୍ଗରେ ଅଭିଜ୍ଞତା ଥିଲେ କିଛି କରିପାରିବ, ଖାଲି ପଢ଼ିଥିବା ଭାବିଥିବା ଜ୍ଞାନ ନୁହେଁ, ନିଜ ଜୀବନର ଅଭିଜ୍ଞତା । ମୋ ମନ ଡାକୁନାହିଁ । କ’ଣ ପାଇବ ? କିଏ ପଇସା ଦେଇ ପଢ଼ିବ ନିଜ ମୁଣ୍ଡ ବଥାଉ ବୋଲି କି ? ସ୍ୱାର୍ଥ ପାଇଁ କିଏ ବାହାଦୁରୀ ଦେବ ?’’

 

ଡାକୁଆ ହିସାବୀ ଲୋକ କିନ୍ତୁ ମୋ ପ୍ରତି ସଦୟ ହୋଇ ସେ ମତେ ପରିଷ୍କାର କରି ନିଜକଥା ବୁଝାଇଦେଲେ । ମୋର ବିଶ୍ୱାସ ହେଲାନାହିଁ । ତାଙ୍କର ବେଉସା ଭଲଲାଗୁଥିଲା; କିନ୍ତୁ ବେଉସା ମତେ ଆକୃଷ୍ଟ କଲାନାହିଁ, ପଛେ କେତେ ବର୍ଷ ପରେ ସେ ଯେତେବେଳେ ନିଜ ଅଭ୍ୟାସ ଭୁଲିଲେ, ସେତେବେଳେ ତାଙ୍କର ବି ବିଶ୍ୱାସ ଦୋହଲିଗଲା । ଏପରି ବି ମୁଁ ଭାବିଛି ଯେ ତାଙ୍କୁ ଟଳେଇ ଥିବ ମୋ ଯୁକ୍ତି ମଧ୍ୟ । ହୋଇପାରେ ତା’ବି ସତ ନୁହେଁ । କିନ୍ତୁ ସେ ନୂଆ ଆଶାରେ ଯେଉଁ ନୂଆ ବାଗ ଧରିଲେ ତହିଁରେ ତାଙ୍କର ବେଉସାହିଁ ବୁଡ଼ିଲା, ଲାଭ ହେଲାନାହିଁ ।

 

ଆଉ ସେ କ୍ଷେତ୍ରରେ ମୁଁ ହୋଇପାରିଲି ନାହିଁ କେଉଁ କୂଳର । ମୋ ଜୀବନ ବଞ୍ଚିଛି ମୁଁ ମହା ଉତ୍ସାହରେ, ଏକଥା ସତ, କେତେବେଳେ ଭାବିନାହିଁ ଯେ ମୁଁ,-ସତୁ ଦଳେଇ,–ମୁଁ ମରିଯିବା ଦରକାର । କିନ୍ତୁ ଉତ୍ସାହ ମାନେ ଆନନ୍ଦ ନୁହେଁ ।

 

ୟାର ତା’ର ଜୀବନକୁ ଖୋଜିଛି, ନିଜ ଜୀବନକୁ ତ ସହଜେ, ଲେଖି ରଖିଗଲା ଭଳିଆ ନୂଆ କିଛି ପାଇନାହିଁ । ତିନି ଦିନର ଅତି ସାଧାରଣ ଘଟନା ସେ । ଜନ୍ମ, ମୃତ୍ୟୁ, ରୋଗ, ଭୋଗ, ଆବଶ୍ୟକ ମେଣ୍ଟାଇବା ପାଇଁ କେତେଗୁଡ଼ିଏ ଉପାୟ, କ୍ୱଚିତ୍‌ କାହାର ଉଦାରତା, ଅନେକ ସମୟରେ ଅନୁଦାର ସ୍ୱାର୍ଥପରତା, ସ୍ନେହ, ମମତା, ହିଂସା, ଶତ୍ରୁତା । ଏମିତି କିଛି । ଛୋଟ ତାଲିକା-। ତାଲିକା ଲେଖିବାକୁ ବି ବରକ୍ତ ଲାଗେ । କେତେଥର ଖାଲି ସେହି କଥା ?

 

ସବୁ ଧରାବନ୍ଧା କଥା । ଯେଉଁ କାହାଣୀ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କଠିଁ ଘଟିଯାଇଛି, ସେ କ’ଣ ପୁଣି ଲେଖିବା ଯୋଗ୍ୟ ଘଟନା ? କାହାପାଇଁ ତା’ର ଗୁରୁତ୍ୱ ? କ’ଣ ନୂଆ-? ବଞ୍ଚିବା, ମରିବା, ସୁଖପାଇବା କି ଦୁଃଖ ପାଇବା ?

 

ପୁରୁଣା–ଘସରା–କ୍ଳାନ୍ତିକର–ବିରକ୍ତିକର । ଭୁଲିବାକୁ ଚାହେଁ । ବୋଧହୁଏ ସେଇଥିପାଇଁ ନଗି ବାବାଜି ହେଲା । କ’ଣ ପାଇଲା ମୁଁ ଜାଣେ ନାହିଁ ।

 

ହୁଏତ ଆନନ୍ଦର ସଂଜ୍ଞା ମୁଁ ଗଢ଼ିଛି, ଏହି ମୋର ସାଢ଼େ ପାଞ୍ଚଫୁଟ ଶରୀର ବାହାରେ, ଏତିକି ସୀମାରେ ଖଞ୍ଜାହୋଇ ରହିଥିବା ଯନ୍ତ୍ରମାନଙ୍କ ଶକ୍ତିର ପହଞ୍ଚ ବାହାରେ । ତେବେ କେଉଁ ସ୍ଥାନରେ ସେ ? କେମିତି ମୁଁ ସେଠିକି ଯାଇପାରିଲି ? କିଏ ମୁଁ ? କାହିଁ ? କେଉଁଠି ଅଛି ?

 

ଶରୀରଟା ବି ମୋ ଅକ୍ତିଆରରେ ନାହିଁ । ଓଲଟି ମତେ ବାନ୍ଧେ, ପାଣିକି ଯେମିତି ଗିଲାସ । ସଂପୂର୍ଣ୍ଣ ଭାବେ ବାନ୍ଧି ବନ୍ଦୀକରି ରଖିପାରିଥିଲେ ମୋର ଏ ଛଟପଟ ନାଥାନ୍ତା ।

 

ଛଟପଟ । ବାଃ ! ଠିକ୍‌ ଶବ୍ଦଟିଏ । ମୋ ଶବ୍ଦକୋଷ ବି କେତେ ଊଣା, କେତେ ଅପୂର୍ଣ୍ଣା, ଜୀବନରେ ଏଣେତେଣେ ବାରଚାଉଳିଆ ନହୋଇ ମୁଁ ଯଦି ଖାଲି ମୋ ଆବଶ୍ୟକ ଅନୁସାରେ ଶବ୍ଦଗୁଡ଼ିଏ ତିଆରି କରିଥାନ୍ତି, କେଡ଼େ ଭଲ ହୋଇଥାନ୍ତା ? ଭାବିଥାନ୍ତି କିଛି କଲି ।

 

ନା, ନକରିଛି ଭଲ । ସତୁ ଦଳେଇ ତିଆରି କରିଥିବା ଶବ୍ଦ ଖତୁ ଦଳେଇର କାମରେ ବି ଲାଗିବ ନାହିଁ । ଖତୁ ମୋ ବଡ଼ପୁଅ ।

 

ଛଟପଟ । ଛଟପଟ । କ’ଣ ମୁଁ କହିବାକୁ ଚାହେଁ ମୁଁ ଜାଣେ ନାହିଁ । ବୋଧହୁଏ ସେଇଥିପାଇଁ ଲେଖିଯାଉଛି । ଲେଖିବି ନାହିଁ ବୋଲି ପଣକରି କାନିରେ ଗଣ୍ଠି ପକାଇ ଏତେ କାଳ ବିତାଇ ବିତାଇ ତଥାପି–

 

ଡର ମାଡ଼ୁଛି ଲେଖୁ ଲେଖୁ କିଏ ଆସି ଖାତାଟା ଛଡ଼େଇନେବ । ପରୀକ୍ଷାହଲ୍‌ର ସେ ଘଟନା କେତେଥର ମୋର ଦୁଃସ୍ୱପ୍ନ ହୋଇ ରାତିରେ ଆସି ଡରେଇଛି ।

 

ହଉ, ଆଉ ଛଟପଟ ନଥିବ ।

 

ବି. ଏ. ପାସ୍‌ ସରିଲା । ସାଧାରଣ ପାସ୍‌, ଶହ ଶହ ଅନ୍ୟମାନଙ୍କ ପରି । ବାପା କହିଲେ, ‘‘ଦେଇଥା ଖଣ୍ଡେ ଖଣ୍ଡେ ସବୁଆଡ଼େ ପକାଇ ।’’ ଜିତୁ ଭାଇ କହିଲେ, ‘‘ଠିକ୍, କିରାନି କାମଠୁ ବଡ଼ ବଡ଼ ହାକିମ ଚାକିରି ଯାକେ ।’’ ବାପା କହିଲେ, ‘‘କିଛି ନମିଳିଲେ ଶିକ୍ଷକତା ବିଦ୍ୟା ପଢ଼ିବାକୁ ହଁ ପଡ଼ିବ, ସବୁ ଛାଡ଼ି ସେଇଆ ପଢ଼ିଲେ ତ’ ମୁଁ ଆହୁରି ଖୁସି ହୁଅନ୍ତି ।’’ ଭାଇ କହିଲେ, ‘‘ପ୍ରେସ୍‌ରେ ବି,–ଆରମ୍ଭରୁ ଅଳ୍ପ ମିଳିବ, ପଛେ ତାଲିମ୍‌ ହୋଇଗଲେ,– ।’’

 

ମୁଁ ଏ ମୁହଁରୁ ସେ ମୁହଁକୁ ଅନାଉଁଥାଏଁ । ଭାଇଙ୍କର ବିଭାଘର ଠିକଣା ହୋଇଯାଇଛି, ସେ ବି ମୁରବି ।

 

ତା’ ହେଲେ କ’ଣ ସବୁ ମପାଚୁପା ? ଆଗରୁ କଥା ସରିଛି ଯେ ଗୋଟାଏ ବନ୍ଧନ ଉତ୍ତାରି ମୁଁ ଆହୁରି ବନ୍ଧନରେ ପଡ଼ିବି ?

 

‘‘ସ୍ୱାଧୀନ ରହିଲେ ?’’ ମୁଁ ପଚାରିଲି । ଉଭୟେ କାବା ହୋଇଗଲେ ।’’

 

‘‘ଚାକିରି କରିବା କ’ଣ ନ ହେଲେ ନ ଚଳେ ?’’

 

ଭାଇ ଓଲଟି ପଚାରିଲେ, ‘‘ଆଉ କ’ଣ କଲେ ଚଳେ ?’’

 

ମୁଁ କ’ଣ କିଛି ଭାବିଛି ? ହଠାତ୍‌ କହିଲି–‘‘ରାଜନୀତି, ବାପା ହସିଲେ, କହିଲେ, ‘‘ରାଜ୍ଞଃ ନୀତି । ଆଗ ରାଜା ହ, ହାତକୁ ପଇସା ଆଉ କ୍ଷମତା ଯୋଡ଼ାକ ଯାକ ଆସୁ । ସେଉଠୁ ସେ ଆଶା ମେଣ୍ଟାଇବୁ ।’’

 

ପଛେ ଯାହାହେଲା ତାହାଙ୍କ ସେକଥା ମୋର ବାରମ୍ବାର ମନେପଡ଼ିଛି । ସେ ତ ଖାଲି ଶିକ୍ଷକ ହିଁ ଥିଲେ । ଜାଣିଲେ କେମିତି ?

 

ଅନେକ ଅନେକ ପାର୍ଥୀ । ଛାତ୍ର ବି ଥିଲେ ତହୁଁ ବଳି ତହୁଁ ବଳି । କିଏ କେତେ କେତେ ସାନ ସାନ ଚାକିରି ପାଇଲେ । ମୁଁ କେମିତି ସେ ଚାକିରି ଆରମ୍ଭ କଲି ସିଧାସଳେଖ ମଝିଲା ପାହାଚରୁ ତା’ ମତେ ବି ଆଶ୍ଚର୍ଯ୍ୟ ଲାଗେ । ଜିତୁଭାଇ କହିଲେ, ମତେ ଯେଉଁ ପାଞ୍ଚଜଣ ବାଛିଲେ ତାଙ୍କ ଭିତରେ ତିନିଜଣ ବାପାଙ୍କର ଛାତ୍ର ବୋଲି ସେ ଶୁଣିଛନ୍ତି । ବାପା ସେମାନଙ୍କୁ ଯାଇ କହିଥିଲେ । ମୁଁ ସେକଥା ଆଦୌ ବିଶ୍ୱାସ କରିନାହିଁ । ସେମାନେ ନିଶ୍ଚୟ ମୋ ଚେହେରାକୁ ପସନ୍ଦ କରିଥିଲେ, ଅଳ୍ପ ଲୋକଙ୍କର ସେପରି ଚେହେରା ଥିଲା ବୋଲି ମୁଁ ଭାବେଁ; ଆଉ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ମୋର ସ୍ପଷ୍ଟ, ଆନ୍ତରିକ, ଅକପଟ କଥାଭାଷା ଶୁଣି ।

 

ମଝିରେ ବସିଥିବା ଜଣକ ମତେ ପଚାରିଲେ, ‘‘ମିଷ୍ଟର ଦଳେଇ, ଆମେ ଯାହା ପଚାରିବାର ପଚାରିଲୁଁ । ଆପଣ ନିଜେ କିଛି କହିବେ ?’’

 

‘‘ମୁଁ ଖାଲି ଏତିକି କହିବି, ମୋର ଚାକିରି ଖଣ୍ଡିଏ ଦରକାର, ମୁଁ ଗରିବ ଲୋକ, ବଡ଼ କଷ୍ଟରେ ପାଠ ପଢ଼ିଛି କେବଳ ଏଇ ଆଶାରେ ଯେ ମୁଁ ଚାକିରି ପାଇସାରିଲେ ପେଟ ପୋଷିବି । ଚାକିରି ସାନ କି ବଡ଼ ସେ ବିଷୟରେ ମୋର ବାଛ ବିଚାର ନାହିଁ । ଆପଣଙ୍କ ହାତରେ ସବୁଠୁ ସାନ ଚାକିରି ଯାହାଅଛି, ତା’ ମିଳିଲେ ବି ମୋର ଆର୍ଥିକ ଦୁଃଖ ଯିବ, ମୋର ଦୃଢ଼ ବିଶ୍ୱାସ ମୁଁ ମୋର ଯୋଗ୍ୟତା ବଳରେ ଉପରକୁ ଉଠିପାରିବି, ଯେତେ ବର୍ଷ ଲାଗୁ । ନିଯୁକ୍ତି କହିଲେ ମୁଁ ବୁଝେ ପ୍ରୟୋଜନୀୟ କାର୍ଯ୍ୟ କରିବି, ମୁଠାଏ ଖାଇବାକୁ ମିଳୁଥିବ ସେଥିପାଇଁ ଧନ୍ଦି ହେବାକୁ ପଡ଼ିବ ନାହିଁ । ସେତକ ନମିଳିଲେ ମୋ ଜଞ୍ଜାଳ ତୁଟିବ ନାହିଁ ଯେ– ।’’

 

ବାଁ ପାଖେ ବସିଥିବା ଜଣକ କଟମଟ କରି ମୋ ତଳିପାରୁ ତାଳୁଯାକେ ଅନେଇଗଲେ, ଯେପରି ସେ ଭାରି ବିରକ୍ତ ହୋଇଛନ୍ତି । କହିଲେ,

 

‘‘ଯଦି ଆପଣଙ୍କୁ କୌଣସି ଚାକିରି ଦିଆନଯିବ କ’ଣ ଆପଣ କରିବେ ?’’

 

ମୁଁ କହିଲି, ‘‘ମୋ ଚାକିରି କରିବା ବୟସ ସୀମା ନପୂରିବା ଯାକେ ଯେତେଥର ଦରଖାସ୍ତ ମଗା ହେଉଥିବ, ସେତେଥର ସେତେପ୍ରକାର ଚାକିରି ଲାଗି ଦରଖାସ୍ତ ଦେଉଥିବି,ଡକରା ପାଇଲେ ପୁଣି ଦେଖା କରିବାକୁ ଆସୁଥିବି ।’’

 

‘‘ତଥାପି ଯଦି ନମିଳେ, ତା’ହେଲେ କ’ଣ କରିବେ ?

 

‘‘ସାମ୍ନାରେ ଦିଶୁଥିବା ବର୍ଷେ ଦି’ବର୍ଷ କଥା ମୁଁ ଭାବୁଛି; ଆଉ ବେଶି ଭାବିବା ପ୍ରୟୋଜନ ଅନୁଭବ କରିନାହିଁ । ମଣିଷ ବଦଳେ, ତା’ ମନ ବଦଳେ, ଉପସ୍ଥିତ ବଦଳେ । ଆଜିଠୁଁ ନାନା ବିକଳ୍ପ ପନ୍ଥା ଭାବି ଭାବି ନିଜପାଇଁ ଗୁଡ଼ାଏ ଚିଠା ଖସଡ଼ା କରି ରଖିଲେ ସେଗୁଡ଼ାକ ବି ଅକାମୀ ହେବ, ସେ ପରିଶ୍ରମ ବି ବୃଥା ହେବ, କଳ୍ପନାରେ ଖେଳି ଖେଳି ପ୍ରକୃତ ଯେ ମୁଁ ହାତରେ କାମ କରୁଛି ବୋଲି ମୋର ଭ୍ରମ ହେବ ।’’

 

ମୋ ସ୍ୱର କେଡ଼େ ଅସ୍ୱାଭାବିକ ପ୍ରକାରେ ଥଣ୍ଡା, ସେଥିରେ ଉତ୍ତେଜନାର ଧାପେ ବି ନଥିଲା, ଦୁଃଖ ନଥିଲା, ଅଭିମାନ ନଥିଲା, ଯାହା କହୁଛି ସେତିକି ଭାବ ପ୍ରକାଶ କରିବା ଉଦ୍ଦେଶ୍ୟ ଛଡ଼ା ଅନ୍ୟ କୌଣସି ମତଲବ ହିଁ ନଥିଲା । ମୋ ଭାଷାରେ କି ସ୍ୱରରେ ନଥିଲା ନିଜପ୍ରତି ଅନୁକଂପା କି ନିଜର ଅଭିମାନ କିମ୍ବା ପ୍ରଶ୍ନକର୍ତ୍ତାଙ୍କ ପ୍ରତି ବିରାଗ । ବଡ଼ ସହଜ କଥାଗୁଡ଼ିଏ ।

 

କେମିତି ଏପରି କହିପାରିଲି ? ମୁଁ ତ ସବୁବେଳେ ଅଣହୁସିଆର, ମୋ କଥାଗୁଡ଼ାକ ବେଆଡ଼ା, ହୁଗୁଳା, ଅଂଶଆଂଶିଆ । ବେଳେବେଳେ ବିଛୁଆତି ପରି ଗଲୁଗଲୁ । ମନେପଡ଼ୁଛି, ତା’ ଆଗରୁ ମୋ ସହିତ କଥାଭାଷାରେ ପରଖାପରଖିଟା ସତେଯେମିତି ଗୋଟାଏ କୁସ୍ତି ପ୍ରତିଯୋଗିତା ପରି ମତେ ଲାଗିଥିଲା । ସେ ଘରେ ପହଞ୍ଚିବାର ଦି’ମିନିଟ୍‌ ନ ହେଉଣୁ ଜଣକଠୁଁ ନାକଟେକା ମନ୍ତବ୍ୟ–‘‘ହୁଁ, ମିଷ୍ଟର ଦଳେଇ, ଆପଣ ସାଧାରଣ ବି. ଏ. ପାସ୍‌ । ଆପଣଙ୍କର ଧାରଣା ଅଛି, ଅନ୍ୟ ଯେଉଁମାନଙ୍କୁ ଆମେ ଡାକିଛୁ, ତାଙ୍କ ସଙ୍ଗେ ବିଦ୍ୟାରେ ତୁଳନା କଲେ ଆପଣ କେଉଁଠି ?’’

 

‘‘ଆଜ୍ଞା ନାହିଁ, ସେପରି ଧାରଣା କରିପାରି ନାହିଁ । ଅନ୍ୟାନ୍ୟ କାହାକୁ ଆପଣମାନେ ଡାକିଛନ୍ତି, ସେମାନଙ୍କ ନାଁ ତାଲିକା ତ ମୁଁ ଦେଖିନାହିଁ । କିନ୍ତୁ ସାଧାରଣ ବି. ଏ. ପାସ୍‌ ଲୋକ ଅପେକ୍ଷା ଅନର୍ସ ପାଇଥିବା ଲୋକ ଡିଷ୍ଟିଂସନ୍‌ ପାଇଥିବା ଲୋକ ଯେ ପରୀକ୍ଷାରେ ବେଶି ଭଲ କରିଥିବେ, ସେ ତ ସ୍ୱତଃସିଦ୍ଧ । ଆମ ସଙ୍ଗରେ ବି ସେପରି ଦଶ ବାରଜଣ ଥିଲେ ।’’

 

‘‘ଆଉ ଆପଣଙ୍କ ଆଗରୁ ଯେଉଁମାନେ ପାସ୍‌ କରିଥିଲେ, ତାଙ୍କ ଭିତରେ ବି ଅନେକ ଥିବେ । ନୁହେଁ ? ତେବେ କେଉଁ ଆଶାରେ ଆପଣ ଏ ଚାକିରି ପାଇଁ ପ୍ରାର୍ଥୀ ହେଲେ ?’’

 

‘‘ଆଶା କିଛି ନାହିଁ, ନିରାଶା ବି କିଛି ନାହିଁ । ଖାଲି ମୋ ବିଚାରର ବଶବର୍ତ୍ତୀ ହୋଇ ମୁଁ ପ୍ରାର୍ଥୀ ହୋଇଛି ।’’

 

‘‘ବାଃ ବାଃ ! ଆପଣଙ୍କ ବିଚାର ! ବେଶ୍‌ କୌତୁକିଆ କଥା । ଶୁଣିବା କ’ଣ ସେ ବିଚାର-।’’

 

‘‘ମୋ ବିଚାରରେ ଆଗ ଏଇଆ ବୁଝିଲି ଯେ ଏସବୁ ଚାକିରି ପାଇଁ ବି. ଏ. ପାସ୍‌ ଲୋକେ ବି ଦରଖାସ୍ତ କରିପାରିବେ । ତାଠୁ ଅଧିକ ବିଦ୍ୟାବନ୍ତ ଲୋକେ ବି ଦରଖାସ୍ତ କରିପାରିବେ-। ସେଥିରୁ ମୋ ସିଦ୍ଧାନ୍ତ ହେଲା, ସର୍ବନିମ୍ନ ବିଦ୍ୟା ଯୋଗ୍ୟତା ବି. ଏ. ପାସ୍‌ ତଳକୁ ସିନା କେହି ଉପଯୁକ୍ତ ବିବେଚିତ ହେବେ ନାହିଁ; କିନ୍ତୁ ସେତିକି ଛାଡ଼ିଦେଲେ ଖାଲି ବିଦ୍ୟା ଉପରେ ବଛାବଛି ହେବେ ନାହିଁ ।’’

 

‘‘ତା’ ହେଲେ କାହା ଉପରେ ହେବେ ?’’

 

‘‘ସେ କଥା ତ ମୋର ଜାଣିବା ଉପାୟ ନାହିଁ ।’’

 

‘‘ତଥାପି ?’’

 

‘‘ଯାହା ମୁଁ ନିଜେ ଜାଣେନାହିଁ କି ଯାହା ସମ୍ବନ୍ଧରେ ବିଚାର ଚଳାଇବାକୁ ଉପାଦାନ ନାହିଁ, ସେ ବିଷୟରେ ଯାହା ଯେ କହିବ ତା’ ହେବ ସଂପୂର୍ଣ୍ଣ ମନଗଢ଼ା କଥା । ସେଭଳି କୁତୂହଳ ମୋର ନାହିଁ ।

 

ବିରକ୍ତ ଲାଗିଲା ବେଳେ ବାପାଙ୍କ ମୁହଁ ମୋର ମନେପଡ଼ିଗଲା । ତା’ପରେ ଯାହା ଯାହା ମୁଁ ଉତ୍ତର ଦେଲି ମତେ ଦିଶୁଥାଏ ସତେ ଯେମିତି ମୁଁ କହୁନାହିଁ, ବାପା ଉତ୍ତର ଦେଉଛନ୍ତି । ସ୍ୱର ବି ତାଙ୍କରି, ଭଙ୍ଗୀ ବି ତାଙ୍କରି ।

 

ଚାକିରି ନମିଳିଲେ କ’ଣ କରିବି ବୋଲି ଉତ୍ତର ଦେଇସାରିଲା ପରେ ଯେତେବେଳେ ମୁଁ ଭାବୁଥିଲି ଯେ ଏ ଘୋଳିହେଲା ଅନୁଭୂତି ଶେଷ ହେଲା ଏଥର ମତେ ଚାଲିଯିବାକୁ କହିବେ, ସେତେବେଳେ ହଠାତ୍‌ ଡାହାଣ ପାଖ ଜଣକ ନିଦରୁ ଉଠିଲା ପରି କହିଲେ,

 

‘‘ମିଷ୍ଟର୍ ଦଳେଇ, ପଦେ ରହିଗଲା । ଆପଣ ତ କହିଲେ ଆପଣ ଗରିବ; କିନ୍ତୁ ଆପଣ ଯେଉଁ ପୋଷାକ ପିନ୍ଧି ଆମମାନଙ୍କ ସଙ୍ଗେ ଦେଖା କରିବାକୁ ଆସିଛନ୍ତି, ସେ ତ ବେଶ୍‌ ଦାମୀ ପୋଷାକ । କେମିତି କରିପାରିଲେ ?’’

 

ମୁଁ କହିଲି, ‘‘ଆପଣମାନଙ୍କ ଆଗରେ ଖୋଲି କହିବାକୁ ମୋର ଆପତ୍ତି ନାହିଁ ଯେ ଏ ପୋଷାକ ମୋର ନୁହେଁ କି ଜଣଙ୍କର ନୁହେଁ । ମୋର ଚିହ୍ନାପରିଚ ଧନୀ ସାଙ୍ଗମାନଙ୍କଠୁଁ ମାଗି ଆଣିଛି, ଗଲେ ଲେଉଟାଇ ଦେବି ।’’

 

‘‘ଆଶ୍ଚର୍ଯ୍ୟ !’’

 

‘‘ନା ଏ ଅତି ସାଧାରଣ କଥା । ଆପଣମାନେ ପଚରାଇ ବୁଝିବାକୁ ଚାହିଁଲେ ମୁଁ ଏଠି ସେମାନଙ୍କ ନାଁ ଓ ଠିକଣା କହିଦେବି । ଏଠିକି ଆସିବାକୁ ପଡ଼ିବ, ମୋ ପକ୍ଷରେ ଏଡ଼େ ଗୁରୁତର ଏ ଘଟନା । ଅଥଚ ମୋର ପୋଷାକ ନାହିଁ, ପୋଷାକ କରିବାକୁ ପଇସା ନାହିଁ । ତା’ ହେଲେ କ’ଣ କାମ ଅଟକିବ ? ନା । ଆମ ଗାଁ ଗଣ୍ଡାରେ ବି ଏପରି ହୁଏ, ଝିଅ ଅଳଙ୍କାର ନାଇ ବେଦୀକି ଯିବା ବିଧି, ଅଳଙ୍କାର ନଥିଲେ ତା’ ବାପା ମା’ ସାହିରେ ମାଗିଆଣିଥାନ୍ତି, ବେଦୀ କାମ ସରିଲେ ଫେରାଇ ଦିଅନ୍ତି । ସେହି ସାଧାରଣ ଉଦାହରଣରୁ ଉପାୟ ଦିଶିଗଲା ।’’

 

‘‘ସାଧୁ ! ସାଧୁ ! ଧନ୍ୟବାଦ, ଆପଣ ଯାଆନ୍ତୁ ।’’

 

ମିଳିଗଲା । ଆଉ ତା’ଠୁ ବଡ଼ ଚାକିରି ସେମାନେ ଦେଇପାରି ନଥାନ୍ତେ । ବିପ୍ଳବ, ରାଜନୀତି, କେତେ ମନଭୁଲା କାହାଣୀ, ସେସବୁ କଳ୍ପନା ଗଲା ଉଡ଼ି କୁଆଡ଼େ । ଦି’ପାଖେ ଡେଙ୍ଗା ଶାଗୁଆ ବାଡ଼ଥାଇ ଗୋଟିଏ ଅଣଓସାର ଅନ୍ଧାରୁଆ ଖାଲ ଢିପ ବାଟ, ମୋଡ଼ ବୁଲିଲେ ଗୋଟାଏ ତେନ୍ତୁଳି ଗଛ । ତା’ ତଳେ ଗୋଟିଏ ଖପର ଘର । ଆମେ ଅନେକ ସଞ୍ଜବୁଡ଼େ ସେଠି ଏକାଠି ହେଉଁ । ଇଞ୍ଜିନିୟରିଂ ଛାତ୍ରୀ ତା’ରା ଦେବୀ ମୁହଁ ଶୁଖେଇ କହିଲେ, ‘‘କେତେ ଭରସା କରିଥିଲୁଁ; କିନ୍ତୁ ଆପଣ ନିଜକୁ ବିକିଦେଲେ । ୟା’ପରେ ଆମେ ଆପଣଙ୍କର ଶତ୍ରୁପକ୍ଷ । କିଏ କହିପାରେ ? ଆପଣଙ୍କ ଆଗରେ ଆମେ ବି କେବେ ଯାଇ ଠିଆ ହୋଇପାରୁଁ । କିନ୍ତୁ ସେତେବେଳେ ଦୁର୍ବଳ ହେବେନାହିଁ ।’’ କାନପାଖରେ ତୁନିତୁନି କରି କହିଲେ, ‘‘ହେଲେ ଲାଭ ନାହିଁ, ଏମାନେ କଦାପି ଭାବିବେ ନାହିଁ ଯେ, ଆପଣ ତାଙ୍କରି ମଣିଷ ।’’

 

ତାରା ଦେବୀ ଦିର୍ଘଶ୍ୱାସ ପକାଇଲେ । ମୋ କାନ ତାତିଗଲା, ମୁଣ୍ଡପୋତି ବିଦାହୋଇ ଆସିଲି । ମୋ ସଫେଇ ସେମାନେ କେହି ଘେନିନଥିଲେ ।

 

ମୁଁ କହିଲି, ‘‘ମୁଁ ନିରୁପାୟ, କାରଣ ମୁଁ ଗରିବ ।’’

 

ମଦନ ବାବୁ କହିଲେ, ‘‘ଆଗରୁ ଗରିବ ଥିଲେ ନା ଚାକିରି ପାଇବାରୁ ଗରିବ ହେଲେ ?

 

‘‘ବିଶ୍ୱାସ କରନ୍ତୁ ।’’

 

ଗରିବ ତ ଆମେ ସମସ୍ତେ । ଦେଶଯାକ ଲୋକ ଗରିବ, ଧନୀ କେଇଜଣ ବା, ତା’ ବୋଲି ମଣିଷ ନିଜ ନୀତି ତ ଛାଡ଼ନ୍ତି ନାହିଁ ।’’

 

ତାରା ଦେବୀଙ୍କର ଗୋଟିଏ ଭବିଷ୍ୟତ୍‌ ବାଣୀ ଠିକ୍‌ ହେଲା, ଥରେ ମୋ ଚାକିରି କ୍ଷେତ୍ରରେ ସତକୁ ସତ ମୋ ଆଗରେ ତାଙ୍କୁ ଠିଆହେବାକୁ ପଡ଼ିଥିଲା; କିନ୍ତୁ ଚକ ବୁଲିଗଲା ଆଉଥରେ ମୁଁ ତାଙ୍କ ଆଗରେ ଠିଆହେଲି । ସେତେବେଳେ ସେ ହୋଇଥିଲେ ଜଣେ ମନ୍ତ୍ରୀ, ମୁଁ ଚାକିରିଆ । ସେ ପଚାରିଲେ, ‘‘ଭଲ ଅଛନ୍ତି ?’’

 

ମୁଁ କହିଲି, ‘ଆଜ୍ଞା ।’

 

ମନ୍ତ୍ରୀ ମତେ ଚିହ୍ନନ୍ତି ! ମୋ’ରି ଉପରିକମାନଙ୍କ ଭିତରେ ଚାଞ୍ଚଲ୍ୟ ଖେଳିଗଲା, ଗୋଟିଏ ସରୁଢ଼େଉ, ଖାଲି ପଦେ ପଦେ କଥା, ଚାହାଣୀ, ମୁଣ୍ଡହଲା, ସେ ବନ୍ଦହେଲା । ତାଙ୍କର ବୋଧହୁଏ ମନଥିଲା ନିରୋଳାରେ ମତେ ବୁଝାଇଥାନ୍ତେ ସେ କାହିଁକି ତାଙ୍କ ପୁରୁଣା ଦଳ ଛାଡ଼ିଲେ । ମୋର ବୋଧହୁଏ ମନେହେଉଥାଏ ପଚାରିଥାନ୍ତି ।

 

‘‘ଆପଣ ନିଜକୁ କ’ଣ କଲେ ?’’

 

କାହିଁକି ଏ ଧାରଣା ମୋର ହେଲା ? ସେ ମୋର କ’ଣ ?

 

ସେ ତାଙ୍କ ବଙ୍ଗଳା ଭିତରେ ଥାନ୍ତି, ଆଉ ଟିକଏ ଗଲେ ବାହାରିବେ । ମୁଁ ପିଣ୍ଡାରେ ବସିଥାଏଁ । ସାମ୍ନାରେ ଚେକା ବଉଳଗଛ । ବହୁତ ଫୁଲ ଫୁଟିଥାଏ, ବହୁତ ଝଡ଼ି ପଡ଼ିଥାଏ । ମୁଁ ଛାତିରେ ବେକ ଭାଙ୍ଗି ଦେଇ ଦୃଷ୍ଟିକୁ ଆଖି ଭିତରକୁ ପକାଇ ତାଙ୍କୁ ଓ ନିଜକୁ ଦେଖୁଥାଏଁ ପାଖକୁ ପାଖ ଠିଆ କରାଇ । ବେଳେବେଳେ ପିଠିଆଡ଼େ ଦିଶି ଦିଶି ଯାଉଥାଏ ମୋ ଘରେ ଥିବା ମୋ ସ୍ତ୍ରୀର ମୁହଁ । ମନେ ମନେ ଉତ୍ତର ପାଇଲି, ହସମାଡ଼ିଲା–ଆଦର୍ଶ ନୁହେଁ, ବୃତ୍ତି ଖୋଜି ବାହାରିଲୁ ଦି’ ପଟେ ସେ ଓ ମୁଁ, ଯୋଡ଼ିଏ ଅଲଗା ଅଲଗା ସ୍ଥିତିରେ ପହଞ୍ଚିଲୁ, କାହାର କାହାରିକୁ କିଛି କହିବାର ନାହିଁ ।

 

ଆଦର୍ଶ ମଣିଷକୁ ସ୍ମୃତିରେ ବାନ୍ଧିନାହିଁ, ବାଟ ଚଲାଉଥାଏ । ଯେତେ ଚାଲିଲେ ଆହୁରି ବାକି । ଆଦର୍ଶ ସଂସ୍ଥାନ ଦିଏ ନାହିଁ, ମୁଠା ମୁଠା କରି ନିଜକୁ ବିଞ୍ଚି ବିଞ୍ଚି ଯିବାକୁ ଉପାୟ ବଢ଼ାଏ ଖଇ ବିଞ୍ଚିଲା ପରି, ଶେଷରେ ଆଉ ଯାହା ଥାଏ ସବୁ ।

 

ତେବେ ଆମେ ସବୁ ନିଜ ସଙ୍ଗେ ଚଲାଖି ଖେଳି କାହିଁକି ନିଜକୁ ଭଣ୍ଡୋଉ ଯେ, ଆମେ ଆଦର୍ଶ ଖୋଜୁଛୁ ? ବୋଧହୁଏ ନିଜ ଆଖିରେ ନିଜକୁ ଟିକିଏ ସମ୍ମାନାହିଁ ବୋଲି ଦେଖିବାପାଇଁ ।

 

ଭିତରୁ ସେ ବାହାରିଲେ । ତାରା ଦେବୀ ନୁହନ୍ତି, ମନ୍ତ୍ରୀ, ଆଉ ଅସୁବିଧା ହୋଇନାହିଁ, ତାଙ୍କରି କି ମୋର ।

 

ଚାକିରି କରିବାର ତିନି ବର୍ଷରେ ମୋ ବିଭାଘର ହେଲା, ସେତେବେଳକୁ ଅପା, ଜିତୁଭାଇ, ନିଭା ତିନିହେଁ ବିଭାହେଲେଣି । ସଞ୍ଚୟ କି ବିଭାଘରର ସ୍ୱପ୍ନ ମୁଁ ଦେଖିନାହିଁ । ଚାକିରିରେ ବଡ଼ତି, କ୍ଷମତା ବା ଅହଙ୍କାରର ଚମକ ମତେ ଛୁଇଁନାହିଁ । ‘‘ଠିକ୍‌ ଲୋକ, ବାଁ ଡାହାଣ ନାହିଁ, ସିଧା । ‘‘ଅନ୍ୟାୟ ତାଙ୍କ ଦେହରେ ଯିବନାହିଁ, ଉଚିତ ନ୍ୟାୟ ଦେବେ ।’’ ‘‘ପର କୁହାରେ ଭାସିଯିବେ ନାହିଁ, କାହାରି କଥା ଶୁଣନ୍ତି ନାହିଁ, ନିଜ ବିଚାରକୁ ଯାହା ଜଣାପଡ଼ିଲା ସେହିଆ’’ ବହୁତ ପରିଶ୍ରମୀ, ନିକୁଟି ନିକୁଟି ଦେଖିବେ, ନିଠେଇ ନିଠେଇ କରିବେ, ଟାଳଟୁଳ ନାହିଁ, ଅଳସ ଭାଙ୍ଗିବା ନାହିଁ ।’’ ‘‘ଗରିବଙ୍କ ଦୁଃଖ ବୁଝନ୍ତି, ଏମିତି ଜଣେ ଥିଲେ ଲୋକେ ନିଶ୍ଚିନ୍ତ ।’’ ‘‘କାହାରି ଶାଗ ପତ୍ରଟିଏ ଧାରନ୍ତି ନାହିଁ, ଓଲଟି ନିଜେ ସବୁବେଳେ ମୁକହସ୍ତ, ଲୋଭ ବୋଲି ଟିକିଏ ନାହିଁ ।’’

 

‘‘ସତୁ ଦଳେଇକି କିଏ ଡରେଇବ ! କିଏ ଧମକେଇବ ! ଅସମ୍ଭବ । ତୁଣ୍ଡେ ତୁଣ୍ଡେ ଠୋ ଠୋ ବଜେଇଦେବ ପରା ! ଖଣ୍ଡା ଦାଢ଼ରେ ବାଟ ଚାଲେ ଯେମିତି ଖାତିରି ବି କରେନାହିଁ କାହାକୁ ।’’

 

ଲୋକଙ୍କ ତୁଣ୍ଡରେ ଏଇଆ ଥିଲା ମୋ ପରିଚୟ, ମୁଁ ଖବର ରଖିଥିଲି । ପୁଣି ମାଡ଼ିଚାଲିଥିଲି ମୋର ଏହି ପରିଚୟ–ପ୍ରତିମାକୁ ଦମ୍ଭ କରିବାକୁ । ସେଥିପାଇଁ କେତେ ଉତ୍ସାହ, କେତେ ଉଦ୍ୟମ, କେତେ ଦୁଃସାହାସ ! କେତେ କାୟିକ ପରିଶ୍ରମ, ଶରୀରକୁ ପୀଡ଼ା । ଖାଇବା ପିଇବା ଭୁଲିଯାଇଛି । ଖରାରେ ବର୍ଷାରେ ଧାଇଁଛି ମାଇଲ୍‌ ମାଇଲ୍‌, କେତେବେଳେ ଚାଲିଚାଲି, କେତେବେଳେ ସାଇକେଲ୍‌ ଚଢ଼ି, କେତେବେଳେ ଜିପ୍‌ରେ ବସିରହି କାମ କରାଇଛି, ନିଜେ କରିଛି, ଅସଂଖ୍ୟ ପ୍ରକାର କାମ ଲୋକଙ୍କର କିଛି ନା କିଛି ଉପକାର ହେବ, ସେତିକି ମୋର ଆନନ୍ଦ !

 

ମନ କହିଛି, ‘‘ଖୁବ୍‌ ଭଲ । ଖୁବ୍‌ ଭଲ ଜୀବନର ସାର୍ଥକତା ତ ଏଇଠି । ନିଜକୁ ଖର୍ଚ୍ଚ କରି କ୍ଷୟ କରି ପରର ଉପକାର କରିବା ।’’ ବାଟରେ ଦେଖିଛି ଗରିବ ଲୋକଙ୍କୁ, ହାଡ଼ ଚମ ଶିରାମୟ ହୋଇ, ଧୂଳି ସରସର, ମୁଣ୍ଡରେ ବେଝ, ମୁହଁରେ ଦୁଃଖ, ତୁଣ୍ଡରେ ହାହାକାର, ମନେ ମନେ ସେମାନଙ୍କ ସଙ୍ଗେ ଏକ ହୋଇଛି । ନିଜ ଭିତରର ଜେଲ୍‌ଖାନାରୁ ଉଡ଼ିଯାଇଛି ମୋ ଚେତନା-। ଚଢ଼େଇ ପରି ମନ ଖୁସିରେ ଚାରିଆଡ଼େ ଉଡ଼ିବୁଲୁଛି, ଆପଣା ଭିତରୁ ଯେଉଁ ଆନନ୍ଦର ଝରଣା ବାହାରି ମନ, କାର୍ଯ୍ୟ, ଆଖି, ସବୁ ଓଦା କରିଦେଇଥିଲ । ପରିଷ୍କାର କରିଥିଲା, ସେଥିରେ ନିଜ ଅଜଣାତରେ ଚାରିଆଡ଼େ ଦେଇଛି ଆନନ୍ଦ ।

 

କିନ୍ତୁ ନିଜର ଯେଉଁ ପରିଚୟ ପରତୁଣ୍ଡରୁ ଶୁଣି ମୁଁ ଦୁଗୁଣେଇ ହୋଇ ସେଇବାଟେ ମୋ ଜୀବନକ୍ରୀୟା କରୁଥିଲି, ପରତୁଣ୍ଡରେ ସେ ବର୍ଣ୍ଣନା କେତେ ମାତ୍ରାରେ ସେମାନଙ୍କ ଅନ୍ତରର କଥା ? ଏପରି କ’ଣ ସମ୍ଭବ ନୁହେଁ ଯେ ସେମାନେ ମତେ ଓଲୁ ଓ ଅନଭିଜ୍ଞ ଦେଖି ନିଜ ସ୍ୱାର୍ଥ ମୋ ହାତରେ ସିଦ୍ଧି କରିବାଲାଗି ଖାଲି ମତେ ଟେକି ଦେବାପାଇଁ ମୋ କାନପାଖେ ଏଭଳି କଥାଗୁଡ଼ିଏ ପ୍ରଚାର କରୁଥିଲେ ? କର୍ମକ୍ଷେତ୍ରରେ ନୂଆହୋଇ ମୁଁ ସେମାନଙ୍କୁ ଦେଖୁଥିଲି; କିନ୍ତୁ ସେମାନେ–ସେହି ଲୋକେ,–ମୋ ପରି କେତେ କେତେ ଲୋକଙ୍କୁ ଦେଖିଛନ୍ତି, ସେମାନେ ସେମାନଙ୍କ ସୁବିଧା ଆଦାୟ କରିବାର ନାନା ବାଗ ଜାଣନ୍ତି, କେତେବେଳେ ଲହଡ଼ି ଆଗରେ ମୁଣ୍ଡ ନୁଆଁଇ ଦେବା, କେତେବେଳେ ଠିଆହୋଇପଡ଼ି ଆଖି ତରାଟି ଚାହିଁବା, କାହାମନକୁ କିପରି ପ୍ରଭାବିତ କଲେ କାହା ବଳକୁ କିପରି ଚିପିଲେ ତା’ଠୁଁ କାମ ଆଦାୟ କରିହେବ,-ଏପରି ନାନା ସୂତ୍ର । ସେମାନେ ଚଳନ୍ତି ଜୀବନ, ତା’ର ସ୍ୱଭାବ ଖାଇବା, ହଜମ୍‌ କରିବା, ପୁଣି ଖାଦ୍ୟ ଖୋଜିବା ।

 

ପଛେ ମୋର ଏପରି ସନ୍ଦେହ ହୋଇଥିଲା, କାରଣ ମତେ ଯେତେବେଳେ ଯେଉଁ ବିପଦ ପଡ଼ିଲା କାହିଁ ‘ସେମାନେ’ ତ କେହି ମୋ ପିଠିରେ ପଡ଼ିବାକୁ ଝାସ ଦେଲେ ନାହିଁ । ଆଉ ମୁଁ ଯେଉଁଠି ଯେଉଁଠି ଜୀବନମୂର୍ଚ୍ଛା । କାମ କରିଥିଲି ସେମାନଙ୍କ ପାଇଁ, ଏତେ ବର୍ଷ ପରେ ସେଠି ବି ଯଦି ଖୋଜିବି ମୋ ସ୍ମୃତି, ସେମାନେ କ’ଣ ତହିଁରେ ଫୁଲଚନ୍ଦନ ଦେଇ ପୂଜା କରୁଥିବେ ?

 

ମୁଁ ନିଜେ ବି ଏତେ ଅଧିକ ପାଉଣା ଖୋଜିବି କାହିଁକି ? ମୁଁ କ’ଣ ମାଗଣା କାମ କରୁଥିଲି ? ଦରମା ନେଉନଥିଲି ? ସର୍ତ୍ତ ପ୍ରକାରେ ଚାକିରି କରି ସର୍ତ୍ତ ପ୍ରକାରରେ ମୋର ସବୁ ପାଉଣା ଗଣିନେଇ ମୁଁ କାମକରି ଆସିଛି । ଯଦି ବଳକା କରିଛି, ତେବେ ସେଇଠି ହାତେ ହାତେ ପାଇସାରିଛି ତା’ ପୁରସ୍କାର, ମୋ ମନଭିତରେ, ସେ ପୁରସ୍କାର ମୋ ମନର ଆନନ୍ଦ । ନିଃସ୍ୱାର୍ଥପର ଜନପ୍ରେମୀ କର୍ମୀ ବି ସେତିକି ପୁରସ୍କାର ପାଏ, ଯେତେବେଳେ ତା’ଠୁ ଅଧିକ ପାଇବାକୁ ଲୋଭ ବଳାଏ, ସେତେବେଳେ ତା’ର ଉଦ୍ଦେଶ୍ୟ, ଉପାୟ, ସ୍ୱରୂପ ସବୁ ବଦଳିଯାଏ, ଯାହା ପାଏ, ତା’ ମଣିଷ-ଜନ୍ତୁ ହିସାବରେ ନିଜର ପାରିଲା ପଣରୁ, ପାଇବା ନପାଇବା ରଖିବା ହରଣ ହେବାର ଚକାଭଉଁରୀରେ ଘୂରୁଥାଏ ।

 

ଅନ୍ୟମାନଙ୍କ ତୁଣ୍ଡରେ ଆଉ ପ୍ରକାରେ ଥିଲା ମୋ ପରିଚୟ; ‘‘ଏକବାଗିଆ, ଅମାନିଆ, ଅଖାଡ଼ୁଆ ।’’ ‘‘କ’ଣ କଲେ ନିଜର ଉପକାର ହୁଅନ୍ତା ସେଥିପ୍ରତି ବିଲ୍‌କୁଲ୍‌ ଅନ୍ଧ, ଦେଖିବ ସେ ଉଧେଇବ ନାହିଁ ।’’ ‘‘ଉଦ୍ଧତ, ମନୋଜ୍ଞ, କଥା ରଖେନାହିଁ, କାହାରି ନୁହେଁ ।’’ ‘‘ବୁଦ୍ଧିଶୁଦ୍ଧି ଅଭାବ, ନହେଲେ ସାପଲାଂଗୁଡ଼ରେ ହାତମାରନ୍ତା ? ସବୁ ବଡ଼ ବଡ଼ ଲୋକ ତା’ ଶତ୍ରୁ ହୁଅନ୍ତେ ?’’ ‘‘ଯେ ବସିଛନ୍ତି ସବୁ ସଂସ୍କାର କରିଦେବେ, ଶୁଦ୍ଧ କରିଦେବେ, ହସିବା କଥା !’’ ‘‘ନିଜେ ଖଟି ଖଟି ମରିବ, ସମସ୍ତିଙ୍କି ହଇରାଣ କରିବ, କେତେ କେତେ ଗଲେଣି । ଭାରି ଭୁରିସ୍ରବା ଆଇଲେ ୟେ ତାଡ଼ି ପକାଇବେ !’’ ‘‘ସଂସ୍କାର ଆଉ ଦେଶସେବା କରିବା ଯଦି ଉଦ୍ଦେଶ୍ୟ ଥିଲା, ୟେ ଚାକିରି କରି ଆସିଲେ କାହିଁକି ? ଏତକ ବୁଝିବାକୁ ତ ମୁଣ୍ଡନାହିଁ କି କାମ କରିବେ ?’’ ଏ ପରିଚୟ ବି ମୋ କାନ କତିକି ଆସୁଥିଲା, ବୁଲି ବୁଲି ବଙ୍କେଇ ବଙ୍କେଇ । କିନ୍ତୁ ଏ ପରିଚୟ ମତେ ଲାଗୁଥିଲା । ମୋ ନିହିତ ଆଦର୍ଶବାଦର ସାର୍ଥକତା ପରି । ସାମ୍ନାରେ ଦିଶୁଥିଲା, ଆଲୁଅ ଆଉ ଅନ୍ଧାରର ଯୁଦ୍ଧ । ଅନ୍ଧାର ହାରିବ ମୁ ଜାଣିଥିଲି; କିନ୍ତୁ ଅନ୍ଧାର ହୀନବଳ ନୁହେଁ, ସେ ଖାଲି ନିଷ୍କ୍ରିୟ ରହି ଆତ୍ମସମର୍ପଣ କରିବ ନାହିଁ । ଅତି ଭୟଙ୍କର ତା’ର ଆକ୍ରମଣ । ଅସୁରମାନେ ଯୁଦ୍ଧ କରିନଥିଲେ ?

 

ବୁଝିପାରୁଥିଲି, ଅନେକଙ୍କ ଖାଇବା ଭାତରେ ମୁଁ ଧୂଳି କୁରହାଉଛି, ସେମାନେ ମୋ ତଳେ, ମୋ ସାଙ୍ଗରେ କେତେ କେତେ ମୋ ଉପରେ । ଜଳ ଜଳ ହୋଇ ଦିଶୁଥିଲା, ସ୍ୱାର୍ଥ-ସଂଗଠନର ବହୁତ ସ୍ତର, ବହୁତ ଦୁର୍ଗ, ବହୁତ ଜାଲ । ସେମାନଙ୍କ ହାତରେ ଧନ, ଜନ, ଯାନ ଓ କ୍ଷମତାର ବଳ, ସଂସାରରେ ଯେତେବେଳେ ଯେଉଁ ଜାଗତିକ ଉନ୍ନତି ଘଟେ, ତା’ ପଛଆଡ଼େ ସେହି ସଂଗଠନ ମାନଙ୍କ ସାହାଯ୍ୟ ଥାଏ, ସ୍ୱାର୍ଥ କୁ ସାହାଯ୍ୟ କରେ ସ୍ୱାର୍ଥ । ସେମାନେ ମୋର ବିରୋଧୀ ଥିଲେ ।

 

ମୋ କର୍ତ୍ତବ୍ୟ ସଂପାଦନରେ ମନଢ଼ାଳିଦେଇ କାର୍ଯ୍ୟବ୍ୟସ୍ତ ରହିଥିଲାବେଳେ ବେଳେବେଳେ ବିରୋଧୀ ଦେଖି ମୁଁ ଅସହିଷ୍ଣୁ ହୋଇ ଜଳିଉଠିଥିଲି, ବେଳେବେଳେ ସେ ବିଷୟରେ ଭାବି ନିଜ ପ୍ରଶସ୍ତି ନିଜ ମନକୁ ଗାଇ ଗାଇ ଟାଣ ହେଉଥିଲି, କିନ୍ତୁ ଲାଭ କ୍ଷତିକୁ ମାପିବାକୁ ଯାଇନାହିଁ, ମୋ ଭବିଷ୍ୟତ୍‌ ଚିନ୍ତା ଆଦୌ କରିନାହିଁ, ନିଜକୁ ଅନ୍ୟାନ୍ୟ ଭାଗ୍ୟବନ୍ତମାନଙ୍କ ସଙ୍ଗେ ତୁଳନା କରି ବିବ୍ରତ ହୋଇନାହିଁ । କେବେ ଭାବିନାହିଁ ଯେ ଯେଉଁ ସୀମିତ ପରିସରକୁ ମୁଁ ମୋ ଦାୟିତ୍ୱ ବୋଲି ଆବୋରିଛି, ସେ ପରିସର ସାନ, ତା’ ତାତ୍ପର୍ଯ୍ୟ ବେଶି କିଛି ନୁହେଁ; ବରଂ ମୁଁ ସେତେବେଳେ ଭାବୁଥିଲି ସେସବୁ ଚିନ୍ତା ଆଦୌ ମୁଣ୍ଡକୁ ନେବା ଉଚିତ ନୁହେଁ । ଯେ ଯେଉଁଠି ଥାଉ, ଯେପରି ଥାଉ, ଯେତିକି ଦାୟିତ୍ୱ ତାକୁ ତୁଲାଇବାକୁ ପଡ଼ୁ, ବିବେକର ନିର୍ଦ୍ଦେଶ ଅନୁସରଣ କରି ନିଷ୍ଠାପର ଭାବେ ନୀତି ଆଦର୍ଶ ଅନୁସାରେ କାମ କରୁଥିଲେ, ତା’ ପକ୍ଷରେ ଯଥେଷ୍ଟ, ମଣିଷ ନବୁଝୁ, ଭଗବାନ ବୁଝିବେ । ଭଲ କି ମନ୍ଦ କିଏ କେଉଁବାଟ ଧରିବ ସେ ତା’ ନିଜ ଇଚ୍ଛା, ତା’ର ଆତ୍ମସନ୍ତୋଷ, ତା’ ଆତ୍ମମର୍ଯ୍ୟାଦାହିଁ ସତକୁ ଆଶ୍ରା କରିବାର ପୁରସ୍କାର ।

 

ଭଲ, ଯାହା ବୁଝିଥିଲି ତା’ ବି ପ୍ରକାରେ ବାଟ । ସେହି ବାଟ ଧରିଥିଲେ ବି ପଛକୁ ଅନାଇଁଲେ ନିଜର ଗୋଟାଏ ପରସ୍ପର ସମତୁଲ ସ୍ୱରୂପ ମୁଁ ପାଆନ୍ତି । ଚାକିରି ଚୋରି, ବଣିଜ ମିଛ, ଏ ଉକ୍ତି ଭୁଲ୍‌ ବୋଲି ପ୍ରମାଣ କରିବାକୁ ଏକା ମୁଁ ଅଣ୍ଟାଭିଡ଼ିଥିଲି; ଆଉ କେହି ନୁହେଁ ତା’ ବି ଠିକ୍‌ ନୁହେଁ । ସେମାନଙ୍କ ସଂଖ୍ୟା କେତେ ମୁଁ ସେ ଜନଗଣନା କରିନାହିଁ । ସେମାନେ ବିଜ୍ଞାପନ କାନ୍ଧେଇ ମଧ୍ୟ ବାହାରନ୍ତି ନାହିଁ, ମାରଣା ଗାଈପରି ଯାହାକୁ ଦେଖନ୍ତି ତାକୁ ଭୁଷିବାକୁ ଗୋଡ଼ାନ୍ତି ନାହିଁ । ତହିଁରୁ ଅନେକ ତ ପରିଚର୍ଯ୍ୟା ହିଁ କରନ୍ତି ନାହିଁ । ସେଥିରୁ କାହାକୁ କୁହାଯାଏ ଡରୁଆ, କାହାକୁ କୁହାଯାଏ କଞ୍ଜୁସ୍, କାହାକୁ ଅପାରଗ, କାହାକୁ ମଳିମୁଣ୍ଡିଆ । କିଏ କେତେବେଳେ ଟିକିଏ ତେଜି ଉଠେ, ପିଲାଏ ପାରିଯାଆନ୍ତି, କାହାର ସବୁଦିନେ ଦୁଃଖ ଦାରିଦ୍ର୍ୟ, କିଏ ତା’ ସହି ସହି ପାକଳ ହୁଏ, କିଏ ସହିପାରେ ନାହିଁ, କେତେବେଳେ ମାଟି କାମୁଡ଼େ ।

 

ସେମିତି ଜଣେ ମଣିଷ ଦେଖିଥିଲି, ସେ ମୋ ସହକର୍ମୀ ପ୍ରିୟବାବୁ, ପ୍ରିୟନାଥ ଦାସ । କଳା, ଡେଙ୍ଗା, କୁଞ୍ଚକୁଞ୍ଚିଆ ବାଳ, ଓସାର କପାଳ, ଛଡ଼ା ଛଡ଼ା ସାନ ସାନ ଆଖି, ପାରିଲା ପରି କାନ, ଟିକିଏ ବଡ଼ ବଡ଼, ଧାର ମୁହଁ । ପ୍ରିୟ ବାବୁ ନାଁ ଡାକ ଛାତ୍ର ଥିଲେ, ଏମ୍‌. ଏ. । ବିଦ୍ଵାନ୍‌ ବୋଲି ଖ୍ୟାତି ଥିଲା । ବହୁତ ବହି ପଢ଼ନ୍ତି । ଅନେକ ଗୁଡ଼ିଏ ଦାର୍ଶନିକ ପ୍ରବନ୍ଧ ଲେଖିଥିଲେ, କହନ୍ତି ସେତିକି ତାଙ୍କ ବିଳାସ, ଊଇ ଖାଇବଣି । ମୁଁ ଜାଣିଥିଲି ସେ ଚରିତ୍ରରେ ନିଷ୍କଳଙ୍କ, କାର୍ଯ୍ୟକ୍ଷେତ୍ରରେ ନିଷ୍ଠାପର, ଧୂରନ୍ଧର, ସଚ୍ଚୋଟ, ନିରପେକ୍ଷ, ତାଙ୍କ ପ୍ରଶଂସା ମୁଁ ବୁଲେଇ ବଙ୍କେଇ ଶୁଣିନାହିଁ, ସିଧାସଳଖେ ଶୁଣିଛି ଅନେକ ଲୋକଙ୍କ ତୁଣ୍ଡରୁ । ମୁଁ କେବେ ତାଙ୍କଠୁ ବେଶି ପରିଶ୍ରମ କରିଥିବି ମତେ ଲାଗୁନାହିଁ-। ବଡ଼ ଚୁପ୍‌ଚାପ୍‌ ଲୋକ ସେ, କାମରୁ ଫେରି ଘରେ ରହନ୍ତି, ପଦାରେ ବେଶି ଦେଖୁ ନାହିଁ । ତାଙ୍କ ତଳୁ କେତେ ଲୋକ ଉଠିଲେ, ପଛେ ତାଙ୍କରି ଉପରିକ ହେଲେ, ଗୁଣୀ ଲୋକ ହିସାବରେ କାହୁଁ ତାଙ୍କ ସଙ୍ଗେ ସେମାନଙ୍କର ତୁଳନା ହେବ । ତାଙ୍କର ଚାକିରିରେ ଉନ୍ନତି ହେଲାନାହିଁ । ଅଭାବରେ ଜର୍ଜର ହେବାର ତାଙ୍କୁ ମୁଁ ଦେଖିଛି, କେବେ କେବେ ତାଙ୍କ ଘରେ ସେ ମନଦୁଃଖ କରୁଥିବାର ଦେଖିଛି,–ଯେତେବେଳେ ମୁଁ ଭାବିଲି ତାଙ୍କ ସଙ୍ଗେ ମୋର ଘନିଷ୍ଠତା ହେଲା, ସେତେବେଳେ । କିନ୍ତୁ କେବେ ମୁଁ ଦେଖିନାହିଁ ସେ ତାଙ୍କ ନୀତି ବଦଳାଇବାର କି କାର୍ଯ୍ୟପ୍ରତି ଉଦାସୀନ ହେବାର । ବୟସରେ ସେ ମୋଠୁ ବଡ଼ ଥିଲେ । ମୁଁ ଲୋଡ଼ିଲେ ସେ ଉପଦେଶ ଦେଲାଭଳି କିଛି କିଛି କହୁଥିଲେ । ମନେପଡ଼ୁଛି–ଦିନେ ସଞ୍ଜବେଡ଼ୁ ମୁଁ କଥା ଆରମ୍ଭିଳି, ‘‘ଚାକିରିରେ ଯେ ଭଲକାମ କରିବ, ଉପରୁ ତାକୁ ଉତ୍ସାହ ମିଳିବ ନାହିଁ, ଓଲଟି ଅପ୍ରଶଂସା ମିଳିବ, ଏଇଟା କଣ ଖରାପ ନୁହେଁ ? ହସିଦେଇ ସେ କହିଲେ, ‘‘ଖରାପ ଭଲ ନିର୍ଣ୍ଣୟ କରିବାର ତ ନାନା ଦୃଷ୍ଟିଭଙ୍ଗୀ ଅଛି । କଣ ମୁଁ କହିବି ମତେ ପଚାରୁଛନ୍ତି ?’’ ମୁଁ କହିଲି, ‘‘ଆପଣଙ୍କ ନିଜକଥା ଦେଖନ୍ତୁ । ଦିନରାତି ଲାଗିପାତି ଏତେ କାମ କଲେ, ସବୁଠି ଜୟ ଜୟ କାର, ଅଥଚ ଉପର ଲୋକେ ଯେତେବେଳେ ପୁରସ୍କାର ଦେଉଛନ୍ତି, ସେ ଆଦୌ ଆପଣଙ୍କ କତିକି ଆସୁନାହିଁ । ଆପଣଙ୍କୁ ମୁଁ ଆଦର୍ଶ ବୋଲି ମାନୁଛି, ମୋର ବି ସେହି ଦଶା ।’’

 

ସେ ହସିଦେଇ କହିଲେ, ‘‘ବୋଧହୁଏ ସେଇଥିପାଇଁ ଆଦର୍ଶ ବୋଲି ଭାବୁଛନ୍ତି ।’’

 

ମୁଁ ଉତ୍ତେଜିତ ହୋଇ କହିଲି, ‘‘ତା ବି ଠିକ୍‌ । ବାହାରେ ପର ଉପରେ ଅତ୍ୟାଚାର ହେଲାବେଳେ ଆମେ ଉତ୍‌କ୍ଷିପ୍ତ ହୋଇ ଧାଇଁଯାଉଛୁ ଅତ୍ୟାଚାର ବନ୍ଦ କରିବାକୁ । କିନ୍ତୁ ଆମ ନିଜ ଉପରେ ଅତ୍ୟାଚାର ଶୋଷଣ ଚାଲିଛି, ଆମ କାମର ଉଚିତ ମୂଲ ତଉଲ ହେଉନାହିଁ, ଯେତେ ଯେ ଅପଦାର୍ଥ, ସେମାନେ ଉପରକୁ ଉଠୁଛନ୍ତି, ଅନୀତି, ବ୍ୟଭିଚାର, ମନ୍ଦବୁଦ୍ଧି, ଯେତେ ଯାହା ଖରାପ ସବୁ ପାଉଛି ପୁରସ୍କାର, ଉତ୍ସାହ, ସମ୍ମାନ ।’’

 

ସେ ମୋ ଆଖିକି ଅନାଇଁ ଶାନ୍ତ ହୋଇ କହିଲେ, ‘‘ହେବା ଉଚିତ ତ ଅନେକ କଥା; କିନ୍ତୁ ହୁଏ ନାହିଁ । ଉଚିତ କି ଅନୁଚିତ ତା’ ଆମେ ଭାବି ପାରୁଥାଇଁ, ହେବା ନ ହେବା ଆମ ହାତରେ ନାହିଁ । ଆମ ହାତରେ ଅଛି ଗୋଟିଏ କଥା,–କାମ କରିବା । ଗୁଣପ୍ରତି ଆପଣାର ରୁଚି ଓ ଶ୍ରଦ୍ଧା ଥିଲେ ଗୁଣି ରଖିହୁଏ, ପୁରଷ୍କାର ଆଶା କରି ଗୁଣ ସଞ୍ଚୟ କଲେ ପୁରସ୍କାର ପାଇବା ତ ଆଦୌ ନିଶ୍ଚିତ ନୁହେଁ, କାରଣ ପୁରସ୍କାର ପାଇଁ ସାଧନା ବୋଧହୁଏ ଭିନେ, ଗୁଣ ବି ରହେ ନାହିଁ ।’’

 

‘‘ତେବେ ମଣିଷ ସଚ୍ଚୋଟ ହେବ କାହିଁକି ? ମରିସରି ଏତେ କାମ କରିବ କାହିଁକି ? କ’ଣ ପାଇବ ?’’

 

‘‘ସବୁ ଆପଣା ରୁଚି ଲାଗି । ମୁଁ ବହୁତ ପାନ ଖାଏ । ଆପଣ ପାନ ଖାଆନ୍ତି ନାହିଁ । ସେମିତି ୟେ । ଯାହାକୁ ଯାହା ଭଲଲାଗେ, ତେବେ, ଅନ୍ୟାନ୍ୟ କାରଣ ବି ଥାଇପାରେ । ସଚ୍ଚୋଟ ଲୋକର ଅଡ଼ୁଆ କମ୍‌ । କେତେ ଲୋକ ଅଡ଼ୁଆକୁ ଡରନ୍ତି । ଅଡ଼ୁଆ ଲାଗିଲେ ସେଥିରୁ ଉଧୁରିବା ପାଇଁ ଯେତେ ଛନ୍ଦକପଟ ଚତୁରତା ଦରକାର ତା ତାଙ୍କଠି ନଥାଏ । ସେମାନେ ସରଳିଆ ଲୋକ । ସଳଖ ବାଟରେ ନିରାପଦରେ ଚାଲିବାକୁ ମନ, ତା’ପରେ ଆପଦ ପଡ଼ୁ ପଛେ ।’’

 

ମୁଁ କହିଲି, ‘‘ଆଦର୍ଶବାଦର ମହତ୍ୱକୁ କିଏ ଅସ୍ୱୀକାର କରିବ ? କିନ୍ତୁ ଦେଖୁ ନାହାନ୍ତି । ଦିନୁ ଦିନ ମହଙ୍ଗା ବଢ଼ୁଛି, ଅଭାବ ବଢ଼ୁଛି, କିଛି ବଳୁନାହିଁ, ଓଲଟି ଉଧାରଧାର, ତା’ ବି କିଏ ଦେଉଛି-। ଏହି ପରିସ୍ଥିତିରେ ସଚ୍ଚୋଟ ହୋଇ ନିଷ୍ଠାପର ରହି ଚାକିରି କରିଯିବା, ଆୟୁଷତକ ଏଇଥିରେ ସରିବ, ଜୀବନଟା ସଢ଼ିବ ଅଭାବରେ, ଚାକିରି ସରିବା ବେଳକୁ ଦେବାଳିଆ ହୋଇ ବାହାରିବା । ବର୍ତ୍ତମାନଟା କରୁଣ, ଭବିଷ୍ୟତଟା ଭୟାବହ । ଜୀବନ ହେବ ବିଳାପ୍ୱାନି, ଆସମୃତ୍ୟୁ, ଦୟାକର ।’’

 

ସେ ଦୁଃଖିତ ହୋଇ କହିଲେ, ‘‘ମୋ କଥା ମାନନ୍ତୁ, ଏତେ ଭାବନ୍ତୁ ନାହିଁ । ଭାବି ଭାବି କ’ଣ ହେଉଛି ଦେଖିଲେଣି ? ସତେ ଯେମିତି ନିଜ ଦଳ ଛାଡ଼ିବା ପୂର୍ବରୁ କିଏ ଇସ୍ତହାର ଦିଏ, ସେହିପରି ୟେ, ନିଜ ମନର ତଳିକୁ ଦେଖିଲେ ନିଜକୁ ଡର ମାଡ଼ିବ ।’’ ‘‘କିନ୍ତୁ କେଡ଼େ ଅନ୍ୟାୟ ! କେଡ଼େ ଅବିଚାର !’’

 

ସେ କହିଲେ, ‘‘ଅନ୍ୟାୟ ଅବିଚାରକୁ ଧ୍ୱଂସ କରିବା ଲାଗି ଭଗବାନଙ୍କୁ ପରା ବାରମ୍ବାର ଏ ପୃଥିବୀରେ ଅବତାର ହେବାକୁ ପଡ଼ିଛି । ଶାସ୍ତ୍ରରେ ଅଛି, ମଣିଷ ନିଜ ଚେଷ୍ଟାରେ ନିଜକୁ ଠିକ୍‌ ରଖିପାରିଲେ ଶାନ୍ତି ପାଇବା ଉଚିତ । ସବୁଠୁ କଷ୍ଟ ତ ସେତିକି ।’’

 

‘‘ଆଉ ପରିଣାମ ?’’

 

‘‘ଯାହା ମୋ ଶକ୍ତି ବହିର୍ଭୂତ, ଯେମିତି ଆକାଶର ଜହ୍ନକୁ ହାତରେ ଧରିବା, ସେଥିପାଇଁ ମୁଁ ଦୁଃଖିତ ହେବି କାହିଁକି ? ହଉ ମୋର ଯେତେବେଳେ ଯାହା ।’’

 

‘‘ତେବେ ଏଭଳି ଚାକିରିରେ ରହିବା ଦରକାର କ’ଣ ?’’

 

‘‘ଦରକାର ଯାହା ମିଳୁଛି ସେତିକି । ନିତାନ୍ତ ଦରକାର । ତା’ପରେ,-ଏ ଜୀବନ ଆରେଇଲାଣି । ତା’ପରେ,–ଅଳସପଣିଆ ଲାଗି ଆଉ କିଛି ନୂଆ ବାଟ ଧରିବାକୁ ମନ ଡାକୁ ନାହିଁ-। ଆଉ ଗୋଟିଏ ପ୍ରଧାନ କାରଣ,–ଅନ୍ୟ କୌଣସି କାମକୁ ମୁଁ ବୋଧହୁଏ ଅଯୋଗ୍ୟ ।’’

 

‘‘ଅଯୋଗ୍ୟ ! ଆପଣ ଅଯୋଗ୍ୟ ପ୍ରିୟ ବାବୁ ! ପାନଦୋକାନି, ଆଳୁ ବ୍ୟବସାୟୀ, ନାନା ବ୍ୟବସାୟୀ, ସେମାନେ କ’ଣ ?’’

 

ସେମାନେ ପ୍ରତ୍ୟେକେ ନିଜ ନିଜ ବ୍ୟବସାୟ କ୍ଷେତ୍ରରେ ଆମ ଚାକିରିଆଙ୍କଠୁଁ ବହୁତ ବେଶି ଯୋଗ୍ୟ । ସେଥିରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ତାଙ୍କ କାମରେ ଆମ ପାଠ ମୂଲ୍ୟହୀନ, ଯେମିତି ଚାଷ କାମରେ । ଆମେ ପର ନିଷ୍ପତ୍ତିକୁ ଅନୁସରଣ କରୁଁ । ସେମାନେ ନିଷ୍ପତ୍ତିକୁ ଘେନନ୍ତି ନିଜେ, ସେଥିରେ ବି ଟାଳଟୂଳ ନଥାଏ, ଦାୟିତ୍ୱ ବି ତାଙ୍କରି, ଆମେ ଭୁଲ୍‌ଟିଏ କଲେ ଆମର ନିଜର କ୍ଷତି ନ ହୋଇପାରେ, ସେମାନେ ଭୁଲ କଲେ ତା’ ପରିଣାମ ତାଙ୍କୁ ଭୋଗିବାକୁ ହିଁ ପଡ଼ିବ, ବ୍ୟବସାୟ ଧ୍ୱଂସ ହୋଇପାରେ ।’’

 

ଜୀବନଯାକ ପ୍ରିୟ ବାବୁଙ୍କ ପ୍ରତି ମୋର ଶ୍ରଦ୍ଧା ରହିଛି, ମୁଁ ଜାଣେ ତାଙ୍କ ଉଞ୍ଚମୁଣ୍ଡ କେବେ ତଳକୁ ହୋଇନାହିଁ । ସଂସାରର ଦୁଃଖକଷ୍ଟ ସେ ଭୋଗିଛନ୍ତି ବହୁତ, ବହୁତ । ଅନେକ ଥର ମୋର ଇଚ୍ଛା ହୋଇଛି, ସେ ବି ନ୍ୟାୟ ନୀତି ଛାଡ଼ି କଳୁଷିତ ଅପବିତ୍ର ହୁଅନ୍ତେ କି, ନତୁବା ସେ ଯାଆନ୍ତେ ଭାଙ୍ଗି ରୁଜି; ଆଉ ତାଙ୍କର ପତ୍ତା ରହନ୍ତା ନାହିଁ । ମୋ ମନରେ ତାଙ୍କ ପ୍ରତି ଭକ୍ତି ଆସୁରୀ ଭକ୍ତି ହିଁ ପାଲଟିଯାଇଥିଲା । କିନ୍ତୁ ମୋ ଇଚ୍ଛା ପୂରଣ ହୋଇନାହିଁ ।

 

ବୋଧହୁଏ ଏ ସଂସାରରେ ପାପର ବାରିଧି ଉଛୁଳୁଥିଲେ ବି ପଥର ପରି ଠିଆହୋଇ ରହିଥିବେ କେଉଁଠି କେମିତି ନିରୀହ ନିଷ୍ପାପ ମଣିଷ ଜଣେ ଜଣେ, ପ୍ରିୟନାଥ ପରି ।

 

କାହିଁକି ?

 

ମୋ ଅନ୍ତର ଭିତରୁ କ୍ଷୋଭରେ ବ୍ୟର୍ଥତାରେ ରାଗରେ କାନ୍ଦୁରା ପାଟିରେ ସେହି ପ୍ରଶ୍ନ ବାରମ୍ବାର ବାହାରେ ।

 

କିନ୍ତୁ ସେଦିନ ସଞ୍ଜରେ ମୁଁ ତାଙ୍କଘରୁ ଯେତେବେଳେ କ୍ଷୁବ୍‌ଧ ଚିନ୍ତିତ ହୋଇ ଘରକୁ ଫେରିଲି, ଅନ୍ତତଃ ସେତେବେଳେ ତାଙ୍କପ୍ରତି ମୋର ଶ୍ରଦ୍ଧା ନଥିଲା । ମୁଁ ତାଙ୍କୁ ଦେଖୁଥିଲି ମଣିଷ ନୁହେଁ ଗୋଟିଏ ନିର୍ଜୀବ କାଠ କଣ୍ଡେଇ ପରି । ଅବା ଗୋଟିଏ ପୋଷା ଶୁଆ ଯେ ଭାବେ ପିଞ୍ଜରାଟା ତା’ ସ୍ୱର୍ଗ । ମୋ ନିଜ ଭିତରେ କେତେ କ’ଣ ପରିବର୍ତ୍ତନ ହେଉଥିଲା । ସେ ସବୁ ପଛେ ।

 

ମୋଟାସୋଟା ଖାଉଁ, ଘର କାମର କଡ଼ ଭାଗକ ଆପଣା ହାତରେ କରୁଁ, ବିଳାସବ୍ୟସନ ନଥାଏ । ଘର ସଜାଇବାରେ ପରିପାଟୀ ନଥାଏ; ତଥାପି ଇନ୍ଦୁମତୀର ଭଲ ଲୁଗା ଖଣ୍ଡେ ହୁଏନାହିଁ, ଖତୁପାଇଁ ମିଳିପାରେ ନାହିଁ ପୁଷ୍ଟିକର ଖାଦ୍ୟ । ଶୁଭାର ବିଭାଗର ଲାଗି କରଜ ପାଇଁ ମତେ ବି ଟଙ୍କା ପଠାଇବାକୁ ପଡ଼େ, ପୁଣି ହିତୁରୁ ପାଠପଢ଼ା ପାଇଁ । ଟିକିଏ ଭାବିଲେ ବୁଝିହୁଏ, ଆମର ସମ୍ପତ୍ତି ନାହିଁ, ଭବିଷ୍ୟତ ନାହିଁ । ବାପା ଲୋପ ହେଲାପରେ କ୍ରମେ ମୋର ଓ ଜିତୁ ଭାଇଙ୍କର ସମ୍ପର୍କ ଅସୁବିଧାଜନକ ହୋଇଆସୁଥାଏ, ବିଶେଷତଃ କ୍ରମେ ଯେତେବେଳେ ଜଣାପଡ଼ିଲା ଯେ ସେ ଅଲଗା କରି ଆପଣା ପରିବାର ପାଇଁ ଭବିଷ୍ୟତ୍ ସଂସ୍ଥାନ କରବାକୁ ଆଗ୍ରହୀ । ସେ ତ ପରିଷ୍କାର କହିଦେଇଥିଲେ, ବେଳ ଥାଉ ଥାଉ ଆମେ ଦୁଇଭାଇ ନିଜ ନିଜ ବାଟ ଧରିବା ଦରକାର, ତା’ ହେଲେ ଭବିଷ୍ୟତ୍‌ରେ ଆଉ କଣ୍ଟା ରହିବ ନାହିଁ, ସଦ୍‌ଭାବ ରହିପାରିବ । ଭାଉଜଙ୍କର ମଧ୍ୟ ସେହି ଇଚ୍ଛା । ଆଉ ଇନ୍ଦୁର କେମିତି ପ୍ରକାରେ ମଣିଷ ସେ, ତା’ର ଆଶା ନାହିଁ, ନିରାଶା ନାହିଁ, ଆଶଙ୍କା ନାହିଁ କି ଯୋଜନା ନାହିଁ, ମାଗେ ନାହିଁ କିଛି, ବୋଧହୁଏ ଦେଲାଭଳିଆ ବୁଦ୍ଧି ବି ନାହିଁ ତା’ଠି । କୁଆଡ଼ୁ କୁଆଡ଼ୁ ସେ ଘରଯାକ ନୂଆ ନୂଆ କାମ ସୃଷ୍ଟି କରେ, ଆବଦ୍ଧ ରହେ ସେଇଥିରେ । ଏଭଳି ସ୍ତ୍ରୀଟିଏ, ଯେ ସବୁଥିରେ ଏକାପରି, ଯାହାର ନିଜର ସ୍ୱର ନାହିଁ କିଛି–ସେ ଜଗତଯାକର ପ୍ରଶଂସା ପାଇଛି ମୁଁ ନାହିଁ କରୁନାହିଁ; କିନ୍ତୁ ସେ ମତେ ପ୍ରଭାବିତ କରିପାରେ ନାହିଁ ।

 

ମୁଁ ଜାଣେ ନାହିଁ ସେ ମୋ ବିଷୟରେ କ’ଣ କହନ୍ତା । ଖୋଳି ତାଡ଼ି ପଚାରିଲେ ତୁନିତାନି ହସିଦେଇ ସେ ଉଦ୍ଧାର ପାଏ ।

 

ମତେ ଲାଗେ ସେ ମତେ ଖୁବ୍‌ ଭକ୍ତିକରେ, ମୋର ଏତେ ଗୁଣ, ଏତେ ସାହସ, ସେ ପ୍ରଭାବିତ ନହୁଅନ୍ତା କେମିତି ? ପୁଣି ଭାବେଁ, ସେ ମତେ ଡରେ, ପ୍ରାଣେ ଡର । କାହିଁକି ? ସେ କ’ଣ ମୋଠି ଗୋଟାଏ ନିଷ୍ଠୁର ଅସୁରର ପରିଚୟ ପାଇଥିଲା ଯାହାକୁ ମୁଁ ନିଜେ ଚିହ୍ନେ ନାହିଁ, ଯେ ତା’ ତଣ୍ଟି ଚିପିପାରେ ?

 

ନାଃ, ତା’କଥା ବେଶି ଭାବିବାକୁ ବେଳ ପାଇନାହିଁ, ଦେଖିବା ଭବିଷ୍ୟତ୍‌ରେ । ତା’ଠି ବି ସୁଖ ଦୁଃଖ ରୁଚି ଅରୁଚି ଭଲମନ୍ଦ କେତେ ଧାରଣା ଥିବ । ତାଠିଁ ବି ଥିବ ସ୍ନେହ ସ’କ, ତା’ ବାପା ବୋଉ, ଭାଇ ଭଉଣୀ, ବନ୍ଧୁ କୁଟୁମ୍ବ, ଏମାନଙ୍କଠୁଁ ଓଟରା ହୋଇ ଗଛରୁ ଛିଣ୍ଡାହୋଇ ନିଆଯାଇଥିବା ଫୁଲପରି,–

 

ଏତେ ଭାବି ନାହିଁ ।

 

ରାତି ।

 

ମୋ ମୁଣ୍ଡ ବଥୋଉଥାଏ, ସେ ଚିପି ଦଉଥାଏ ।

 

‘‘ଭାବିଛି କେବେ ଇନ୍ଦୁ, ଆମେ କେଡ଼େ ନିଃସହାୟ ?’’

 

‘‘ଏତେ ପରିଶ୍ରମ, ଏତେ ନିଘା ଏତେ କାମ, କିଛି ପୁରସ୍କାର ନାହିଁ ଇନ୍ଦୁ । ଦୁନିଆରେ ସଚ୍ଚୋଟପଣର ପରସ୍କାର ନାହିଁ । ଅଥଚ ଦେଖ ଲୋକଙ୍କୁ– ।’’

 

‘‘ଗୁଡ଼ାଏ ଏଣୁ ତେଣୁ ଭାବି ଭାବି ଦେହଟା ଖରପା କରନା ।’’ ଇନ୍ଦୁ କହିଲା, ‘‘ଦୁନିଆଁ କଥାରୁ ଆମେ କ’ଣ ପାଇବା ? ଅଭାବ ବି କ’ଣ ? ଚଳୁଛି ତ !’’

 

ତା’ର କେତେଦିନ ପରେ ହେବ ? ମନେ ନାହିଁ ତ ! ବର୍ଷେ ? ଦି’ବର୍ଷ ?

 

ରାତି । ସେ ମୋ କତିରେ ଶୋଇଥାଏ । ପଚାରିଲି,

 

‘‘ତୁମର ମତ କ’ଣ ?’’

 

‘‘କେଉଁ କଥା ?’’

 

‘‘ମନେ ମନେ ମୁଁ ପାଳ ପକାଇ ଉଚ୍ଚ ହେଉଛି; କିନ୍ତୁ ଆଉ କେହି ତ ତା’ ସ୍ୱୀକାର କରୁନାହାନ୍ତି । ଭ୍ରଷ୍ଟ ଦୁନିଆରେ ଭ୍ରଷ୍ଟ ହେଲେ ହିଁ ଲୋକେ ଶରଧା କରନ୍ତି ।’’

 

‘ଛି ।’

 

‘‘ବିଶ୍ୱାସ କର । ଦେବ, ଦିଆଇବ, ଦେ’ପଦ ବୋଲାଇବ, ତେବେ ଯାଇ ଲୋକ ଖୁସି ପାଇବେ । ଆଣିବ କେଉଁଠୁ ଯେ ଦେବ ? ତେଣୁ, ଆଗ ଯୋଗାଡ଼ି କରିବାକୁ ପଡ଼ିବ । କେଉଁଠୁ ? ଲୋକଙ୍କଠୁ । ଲୋକେ କାହିଁକି ଦେବେ ? ତାଙ୍କ କାମ କରିଦେଲେ । ଖାଲି ସେତିକି ନୁହେଁ, ତାଙ୍କ ପାଇଁ ନକଲା କାମ କଲେ । ଅନ୍ୟାୟ, ପକ୍ଷପାତ, ଭ୍ରଷ୍ଟଚାର । ନହେଲେ ଚୋରି କଲେ ।’’

 

‘‘ଚୋରି ?’’

 

‘‘ହଁ ଚୋରି । ଯାହା ଭାର ଦିଆଯାଉଛି, ତାହାରି ଭିତରୁ ଚୋରି ।’’

 

‘‘ଇସ୍‌ !’’

 

‘‘ଇସ୍‌ କ’ଣ ? ଭାଗ ବଣ୍ଟା ଦେଲେ ସମସ୍ତେ ଖୁସି । ସାହାଯ୍ୟ ମିଳିବ ପ୍ରଶଂସା ମିଳିବ, ପାରିଲାପଣ ସ୍ୱୀକୃତ ହେବ । ଚଢ଼ି ଚଢ଼ି ଚାଲିଯା ଆଗଡାଳକୁ । ସେଉଠୁ କିଛି ଦାନପୁଣ୍ୟ କର, ଦେଉଳ ତୋଳ ।’’

 

‘‘ମାଲୋ !’’

 

‘‘ମାଲୋ କ’ଣ ?’’

 

‘‘କିଛି ନାହିଁ । ପୁଣି ଏଣୁ ତେଣୁ ଭାବୁଛ । ଆଗେ କେଡ଼େ ସୁନ୍ଦର ଶୋଇବା ଆଗରୁ ଗୀତା, ଭାଗବତ ପଢ଼ୁଥିଲ, ଶ୍ରୀ ରାମକୃଷ୍ଣ ବିବେକାନନ୍ଦଙ୍କ ବହି ପତ୍ର ପଢ଼ୁଥିଲ; ଆଉ କେତେ କ’ଣ ପଢ଼ୁଥିଲ, ବୁଝୋଉଥିଲ ।’’ ‘‘ଛାଡ଼ଃ, ଶୋଇପଡ଼, ଶୋଇପଡ଼ ।’’

 

କେତେଥର ଦେଖିଛି ସେ ଶୋଇ ନଥାଏ, ଚେଇଁ ପଡ଼ିଥାଏ । ଅଥଚ ସେ ଶରୀରରେ ହିଁ ନଥାଏ ବୋଲି ଜଣାପଡ଼େ । କ’ଣ ଭାବୁଥାଏ ।

 

ତା’ପରେ ସେଥର ସେ ଝଡ଼ ରାତି । ଅନ୍ଧାର ବିଲ୍‌ ବିଲ୍‌ । ଡେରିରେ ଫେରିଲି । ସେ ଭାବୁଥିଲା ମୁଁ ମୋ କାମରେ ଅଟକି ଯାଇଥିଲି । ମୁଁ ଭୋଜି ଖାଇ ଫେରୁଥାଏଁ, ତା’ ହାତକୁ ଦୁଇଶହ ଟଙ୍କା ବଢ଼େଇଦେଇ କହିଲି, ‘ରଖ’ । ଦୋଦୋ ପାଞ୍ଚ ହେଲା, କହିଲା । ‘‘ଦରମାରୁ କ’ଣ କଟିଗଲାକି ? ତା’ ଛଡ଼ା ମାସ ନ ପୁରୁଣୁ ?’’

 

ବିରକ୍ତ ହୋଇ କହିଲା, ‘‘ଦରମା ନୁହେଁ ୟେ, ଜଣେ ଦେଇଛି ।’’

 

‘‘କାହିଁକି ?’’

 

‘‘କାହିଁକି ଆଉ ଦିଅନ୍ତା ? ବିଚରାର କିଛି କାମ କଲି ବୋଲି ତ ।’’ ମୁହଁକୁ ତଳକୁ ପୋଳି କହିଲା, ‘‘ଯାଇଥିଲ ପ୍ରିୟନାଥ ବାବୁଙ୍କ ଆଡ଼େ ?’’

 

ପ୍ରିୟନାଥ–ପ୍ରିୟନାଥ–ଆପଣା ଉପରେ ନିଷ୍ଠୁର, ପାଉଁଶ ବୋଳିହୋଇ ଲୁହାକଣ୍ଟା ଉପରେ ଚେକା ମହୁଲି ପକାଇ ଆଖିବୁଜି ବସିଥିବା ବାବାଜିଟା–କି ଦୁଃସାହସରେ ତା’ ନାଁ ଏ ଧରୁଛ ଓ କାହିଁକି ?

 

ମୋର କ’ଣ ହୋଇଗଲା ମୁଁ ଜାଣେନାହିଁ, ହଠାତ୍‌ ମୁଣ୍ଡଟା ଗରମ ହୋଇଗଲା, କାନ ଭାଁ ଭାଁ, ମନେ ମନେ ଇନ୍ଦୁମତୀର ବେକଟାକୁ ମୁଁ ଦୁଇହାତରେ ମୋଡ଼ି ଚିପିଦେଲି ଯେମିତି, ପୁଣି ସମ୍ଭାଳିନେଲି ମୁଁ ଜାଣେ ନାହିଁ ଆଖି ଖୋଲିଲି, ସଁ ସଁ ହୋଇ କହିଲି, ‘‘କାହା ନାଁ କହିଲ ?’’

 

ସେମିତି ତଳକୁ ମୁହଁପୋତି ସେ କହିଲା, ‘‘ଡେରି ହେଲା ଯେ, ସେଇଠିକି ତ ଯାଅ, ପଚାରିଲି ପ୍ରିୟନାଥ ବାବୁଙ୍କ ଘରକୁ ଯାଇଥିଲ କି ନାହିଁ ।’’

 

‘‘ଆଚ୍ଛା ପ୍ରଶ୍ନ ତୁମର ! ପ୍ରିୟନାଥ ! ରଖୁଛ ?’’

 

ସେ ବାକ୍‌ସ ଖୋଲିଲା ।

 

ତା’ପରେ ଲମ୍ବହୋଇ ଗୋଡ଼ତଳେ ପଡ଼ିଲା ଠାକୁରଙ୍କୁ । ଉଠିଲା । ପଚାରିଲି, ‘‘କ’ଣ ଖୁସି ହେଲ ?’’

 

‘‘ତୁମେ ଖୁସି ତ ସବୁ ଭଲ ।’’

 

‘‘ଆଜି ଠାକୁରଙ୍କୁ ଦଣ୍ଡବତ କଲ ଯେ !’’

 

‘‘ଠାକୁରଙ୍କୁ ଯେତେ ଦଣ୍ଡବତ କରିବ ସେତେ ଭଲ ।’’

 

‘‘ଭଲ କଲ, ଠାକୁରେ ଏମିତି ଦେଉଥାନ୍ତୁ, ବିପଦ ନପଡ଼ୁ । ଓଲା ଥିଲି, ବୁଦ୍ଧି ଦେଲେ ।’’

 

ସେ କିଛି କହିଲା ନାହିଁ । ଫିଁ କରି ଦୀର୍ଘଶ୍ୱାସ ପକାଇଲା ।

 

ଠିକ୍‌ ମନେପଡ଼ୁଛି, ତହିଁଆର ଦିନ ସକାଳୁ ଉଠି ଲକ୍ଷ୍ୟକଲି ଇନ୍ଦୁମତୀର ଆଖିରୁ ଲୁହ ବୋହିଯାଉଛି ।

 

‘‘କାନ୍ଦୁଛ ?’’

 

‘‘ମୁଣ୍ଡ ବଥୋଉଛି । ଆଖିରୁ ପାଣି ବୋହୁଛି ।’’ ତା’ ଆଖି କଷରା ଦିଶୁଥାଏ ।

 

କେମିତି ମୁଁ ମୋ ବାଟବଦଳାଇଲି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ବୋଧହୁଏ ପ୍ରବଣତା ଥିଲା ମୋ ଭିତରେ ଆଗରୁ, ବାହାରେ ଋତୁ ବଦଳିବାରେ ମୁଁ ସଚେତ ହେଲି, ଅନୁଭବ କଲି, ଋତୁ ହେଲା, ଗଜାହୋଇ ବାହାରିବି । କିନ୍ତୁ ଆଗରୁ ବି କ’ଣ ସେହି ଋତୁ ନଥିଲା, ସେତେବେଳେ ଖୋଳିତାଡ଼ି ଦେଖିଲେ ଅନେକ ସ୍ତରରେ ଅନେକ ଲୋକଙ୍କଠିଁ ମଣିଷ ପାଇପାରନ୍ତା ସ୍ଥଳନର ଯେତେ ଇଚ୍ଛା ନମୁନା ? ଅତି ପୁରୁଣା ଶାସ୍ତ୍ରମାନଙ୍କରେ ଯେଉଁସବୁ ଜାତିଜାତିକା ଅପରାଧ ଓ ଚରିତ୍ର ବିଚ୍ୟୁତି ପାଇଁ ଜାତି ଜାତି ଶାସ୍ତି ଓ ପ୍ରାୟଶ୍ଚିତ୍ତ ଲେଖାଅଛି, ମୁଁ ସେଥିରୁ ପ୍ରମାଣ ପାଇଛି ଯେ ସେତେବେଳେ ବି ସେସବୁ ବହୁତ ଥିଲା । ଇତିହାସ ତହିଁରେ ଜୁଡ଼ୁବୁଡ଼ୁ, ଯେଉଁଠି ଚିପିଲେ ବୋହିପଡ଼ିବ । ବେଶି ପାଇବା, ବେଶି ବେଶି କରି ସାଇତି ରଖିବା, ବେଶି ସୁଖ ଖୋଜିବା, ସମସ୍ତିଙ୍କୁ ଟପି ଇନ୍ଦ୍ର ହେବା, ମଣିଷକୁ ସେହି ବାଟରେ ଘେନିଯିବାର ସମ୍ଭାବନା ବେଶି, ନହେଲେ ରାତିକା ରାତି ଧନୀ ହେବାକୁ ଅନ୍ୟ ଉପାୟ କ’ଣ ? ଆପେ ଆପେ ଭାଗ୍ୟ, ଈଶ୍ୱରଙ୍କ ଦୟା ଏପରି ଅଦୃଶ୍ୟ ସମ୍ଭାବନାମାନଙ୍କ ଉପରେ ନିର୍ଭର ନକରି ମଣିଷ ଆପଣା ବାହା ବଳରେ ଆପଣା ଭାଗ୍ୟ ଗଢ଼ିପାରିବ ବୋଲି ନିଜର ବିଶ୍ୱାସ ଜନ୍ମାଇ ପାରିଲେ ବଳେ ବୁଝି ପାରିବ ଯେ ତା’ ନିଜ ସ୍ୱାର୍ଥପାଇଁ ସେହି ଉପାୟ ଭଲ ଯହିଁରେ ନିଶ୍ଚିତ ଭାବରେ ତା’ ସ୍ୱାର୍ଥର ଉପକାର ହେବ ବୋଲି ଜଣାପଡ଼ୁଛି । ସେଥିପାଇଁ ମଣିଷ କ’ଣ ଡିମ୍ବ ଖାଉନାହିଁ ? ଜନ୍ତୁ ମାରୁନାହିଁ ? ଦୁର୍ବଳକୁ ଗ୍ରାସ କରିବ ବଳବାନ, ସେ ଜଣେ ଲୋକ ଅଥବା ଦଳଟାଏ, ତା’ ବଳ ବଢ଼ାଇବା ପାଇଁ ବି ଧନ ଦରକାର । ଦେଶ ଦେଶ ଭିତରେ ସେପରି, ପ୍ରଭାବ ଲାଗି ଧନ ଦରକାର, ଧନରୁ ପ୍ରଭାବ, ପ୍ରଭୁତ୍ୱ ସେଠିକି ଧନହିଁ ମୂଳ । ଖତକୁ ନାକଟେକି ବେଶି ଫସଲ ବଡ଼ ଫସଲକୁ ଆଶା ରଖିବା କେଉଁ ବାସ୍ତବତା ବୋଧ ? ବିପଦ-? ହଁ, ବିପଦ ବି ବାସ୍ତବତା, ଭିକାରିର ଧନନାଶର ବିପଦ ନଥାଏ, ଧନୀର ଥାଏ । ଭିକାରି ନିଶ୍ଚିନ୍ତ ହୋଇ ଗଛମୂଳେ ଶୋଇପାରେ, ଧନୀ ପାରିବ ନାହିଁ । କିନ୍ତୁ ଏଇ ନିଶ୍ଚିନ୍ତ ନିଦଟିକିଏ, ନିରାପତ୍ତା ଅଛି ବୋଲି ବିଶ୍ୱାସ, ପାଖେ ସେ ଆଉ ଭିକାରି ଅବସ୍ଥା, ଆରପାଖେ ବିପଦ ସତ; କିନ୍ତୁ ଧନ, ଧନର କ୍ଷମତା, ଧନ ବଳରେ ନାନା ଆଶା ନାନା ଇଚ୍ଛାର ବାସ୍ତବ ଋପାୟନ, କେଉଁଟା ଦରକାର ? ସବୁଠୁ ବଡ଼ ବିପଦ ତ ଅର୍ଥାଭାବ, ନିଃସହାୟତା, ସବୁବେଳେ ଭୟ,–ଯେ ‘‘ତା’ପରେ କ’ଣ ହେବ ? କ’ଣ କରିବି ? କିଏ ସାହାପକ୍ଷ ହେବ ? ଆଗକୁ ପଛକୁ ତ କେହି ନାହିଁ । ନିଜେ ।’’ ବିପଦ କଟାଇବାକୁ ବୁଦ୍ଧି ଦରକାର, ଖାଲି ମିଛ ନୁହେଁ, ଖାଲି ଭେକ ନୁହେଁ । ସଂସାରରେ ଚଳୁଥିବା ନାନା କୂଟବୁଦ୍ଧି, ଦୂରଦୃଷ୍ଟି ଭିକାରିର ସେ ବୁଦ୍ଧି ଦରକାର ପଡ଼େ ନାହିଁ । ଆର ପାଖେ ଧନ ବି ସେ ବୁଦ୍ଧିର ଚିହ୍ନ । ଯେତେବେଳେ କହନ୍ତି ଦେଶରେ ଦୁର୍ନୀତି ବ୍ୟାପୁଛି, କାନକୁ ଖରାପ ଶୁଭେ; କିନ୍ତୁ ପ୍ରକୃତ କଥା କ’ଣ ? ଯେଉଁମାନେ ଆଖିବୁଜି ଚଳୁଥିଲେ, କେବେ ନିଜ ବୁଦ୍ଧି ଖଟାଉ ନଥିଲେ, ସେମାନେ ସମସ୍ତେ ବୁଦ୍ଧି ବ୍ୟବହାର କଲେଣି, ତେଣୁ ତ ବୁଦ୍ଧି ମନ୍ତ ହେଉ ହେଉ ଲୋକେ ପରସ୍ପର ବିରୁଦ୍ଧରେ ଜାଲିଆତି ବ୍ୟବହାର କରୁଛନ୍ତି । ଅତଏବ ନୂଆ ଚଳଣି ପାଇଁ ଆପଣା ମନରେ ଯଥାର୍ଥ କାରଣ ପଣ ପଣ । ସବୁଠୁ ବଡ଼ କାରଣ କଳ୍ପିତ ନିରାଶ୍ରୟତାକୁ ଭୟ, ତା’ ପଛଆଡ଼େ ଯନ୍ତ୍ରଣା ଆଉ ମୃତ୍ୟୁର ଚେତନା ।

 

ମୋର ନୂଆ ନୂଆ ବନ୍ଧୁ, ସେମାନଙ୍କ ସଙ୍ଗେ କେତେ ମେଣ୍ଟ, କେତେ ଦେଶ ନେଣ, ସଂସାର ବିଷୟରେ ନୂଆ ନୂଆ ବାଗରୁ ଆଲୋଚନା ବୁଦ୍ଧି ବଣ୍ଟାବଣ୍ଟି । ଅତି ଶୀଘ୍ର ମୁଁ ସେମାନଙ୍କର ବିଶ୍ୱାସ ଅର୍ଜନ କଲି । ନୂଆ ନୂଆ ଧାରଣା ଗୁଡ଼ିକ ଲାଗିଲା କେଡ଼େ ନିଦା, କେଡ଼େ ପୁରୁଣା ବୋଲି-। ମୁଁ ସେମାନଙ୍କଠୁଁ ନୂଆ ନୂଆ ଉପାୟ ଶିଖିଲି । କେଡ଼େ ଚଞ୍ଚଳ ! ଦେବ, ଦିଆଇବ, ଦେ’ପଦ ବୋଲାଇବ । ପୁରୁଣା ଉପଦେଶ, ନୂଆ ବ୍ୟବହାର, ଏ ବ୍ୟବହାର ନିଜର ସ୍ୱାର୍ଥସିଦ୍ଧି ପାଇଁ-। ମୁଁ ବି ହେଲି ବଡ଼ ବଡ଼ କାମରେ ବଡ଼ ବଡ଼ ଲୋକଙ୍କ ହାତବାରିଶି । ମୋର ପ୍ରଶସ୍ତି ଦାଣ୍ଡରେ ହାଟରେ ଲୋକ କୁହାକୋହି ହେଲେ । କେଡ଼େ ଚଞ୍ଚଳ ଭୁଲିଗଲେ ଆଗେ ମୁଁ କେଡ଼େ ଅମଣୁଆ ଥିଲି ! ଦେଖାହୁଏ ଯହିଁ ପ୍ରିୟନାଥ ଦାସଙ୍କ ସଙ୍ଗେ ଆଉ । ଅକସ୍ମାତ୍‌ ଦେଖାହେଲେ ସେ ଶୁଖିଲା ମୁହଁରେ ଅନାନ୍ତି, ବୁଝିପାରେଁ,–ସେ ଜାଣନ୍ତି, କିଛି କରିବେ ନାହିଁ ।

 

ତାଙ୍କୁ ପଛରେ ପକାଇଦେଇ ମୁଁ ଉଠିଗଲି କାହିଁକି କାହିଁ ।

 

ଉଠିଲି କି ପଡ଼ିଲି ?

 

ସବୁବେଳେ ନୁହେଁ, ବେଳେ ବେଳେ ନିଜ ଛାଏଁ ନିଜେ ଚୁପ୍‌ଚାପ୍‌ ଥିଲାବେଳେ, ଚାରିଆଡ଼େ ଯେତେବେଳେ ନିଛାଟିଆ ଲାଗେ, ମୋ ହୃଦୟର ଅମୁହାଁ ଦେଉଳ ଭିତରେ ଗୋଟାଏ କାନ୍ଦୁରା ରାଗିଣୀ କ୍ଷୀଣ ସ୍ୱରରେ ବାଜିଉଠେ । ସେଇଟା ବଇଁଶୀ କି ବେହେଲା କି ଆଉକିଛି, ଏତେ ମୁଁ ଭାବି ନାହିଁ । ଚାରିଆଡ଼େ ଆଲୁଅ ଧିମେଇ ଧିମେଇ ଗଲା, ମରି ମରି ଆସିଲା, ଆଉ ମୋର ଏ ସନ୍ଦେହ ସ୍ପଷ୍ଟ ରୂପଧରେ, ବଢ଼ି ବଢ଼ି ଉଠେ ତା’ ସ୍ୱର, ଛାଟିପିଟି ଲାଗେ, ମନ ହୁଏ ନିଜଠୁଁ ପଳେଇବି କୁଆଡ଼େ ହେଲେ। ସେତେବେଳେ ଅନୁଭବ କରେ, ମୁଁ ମରିନାହିଁ, ତଥାପି ସୁକୁ ସୁକୁ ହେଉଛି ମୋଠିଁ ପ୍ରାଣ, ସେହି ବୋଧହୁଏ ବିବେକ ।

 

ତେଣୁ ଫାନ୍ଦିଲି ଏ ଉପାୟ–‘‘ସତୁ ଦଳେଇ, ଲେଖିପକା, ନିରାପକା, କେହି ଦେଖିବେ ନାହିଁ, ଶୁଣିବେ ନାହିଁ, ଏକା ତୁ ।’’ ଲେଖି ଶିଖିଥାନ୍ତି ଭଲା, ଜନରଞ୍ଜନ ଡାକୁଆଙ୍କ ଗଢ଼ିଆ ସେ, କେଡ଼େ ସୁନ୍ଦର ସମାନ ଭାବେ ବାଣ୍ଟିକୁଣ୍ଟି । ମୋର ୟେ କ’ଣ ହେଲା ? ଗୋଟାଏ ଲମ୍ବା ମୁଖୁଶିଆଳୀ, ସେଥିରେ ନାନା କାରୁକାର୍ଯ୍ୟ ନାନା ଚିତ୍ର,–ଜୀବନର କ୍ଷେତ୍ର ଆସିନାହିଁ, ଆସିବ, ତା’ ଆଗରୁ ମୋର ଖାଲି ପ୍ରସ୍ତୁତି, ପ୍ରସ୍ତୁତି, ଗଦା ଗଦା । ତା’ ପରେ ମୋ ଜୀବନ କ୍ଷେତ୍ରରେ ଦେଉଳ, ହେବ ବିରାଟ ଦେଉଳ, ସୁନ୍ଦର ଆକାଶକୁ ମହୁଡ଼; ପ୍ରକାଣ୍ଡ ବିସ୍ତାର ।

 

ହେଲାନାହିଁ, ମୁଖୁଶିଆଳୀ ସରିଲାପରେ ଗୋଟାଏ କଦାକାର ସାନ ଉଈ ହୁଙ୍କା, ଗୁଡ଼ିଏ ଗାତ, ତାହାରି ଭିତରେ ଅନ୍ଧାରରେ ମୁଁ ରହିଛି ।

 

ଏ କ’ଣ ଲେଖିଦେଲି ? କିନ୍ତୁ ପଣ କରିଛି କିଛି କାଟିବି ନାହିଁ ଯେ । ବାଟି କ’ଣ ହୁଏ ? ଖାଲି ମନେ ମନେ ଗୋଟାଏ ଧାରଣା ।

 

ଈର୍ଷା ହେଉଛି । ପ୍ରିୟନାଥ ବଞ୍ଚିଛି । ପ୍ରିୟନାଥମାନେ ବଞ୍ଚିଛନ୍ତି । ଅଭାବ ଅନାଦରର ତାତିରେ ଚମରୁ ଖୋଳପା ଛାଡ଼ିଯାଇଛି; ନାନା ଦୁଃଖ କଷ୍ଟର କୁଆପଥର ମାଡ଼ରେ ପିଠି ଗଇଁଥା ହୋଇଛି; କିନ୍ତୁ ତଥାପି ଏବେ ବି, ସଳଖ ଚାଲି, ସଳଖ ବେକ, ସେମାନେ ହସି ପାରୁଛନ୍ତି ।

 

ମୋର ବି ତ ହସିବା ଦରକାର । କିଏ କହେ ମୁଁ ମୁହଁ ଲଦେ ବୋଲି ? ଅଭାବ କ’ଣ ? ତିନିଠିଁ ତିନିଟା ବଡ଼ କୋଠା, ସେତିକି ବିକିଲେ ପାଞ୍ଚ ଲକ୍ଷ ଟଙ୍କା । ଚାଷ ଜମି ବହୁତ । ବ୍ୟବସାୟମାନଙ୍କରେ ଅଂଶ ଅଛି, କଞ୍ଚା ଟଙ୍କା ବହୁତ, ଦାମୀ ଦାମୀ ଜିନିଷ ବହୁତ, ଖତୁ ଫେରିଲେ ବ୍ୟବସାୟ କରିବ, ବିଦେଶରେ ବିଦ୍ୟା ଶିଖୁଛି, ସାତ ଝିଅଯାକ ସମସ୍ତେ ବଡ଼ ଘରେ ଭଲରେ ଅଛନ୍ତି । ହଠାତ୍‌ ଗୋଟେ ମକଦ୍ଦମାରେ ପକାଇଦେଲେ,–ଦୁର୍ନୀତି । ଚାକିରି ଯାଇଛି, କ୍ଷତି ନାହିଁ । କିନ୍ତୁ ଦଣ୍ଡଟା ? ସାହାଯ୍ୟକାରୀମାନେ ଆଶା ଦେଇଛନ୍ତି ଦଣ୍ଡଟା ବି କଟିଯିବ । ମୋର ବି ଦୃଢ଼ ବିଶ୍ୱାସ ସେଇଆ ।

 

ଏ ବିପଦ କ’ଣ ମତେ ଅଧୀର କରିପାରିଛି ? ସମସ୍ତେ ମୋର ଧୌର୍ଯ୍ୟ ଓ ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ମୁଁ ବି ବଡ଼ ପାଟିରେ କହିପାରିଛି ସତ୍ୟର ଜୟ, ଅସତ୍ୟର ପରାଜୟ ସୁନିଶ୍ଚିତ । ଶୁଣି ଶୁଣି ଅଭ୍ୟାସ ହୋଇଯାଉଛି; ଆଉ ଏ କଥାର କିଛି ତାତ୍ପର୍ଯ୍ୟ ନାହିଁ ଯାହା ମତେ କେଞ୍ଚନ୍ତା । ମକଦ୍ଦମାରେ ପଡ଼ିଲେଣି, ପଡ଼ୁଥିବେ ଅନେକକ ଲୋକ । ପଡ଼ୁ ପଡ଼ୁ ଛାନିଆରେ କିଏ ମଲେ, କିଏ ଅଧାପାଗଳା, କିଏ ବିଛଣାଲାଗୀ । ମୋର କିଛି ନାହିଁ । କାରଣ ମୁଁ ମନେ ମନେ ଭାବୁଥିଲି ଯେଉଁ ପ୍ରକାରେ ହେଲେ ହଠାତ୍ ବିପଦ ଆସିପାରେ । ମୁଁ ତ ମୃତ୍ୟୁକୁ ଆଦରି ନେଇଛି ବହୁ ଦିନୁ । ସେ ଆଉ ମୁଁ ଯାଆଁଳା ଭାଇଠୁଁ ଆହୁରି ଘନହୋଇ ଏକାଠି ଜନ୍ମ ହୋଇଥିଲୁ, ସେହି ମତେ ପ୍ରିୟନାଥର ସାଙ୍ଗ ଛଡ଼େଇ ଘେନିଆସିଲା ଏ ବାଟରେ । ତା’ପରେ ସେ ରହିଥିବ, ମୁଁ ଚାଲିଯିବି ।

 

ମୋ ମନରେ ସେ କଥା ବି ଅଛି–ଦିନେ ବାହାରକୁ କିଛି ନକହି ମୁଁ ତାହାରି ଭିତରେ ସବୁଦିନ ପାଇଁ ବୁଡ଼ିଯିବି । ବର୍ତ୍ତମାନ ନୁହେଁ, ମକଦ୍ଦମାର ଶେଷ ନିଷ୍ପତ୍ତି କ’ଣ ହେଉଛି ଦେଖାଯାଉ, ମନେ ମନେ ମୃତ୍ୟୁ ସହିତ ମୁହାଁମୁହିଁ ହୋଇ ମୋର ତା’ ଅଭ୍ୟାସ ହୋଇଯାଇଛି । ହାତଥରିବ ନାହିଁ-

 

ଏକା ଆଜି ବୋଲି ନୁହେଁ । ମୋ ଅତୀତକୁ ମୁଁ ଯେତେବେଳେ ନୂଆ ଦୃଷ୍ଟିରେ ଦେଖୁଛି, ସେତେବେଳେ ଦେଖିପାରୁଛି ଯେ ମୃତ୍ୟୁ ଚେତନାହିଁ ମୋର ପ୍ରତ୍ୟେକ କାର୍ଯ୍ୟକୁ ନିୟନ୍ତ୍ରିତ କରିଛି, ସେତେବେଳେ କାମ କରୁଥିଲି, ତା’ ଡରରେ ତାକୁ ଭଲପାଇ ନୁହେଁ । ଯେତେ ଦୁଃଖ, କଷ୍ଟ, ବିପଦ କଳ୍ପନା କରି ଡରି ଛାନିଆରେ ଆଡ଼େଇ ଆଡ଼େଇ ହୋଇ ନହେଲେ ପ୍ରତିକାର ଉପାୟ ଭାବି ମୁଁ ଯାହା କରିଛି, ସବୁ ତ ମୃତ୍ୟୁର ଛାଇ । ଅଥଚ ଯେତେବେଳେ ଗରିବ ଥିଲି, ତା’ କଥା ବେଶି ଥର ଭାବୁଥିଲି ଡରରେ, ନିଜ ବୁଦ୍ଧି ବଳରେ ଯେତେବେଳେ ଧନୀ ହେଲି, ତା’ କଥା ଭାବିଛି ସ୍ନେହରେ, ତାକୁ ଶେଷ ଆଶ୍ରା ଭାବି । ଯନ୍ତ୍ରଣାକୁ ଏବେ ବି ଡରେଁ, ମତେ ଲାଗୁଛି, ସେ ଗୋଟାଏ ଭିନେ ସମସ୍ୟା ।

 

ମନ ରୁଗୁ ରୁଗୁ ହୁଏ । ସଂସାର ଅକୃତଜ୍ଞ । ମୁଁ ମୋର ଯାହା କରେଁ, ମଇଳା ସଫା କରି ପେଟ ପୋଷେଁ ଅଥବା ମଣିଷ ମାରି, କେତେ ଲୋକଙ୍କର କେତେ ପ୍ରକାର ଉପକାର ମୁଁ ବି ତ କରିଥିବି, ସେମାନେ ଓଲଟି ମତେ ଆକ୍ରମଣ କଲେ କାହିଁକି ?

 

ପୁଣି ମୁଁ ଚେତିଉଠେଁ ବୁଝେ ନିଜର ଅବୁଝା ପଣ, ଜାଣି ଶୁଣି ମୂର୍ଖତା । ଯେତେବେଳେ ନିଜ ପରିସରରେ ସନ୍ତୁଷ୍ଟ ରହି କାମ କରୁଥିଲି, ସେତେବେଳେ ଜୀବନଟା ଲାଗୁଥିଲା ଗୋଟାଏ ପ୍ରକାରର ସାଧନା ଭଳି, ସେଠି ମୂଲ୍ୟ ଥିଲା ସ୍ନେହ ମମତା ବନ୍ଧୁତା ଓ କୃତଜ୍ଞତା ଆଦିର । ଯେତେବେଳେ ନିଜ ହାତରେ ପରିସର ଭାଙ୍ଗି ଦେଲି, ଧନୀ ହେଲି, ଆପେ ସେ ମୂଲ୍ୟ ଚାଲିଲେ, ଧନ ଖୋଜିଲେ ଧନଛଡ଼ା ଆଉ କୌଣସି କଥାକୁ ମୂଲ୍ୟବାନ ଭାବିଲେ ସେ ଖୋଜାରେ ଫଳ ହୁଏନାହିଁ । ବନ୍ଧୁତା ବି ବହୁତ କରିଛି । ସ୍ନେହ ମମତା ବି ବହୁତ ଲାଗିଛି; କିନ୍ତୁ ତା’ର ଉଦ୍ଦେଶ୍ୟ ଥିଲା ଧନ ଆହରଣ, ଯେତେବେଳେ ସେ ଉଦ୍ଦେଶ୍ୟ ଚାଲିଯାଇଛି ସେ ସଂପର୍କ ବି ଚାଲିଯାଇଛି । ମୁଁ ଖୋଜିଛି ନୂଆ ସଂପର୍କ । ଧନ ପାଇଁ ଶତ୍ରୁ ସଙ୍ଗେ ବି ବନ୍ଧୁତା କରିଛି, ପୁଣି ଧନପାଇଁ ବନ୍ଧୁ ସଙ୍ଗେ ବି ଶତ୍ରୁତା ହୋଇଛି, ଉଭୟେ ନିରର୍ଥକ ।

 

ଦୟା, କ୍ଷମା, ମମତା,–ସେ ବି ହୋଇଯାଇଛି ନିରର୍ଥକ, ଧନ ଆହରଣ ଆଗରେ ସେ ନିଷ୍ପ୍ରଭ ଜଣାପଡ଼ିଛି । ଶୋଷିତ ମଣିଷ ଆଖିରେ ମୁଁ ଲୁହ ଦେଖୁଛି, ପୁରୁଷ ଆଖିରେ ଲୁହ, ଆଉ ସ୍ତ୍ରୀ ଆଖିରେ ମୁଁ ଶୁଣିଛି କେମିତି ସେମାନେ ମୁହଁ ଥରେଇ ଥରେଇ ଡୋଳା ଖୋସି ଦେଇ କପାଳ କୋଡ଼ି କୋଡ଼ି ଭଗବାନଙ୍କୁ ଜଣାନ୍ତି । ଦୀର୍ଘଶ୍ୱାସ ପକାଇ ମୁହଁ ବୁଲେଇ ଦେଇଛି ସଂସାର ୟେ, ସେଥିରେ ଭାସିଯିବା ଦୁର୍ବଳତା ହେବ । ମୁଁ ବି ଡାକିଛି ଭଗବାନଙ୍କୁ । ପ୍ରଭୁ; ଯାହା କିଛି କରୁଛି ସବୁ ଆତ୍ମରକ୍ଷା ପାଇଁ, ପରକୁ ପୀଡ଼ା ଦେବାକୁ ନୁହେଁ, ଏ ସଂସାରରେ ଆତ୍ମାରକ୍ଷା ଲାଗି ପ୍ରୟୋଜନ ନଥିଲେ କରିନଥାନ୍ତି, ଯଦି ଦୋଷ କଲି ଭୟରେ କଲି, କ୍ଷମା କରିବ ।

 

ଏ ସଂସାରରେ ବୋଧହୁଏ ଦୁଇପ୍ରକାର ଆଖି, ଯେଉଁମାନେ ଧନୀ ହେବାକୁ ପ୍ରାଣପଣେ ଚେଷ୍ଟା କରନ୍ତି, ଅନ୍ୟ ସବୁ ଚିନ୍ତା, ସବୁ ନ୍ୟାୟ ଅନ୍ୟାୟ ଧାରଣା ପଛକୁ ପକାଇ ଦିଅନ୍ତି, ତାଙ୍କ ଆଖି ଗୋଟାଏ ପ୍ରକାର, ଯେଉଁମାନେ ତା’ ନ କରନ୍ତି, ତାଙ୍କ ଆଖି ଅନ୍ୟପ୍ରକାର । ଦ୍ୱିତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀକୁ ମୁଁ ଉଠିଯାଇଥିଲି । ପ୍ରଥମ ଶ୍ରେଣୀରେ ଥିଲାବେଳେ ଲାଗୁଥିଲା ଜଗତରେ ମୋ ଭଳି ବେଶିଲୋକ, ଅନ୍ୟମାନେ ତା’ର ବ୍ୟତିକ୍ରମ । ଦ୍ୱିତୀୟ ଶ୍ରେଣୀକି ଯାଇ ନୂଆ ଆଖିରେ ବି ଦେଖିଲି ସେଇଆ, ମୋ’ରି ଚଳଣି ଜଗତ ଯାକର ଚଳଣି, ଗାଁ ଦାଣ୍ଡରୁ ଯେ ସହରର ବଡ଼ ବଡ଼ ମେଢ଼ ଯାକେ, ପ୍ରିୟନାଥମାନେ ତା’ରି ବ୍ୟତିକ୍ରମ । ତେଣୁ ଏତେବେଳେ ବି ମୁଁ ମନେ ମନେ ଜଗତର ସମର୍ଥନ ପାଇଛି, ମୁଁ ବି ଗୋଷ୍ଠୀର ଲୋକ, ଗୋଠଖଣ୍ଡିଆ ନୁହେଁ । ଏ ଗୋଠ ବି ସମାଜ-ନୀତିରେ ନିଜ ସ୍ୱରୂପକୁ ଯଥାର୍ଥ ବୋଲି ପ୍ରମାଣ କରେ, ଅସ୍ୱୀକାର କରିବ କେହି ?

 

ଏ ଦେଶ ଗରିବ, ସମସ୍ତେ ଧନୀ ହେବାକୁ ଚାହାନ୍ତି । ଅତି ଶୀଘ୍ର । ଏଇ ଚେତନାହିଁ ଆଣୁଥିବ ପରିବର୍ତ୍ତନ, ନିଜେ ବୁଦ୍ଧି ବତାଇବ, ନିଜେ ବଦଳାଇବ ରୁଚି, ଆଭିମୁଖ୍ୟ, ବିଚାର, ଆଚାର-। ଥରେ ଏ ବିଚାର ଆସିଲେ ସଂସାର ଦିଶିବ ଯୁଦ୍ଧକ୍ଷେତ୍ର ପରି, ଯଜ୍ଞପରି ଯୁଦ୍ଧ ହିଁ ଲାଗିବ କ୍ରମିକ ବିକାଶର କାରଣ ବୋଲି ହାତ କ’ଣ ବିନା ଯୁଦ୍ଧରେ ତଳୁ ଉଠେ ? ସେ ଲଢ଼େ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ବିରୁଦ୍ଧରେ । ସବୁ ଯୁଦ୍ଧ ଆଉ ସଂଘର୍ଷ ନିଜ ଭିତରେ, ନିଜ ବାହାରେ, ସ୍ୱାମୀ ସ୍ତ୍ରୀ ସଂପର୍କ, ବାପ ପୁଅ ସମ୍ପର୍କ, ସବୁ ଯୁଦ୍ଧ । ଯୁଦ୍ଧରେ ଶକ୍ତି ସମାନ ସମାନ ହୋଇ ଦୁଇ ବିପରୀତ ଦିଗକୁ ଓଟାରି ହୋଇ ଆଖିକି ଦିଶେ ଶାନ୍ତି, ଚାଲିଥାଏ ଯୁଦ୍ଧ । କାହିଁକି ଏପରି ଭାବିବି ? କାରଣ ଏପରି ଭାବିବାକୁ ମନହୁଏ, ଭାବିଲେ ଅନ୍ତତଃ ମୋ ମନରେ ବଳ ଆସୁଛି ଯେ ମୁଁ ଠିକ୍‌ କରିଛି । ଧର୍ମ ବିଶ୍ୱାସ ପରି ଏଥିରେ ବିଶ୍ୱାସ କରାଯାଇପାରେ ।

 

ତା’ ପରେ ଯେତେ ସଦୁକ୍ତି ଯେତେ ସଦାଚାର, ବ୍ୟାଖ୍ୟାନ ଯେତେ ମାନବିକତା ନାଁରେ ଧ୍ୱନି, ସେସବୁ ବି ପ୍ରକୃତରେ କାର୍ଯ୍ୟରେ ଲାଗିଯାଇ ପାରିବ,–ସବୁ ଲାଗିଯିବ ଯୁଦ୍ଧରେ ।

 

କିଏ ଲେଖିଛି ଅର୍ଥ ? ସେ କ’ଣ ସବୁଦିନେ ସମାନ ? ଭାଷାର ଶବ୍ଦମାନେ ଅଛନ୍ତି ସବୁଦିନେ, ଅର୍ଥ ଆସେ ମନ ଭିତରୁ, ଆପଣା ପ୍ରବୃତ୍ତିରୁ, ପ୍ରବୃତ୍ତି ଆସେ କାମନାରୁ,–ମଣିଷ କ’ଣ ଚାହେଁ ?

 

ମଣିଷ ଠିଆହୁଏ ଓକିଲାତି କରିବାକୁ, ଆପଣା କାମନାର, ନିଜେ ବଖାଣୁଥିବା ଭାଷ୍ୟ ନିଜ କାନକୁ ଯୁକ୍ତିଯୁକ୍ତ ଶୁଭେ ।

 

ତେଣୁ ବୋଧହୁଏ ନାନାଯୁଗରେ ନାନା ଶାସ୍ତ୍ରର ଅର୍ଥ ଲୋକେ କରିଛନ୍ତି ଭିନେ ଭିନେ, କେତେବେଳେ ମୋକ୍ଷ ପାଇଁ ତ କେତେବେଳେ କାମ ପାଇଁ, କେତେବେଳେ ଯୁଦ୍ଧ କରିବା ପାଇଁ ତ କେତେବେଳେ ଯୁଦ୍ଧ ନ କରିବା ପାଇଁ ।

 

ଭାଷାଶୂନ୍ୟ, ଭାଷ୍ୟ ରଙ୍ଗ ।

 

ଓଃ ! ସହି ହେଉନଥିଲା ନିଛାଟିଆଟା ।

 

ଏବେ ହେଲା ।

 

ତେଣୁ ବୋଧହୁଏ ପ୍ରତ୍ୟେକ ମଣିଷ ଜଣେ ଜଣେ ଦାର୍ଶନିକ ।

Image